Unknown

 

 

 

 

 

 

 

 

 

 

ବାଣୁଆ

(ପ୍ରଥମ ଖଣ୍ଡ)

ଶ୍ରୀ ଅନନ୍ତ ପ୍ରସାଦ ମହାନ୍ତି

 

 

 

 

 

 

 

 

 

 

 

 

 

ବାପା !

 

ଅନନ୍ତ

 

Sri Nilamani Senapati, I. C. S. (Retd.)

 

Bhubaneswar-2

7th October, 69

 

Captain Ananta Prasad Mahanti's 'Banua’ is such good reading that I went through it in two sittings. As shikar stories they are thrilling. The book is also a piece of literature which, I am sure, will be enjoyed by young and old.

 

N. Senapati

 

ଶ୍ରୀ ନୀଳମଣି ସେନାପତି, ଆଇ. ସି. ଏସ୍‌ (ଅବସରପ୍ରାପ୍ତ) ଲେଖିଛନ୍ତି–

 

ଭୁବନେଶ୍ୱର-୨

ତା ୭-୧୦-୧୯୬୯

 

କ୍ୟାପଟେନ୍‌ ଅନନ୍ତ ପ୍ରସାଦ ମହାନ୍ତିଙ୍କ ‘ବାଣୁଆ’ ଏତେ ସୁଖପାଠ୍ୟ ହୋଇଛି ଯେ ମୁଁ ଏହା ଦୁଇଥରରେ ପଢ଼ିଦେଲି । ଶିକାର ଗପ ଭାବରେ ଗପଗୁଡ଼ିକ ରୋମାଞ୍ଚକର ହୋଇଛି । ବହିଟିର ସାହିତ୍ୟିକ ମୂଲ୍ୟ ମଧ୍ୟ ଅଛି । ମୁଁ ନିଃସନ୍ଦେହ ଯେ ପିଲା ବୁଢ଼ା ସମସ୍ତେ ଏହା ଉପଭୋଗ କରିବେ ।

 

ନୀଳମଣି ସେନାପତି

 

ବହିଟି ପଢ଼ି ସାଂସ୍କୃତିକ ବ୍ୟାପାର ବିଭାଗ ମନ୍ତ୍ରୀ

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର ଲେଖିଛନ୍ତି–

 

ପ୍ରିୟ କପ୍ତାନ,

 

ତମ ବହି ପଢ଼ିଲି ।

 

ଓଡ଼ିଆ ଭାଷାରେ ଓ ସାହିତ୍ୟରେ ଶିକାର ଗପ ନାହିଁ କହିଲେ ଚଳେ । ‘ବାଣୁଆ’ ଆମ ସାହିତ୍ୟର ଏହି ଅଭାବଟା କେତେକାଂଶରେ ପୂରଣ କରିବ । ରୋମାଞ୍ଚକର କାଳ୍ପନିକ ଡିଟେକ୍‌ଟିଭ୍‌ ବା ଗୁଇନ୍ଦା ଗଳ୍ପ ଉପନ୍ୟାସର ପ୍ରସାର ପାଠକ ମନରେ ଯେଉଁ ପ୍ରକାର ପ୍ରଭାବ ପକାଏ ବାସ୍ତବିକ ଶିକାର ଅଭିଜ୍ଞତାର କାହାଣୀ ସେଇ ରୋମାଞ୍ଚ ସୃଷ୍ଟି କରି ମଧ୍ୟ ମଣିଷକୁ କଳ୍ପନାମୋଦୀ ହେବାକୁ ନ ଦେଇ ଅନ୍ୟ ଏକ ପ୍ରକାର ବୀରତ୍ୱର ଭାବାବେଶ ଆଣିଦିଏ । ତେଣୁ ସାହିତ୍ୟରେ ଶିକାର ଗଳ୍ପ ଗୁଇନ୍ଦା ଗଳ୍ପଠାରୁ ଢେର୍‌ ଉଚ୍ଚରେ । ଶିକାର କାହାଣୀ କଳାପୂର୍ଣ୍ଣ ହେବା ପାଇଁ ଯେତେ ପ୍ରଶସ୍ତ, ଗୁଇନ୍ଦାରେ ସେ ପ୍ରକାର ପ୍ରସାରଣପ୍ରବଣତା ନ ଥାଏ । ତେଣୁ ତମର ଏ ସୃଷ୍ଟି ସାର୍ଥକ ହେଇଚି ।

 

ମିଲିଟେରୀ ଜୀବନରେ ସାହିତ୍ୟ ଅଳ୍ପ ଥାଏ କହିବା ଯେ ଠିକ୍‌ ନୁହେଁ ତାହା ତମର ଏ ଲେଖାରୁ ପ୍ରମାଣ ମିଳୁଛି । କିନ୍ତୁ ବେତାରବାର୍ତ୍ତା ପ୍ରେରଣ ଭିତରେ ଯେଉଁ ପ୍ରକାର ରୋମାନ୍‌ସ୍‌ ଥାଏ, ସେଇ ପ୍ରବୃତ୍ତିଟା ହୁଏତ ତମକୁ ଏଇ ଗପ ଲେଖିବାର ପ୍ରବୃତ୍ତି ଦେଇ ଥାଇ ପାରେ । କିନ୍ତୁ ଏହା ଅଳ୍ପ ହେଲା । ମନେହେଉଛି ଯେମିତି ଆହୁରି ଅନେକ ବାଣ ରହିଛି ତୂଣୀରରେ ।

 

ଗଳ୍ପ ଲେଖାର କଳା ଫୁଟାଇବା ସଙ୍ଗେ ସଙ୍ଗେ ଯେଉଁ ଭାଷା ଆଉ ଯେଉଁ ଢଙ୍ଗରେ ଏ ସବୁ ପରଶିଛ ସେଥିରୁ ଜଣା ପଡ଼ୁଛି–ଯୁବା ବୟସରେ ଅନେକ ପ୍ରାଣସ୍ପର୍ଶୀ ଭାଷା ଲେଖି ଅଭ୍ୟାସ ପଡ଼ିଯାଇଛି; ନଚେତ୍‌ ଅଣଲେଖକ ପକ୍ଷରେ ଏତେ ହଠାତ୍‌ ଏ ହାତସଫେଇ ସମ୍ଭବ ନୁହେଁ ।

 

ତମର

ନିତ୍ୟାନନ୍ଦ ମହାପାତ୍ର

 

କହି ରଖେ

 

ଶ୍ରୀହର୍ଷବାବୁ ଯେତେବେଳେ ‘ସମାଜ’ ସମ୍ପାଦନା କରୁଥିଲେ, ସେଇ ସମୟରେ ଗୋପବନ୍ଧୁ ସ୍ମାରକୀ ସଂଖ୍ୟା ପାଇଁ ମୋତେ କହିଥିଲେ ଗୋଟିଏ ଶିକାର କାହାଣୀ ଲେଖିବାକୁ । ତାଙ୍କର ସେଇ ଉସ୍କାଣିରେ ପଡ଼ି ଗୋଟିଏ ଗପ ଲେଖିଥିଲି ।

 

ପରେ ସେଇ ବନ୍ଧୁଙ୍କର ଫୁସୁଲାଫୁସୁଲିରେ ପଡ଼ି ଫେର୍‌ ଗୋଟିଏ ଲେଖିଲି ପ୍ରଜାତନ୍ତ୍ର ପାଇଁ । ସେତିକିବେଳେ ମୁଁ ଦୁଇମାସ ଛୁଟି ନେଇ ପଥରଖୁମ୍ୱକୁ ଯାଇଥିଲି–ସେଠାରେ କାମ ଦୁଇ ଦିନରେ ସଇଲା । ବାକି ସମୟତକ କାଟିବା ପାଇଁ ବସି ଲେଖୁ ଲେଖୁ ଝୁଲି, ଲିଲି, ବାବୁଲି ପାଇଁ ଏ ସବୁ ଲେଖାହେଲା ।

 

ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ରଙ୍କଠୁ ଆଶ୍ୱାସ ପାଇ ଛପେଇବା ପାଇଁ ସାହସ ହେଲା–ଦେଶର ସବୁ ପିଲାଙ୍କ ପାଇଁ ।

 

ବଣକଥା ଲେଖୁ ଲେଖୁ ଗୁଡ଼ାଏ କଥା ଲେଖାହେଲା । ଛାପାଖାନାର କର୍ମକର୍ତ୍ତା କହିଲେ ବହିଟି ବଡ଼ ହେବ । ସେଥିପାଇଁ ଦୁଇଖଣ୍ଡ ହେବାର କଥା ହେଲା । ପର ବହିଟି ଆଉ କିଛି ଦିନ ପରେ ବାହାରିବ ।

 

ଲେଖକ

 

‘‘ନା’ରେ ବାପା, ଖାଲି ମନେକଲେ ମଣିଷ ସବୁକଥାରେ ପାରଙ୍ଗମ ହୋଇପାରେନା—ଅଧ୍ୟବସାୟ ଦରକାର ।’’

 

ବାବୁଲି, ଲିଲି, ଝୁଲୁ ଆଉ ଅନୁ ମୋତେ ଘେରି ବସିଥାନ୍ତି । ମୋର ପିଲାବେଳର କଥା, ମୋର ଚାକିରି କଥା ପଡ଼ୁ ପଡ଼ୁ ଶିକାର କଥା ପଡ଼ିଲା । ଝୁଲୁ କହିଲା, ତା’ର ସାଙ୍ଗମାନେ ରାତିରେ ଜିପ୍‌ ଧରି ଯାଆନ୍ତି, ହରିଣ ମାରି ଆଣନ୍ତି । କହୁଁ କହୁଁ ଲିଲି ଲଗେଇଲା ତାକୁ ଶିକାର ଗପ—ଯାହା ଅଙ୍ଗେ ନିଭେଇଚି ସେମିତି କାହାଣୀ କହିବାକୁ ।

 

କହିଲି, ‘‘ଶୁଣ ତେବେ—’’

 

ଛାମୁଣ୍ଡିଆ ଛୋଟା

 

ଛାଇନିଦଟା ଭାଙ୍ଗିଗଲା ସେମାନଙ୍କ କଥାବାର୍ତ୍ତାରେ । ଆଖିଖୋଲି ଦେଖେ ତ ପାଞ୍ଚଜଣ ଲୋକ ଶିରାଜ୍‌ ସାଙ୍ଗରେ କ’ଣ କଥା ହେଉଛନ୍ତି, ବାରନ୍ଦାତଳକୁ । ମୁଁ ସେଦିନ ସକାଳଟାଯାକ ଜଙ୍ଗଲରେ ବୁଲି ବୁଲି ଫେରିଥାଏ ଦି’ପହର ବେଳକୁ । ମାମୁଁଙ୍କ ସାଙ୍ଗରେ ଗଣ୍ଡେ ଖାଇସାରି ଦୁହେଁ ବସି ବାରଣ୍ଡାରେ ଗପ କରୁଁ କରୁଁ ନିଦ ଲାଗିଯାଇଥିଲା । ନୀଳମଣି, କୁଶ ଓ ଲବ ସକାଳୁ ଟିକରପଡ଼ା ରାସ୍ତାରେ ଯାଇଥିଲେ, ଫେରିନାହାନ୍ତି । ଆମେ ସେଦିନ ଛାମୁଣ୍ଡିଆ ବଙ୍ଗଳାରେ ଡେରା କରିଥାଉ । ଦୁଇଦିନ ସେଠି ରହି ଶିକାର କରିବାର ଉଦ୍ଦେଶ୍ୟ ଥିଲା । ବରମୂଳଠୁଁ ପ୍ରାୟ ପାଞ୍ଚ ଛଅ ମାଇଲ ପୂର୍ବକୁ ଛାମୁଣ୍ଡିଆ ବଙ୍ଗଳା । ବରମୂଳଠୁଁ ମହାନଦୀର ଦକ୍ଷିଣ କୂଳରେ ଗୋଟିଏ ସରୁ ରାସ୍ତା ନଦୀ କୂଳେ କୂଳେ ଗଣିଆ ବାଟ ଦେଇ ଖଣ୍ଡପଡ଼ା ଆଡ଼େ ଯାଇଚି । ଗଣିଆଠୁଁ ଦକ୍ଷିଣମୁହାଁ ଗଲେ ଦଶପଲ୍ଲା ।

 

ସେ ଶିକାର କେମ୍ପ୍‌ରେ ଆମେ ଥାଉ ପାଞ୍ଚଜଣ–ମାମୁ, ଲବ, କୁଶ, ନୀଳମଣୀ ଓ ମୁଁ । ମୁଁ ଆଖି ଖୋଲି ଦେଖେ ତ ମାମୁ ବି ପାଖରେ ଆରାମଚୌକିରେ ଶୋଇଯାଇଛନ୍ତି । ଧୀରେ ମୋ ଚୌକିରୁ ଉଠି ବାରନ୍ଦାତଳକୁ ଗଲି–ସେ ଲୋକଙ୍କୁ ପଚାରିଲି କଥା କ’ଣ ? ସେମାନେ କହିଲେ ଯେ ତାଙ୍କ ଗାଁର ପିଲା-ମାଇପେ ଦୁଇଦିନ ହବ ନଈକି ପାଣି ପାଇଁ ଯାଇ ପାରୁନାହାନ୍ତି । ନଈକୂଳରେ ଯେଉଁ ବୁଦୁବୁଦିଆ ଜଙ୍ଗଲଟା ଅଛି ସେଠି ଗୋଟିଏ ପେଣ୍ଡ୍ରା–କଲରାପତରିଆ ବାଘ–ଦୁଇଦିନ ହେଲା ରହିଚି ଯେ ସେପାଖ ଦେଇ ଯେ ଯାଉଚି ତାକୁ ଗୋଡ଼ାଇଆସୁଚି । ଗାଁରେ ତାଙ୍କର କୂଅ ନାହିଁ–ପାଣି ପାଇଁ ସମସ୍ତେ ଏଇ ନଈକୁ ଆଶ୍ରା କରିଚନ୍ତି । ଦୁଇଦିନ ହେଲା ମରଦଲୋକେ ଲାଠିହେରିକା ଧରି ବାଟରେ ଜଗିଲେ ଯାଇ, ମାଇପେ ପାଣି ଗରାରେ ଧରି ଆସନ୍ତି । ଏ ବିପଦ କେତେ ଦିନ ରହିବ ଜଣା ନାହିଁ । ଆମକୁ ନେହୁରା ହେବାକୁ ଏଇ ପାଞ୍ଚଜଣଙ୍କୁ ଗାଁବାଲା ପଠେଇଚନ୍ତି–ଯେମିତି ହେଉ ସେ ବାଘଟାର କଥା ବୁଝିବାକୁ । ବହୁତ ପଚାରିବାରେ କହିଲେ ଯେ ଆମେ ସେ ଅଞ୍ଚଳକୁ ଆସିବାର ଦୁଇଦିନ ଆଗରୁ ଗୋଟିଏ ଗାଡ଼ିରେ ଦଳେ ଟୋକା ଆସିଥିଲେ ଶୁକ୍ରବାର ରାତିରେ । ସେଇ ଗାଁ ପାଖ ରାସ୍ତାକଡ଼ରେ କ’ଣ ଗୋଟାଏ ଦେଖିଥିଲେ ଯେ ଢୋ-ଢୋ ନଳି ଫୁଟାଇଥିଲେ । ସେଇଥିରେ ଘାଉଲା ହୋଇ ବାଘଟା ବୋଧହୁଏ ସେ ବୁଦୁବୁଦିଆ ଜଙ୍ଗଲରେ ଆଶ୍ରା ନେଇଚି ।

 

ଏହିପରି କଥାବାର୍ତ୍ତା ହେଉ ହେଉ ମାମୁ ବି ଉଠିଲେ–ଲବ, କୁଶ ଓ ନୀଳମଣି ବି ଆସି ପହଞ୍ଚିଲେ । ମୁଁ ସମସ୍ତଙ୍କୁ କହିଲି ବାଘ କଥା । କୁଶ ହେରିକା ଖାଇସାରିଲା ବେଳକୁ ଦିନ ତିନିଟା ବାଜିଲା । ଆମେସବୁ ବାହାରିଲୁ ମାଇଲିଏ ଦୂରର ସେଇ ଗାଁ ପାଖ ଜଙ୍ଗଲକୁ ବାଘ ମାରିବାକୁ ।

 

ଛାମୁଣ୍ଡିଆ ବଙ୍ଗଳାରୁ ବାହାରିଲେ ଗୋଟିଏ ମାଟିରାସ୍ତା ପୂର୍ବକୁ ଯାଇଛି ଗଣିଆ ଆଡ଼େ । ସେହି ରାସ୍ତାରେ ଦେଢ଼ ମାଇଲ ଗଲେ ଏଇ ଗାଁ–ସଡ଼କରୁ ଟିକେ ଛାଡ଼ିକି ନଈକତା ଉପରେ । ସେଇ ନଈକତାଟା ଲଟିବୁଦାରେ ଢାଙ୍କିଯାଇଥାଏ–ମଝିରେ ସରୁ ରାସ୍ତା ଅଙ୍କାବଙ୍କା ହେଇ ଗାଁ ଆଡ଼େ ଯାଇଚି । ସେଇ ରାସ୍ତାର ଦୁଇପାଖରେ ବଇଁଚକୋଳି ଲଟା, ଖୁବ୍‌ ଘଞ୍ଚ ହୋଇ କୋଡ଼ିଏ ପଚିଶ ଏକର ଜମି ମାଡ଼ିବସିଥାଏ । ତା’ରି ଭିତରେ ସେ କଲରାପତରିଆ ବାଘଟା ଦୁଇଦିନ ହେଲା ରହିଥାଏ । ଆମେ ବଇଁଚ ବଣଠିଁ ପହଞ୍ଚି ଚାରିପାଖ ଘେରାଏ ବୁଲିଲୁ ସେ ଲଟିର ପତରଗହଳି ଭିତର ଦେଇ । ଖରା କ’ଣ, ପବନ ବି ବୋଧହୁଏ ଯାଇପାରୁ ନ ଥିବ–ଆଉ ବଇଁଚକଣ୍ଟାର ଡ଼ରରେ ମଣିଷ କ’ଣ, ବିରାଡ଼ି ପିଲାଟିଏ ବି ପଶିବାକୁ ଦି’ଥର ଭାବୁଥିବ । ସେ ବାଘ ପ୍ରାଣଭୟରେ ସିନା ପଶିଚି–ଘାଉଲା ହେଲା ପରେ ।

 

ମାମୁଙ୍କର କଥା ମାନି ଆମେ ସବୁ ଧାଡ଼ିବାନ୍ଧି ସଡ଼କ କାନିଠେଇଁ ଠିଆହେଲୁ–ବନ୍ଧୁକରେ ତୋଟା ପୂରେଇ । ଆର ପାଖରୁ ଗାଁର ଦଶଜଣ ଟୋକା ଟିଣ, କାଠ ଓ ଢୋଲରେ ଢୋ-ଢୋ ଢପ୍‌ ଶବ୍ଦକରି ସେ ବଇଁଚ ବଣକୁ ପନ୍ତା କରିବାର କଥା ହେଲା । ଗାଁଲୋକେ ଢେର୍‌ ଜମା ହେଲେ–ଢପ୍‌ ଢପ୍‌ ଶବ୍ଦରେ ସେ ବଣ ଉଠିଲା ପଡ଼ିଲା । ହୋ-ହୋ କରି ପିଲାଏ, ଟୋକାଏ ବଇଁଚ ବଣର କରରେ ଗଛବୁଦାକୁ ବଡ଼ ବଡ଼ ପଥର ପକେଇଲେ । ଦଶ ପନ୍ଦର ମିନିଟ ଏହିପରି ହଲ୍ଲା କରାଗଲା, ହେଲେ ବାଘର ଦେଖା ମିଳିଲାନି କି ସେ ବାଘଟା ଟୁଁ ଟାଁ ବି ଶବ୍ଦ କଲାନି । ଗାଁ ଲୋକେ ସବୁ ବଣ ବାହାରେ ରହି ଏହିପରି ଚେଷ୍ଟା କରୁଥାନ୍ତି ବାଘଟାକୁ ଆମ ଆଡ଼କୁ ତଡ଼ିବାକୁ । ଯେତେବେଳେ ବାଘର କିଛି ସୁରାକ ନ ମିଳିଲା ଆମେ ଭାବିଲୁ ମିଛୁଟାରେ ବେହେରାପୁଅ ଆମକୁ ସେଠିକି ଡାକି ଆଣିଲା । ତାକୁ ଡାକି ବହେ ପାଟିକଲେ ମାମୁ । ସେ ତ ହଲପ ମାରି କହିଲା ଯେ ସେ ନିଜେ ଦେଖିଚି ବାଘଟା ସେ ବଇଁଚ ଲଟି ଭିତରେ ଅଛି । ବାଘ ନ ଥିବାର ପ୍ରମାଣ ହେଲେ ସେ ତା’ ପୁଅମୁଣ୍ଡ ଖାଇବ ନିଶ୍ଚୟ ।

 

ପୁଅରାଣ ପକାଇଲାରୁ ଆମେ ତା’ କଥା ସତ ମଣିଲୁ । ବଇଁଚ ଲଟିରେ ତ ପନ୍ତାଳିଆ ପଶି ପାରିଲେନି–ବାହାରୁ ପାଟିତୁଣ୍ଡ କଲେ ଘାଉଲା ବାଘ ଚୁପ୍‌ଚାପ୍‌ ଘାଲେଇ ପଡ଼ି ରହୁଚି । କ’ଣ କରାଯାଏ ? ଗାଁରୁ ଦି’ହଳ ମଇଁଷି ଧରିଆଣିଲା ମହନୀ । ସେ ମଇଁଷି ସବୁ ଦୁଇଗଜ ଖଣ୍ଡେ ସେ କଣ୍ଟାରେ ପଶିଲେ; ଆଉ ପାରିଲେ ନାହିଁ–ହେଲେ ମୁଣ୍ଡ ତଳକୁ କରି, କାନ ଠିଆକରି, ଲାଞ୍ଜ ସିଧାକରି ସେ ଲଟି ତଳକୁ ଏକଧ୍ୟାନରେ ଅନେଇ ଥା’ନ୍ତି, ଆଉ ଆଗ ଗୋଡ଼ ଖୁରାକୁ ମାଟିରେ ଠପ୍‌ ଠପ୍‌ କରି ମାଟି ଉଖାରୁ ଥା’ନ୍ତି । ଏହା ଦେଖି ମୋର ବିଶ୍ୱାସ ହେଲା ଯେ ବାଘ ନିଶ୍ଚୟ ସେଠି ଅଛି-। ମଇଁଷିମାନଙ୍କର ଏଇପରି ହାବଭାବ ଦେଖି କି କ’ଣ, ଭିତରୁ ଗର୍‌ ଗର୍‌ ଶବ୍ଦ ଶୁଭିଲା । ଶୁଣିଲି ଯେପରି, ଦୌଡ଼ିଲି ସେ ପଟରେ ରାସ୍ତାକାନିରେ ମାମୁ ହେରିକାଙ୍କୁ କହିବାକୁ ଯେ ବାଘଟା ସେ ବଣରେ ଅଛି । ମାମୁ କହିଲେ–କି ବିପଦ ! ତାକୁ ମାରିବା କେମିତି ? ବାହାରକୁ ତ ବାହାରୁନି ବାଘ–ତା’ ଭିତରକୁ ପଶିବାର ଯୁ ନାହିଁ । ଏଣେ ଗାଁ ବାଲା କ’ଣ ଭାବିବେ ? ମାମୁ ପରା ସେ ଜିଲ୍ଲାର ପୁଲିସ ସାହେବ । ସେ ଯଦି ଗାଁବାଲାଙ୍କୁ ଏ ବିପଦରୁ ରକ୍ଷା ନ କଲେ ତେବେ ଚୋରଡ଼ାକୁଙ୍କ ଦାଉରୁ କ’ଣ ରଖି ପାରିବେ ?

 

ବଡ଼ ଭାବନା ଘାରିଲା ଆମକୁ ।

 

ମୋର ତ ସେତେବେଳେ ଟୋକା ବେଳ । ହାଲରେ ଯୁଦ୍ଧରୁ ଫେରି ଓଡ଼ିଶା ସରକାରଙ୍କ ଚାକିରିରେ ଭର୍ତ୍ତି ହୋଇଥାଏ । ଦେହର ରକ୍ତ ଗରମ, ମୁଣ୍ଡରେ ବିପଦ-ଆପଦର କିଛି ଶଙ୍କା ପଶୁ ନ ଥାଏ । କହିଲି, ‘‘ମାମୁ, ମୁଁ ଯାଉଛି ବାଘ ପାଖକୁ । ସେ ଯଦି ଆମ ପାଖକୁ ନ ଆସୁଚି–ଆମକୁ ଯିବାକୁ ହବ ତା’ ପାଖକୁ । ମହମ୍ମଦ କ’ଣ ପର୍ବତ ପାଖକୁ ଯାଇଥିଲେ ପରା ?’’

 

ମାମୁ ତ ଆଖିତରାଟି କହିଲେ–ନା-ନା, ସେ କଥା ହବନି–ପିଲାଲୋକ, ସେ ପୁଣି ବଇଁଚ କଣ୍ଟା, ମଇଁଷି ପରିକା ଜନ୍ତୁ ତା’ ଭିତରେ ପଶୁନାହାନ୍ତି; ସେ ଭିତରକୁ ମୋର ପଶିବା କଥା ତ ହବନି । ତା’ ଛଡ଼ା ଘାଉଲା ବାଘ ପାଖକୁ କିଏ ବୁଦ୍ଧିଆ ଲୋକ ଯାଏ ? ଆହୁରି ସେ ଲଟି ଭିତରେ ଖରା ପବନ ପଶୁନି ଯେ ଲଟିଗହଳିଟା ଅନ୍ଧାର ହୋଇଛି । ମଣିଷ ଆଖିକି କିଛି ଦିଶିବନି । ବାଘର ତ ଅଭ୍ୟାସ ଅନ୍ଧାରରେ, ଖୁବ୍‌ କମ୍‌ ଆଲୁଅରେ ଦେଖିବା । ନା, ନା, ସେ କଥା ହବନି । ଏମିତି ନାସ୍ତିବାଣୀ ଶୁଣି ମୁଁ ବି ତ ଟିକେ ଡରିଗଲି ।

 

ହେଲେ ଗାଁର ଲୋକେ ଜମିଯାଇଥାନ୍ତି ଆମ ପାଖରେ । ଆମକୁ ଅନାଇ ଟୁପ୍‌ଟାପ୍‌ କଥା ହଉଥାନ୍ତି । ମୁଁ ତ ଭାବିଲି–ଶିକାରୀ ବୋଲି ନଳିଟିମାନ ଧରି ବଣକୁ ଆସିଚେ ଏଇ ଗାଉଁଲି ଲୋକଙ୍କ ନଜରରେ ମାନ ଆମର ମହାନଦୀ ପାଣିରେ ଭାସିଯିବ ? ଖୁବ୍‌ ହଲପ୍‌ ମାରି କହିଲି ଯେ ଗଲା ଯୁଦ୍ଧର ଅଭ୍ୟାସରେ ମୁଁ ଲଟି କଣ୍ଟାତଳେ ଗୁରୁଣ୍ଡି, ଗୁରୁଣ୍ଡି, ପେଟେଇ ପେଟେଇ ମାଇଲିଏ ବାଟ ଯାଇପାରିବି–ଆଉ ଶୋଇକି ବି ମୁଁ ବନ୍ଧୁକ ଚଳେଇ ପାରିବି ଲାଖ କରି–କିଛି ଭାବନା କରିବାର ନାହିଁ । ତା’ପର ସେତେବେଳକୁ ପାଞ୍ଚଟା ବାଜିଲାଣି, ଟିକେ ପରେ ରାତି ହେବ । ଘାଉଲା ବାଘ ଯଦି ମଣିଷ କାହାକୁ ଧରେ, ସେ ମଣିଷର ଖୁଣ୍‌ ଆମରି ହାତରେ ଲାଗିବନି କି ?

 

ସେଇଠୁଁ ଠିକ୍‌ ହେଲା ଯେ ସେଇ ଲଟିର ଉତ୍ତର ପଟେ ନଈକତା ଉପରେ ଗାଁ ଲୋକେ ମଇଁଷି ଧରି ଲଟି କାନ୍ଥରେ ପାଟି ତୁଣ୍ଡ କରୁଥିବେ–ଆଉ ମୁଁ ଏପଟୁ ( ସଡ଼କ ପଟୁ ) ଗୁରୁଣ୍ଡି ଗୁରୁଣ୍ଡି ଲଟିରେ ପଶିବି ଧୀରେ ଧୀରେ, ବାଘ ଯେଉଁଠି ଶୋଇଚି ତା’ରି ପାଖକୁ । ଦେଖିଲା ମାତ୍ରକେ ନଳି ଫୁଟାଇବି । ମୁଁ ମୋର ରାଇଫଲ୍‌ଟା ନୀଳମଣି ହାତକୁ ଦେଲି, ଆଉ ତା’ର ବାରଗଜର ଦୁଇନଳିଆ ବନ୍ଧୁକକୁ ନେଲି । ସେ ବନ୍ଧୁକଟା ବିଲାତରୁ ମଗେଇଥିଲା, ନଳି ଛବିଶ ଇଞ୍ଚ ଆଉ ଦୁଇଟାଯାକ ଚୋକ୍‌ ବେରେଲ୍‌ । ସେଥିରେ ଛର୍‌ରା ଦୂରକୁ ମାରିହବ–ଆଉ ଇଜେକ୍‌ଟାରବାଲା, ବନ୍ଧୁକ, ଜଲ୍‌ଦି ଟୋଟା ପୂରାଇହବ । ସେଇ ଦୁଇନଳିଆ ବନ୍ଧୁକରେ ଦୁଇଟା ଚାରି ନମ୍ୱର ଛର୍‌ରା ପୂରାଇଲି । ଆଉ ଦୁଇଟା କାର୍ତୁସ୍‌–ସେଇ ଚାରିନମ୍ୱର ଆଲଫାମାକ୍‌ସ-ପକେଟରେ ପୂରାଇଲି ଓ ଗୁରୁଣ୍ଡି ଗୁରୁଣ୍ଡି ଲଟିରେ ପଶିଲି । ବୁଦା ତଳଟା ମାଟିକୁ ଲାଗି ଚାଖଣ୍ଡେ ଖଣ୍ଡେ ପ୍ରାୟ ପତରଗହଳି ଜମା ନ ଥାଏ । କଣ୍ଟା ଖୁଞ୍ଚା ବି କାଁ ଭାଁ, ବେଶି ନ ଥାଏ । ପେଟେଇ ପେଟେଇ ଫୁଟେ ଦୁଇଫୁଟ ଗଲି ଲଟି ଭିତରକୁ-। ସେଠି ଏତେ ବେଶି ଅନ୍ଧାର ନଥାଏ । ଦଶ ବାରଗଜ ଦୁରକୁ ଦିଶୁଥାଏ ଭଲ ରକମ । ଏଇପରିକା ପେଟେଇକି ଦୁଇଗଜ ଯାଏ; ସେଇଠି ଚୁପ୍‌ଚାପ୍‌ ରହିକି ସବୁ ବୁଦାମୂଳକୁ ନିରିଖି ଅନାଏ ପାଞ୍ଚ ମିନିଟ ଯାକେ–ବାଘର ସୋରଶବ୍ଦ ନାହିଁ । ଫେର୍‌ ଯାଏ ପାଞ୍ଚଗଜ; ବୁଦା ଆଡ଼େଇ ଆଡ଼େଇ ଫେର୍‌ ଦେଖେ–ଏହି ପରି ଛଅ ଦଫା ହେଲା ପରେ ଆଗର ଅନ୍ଧାରୁଆ ଲଟିତଳୁ ଗର୍‌ର ଗର୍‌ର ଶବ୍ଦ ହେଲା । ଏବେ ବାଘର ଠାବ ହେଲା । ସେଇ ଦିଗରେ ଫେରେ ଗଜେ ଗଲି–ଦେଖି ପାରିଲିନି କିଛି-

 

Image

(ଛାମୁଣ୍ଡିଆର ବାଘ ଓ ବାଣୁଆ)

 

ଗର୍‌ର ଗର୍‌ର ଶବ୍ଦ ଟିକେ ବେଶି ଜୋର୍‌ ହେଲା । ଦଣ୍ଡେ ରହି ଦମ୍‌ ନେଲି, ଫେର୍‌ ଗଜେ ଆଗେଇଲି । ସେତେବେକୁ ବନ୍ଧୁଙ୍କର ନଳିମୁହଁ ସାମନାକୁ କରି ରଖିଥାଏ, ଆଉ ଘୋଡ଼ା ଉପରେ ଆଙ୍ଗୁଠି ଥାଏ । ଗର୍‌ର ଗର୍‌ର ଶବ୍ଦ ଏବେ ଘର୍‌ରର...ହେଲାଣି, ସ୍ୱର ଯାଇ ପଞ୍ଚମରେ ଉଠିଲାଣି । ମୋତେ ଦିଶିଲା କୋଡ଼ିଏ ଗଜ ଦୂର ହବ ଗୋଟିଏ ବାଉଁଶବୁଦା ଭିତରେ ବାଘର କାନ ଦୁଇଟା । ଏତେ ଦୂରରୁ ମାରିଲେ ଛର୍‌ରାରେ ବାଘ ମରିବନି । ସେଇଠି ରହି ମୁଁ ବି ହୋ-ହୋ ପାଟିକରି ବାଘ ମୋତେ ଗୋଡ଼େଇ ଆସିବାକୁ ଡାକିଲି–ହେଲେ ସେ ବାଘ ସେଇ ବାଉଁଶ ଉହାଡ଼ରେ ରହି ଘର୍‌ର୍‌ ଘର୍‌ର୍‌ କରୁଥାଏ । ଆଉ ବାହାରିଲାନି ।

 

ସେତେବେଳକୁ ମୋର କହୁଣିରୁ ରକ୍ତ ବୋହିଲାଣି । ମାଟିରେ ପେଟେଇ ପେଟେଇ କହୁଣିରେ ଭରା ଦେଇ ପଚାଶ ଗଜ ଗୁରୁଣ୍ଡି ସାରିଲିଣି । ବନ୍ଧୁକ ନଳିମୁହଁରେ କାଳେ ମାଟି କି କାଠିକୁଟା ପତର ପଶିବ–ଗୁଳି ଫୁଟିଲାବେଳେ ନଳି ଫାଟିଯିବ–ଏଇ ଭୟରେ ନଳିମୁହଁକୁ ସମ୍ଭାଳି ହୁସିଆର୍‌ରେ ଆଗେଇବାକୁ ହେଲା । କହୁଣିରେ ବେଶି ଭାର ହେଲାରୁ ସେ ମାଟି ଗୋଡ଼ି କଣ୍ଟା ଲାଗି ଦୁଇଟିଯାକ କହୁଣିରୁ ରକ୍ତ ବୋହୁଥାଏ । ଏଣେ ସଞ୍ଜ ହୋଇ ଆସୁଛି । ଜଲ୍‌ଦି କାମ ଶେଷ ନ କଲେ ଅନ୍ଧାରରେ ବାଘମୁହଁରୁ ବଞ୍ଚି ସେ ଲଟିରୁ ବାହାରି ପାରିବା ସମ୍ଭବ ନୁହେଁ । ଆଉ ଦୁଇଗଜ ବାଟ ଆଗେଇଲି, ଖଣ୍ଡେ ପଥର ଧରି ବାଘ ଉପରକୁ ଯେମିତି ପକେଇ ଦେଇଚି–ଉହୁଁକି ଆଇଲା ତ ବାଘ; ଆଖିପିଛୁଳାକେ ଆସି ମୋ ମୁଣ୍ଡ ଉପରେ । ବନ୍ଧୁକର ଦୁଇଟା ଯାକ ଘୋଡ଼ା ଟିପିଚି–ଢୋ-ଢୋ ଦୁଇଟା ଶବ୍ଦ ଏକାଠି ହେଲାପରିକା ହେଲା । ବାଘର ରକ୍ତରେ ମୋର ମୁଣ୍ଡବାଳ ଆଉ କାନ୍ଧ ପାଖର ଜାମା ଓଦା ହେଇଗଲା । ବାଘଟା ମୋତେ ଛୁଇଁକି ପଡ଼ିଲା, କାଠ ପରିକା ନିଥର ।

 

ବାହାରୁ ମାମୁ ପାଟିକଲେ ‘‘ଅନନ୍ତ ! କ’ଣ ହେଲା ଜବାବ ଦିଅ ।’’...ମୁଁ ଟିକେ ରହିଗଲି ଚୁପ୍‌ କରି । ବାହାରେ ସମସ୍ତେ ବଡ଼ ବ୍ୟସ୍ତ ହୋଇପଡ଼ିଲେ ବୋଧହୁଏ । ପାଟିତୁଣ୍ଡ ଖୁବ୍‌ ହେଲା । ଜଣେ ଦୁଇଜଣ କିନାରାର ଗଛବୁଦାକୁ ହାଣି ପକେଇଲେ । ସେଇଠୁ ମୁଁ ବଡ଼ପାଟି କରି କହିଲି ଯେ ବାଘ ମରିଚି ।

 

କଷ୍ଟେ-ମଷ୍ଟେ ସେ କଲରାପତରିଆ ବାଘର ଲାସକୁ ଲଟିରୁ ବାହାର କଲୁ । ସେ ବାଘର ଚମଡ଼ା ପରୀକ୍ଷା କରି ଦେଖିଲୁ ଯେ ତା’ର ପେଟ ପାଖର ଚମଡ଼ା ଛିଡ଼ି ଘା’ଟିଏ ଆଉ ପଛର ଡାହାଣ ଗୋଡ଼ରେ ବି ଦୁଇ ଜାଗାରେ ସେମିତି ଘା–ଦୁଇ ତିନି ଦିନ ଆଗରୁ ଖଣ୍ଡିଆ ହୋଇଥିଲା ବୋଧହୁଏ । ଛୋଟା ହୋଇ ଘନ ଜଙ୍ଗଲରେ ତା’ର ଡେରାକୁ ଫେରିପାରିନି–ଏଇଠି ରହି ଘା’କୁ ଚାଟି ଚାଟି ଭଲ କରିବାର ଚେଷ୍ଟା କରୁଥିଲା ।

 

ସେ ଗାଁର ଲୋକେ ସେଦିନ ଭାରି ଖୁସି ହୋଇ ଆମକୁ ବଣରେ ଘାଟି ଜାଗାମାନ ଦେଖେଇ ଦେବାକୁ ରାଜି ହେଲେ...ଆମ ଶିକାର ପାଇଁ ।

 

ପଥର ଖୁମ୍ୱ ହାୟକଲା

 

ମେଁ ମାସର ଉଦୁଉଦିଆ ଦି’ପହର । ମୁଣ୍ଡଫଟା ଖରା ଗାଁ-ଗଣ୍ଡା, ବନ୍ଧପୋଖରୀ, ପଡ଼ିଆ, ଗଡ଼ିଆ, ବିଲବାଡ଼ି ଉପରେ ଧୁ ଧୁ ବରଷୁଥାଏ । ଆଗର ଆମ୍ବଗଛର ଡାଳେ ଡାଳେ ଝିଙ୍କାରି ପୋକ ସବୁ–କାହାଣେ ଖଣ୍ଡେ ହବ ପରା–ତାଙ୍କର ଡେଣା ସବୁ ଘଷୁଥାନ୍ତି ଯେ, ବଡ଼ ଟାଣ ଶବ୍ଦ ଟାଏଁ ଟାଏଁ ହେଇ କାନ ଅତଡ଼ା କରୁଥାଏ । ସାମନାର ସ୍କୁଲଘରେ ସକାଳୁଆ ପଢ଼ା ଶେଷ ହେଲାରୁ ଢଂ ଢଂ ଘଣ୍ଟି ବାଜିଲା । ବର୍ଷାଦିନେ ଝଡ଼ିପୋକ ଯେମିତି ହୁଙ୍କା ବିଳରୁ ବାହାରନ୍ତି ପିଲାମାନେ ସେମିତି ସ୍କୁଲଘରୁ ବାହାରି ଦୌଡ଼ିଲେ–କିଏ ନିଜ ଘରମୁହାଁ ତ କିଏ ପାଖର ପୋଖରୀ ହୁଡ଼ାକୁ । ମୁଁ ଦେହରୁ ଜାମାଟା କାଢ଼ି ଖାଲି ଦେହରେ ପୋଲିସ୍‌ ଫାଣ୍ଡିର ବାରନ୍ଦାରେ ବସିଥାଏ–କାଳେ ଟିକେ ପବନ ହେବ ଆଶାରେ ।

 

ତୁମସିଙ୍ଗା ଗାଁର ଗୋଟିଏ ମୁଣ୍ଡରେ ଫାଣ୍ଡିଘର–ଝାଟି-ମାଟିରେ ତିଆରି । ଦେଢ଼ହାତ ଓସାରର ବାରନ୍ଦା ଯେ ଖରାର ଧାସ ଦିହରେ ଲାଗୁଥାଏ । ଜଣେ ବୁଢ଼ା, ଅଣ୍ଟାରେ ତା’ର କେବଳ ଗୋଟିଏ ଛୋଟ ଲୁଗା । ସାରା ଦେହଟା ଖରାରେ ଚିକ୍‌ ଚିକ୍‌ ଦିଶୁଥାଏ । ସେଇ ଖରାରେ ଦାଣ୍ଡ ଗୋହିରିରେ ଆସି ଫାଣ୍ଡିର ବାରନ୍ଦାକୁ ଉଠିଲା–ମୋ ପାଖରେ ଆସି ବସିଲା । ଦଣ୍ଡେ ଦମ୍‌ ନେଇ–ଅଣ୍ଟିରୁ ଶାଳପତର ପୁଡ଼ିଆଟିଏ କାଢ଼ିଲା–ପତର ଖୋଲି ଟିପେ ଦୋକତା ନେଇ ଡାହାଣ କଳରେ ଗୁଞ୍ଜି ଦେଲା । ଟିକେ ରହି ମେଞ୍ଚେ ପିକ ପକାଇ ଦେଲା । ତା’ପରେ ମୋ ମୁହଁକୁ ଚାହିଁ କହିଲା, ‘‘ବାବୁ ବଦମାସ୍‌ ହାତୀ ମୁହଁରେ ରଘୁଆଟା ବଡ଼ କଲବଲ ହୋଇ ମଲା ।’’

 

ରହି ରହି ଫେର୍‌ କହିଲା, ‘‘ଏଇ ଯେଉଁ ମୁଣ୍ଡିଆଟା ଆଗରେ ଦେଖୁଚ ନା ବାବୁ, ସେଇ ମୁଣ୍ଡିଆର ପଶ୍ଚିମକୁ ଓ ସେଇ ଯେଉଁ ଆମ୍ୱତୋଟା ଦେଖୁଚ, ତା’ରି ପାଖରେ ଶଗଡ଼ଗୁଳା । ସେଇ ଶଗଡ଼ଗୁଳାରେ ଖଣ୍ଡେ ବାଟ ଗଲେ ଗୋଟିଏ ବରଗଛ, ସେଇଠି ରଘୁଆ ମଲା ।’’

ତା’ର ଗାଉଁଲି ଭାଷାରେ ସେ କହିଚାଲିଥାଏ । ଗଲା ଛବିଶ ଏପ୍ରିଲ ଦିନ ବଡ଼ିଭୋରରୁ ଉଠି ରଘୁଆ, ବାସୁଆ ଓ କୁନା ସାଙ୍ଗହୋଇ ଏଇ ଆଗ ଜଙ୍ଗଲକୁ ଯାଇଥିଲେ, ଟୋଲ ମଞ୍ଜି ଆଉ ଝାଟି ପାଇଁ । ସେଇ ଯେଉଁ ସାନ ପାହାଡ଼ଟା ଦେଖାଯାଉଛି, ତାରି ପଶ୍ଚିମପଟକୁ ଗୋଟିଏ ସରୁ ଶଗଡ଼ ରାସ୍ତା ଅଛି । ସେଇ ରାସ୍ତା କଡ଼େ କଡ଼େ ତିନିଜଣଯାକ ଯାଉଥିଲେ । ସେଇ ଯେଉଁ ବରଗଛଟା ଅଛି ବାଙ୍କ ଉପରେ, ତାରି ପାଖରେ ପହଞ୍ଚିଲା ବେଳକୁ ରଘୁଆ ଆଗରେ ଥିଲା । ହଠାତ୍‌ ଲମ୍ୱା ସାପ ପରିକା ଶୁଣ୍ଢଟା ଗଛ ଗହଳିରୁ ଖସି ଆସିଲା ରଘୁଆ ଉପରକୁ । ଅଣ୍ଟା ପାଖରେ ଗୁରେଇ ହୋଇଗଲା । ରଘୁଆ ଛାନିଆ ହୋଇ ଏଡ଼େ ପାଟି କଲା, ‘‘ମରିଗଲି ଲୋ !! ହାତୀ ଖାଇଗଲା ରେ ବାସୁଆ !!

କୁନା ଏକା ନିଃଶ୍ୱାସରେ ଧାଇଁଲା ଗାଁକୁ । ବାସୁଆ ଯାଇଁ ଖଣ୍ଡେ ଦୂରରେ କରଞ୍ଜ ଗଛ ଉହାଡ଼ରେ ରହି ଦେଖୁଥାଏ । ହାତୀର ବାଁ ପାଖ ଦାନ୍ତଟା ଅଧାରୁ ଭାଙ୍ଗି ଯାଇଛି । ଆଉ ଡାହାଣ ପାଖର ଦାନ୍ତଟା ଥୁଣ୍ଟା । ମୁଣ୍ଡରେ ଧଳା ଛଉ ଝୁଣ୍ଟି ଦେଲା ପରିକା ହୋଇଥାଏ । ରଘୁଆକୁ ଥରେ ଦି’ ଥର ଏପାଖ ସେପାଖ ଝୁଲେଇ, ତଳେ କଚି ଦେଇ, ହାତୀଟା ଜଙ୍ଗଲମୁହାଁ ହୋଇ ପଳେଇଲା ।

ବାସୁଆ ଧୀରେ ଧୀରେ ଆସି ରଘୁଆକୁ ଉଠେଇବାରେ ଚେଷ୍ଟା କଲା । ରଘୁଆକୁ ଖୁବ୍‌ କଷ୍ଟ ହେଲା । ସେ ମନାକଲା ତାକୁ ହଲଚଲ କରିବାକୁ । ବାସୁଆ ବସିପଡ଼ି ରଘୁଆର ମୁଣ୍ଡକୁ ତା’ ଜଙ୍ଘରେ ରଖି ଆସ୍ତେ ଆସ୍ତେ ତା’ ଦେହ ଆଉଁସୁଥାଏ ।

 

ଏଣେ କୁନା ଗାଁ ମୁଣ୍ଡରେ ପହଞ୍ଚି ରଡ଼ି ଛାଡ଼ିଲା ଯେ, ‘‘ରଘୁଆକୁ ହାତୀ ମାରିପକେଇଲା ହୋ, ଧାଇଁ ଆସ ।’’ ଏତକ କହିଛି କି ନାହିଁ ତା’ର ଚେତା ବୁଡ଼ିଗଲା । ରଘୁଆପୁଅ ତା’ ଘର ବାରିପଟେ କାଠ ହାଣୁଥାଏ । କୁନାର ଡାକରା ଶୁଣି, ସେ ବି ରଡ଼ି ଛାଡ଼ିଲା, ‘‘ବାପକୁ ହାତୀ ମାରିପକେଇଲାଲୋ ।’’ ପାଟି କରି କରି ବାରଣ୍ଡାରୁ କୁଞ୍ଚାରେ ପାଣି ଧରି ଧାଇଁଲା ତା’ ବାପା ପାଖକୁ । ସେ ରଘୁଆ ପାଖରେ ପହଞ୍ଚି, ମୁହଁରେ ମୁନ୍ଦିଏ ପାଣି ଦେଉ ଦେଉ ରଘୁଆ ମରିଗଲା ।

 

‘‘ଏଇ ବଦମାସ୍‌ ଖଣ୍ଡିଆ ଦନ୍ତାକୁ ମାରିଦିଅ ବାବୁ ! ତା’ ଡରରେ ଆମେ ଆଉ ଘରୁ ବାହାରିପାରୁନୁ ।’’ ବୁଢ଼ା ବଡ଼ କାକୁତିମିନତି ହୋଇ ବିକଳରେ କହିଗଲା ମୋ ଆଗରେ ।

 

ପୁଣି ଟିକିଏ ନିଶ୍ୱାସ ମାରି କହିଲା ଯେ, ସେ ଯେମିତି ଥାନାବାବୁଙ୍କଠାରୁ ଶୁଣିଲା, କଟକରୁ ବାବୁ ଆସିଛନ୍ତି ହାତୀ ମାରିବାକୁ, ସେ ଗାଁର ଦଶ ଜଣ ଭେଣ୍ଡିଆଙ୍କୁ ଜଙ୍ଗଲକୁ ପଠେଇଛି ସେ ଖଣ୍ଡିଆ ଦନ୍ତାର ଓର ନେବାକୁ । ‘‘ସେମାନେ ତାକୁ ଠାବ କରି ଫେରିଲେ ତମେ ବାବୁ, ତାକୁ ମାରିଦିଅ ।’’

 

ସେତେବେଳକୁ ଗାଁର ବହୁତ ଲୋକ ଆସି ଜମିଯାଇଥାନ୍ତି ଆମ୍ବଗଛ ତଳେ । ଭେଣ୍ଡିଆ, ଭେଣ୍ଡିଆ ସାତ ଆଠଜଣ ଟୋକା ମୋ ଚାରିପଟେ ଘେରିଯାଇଥାନ୍ତି । ତା’ ଭିତରୁ ଦଳେଇ ହଲପ ଦେଇ କହିଲା, ‘‘ଆଜି ଛାଇନେଉଟାବେଳ ଆଗରୁ ହାତୀ ମାଡ଼ ଖାଇବ ବାବୁ ! ଏଇଠି ତ ଥିବ, ଯିବ ଆଉ କୁଆଡ଼େ ?’’

 

‘‘ଏଇ ଯେଉଁ ପାହାଡ଼ମାଳଟା ଦେଖୁଛ, ସେଇଠି ଚାରିଟା ଖୋଲ ଅଛି । ବାକି ଜଙ୍ଗଲଟା ଯାକ ତ ପଦା । ଛାଇ କେବଳ ସେଇ ଖୋଲଠି । ଏଇ ଖରାରେ ‘ଭଙ୍ଗାଦାନ୍ତିଆ’ ସେଇ ଖୋଲଠି ବରଗଛ ତଳେ ତ ଦୋହଲୁଥିବ ।’’ ମଳିକ ବାହାରିପଡ଼ି କହିଲା, ‘‘ହଁ ବାବୁ ! ମୁଁ ତ ଭଙ୍ଗାଦାନ୍ତିଆକୁ କାଲି କଦଳୀ ଖୋଲଠି ଦେଖିଥିଲି ।’’

 

ଏମିତି କଥା ହେଉ ହେଉ ଚାରିଟା ବାଜିଗଲା । ଯେଉଁ ଭେଣ୍ଡିଆମାନେ ସବୁ ଯାଇଥିଲେ ହାତୀର ଓର ନେବାକୁ, ସମସ୍ତେ ଗୋଟି ଗୋଟି ହୋଇ ଫେରିଲେ । ସେମାନଙ୍କଠୁ ଯାହା ଖବର ମିଳିଲା, ଖୁବ୍‌ ସମ୍ଭବ ଭଙ୍ଗାଦାନ୍ତିଆ ଖଜୁରିଖୋଲରେ ଅଛି ।

 

ବିଚାରରେ ଠିକ୍‌ ହେଲା ଯେ, କଦଳୀପାଳ ଫରେଷ୍ଟ ଗାର୍ଡ଼ର ଘର ନିକଟକୁ ଆମର ଆସ୍ଥାନ ଉଠେଇନେବା ନିହାତି ଦରକାର । କାରଣ ସେଇଠୁ ଖଜୁରିଖୋଲଟା ପାଖ । ସୁନ୍ଦରା ବ୍ଲକ୍‌ ପାହାଡ଼ମାଳାର ପଶ୍ଚିମପଟକୁ କେବଳ ଚାରିଟା ଖୋଲ, କଦଳୀପାଳ ଫରେଷ୍ଟ ବିଟ୍‌ ଘରଠୁଁ ସବୁ ଖୋଲକୁ ପାଖ ବାଟ, ଏଇ କୋଶେ କି ଦି’କୋଶ ହେବ ।

 

X X X ତୁମସିଙ୍ଗା ଗାଁଟା ଢେଙ୍କାନାଳ–କାମାକ୍ଷାନଗର ରାସ୍ତାରୁ ପ୍ରାୟ ଦଶ କିଲୋମିଟର ହେବ, ରାସ୍ତାରେ ପ୍ରାୟ ଚାରି କିଲୋମିଟର ଯାଏ ମୁରୁମ୍‌ ପଡ଼ିଛି । ସେଇଠି କଦଳୀପାଳ ଫରେଷ୍ଟ ଗାର୍ଡ଼ର ବିଟ୍‌ ଘର । ସେଠୁ ତୁମସିଙ୍ଗା ଫାଣ୍ଡି ପ୍ରାୟ ଛଅ କିଲୋମିଟର ହେବ-। ଶୁଖିଲା ପାଗରେ ସେ ରାସ୍ତାରେ କେବଳ ଜିପ୍‌ ଯାଇପାରିବ ।

 

ସେଦିନ ଢେଙ୍କାନାଳ ଡି. ଏସ୍‌. ପି. କ’ଣ ଗୋଟାଏ ତଦନ୍ତ କାମରେ ତୁମସିଙ୍ଗା ଫାଣ୍ଡିକୁ ଆସିଥିଲେ ଜିପ୍‌ରେ । ତାଙ୍କ ସାଙ୍ଗରେ ମୁଁ ବି ଯାଇଥାଏ ଖବର ନେବାକୁ ‘ଭଙ୍ଗାଦାନ୍ତିଆ’ ହାତୀର । ‘ସେ ଗଲା ଏପ୍ରିଲ ମାସ ଛବିଶ ତାରିଖ ଦିନ’ ରଘୁଆକୁ ମାରି ଦେଇଥାଏ । ଏଇ ଖବରଟା ମୁଁ ମେଁ ମାସ ତିନି ତାରିଖ ଦିନ ଢେଙ୍କାନାଳ ଦିନ ଢେଙ୍କାନାଳ ଏସ୍‌.ପି.ଙ୍କଠୁଁ ପାଇଥାଏ । X X X

 

ଠିକ୍‌ ହେଲା କଦଳୀପାଳକୁ ଆସ୍ଥାନଟା ଉଠେଇ ନେବାକୁ । ଡି. ଏସ୍‌. ପି.ଙ୍କର ଜିପ୍‌ରେ ମୁଁ ମୋର ବନ୍ଧୁକ, ଦୂରବୀଣ, ପାଣି ବୋତଲ ଓ ବିଛଣା ଧରି ବାହାରିଲି । ସାଙ୍ଗରେ ଗେହ୍ଲା, ବାସୁଆ, ହରିଆ ଏମିତି ଆଠ ଦଶ ଜଣ ଟୋକା ବାହାରିଲେ ମୋତେ ସେଠି ସାହାଯ୍ୟ କରିବାକୁ । ବେଳ ଆଉ ଦୁଇଘଡ଼ି ଥାଏ, ଆମେ ବିଟ୍‌ଘର ନିକଟରେ ପହଞ୍ଚିଗଲୁ ।

 

ସେଠିକାର ଫରେଷ୍ଟ ଗାର୍ଡ଼ ରାମ ଆମମାନଙ୍କୁ ଦେଖି, ଅସ୍ତବ୍ୟସ୍ତ ହୋଇ ଘରୁ ନିଜର ଶୋଇବା କାଠ ଖଟଟା ପଦାକୁ ବାହାରକରି ଆଣି ଗୋଟାଏ କମ୍ୱଳ ପକେଇଦେଲା ବସିବାପାଇଁ । ବେଳ ତ ଆଉ ବେଶୀ ନ ଥାଏ । ସେଠି ଆଉ ବେଶୀ ଡେରି ନ କରି ରାମକୁ ସାଙ୍ଗରେ ଧରି ବାହାରିବାର କଥା ଖଜୁରିଖୋଲରେ ଭଙ୍ଗାଦାନ୍ତିଆକୁ ଭେଟିବାକୁ ।

 

ବିଟ୍‌ ଘରଠାରୁ ଖଜୁରିଖୋଲ ଦେଢ଼କୋଶ ବାଟ । ଚାଲିକରି ଗଲେ ତ ସଞ୍ଜ ହୋଇଯିବ-। ତା’ଛଡ଼ା ମୋର ତ ଚାଲିବାର ଅଭ୍ୟାସ ନ ଥାଏ । ଗଲା ଦଶ ବର୍ଷ ହେଲା ଚଉକିରେ ବସି ବସି ହାତଗୋଡ଼ର ପେଶି ସବୁ କୋହଳ ହୋଇଯାଇଛି । ଛଅ ସେର ଓଜନର ଦୁଇନଳିଆ ରାଇଫଲ୍‌ଟା କାନ୍ଧରେ ଧରି ଦେଢ଼ କୋଶ ବାଟ ଚାଲିବି ବା କେମିତି ? କଷ୍ଟେମଷ୍ଟେ ଚାଲିକରି ଗଲେ ବି, ‘ଭଙ୍ଗାଦାନ୍ତିଆ’ ଯଦି ହାବୁଡ଼ରେ ପଡ଼ିଯାଏ, ତା’ହେଲେ କ’ଣ ହାତମୁଠାରେ ବଳ ଥିବ ଏଇ ଓଜନଦାର ରାଇଫଲକୁ ବ୍ୟବହାରରେ ଲଗେଇବାକୁ ? ତା’ଛଡ଼ା ‘ଭଙ୍ଗାଦାନ୍ତିଆ’ର ହାବଭାବ ଯାହା ଶୁଣିଲି, ସେ ତ ବଡ଼ ଛାନିଆ ହୋଇଯିବାର କଥା । ମଣିଷଗନ୍ଧ ପାଇଲେ କାଳେ ସେ ଗୋଡ଼ଉଛି ମାରିବାକୁ । ଦେଢ଼କୋଶ ବାଟ ଚାଲି ଚାଲି ଗଲା ପରେ ଦେହରେ କ’ଣ ଦମ୍ଭ ଥିବ ଯେ ବନ୍ଧୁକକୁ ଲାଖକରି ଧରିହବ ? ନାଃ ଏଭଳି ବିପଦରେ ଜାଣିଶୁଣି ଝାସ ଦେବାଟା ଠିକ୍‌ହେବନି ।

 

ଏଇସବୁ କଥା ମୋ ମନଭିତରେ ଗୋଳେଇ-ଘାଣ୍ଟି ହେଲା ଦଶମିନିଟ ଯାକେ । ବଡ଼ ଦମ୍ଭରେ ତ ଆସିଥିଲି ପାଟ ବାନ୍ଧି ଶିକାରକୁ । ଏବେ ମୁହଁ ହରେଇ ଫେରୁଛି ବା କେମିତି ?

 

ବାସୁଆକୁ କହିଲି, ‘‘ସଞ୍ଜହେବା ଉପରେ, ଆଉ ଜଙ୍ଗଲକୁ ଯିବାରେ ଲାଭ ନାହିଁ । ତା’ଛଡ଼ା ଢେଙ୍କାନାଳର କଲେକ୍ଟର ତ ହାତୀ ମାରିବା ପାଇଁ ପର୍‌ମିଟ୍‌ଟା ମୋତେ ଏ ପର୍ଯ୍ୟନ୍ତ ଦେଇନାହାନ୍ତି ।’’

 

ଗଲା ୧୯୬୮ ମସିହା ଡିସେମ୍ୱର ମାସରେ ସେଠା କାମାକ୍ଷାନଗରର ଏସ୍‌. ଡି. ଓ.ଙ୍କର ସୁପାରିସରେ କଲେକ୍ଟର ସାହେବ ଘୋଷଣା କରିଥିଲେ ଯେ, ଦୁଇଟା ଦନ୍ତାହାତୀ ମଣିଷ ମାରିଛନ୍ତି ସୁନ୍ଦରା ବ୍ଲକ ଜଙ୍ଗଲରେ । ଯିଏ ସେହି ହାତୀଗୁଡ଼ାଙ୍କୁ ମାରିଦେବ, ତାକୁ ଦୁଇଶହ ଟଙ୍କା କରି ପୁରସ୍କାର ମିଳିବ ।

 

ଏଇ ଘୋଷଣା ପରେ ମଧ୍ୟ କେହି ଆଉ ସାହସ କରି ଆସିଲେନି ହାତୀ ମାରିବାକୁ । ସମ୍ୱଲପୁରର କମିଶନର ସାହେବ ସରକାରଙ୍କୁ ସୁପାରିସ କଲେ ଯେ ମୋତେ ସେଠିକି ପଠେଇଲେ ସେଇ ଦୁଷ୍ଟ ହାତୀ ଦୁଇଟାକୁ ମାରିହେବ । ସରକାରଙ୍କଠୁଁ ଆଦେଶ ପାଇ, ମୁଁ କମିଶନର ସାହେବଙ୍କୁ ଲେଖିଥିଲି ଯେ ପୁରସ୍କାର ଟଙ୍କା ତ ମୁଁ ନେଇ ପାରିବିନି । କାରଣ ମୁଁ ଜଣେ ସୌଖୀନ ଶିକାରୀ–ସେଟା ମୋର ପେଶା ନୁହେଁ । ଶିକାର ପାଇଁ ମଜୁରି ପାଇଁ ମଜୁରି ନେବାଟା ଶିକାରୀର ଅପମାନ ହେବ । ସେ ଯଦି ହାତୀର ଦାନ୍ତ ଇତ୍ୟାଦି ମୋତେ ନେବା ପାଇଁ ଅନୁମତି ଦିଅନ୍ତି ତା’ହେଲେ ମୁଁ ଚେଷ୍ଟା କରିବି । କମିଶନର ସାହେବ ମୋ ପ୍ରସ୍ତାବରେ ରାଜିହୋଇଗଲେ ସିନା, ହେଲେ କଲେକ୍ଟର ସାହେବ ପରମିଟ୍‌ଟା ଦେଇ ନ ଥାନ୍ତି ।

 

ହାତୀ ମାରିବାପାଇଁ ପରମିଟ୍‌ ନାହିଁ । ପରେ ପରମିଟ୍‌ ନେଇ ସପ୍ତାହକ ବାଦ୍‌ ଆସିବି ବୋଲି କହି, ସେ ଦିନ କଦଳୀପାଳରୁ ଖସି ଆସିବି ବୋଲି ଭାବିଲି । ହେଲେ, ବାସୁଆ ହେରିକା ମୋତେ ଯେମିତି ଥଟ୍ଟାଳିଆ ଚାହାଣିରେ ଚାହିଁଲେ, ମୋର ଭରସା ହେଲାନି ନାସ୍ତି କରିବାକୁ । ବାସୁଆ କହିଲା, ‘‘ଖଣ୍ଡେ ଦୂରକୁ ତ ଜିପ୍‌ଟା ଯିବ । ଖଜୁରିଖୋଲରେ ପହଞ୍ଚିଲା ବେଳକୁ ବେଳ ଢେର୍‌ ଥିବ । ଭଙ୍ଗାଦାନ୍ତିଆ ସେଠି ଥିବ ନିଶ୍ଚୟ ।’’

 

ଫରେଷ୍ଟ ଗାର୍ଡ଼ ରାମ ଆମକୁ ବାଟ କଢ଼େଇ ନେଲା । ଜିପ୍‌ରେ ଆମେ ପ୍ରାୟ ତିନି କିଲୋମିଟର ଯାଏ ଗଲୁ । ସେଇଠୁଁ ଚାଲିବାକୁ ପଡ଼ିଲା । ରାମ ଆଗରେ, ତା’ ପଛରେ ମୁଁ ବନ୍ଧୁକରେ ତୋଟା ପୂରାଇ ଚାଲୁଥାଏ । ମୋ ପଛକୁ ବାସୁଆ ଆଉ କାର୍ତ୍ତିକା ।

 

ସିଧାସଳଖ ଖୋଲ ଆଡ଼କୁ ଯିବାଟା ଆମର ଉଚିତ ହବନି ବୋଲି ଭାବିଲି; କାରଣ ସେତେବେଳେ ପବନଟା ଆମ ଆଡ଼ୁ ଖୋଲ ଆଡ଼କୁ ବହୁଥାଏ । ହାତୀ ତ ଆମ ଗନ୍ଧ ପାଇଯିବ ଡାକେ ବାଟରୁ । ହୁଏ ତ ସେ ଚୁପ୍‌ଚାପ୍‌ ଲୁଚିରହି ଆମକୁ ଧରିବାକୁ ଚେଷ୍ଟା କରିବ, ନ ହେଲେ ପଳେଇବ ।

 

ରାମକୁ ଇସାରା ଦେଇ କହିଲି ଡାହାଣ ପଟେ ଖଣ୍ଡେ ଦୂର ଯାଇ, ଖୋଲ ନିକଟକୁ ପଶ୍ଚିମ ପଟରୁ ଆସିବା ପାଇଁ । ତା’ହେଲେ ‘ଭଙ୍ଗାଦାନ୍ତିଆ’ ଆମ ଗନ୍ଧ ପାଇବନି । ରାମ ମୁଣ୍ଡ ଟୁଙ୍ଗାରି ହଁ ଭରିଲା ଓ ଡାହାଣପଟ ଶଗଡ଼ଗୁଳାରେ ଚାଲିବାକୁ ଆରମ୍ଭ କଲା ।

 

ଆମେ ସବୁ ପାଦ ଚିପି ଚିପି, କାଠି, କୁଟା, ଶୁଖିଲା ପତର ଉପରେ ପାଦ ନ ପକେଇ ଧୀରେ ଧୀରେ ଚାଲିଲୁ । ପ୍ରାୟ ଅଧ ଘଣ୍ଟାଏ ଖଣ୍ଡେ ଚାଲିଲୁ ଏଇମିତି । ମୋତେ ଲାଗୁଥାଏ, ବେଳକୁ ବେଳ ମୋ ରାଇଫଲ୍‌ଟା ଭାରି ଭାରି ହୋଇ ଯାଉଛି କି ? ଆଉ ଆମେ ଯେମିତି ଘଣ୍ଟା-ଘଣ୍ଟା ଧରି ବାଟ ଚାଲିଛୁ, ଦେହର ଝାଳ ଆସି ତଳିପାର ମୋଜାକୁ ଭିଜେଇ ଦେଲାଣି । ହଠାତ୍‌ ହଳୁଟେ ମିରିଗ ଖଜୁରିଖୋଲ ଆଡ଼ୁ ଦଉଡ଼ି ଦଉଡ଼ି ଆସି ଆମ ଆଗରେ ଠିଆ ହୋଇଗଲେ । ଆମେ ମିରିଗ ଆସିବାର ଶବ୍ଦ ଶୁଣି ତ କାଠ ଭଳି ଠିଆ ହୋଇଯାଇଥିଲୁ–ହାତୀ ଆସିଗଲା ପରା !

 

ମିରିଗ ହଳଟା ଆସି ଆମ ଆଗରେ ଧପ୍‍କିନା ଠିଆ ହୋଇଗଲେ । ଏଣେତେଣେ ଚାହିଁଲେ । ଆମେ ତାଙ୍କ ସାମନାରେ ଦଶ ଗଜ ଦୂରରେ ଠିଆ ହୋଇଥାଉ । ଦେଖି ନଦେଖିଲା ପରି ହେଲେ ଆମକୁ । ମୋ ପଛରେ ତ ବାସୁଆ ଥିଲା, ମୋତେ ଠାରିଲା ମାରିବାକୁ । ସେହି ଠାରିବା ସମୟ ଭିତରେ ସେ ଯେଉଁ ହଲଚଲ ହୋଇଗଲା, ସେଇଥିରୁ ମିରିଗମାନେ ଆମକୁ ଠଉରେଇ ନେଲେ–ଏହା କୁଦାକେ ଉଭେଇଗଲେ ବଣ ଲଟି ଭିତରେ ।

 

ମୁଁ ତ ସେତେବେଳକୁ ଏକଦମ୍‌ ଥକିଯାଇଥାଏ । ରାମକୁ ଯାଇ ଖୋଲ ପାଖ ପାଣି ଜାଗା ଦେଖିଆସିବାକୁ କହିଲି ଓ ମୁଁ ସେଇଠି ବସି ଟିକିଏ ନିଶ୍ୱାସ ମାରିଲି X X X ।

 

ସେମାନେ ସବୁ ଖଜୁରିଖୋଲ ଦେଖି ଫେରିଲାବେଳକୁ, ବେଳ ରତରତ ହେଉଥାଏ । ହାତୀର ଶୁଖିଲା ଲଣ୍ଡି ଗଦାରୁ ଜଣାଗଲା ଯେ, ‘ଭଙ୍ଗାଦାନ୍ତିଆ’ ଦୁଇଦିନ ଆଗରୁ ସେହି ଖୋଲରେ ଥିଲା । ନିରାଶ ହୋଇ ଫେରିଲି କଦଳୀପାଳ ବିଟ୍‌ ଘରକୁ ।

 

ସେଠି ବସିଲା ଗୋଟାଏ ସଭା । ସମସ୍ତେ ମସୁଧା କଲେ ସେଦିନ ରାତିରେ ମୋତେ ସେଇଠି ରହିବାକୁ ହବ । ତା’ ପରଦିନ ଯେମିତି ହେଲେ ଭଙ୍ଗାଦାନ୍ତିଆକୁ ଠାବ କରିବାକୁ ହେବ ।

 

ମୁଁ ସେଠାର ଥାନାବାବୁଙ୍କୁ କହିଲି, ହାତୀର ଓର ମିଳିଲେ ମୋତେ ଖବର ଦେବାକୁ ପାରାପୋଷ୍ଟରେ । ଢେଙ୍କାନାଳ, ସେଠୁ ଓ୍ୟାର୍‌ଲେସରେ ଖବର ପାଇବାକୁ ମୋତେ ଦୁଇ ମିନିଟ୍‌ ଲାଗିବ । ଖବର ପାଇଲେ କଟକରୁ କଦଳୀପାଳ ପହଞ୍ଚିବାକୁ ଦୁଇ ଘଣ୍ଟା ଲାଗିବ । ରାମ, ବାସୁଆ ସବୁ ଏଇଥିରେ ରାଜି ହୋଇଗଲେ । ମୁଁ ସେଠାରୁ ଫେରିଆସି ଢେଙ୍କାନାଳ ଏସ୍‌.ପି.ଙ୍କୁ କହି ଆସିଲି, କଲେକ୍ଟରଙ୍କଠାରୁ ପରମିଟ୍‌ଟା ଆଣି ପଠେଇ ଦେବାକୁ ଶୀଘ୍ର ।

 

ଦୁଇ ସପ୍ତାହ ବିତିଗଲା । କଲେକ୍‌ଟରଙ୍କଠୁଁ ପରମିଟ୍‌ ଆସିଲାନି । ଊଣେଇଶି ତାରିଖରେ ମୋତେ ଖବର ମିଳିଲା ଯେ ‘ଭଙ୍ଗାଦାନ୍ତିଆ’ ପୁଣି ମଣିଷ, ଶଗଡ଼କୁ ଗୋଡ଼ଉଛି, ଶୀଘ୍ର ଯିବାପାଇଁ ହବ ବୋଲି ତୁମସିଙ୍ଗା ଲୋକେ କହିଛନ୍ତି । ସକାଳ ଦଶଟା ବେଳେ ଯାଇ ଢେଙ୍କାନାଳଠି ଦେଖେ ଯେ କଲେକ୍‌ଟର ସାହେବ ଟୁର୍‌ରେ । ଏଣେ ମୋତେ ପର୍‌ମିଟ୍‌ ଦେବାରେ ‘କିନ୍ତୁ’ଟିଏ ଅଛି-। ସେଇଠୁଁ ଫୋନ୍‌ କଲି କଟକ ରେଭିନ୍ୟୁବୋର୍ଡ଼ କର୍ତ୍ତାଙ୍କ ପାଖକୁ । ରାମନାଥନ୍‌ ସାହେବ ଫୋନ୍‌ରେ ଆଦେଶ ଦେଲେ, ପରମିଟ୍‌ ପାଇଁ ଅପେକ୍ଷା ନ କରି ‘ଭଙ୍ଗାଦାନ୍ତିଆ’କୁ ମାରିବାକୁ-

 

ସେଦିନ, ମୋ ସାଙ୍ଗରେ ମୋର ସାନଭାଇ ଗୁରୁପ୍ରସାଦ ଯାଇଥାଏ ମୋତେ ସାହାଯ୍ୟ କରିବାକୁ । ସଞ୍ଜ ପାଞ୍ଚଟାରେ ଆମେ ଯାଇ ଖଟୁଆହତା ବଙ୍ଗଳାରେ ଶ୍ୟାମକୁ ଆଉ ଜିନିଷପତ୍ର ଓହ୍ଲେଇ ଦେଇ, ସିଧା ଗଲୁ କଦଳୀପାଳ ବିଟ୍‍ ଘରକୁ । ରାମ ଆମକୁ ଅପେକ୍ଷା କରିଥିଲା । ସେ ଖବର ଦେଲା ଯେ, କିଆପତନି ଗାଁରେ ‘ଭଙ୍ଗାଦାନ୍ତିଆ’ ପଅରଦିନ ରାତିରେ ବାଡ଼ିରୁ କଦଳୀ ଖାଉଥିଲା ।

 

ଠିକ୍‌ହେଲା ଯେ, ତା’ ପରଦିନ ବଡ଼ିସକାଳୁ ଆମେ ସେଠିକି ଗଲେ ହାତୀ ଖୋଜ ଦେଖି ତାକୁ ଖୋଜିବାକୁ ପଡ଼ିବ । ଗାଁର ଦେହୁରୀ ଆସି କହିଲା, ଗୋଟିଏ କଳା କୁକୁଡ଼ା ଠାକୁରାଣୀଙ୍କ ଠେଇଁ ଭୋଗ ଲଗେଇଲେ ଯଶ ମିଳିବ ଆମକୁ ।

 

ଗାଉଁଲି ବିଶ୍ୱାସରେ ମୋର ଆସ୍ଥା କମ୍‌ । ହେଲେ ବି ଏ ପ୍ରସ୍ତାବଟା ମୋ ମନକୁ ପାଇଲା । ଠାକୁରାଣୀଙ୍କ ଭୋଗ ତ ଆମେ ଖାଇବା–ଦେହୁରୀକୁ ଟଙ୍କା ଦେଲି ପୂଜା କରିବାକୁ । ଆଉ ଆମେ ଆସି ଖଟୁଆ ହତା ବଙ୍ଗଳାରେ ଖାଇପିଇ ଶୋଇଲୁ ।

 

କୋଡ଼ିଏ ତାରିଖ । ବଡ଼ିଭୋରରୁ ଉଠି କଦଳୀପାଳ ଗଲୁ । ବିଟ୍‌ ଘରଠେଇ କାର୍‌ଟା ଛାଡ଼ି, ବନ୍ଧୁକ, ଦୂରବୀଣ ପାଣିବୋତଲ ଇତ୍ୟାଦି ଧରି ଚାଲିଲୁ କିଆପତନି ଗାଁ ଆଡ଼େ ।

 

ଜଙ୍ଗଲ ରାସ୍ତା । ଖରା କ୍ରମେ କ୍ରମେ ଟାଣ ହେବାକୁ ଲାଗିଲା । ଚାଲି ଚାଲି ହାଲିଆ ହୋଇଗଲୁ ସେଇ ଆଠ, ନଅ କିଲୋମିଟର ରାସ୍ତାରେ ।

 

କିଆପତନି ଗାଁଟା ଗୋଟାଏ ପାହାଡ଼ କାନ୍ଥରେ । ଗାଁମୁଣ୍ଡରେ ଗୋଟିଏ ଛୋଟ କଟା,* ସେଥିରେ ପାଣି ଚାଖଣ୍ଡେ ଖଣ୍ଡେ । ତା’ ହୁଡ଼ାରେ ଗୋଟିଏ କଇଁଆ ଗଛ । ସେଇ କଇଁଆ ଗଛମୂଳରେ ଦୁଇଟା ଦଉଡ଼ିଆ ଖଟିଆ ପଡ଼ିଥାଏ ଆମ ପାଇଁ । କୁନା ବାରିକ ଆଉ ଫରେଷ୍ଟ ଗାର୍ଡ଼ ରାମ, ଢାଳେଲେଖେ ପାଣି ଧରି ଆମକୁ ଅପେକ୍ଷା କରିଥିଲେ । ସେମାନେ କହିଲେ, ଦୁଇ ଦଳ ଭେଣ୍ଡିଆ, ବଡ଼ିସକାଳୁ ସୁନ୍ଦରା ବ୍ଲକ ପାହାଡ଼ର ପଶ୍ଚିମ ପଟେ ଯାଇଛନ୍ତି ତଲାସ କରିବାକୁ । ସେମାନେ ଶୀଘ୍ର ଫେରିଲେ ଆମେ ଯିବା ହାତୀ ପାଖକୁ ।

 

* କଟା–ଛୋଟ ଜଳାଶୟକୁ ସେଠାର ଭାଷାରେ କଟା କହନ୍ତି ।

 

ମୁହଁରେ ଥଣ୍ଡାପାଣି ଛିଟା ମାରିବାରୁ ଟିକିଏ ଆରାମ ଲାଗିଲା–ଆମେ ଚାରିକାତ ମେଲେଇ ଖଟଉପରେ ପଡ଼ିଗଲୁ । କୁନା ବାରିକଟା ବଡ଼ ଡହରା । ଗପି ଚାଲିଥାଏ, ଭଙ୍ଗାଦାନ୍ତିଆ କେମିତି କିଆପତନି ଗାଁର ଅନିଷ୍ଟ କରିଛି । ନା, ମଣିଷ ମାରିନି ଏଠି, ହେଲେ ଭୁଟାଟା ଅଳପକେ ବଞ୍ଚିଗଲା ନା, ସେଦିନ......ଏମିତି କେତେ କ’ଣ ।

 

କୁନାର କଥାବାର୍ତ୍ତା ଭିତରୁ ‘ଭଙ୍ଗାଦାନ୍ତିଆ’ ଜୀବନର କରୁଣ କାହାଣୀ ଶୁଣିଲି–ମନଟା କେମିତି ହୋଇଗଲା । ତାକୁ ମାରିଦେବାଟା କେତେଦୂର ଠିକ୍‌ ହେବ ଏଇ ବିଚାର କେବଳ ମନ ଭିତରେ ଗୋଳେଇଘାଣ୍ଟି ହେଲା । କୁନା କହିଲା-

 

‘‘ବେଶୀ ଦିନ ନୁହେଁ, ଏଇ ଦଶବାର ବର୍ଷ ତଳର କଥା । ଏଇ ସୁନ୍ଦରା ବ୍ଲକ ପାହାଡ଼ ଚାରିପଟ ଘେରି ଘନ ଜଙ୍ଗଲ ଥିଲା । ବ୍ରାହ୍ମଣୀ ନଦୀର ଉତ୍ତର କୂଳରେ କମଗରା ଗାଁଠୁଁ ଆରମ୍ଭ କରି ଘଞ୍ଚ ଜଙ୍ଗଲ ଥିଲା । କମଗରାଠୁଁ ଉତ୍ତରକୁ କାମାକ୍ଷାନଗର ପାରି ହୋଇ ଅନନ୍ତପୁର ପାହାଡ଼ମାଳା ସହିତ ଏ ଜଙ୍ଗଲ ମିଶିଯାଇଥିଲା । ଏଣେ ପୂର୍ବ ଦିଗକୁ ମଧ୍ୟ ଏହି ଅଖଣ୍ଡ ବଣ ଲାଗିଥିଲା, ସରସିଆପଦା ପାରିହୋଇ କଟକର ଡାଲିଯୋଡ଼ା ଯାଏ । ଶାଳ, ପିଆଶାଳ, ବିଜା, କଷି, ମହୁଲ, ଶିଶୁ ଇତ୍ୟାଦି ଗଛ ଦେହକୁଦେହ ଲଗାଲଗି ହୋଇ ଏ ବଣକୁ ଅଗନାଅଗନି କରିଥିଲେ । କୁଆର ଥଣ୍ଟ କି କୋଇଲିର ବେଣ୍ଟ ନ ଥିଲା । ରଜାପୁଅ କି କଟୁଆଳ ପୁଅ ପାରିଧିକି ଆସିଲେ, ଏଇ ଅଗନାଅଗନି ବନସ୍ତରେ ପଶି ନ ପାରି, ବଣର କରେ କରେ କମଗରା ଗାଁ ପାଖରୁ ଫେରିଯାଉଥିଲେ ।

 

‘‘ବଣରେ ପ୍ରଚୁର ଖାଦ୍ୟ ଥିଲା ଜନ୍ତୁଜୁନ୍ତାଙ୍କ ପାଇଁ । ଆଉ ଜନ୍ତୁ ? ପଲ ପଲ ହାତୀ, ହଳ ହଳ ବାଘ–ଗୟଳ, ମିରିଗ, ସମ୍ୱର, କୁଟୁରା, ବାରହା ଅସୁମାରି । ସେମାନଙ୍କ ପାଇଁ ଅସରନ୍ତି ଖାଦ୍ୟଭଣ୍ଡାର ଥିଲା ଏଇ ବଣ ଭିତରେ । ଜନ୍ତୁଜୁନ୍ତା କେବେ ବଣ ବାହାରକୁ ଆସି ଆହାର ଖୋଜିବାର ଶୁଣା ନ ଥିଲା ।

 

‘‘ଏଇ କେଇ ବର୍ଷ ଭିତରେ, ଦେଶ ଆମର ସ୍ୱାଧୀନ ହେବା ପରଠୁଁ, ରଜାର ରାଜୁତି ଚାଲିଯିବା ପରଠୁଁ, ହେ ବଡ଼ ବଡ଼ ମଟର ଗାଡ଼ି ନେଇ ଆସିଲେ ସହରର ବାବୁଭାୟାମାନେ । ସାଙ୍ଗରେ ଆଣିଲେ କରତକଳ । ଗଛବୃଚ୍ଛ ଶୋଇଗଲେ ଲମ୍ୱ ଲମ୍ୱ ହୋଇ, ଝଡ଼ବତାସ ପରେ ଯେମିତି ଆମ ଗାଁର କଦଳୀବାଡ଼ି ଦେଖାଯାଏ, ଏ ବଣଟାଯାକ ଦିଶିଲା ସେଇମିତିକା । ତା’ ସାଙ୍ଗକୁ ପୁଣି ତହସିଲଦାର ବାବୁଙ୍କୁ ଧରି ଜଗା, ମାଧିଆ ହେରିକା ଶହ ଶହ ମାଣ ତଇଳା ପଟା ନେଇ ଜଙ୍ଗଲ କାଟି ସଫା କରି ଖସା, ସୋରିଷ ବୁଣିଦେଲେ । ରାତି-ବିରାତି ଜିପ୍‌ ଗଣ୍ଡା ଗଣ୍ଡା ବୁଲିଲା ବଣଟା ଯାକ । ବାହାଘର ଆତସବାଜି ପରିକା ବନ୍ଧୁକ ଢୋ-ଢୋ କରି ଫୁଟିଲା ରାତି ତମାମ୍‌ । ସକାଳ ହେଉ ନ ହେଉଣୁ ଦଶ କୋଡ଼ିଏ ଖଣ୍ଡ ଗାଁର ଲୋକେ ବଣକୁ ଧାଇଲେ ଘାଉଲା ମିରିଗ, ସମ୍ୱର ଖୋଜିବାକୁ । ବହୁତ ଜନ୍ତୁ ମାଉଁସ ଖାଇଛୁ ବାବୁ ! ଏଇନେ ଯେଉଁ ଜଙ୍ଗଲ ଦେଖୁଛ, ଗୋଟିଏ ବି ଚାରିଫୁଟିଆ ଗଛ ନାହିଁ । ଖାଲି ଏଇ ସୁନ୍ଦରା ପାହାଡ଼ ତଳ ଆଖପାଖ କେଇ ମାଣ ଜମି ପଥୁରିଆ ଯୋଗୁ ତଇଳା ହୋଇପାରିନି । ସେଇତକରେ କାଁ-ଭାଁ ବଣବୁଦା ଅଛି । ଏଇ ଭଙ୍ଗାଦାନ୍ତିଆ ସେତେବେଳେ ଯବାନ ଥିଲା । ମନସୁଖରେ ବୁଲୁଥିଲା ପଲ ପଲ ହାତୀ ସଙ୍ଗରେ । କେତେ ଯେ ସୁଖରେ ସେ ଥିଲା ସେତେବେଳେ ।

 

‘‘ଜଙ୍ଗଲ କଟା ହୋଇଯିବା ପରେ ପରେ ଦଳ ଦଳ ହୋଇ ହାତୀ ପଳେଇଲେ ଏ ଜଙ୍ଗଲ ଛାଡ଼ି । ଏଇ ‘ଭଙ୍ଗାଦାନ୍ତିଆ’ ହୁଏତ ଏ ସୁନ୍ଦରା ପାହାଡ଼ ମୋହ ଛାଡ଼ି ଯାଇପାରିନି । ଏଇଠି ପରା ତା’ ଯବାନ ବେଳର କେତେ ଯେ ପିରତୀ ହେଇ ଯାଇଛି, ତା’ର ହିସାବ ରଖିଛି କିଏ ? ହୁଏତ ତା’ ବୟସ ଗଡ଼ିଯିବାରୁ ଟୋକା-ଟାକଳିଆ ଗଜା ଗଜା ଦନ୍ତାଏ ୟା ସହିତ ଲଢ଼ି ଲଢ଼ି ୟା’ର ଦାନ୍ତ ଭାଙ୍ଗିଦେଇ, ଦଳରୁ ନିକାଲି ଦେଲେ । ଏଇ ଭୟରେ ବୋଧେ, ଏ ‘ଭଙ୍ଗାଦାନ୍ତିଆ’ ଆଉ ଅନନ୍ତପୁର ପାହାଡ଼ ଆଡ଼େ ଯିବାକୁ ସାହସ କଲାନି ।

 

‘‘ସୁନ୍ଦରା ପାହାଡ଼ ତ ଲଣ୍ଡା ହୋଇଗଲାଣି । ତା’ ଖାଇବା ପାଇଁ ଏଇ ଦଶ କୋଡ଼ିଏଟା ବରଗଛ, ପାଞ୍ଚ ଦଶଟା ଆମ୍ୱ ତୋଟା–ମହୁଲ, କେନ୍ଦୁ ହେଇ ଆଉ ଗଛ କେତେଟା ବା ଅଛି । ସେଇଥିଯୋଗୁଁ ରାତି ହେଲେ ସେ ମୁହେଁଇଲା ବିଜାସାହିର ରଘୁସାହୁର ପାଳଗଦାକୁ କି ପଥରଖୁମ୍ୱର ଆଖୁ କିଆରୀକୁ । ଏକୁଟିଆଟା ବି ରହିରହିକା ତା’ର ମେଜାଜ ଟେଙ୍କାରାଗୁଆ ହେଇ ଯାଇଛି । ତା’ଛଡ଼ା, ଶାମାଟାଙ୍ଗିର ବାଣୁଆ, କିଆପତନିର ପଧାନ ବେଳେ ବେଳେ ଖୁନ୍ଦା ବନ୍ଧୁକରେ ଛର୍‌ରା ମାରିଛନ୍ତି ତାକୁ । ସେବୁଠୁଁ ତ ମଣିଷ ଗନ୍ଧ ପାଇଲେ ଚିହିଙ୍କି ଆସୁଛି ବାବୁ, ତା’ ହାବୁଡ଼ରେ ଯିଏ ପଡ଼ିଗଲା, ତା’ର ଆଉ ଠିକ୍‌-ଠିକଣା ରଖୁନି । ବିଜାସାହିର ଟୁଣିଆ ମା’କୁ ବଡ଼ିଭୋରଟାରୁ ପରା ମାଉଁସ ପେଣ୍ଡୁଳାଟାଏ କରିଦେଲା । ଏଇ ଗଲା କେଇ ଦିନ ତଳେ ତୁମସିଙ୍ଗା ରଘୁଆକୁ...ତାକୁ ମାରିଦିଅ ବାବୁ ! ତମର ଧରମ ହେବ । ଆମର ଏଠି ଚଳପ୍ରଚଳ କରିବାକୁ ଦିନକୁ ଦିନ କଷ୍ଟ ହେଇଯାଉଛି ।’’

 

କୁନାର କଥାରୁ ଆହୁରି ଜାଣିଲି ଯେ, ସୁନ୍ଦରା ପର୍ବତମାଳାରେ ଦଶ କୋଡ଼ିଏଟା ପାଣିଖଦା ଅଛି । ଯେଉଁଠିକି ମଳିକ, ଗୁଣିଆ ହେରିକା ତାଙ୍କ ଖୁନ୍ଦା ନଳି ସବୁ ନେଇ ସଞ୍ଜକୁ ଜଗନ୍ତି ବାର୍‌ହା, କୁଟୁରା, ମିରିଗ ମାରିବା ପାଇଁ । ବରଷକରୁ ଉପର ହବ, ଏଇ ‘ଭଙ୍ଗାଦାନ୍ତିଆ’ ବିଜା ସାହିର ଟୁଣିଆ ମା’କୁ ମାରିଲା ପରଠୁଁ ମଳିକ, ଗୁଣିଆ, ଆଉ ଆଖପାଖ ଗାଁ’ର ବାଣୁଆ ସବୁ, ପାଣିଖଦାଠିକି ଯିବାକୁ ଭରସା କରୁନାହାନ୍ତି ।

 

ଭାବିଲି, ଯା ହେଉ ‘ଭଙ୍ଗାଦାନ୍ତିଆ’ ତ ବଡ଼ ଟାଣୁଆ ଜଙ୍ଗଲ-ଗାର୍ଡ଼ । ଜଙ୍ଗଲ ଅଫିସର ଜଗିଲା ପରି ବଣକୁ ଜଗି ରହିଛି । ଏଠିକାର ବାର୍‌ହା, ମିରିଗମାନେ ବାଣୁଆ ଦାଉରୁ ବଞ୍ଚିଯାଇଛନ୍ତି ବର୍ଷେ ହେବ । ଏଇମିତି କିଛି ଦିନ ଯଦି ଜଗାରଖା ହୁଅନ୍ତା ହୁଏତ ଆମ ବଣର ଜନ୍ତୁଜୁନ୍ତା ଫେରେ ଆଗ ପରିକା ବଂଶ ବଢ଼େଇ ପାରନ୍ତେ... ।

 

କୁନାର କଥା ଶୁଣି ଶୁଣି ପ୍ରଥମେ ‘ଭଙ୍ଗାଦାନ୍ତିଆର’ ବ୍ୟକ୍ତିତ୍ୱ ପ୍ରତି ମୋର ଗୋଟିଏ ଖୁବ୍‌ ଶ୍ରଦ୍ଧା ହୋଇ ଆସିଥିଲା । ଭାବୁଥିଲି ସେଇଠୁଁ ଫେରିଯିବା ପାଇଁ । କିନ୍ତୁ କଇଁଆ ଗଛର ପତର ଗହଳି ଭିତରୁ ତୁମସିଙ୍ଗାର ସେଇ ବୁଢ଼ାର ଆଖି ଦୁଇଟା ମୋତେ ଯେମିତି ତରାଟି କହିଲା, ‘‘ରଘୁଆକୁ ଯିଏ ମାରିଛି ତମେ ତାକୁ ଛାଡ଼ନା ବାବୁ ! ସେ ଯେ ଆହୁରି ଏମିତି କେତେ ରଘୁଆକୁ ମାରି ନ ପକେଇବ, କିଏ କହିବ ! ଖଣିକୁ ଛାଡ଼ନା ବାବୁ !’’

 

ଘଡ଼ି ଦେଖିଲି । ସେତେବେଳକୁ ଦିନ ଏଗାରଟା । ଗୋଟି ଗୋଟି ହୋଇ ଟୋକାଏ ସବୁ ବଣରୁ ଲେଉଟିଲେ । ସମସ୍ତେ ଖବର ଦେଲେ ‘ଭଙ୍ଗାଦାନ୍ତିଆ’ ଗଲା ରାତିରେ ପଥରଖୁମ୍ୱରେ ଆଖୁବାଡ଼ି ଖାଇଯାଇଛି ।

 

ପଥରଖୁମ୍ୱ ସେଠୁ ଚାରିକୋଶ ବାଟ । ସମସ୍ତେ କହିଲେ ସେଠିକି ଯିବା । ରାତିଟା ରହିବା ସେଠି । ଭଙ୍ଗାଦାନ୍ତିଆ ତ ବେଳ ବୁଡ଼ୁବୁଡ଼ୁ ଆସିଯିବ ।

 

ଏଇ ଖରାଦିନେ ଚାରିକୋଶ ବାଟ ଚାଲି ଚାଲି ଯିବା କଥା ଶୁଣି ତ ମୋ ହଂସା ଉଡ଼ିବା ଉପରେ । ରାମକୁ ମୋ ମନକଥା କହିଲି । ସେ ମୋ କଥା ଶୁଣି କହିଲା ଯେ କାମାକ୍ଷାନଗର ବାଟେ ପଥରଖୁମ୍ୱକୁ ଜିପ୍‌ ଯିବା ଭଳିଆ ରାସ୍ତା ଅଛି । ଜିପ୍‌ରେ ସେ ବାଟେ ଯାଇହବ ।

 

ବେଶ୍‌, ସେଇଆ ଠିକ୍‌ ହେଲା । ଆମେ ଫେରିଯିବୁ ଖଟୁଆହତା ବଙ୍ଗଳାକୁ । ସେଠୁ ଖାଇପିଇ ସାରି ଯିବୁ ପଥରଖୁମ୍ୱ । ଗାଡ଼ି ନେଇ ସଡ଼କ ରାସ୍ତାରେ ।

 

କିଆପତନିଠୁଁ କଦଳୀପାଳ ବିଟ୍‌ ଘର ନଅ କିଲୋମିଟର ଦୂର । ପଥର ବିଛା ହୁଡ଼ା ବାଟ–ନାଳ, ତଇଲା ପାର ହୋଇ ଯିବାକୁ ବେଶ୍‌ ଟିକିଏ କଷ୍ଟ ହେଲା । ଧୁମ୍‌ ଅସରାଏ ବୈଶାଖୀ ଝଡ଼ରେ ଜୁଡ଼ୁବୁଡ଼ୁ ହୋଇ ଶେଷରେ ବିଟ୍‌ ଘରଠି ପହଞ୍ଚିଲୁ । ପିଇବା ପାଣି ତ ବହୁତ ଆଗରୁ ସରିଯାଇଥାଏ ।

 

କଦଳୀପାଳ ବିଟ୍‌ ଘରଠି ପହଞ୍ଚି ଟିକିଏ ନିଶ୍ୱାସ ମାରିଚୁ କି ନାହିଁ, ଜଣେ ଲୋକ ଦୌଡ଼ି ଦୌଡ଼ି ଆସି କହିଲା ଯେ ‘ଭଙ୍ଗାଦାନ୍ତିଆ’ ସେ ଦିନ ସକାଳଟାରୁ, ତାଙ୍କ ଗାଁ ଶାମାଟାଙ୍ଗିର ଜଣେ ଲୋକକୁ ତଡ଼ିଆଣିଥିଲା ।

 

ମୁଁ ମୋର ସାନଭାଇ ଗୁରୁ ମୁହଁକୁ ଅନେଇଲି । ସେ ହିଁ ଭରିଲା । କାହିଁ ବଡ଼ିଭୋରରୁ ଗୋଟିଏ ଗୋଟିଏ ରୁଟି ଆଉ ସିଝା ଅଣ୍ଡାଟିଏ ଲେଖା ଖାଇଥିଲୁ । ୟା ଭିତରେ ପ୍ରାୟ ଦଶକୋଶ ବାଟ ଚାଲିଲୁଣି । ପେଟ ଯାଇ ପିଠିରେ ଲାଗିଲାଣି । ଗୋଡ଼ହାତ ଅବଶ ହୋଇଯାଉଛି ବଣ ବାଟରେ ଦଶକୋଶ ଆସି । ବର୍ଷାରେ ଲୁଗାପଟା ଜୁଡ଼ୁବୁଡ଼ୁ । ମେଘ ତଥାପି ଝୁପୁଝୁପୁ ବରଷୁଛି । ଆଉ ଏମିତି ଅନ୍ଧାର ହୋଇଛି ଯେ ଦୂରକୁ ମଧ୍ୟ ଭଲ ଦେଖାଯାଉନି । ‘ଭଙ୍ଗାଦାନ୍ତିଆ’ ପରି ଟିଙ୍କରାଗୁଆ ହାତୀର ପିଛା କରିବାଟା ଆଉ ଆତ୍ମହତ୍ୟା ହବନି ତ ?

 

ଶାମାଟାଙ୍ଗିର ଲୋକଟିର ନାଁ ପୀତବାସ । ତାକୁ ସାଙ୍ଗରେ ସାକଲା-ସାକୁଲି କରି ଗାଡ଼ିରେ ଧରି ଗଲୁ ଖଟୁଆହତାକୁ । ଛଅ କିଲୋମିଟର ବାଟ । ସେଠି ଶ୍ୟାମଚରଣ ଗରମ ଗରମ ପରଟା, ତରକାରି ପରସି ଦେଲା । ଖାଇସାରି ଦଶୁଟା ନିଶ୍ୱାସ ମାରିଛୁ କି ନାହିଁ, ଜାମା ପେଣ୍ଟ ସବୁ ଶୁଖିଲା ପରିକା ହୋଇଯାଇଥାଏ । ଦିନ ତିନିଟା ବେଳକୁ ବାହାରିଲୁ କାମାକ୍ଷାନଗର ରାସ୍ତାରେ ବିଜାସାହି ଯାଏ । ଠିକ୍‌ ବାହାରିଛୁ, କାମାକ୍ଷାନଗରର କେନ୍ଦୁପତ୍ର ବ୍ୟବସାୟୀ ପ୍ରଫୁଲ୍ଲ ବାବୁ ତାଙ୍କ ଜିପ୍‌ରେ ଆସି ପହଞ୍ଚିଲେ ସେଠି । ସେ ସେଠିକାର ଇନସ୍‌ପେକ୍‌ଟର ପଟ୍ଟନାୟକ ବାବୁଙ୍କୁ ସାଙ୍ଗରେ ଧରି ବାହାରି ଥା’ନ୍ତି କ’ଣ ଗୋଟାଏ ତଦନ୍ତରେ । ବିଜାସାହିଠୁଁ ପ୍ରାୟ ଛଅ କିଲୋମିଟର ଆମକୁ ଚାଲିବାକୁ ହେବ ଶାମାଟାଙ୍ଗି ଗାଁ ମୁଣ୍ଡକୁ । ଜିପ୍‌ ମାଲିକ ଦୟାକରି ଆମକୁ ଶାମାଟାଙ୍ଗି ପର୍ଯ୍ୟନ୍ତ ପହଞ୍ଚାଇ ଦେବାକୁ ରାଜି ହେଲେ ।

 

ଜିପ୍‌ରେ ଶାମାଟାଙ୍ଗିରେ ପହଞ୍ଚିବାକୁ ଦିନ ଚାରିଟା ହୋଇଗଲା । ଗାଁ ମୁଣ୍ଡରୁ ପୀତବାସ ଜଣେ ସାଙ୍ଗକୁ ସାଙ୍ଗରେ ଆଣି ଆମକୁ ବାଟ କଢ଼େଇ ନେଲା ସୁନ୍ଦରା ପାହାଡ଼ର ଉତ୍ତର-ପୂର୍ବ ପାଖ ଖୋଲ ଆଡ଼େ ।

ପ୍ରାୟ ତିନି କିଲୋମିଟର ପରେ ଜଙ୍ଗଲର ଓଦା ମାଟିରେ ‘ଭଙ୍ଗାଦାନ୍ତିଆ’ ର ଖୋଜ ଦେଖିବାକୁ ପାଇଲୁ ପରିଷ୍କାର ଦେଖା ଯାଉଥାଏ । ହାତୀ ପ୍ରାୟ ଅଧ ଘଣ୍ଟା ଆଗରୁ ପଶ୍ଚିମ ମୁହାଁ ହୋଇ ଚାଲିଯାଇଛି । ଖୋଜରୁ ଅନୁମାନ କଲି ହାତୀଟା ପ୍ରାୟ ସାଢ଼େ ଆଠ ଫୁଟ କି ନ ଫୁଟ ଉଚ୍ଚା ହେବ ଓ ବୟସ ପଚାଶରୁ ଉପର । ଦେଖିଲୁ ଗଲାବାଟରେ ଭଙ୍ଗାଦାନ୍ତିଆ ଡାଳପତ୍ର ଖାଇବା ପାଇଁ ଅଟକି ନାହିଁ କେଉଁଠି–କ’ଣ ଗୋଟାଏ ଉଦ୍ଦେଶ୍ୟରେ ସିଧାସଳଖ ଚାଲିଛି । ତାରି ଖୋଜେ ଖୋଜେ ଗଲୁ ପ୍ରାୟ ଆହୁରି ତିନି କିଲୋମିଟର–ଗଉଡ଼ ତଇଲା ଯାଏ । ସେତେବେଳକୁ ବେଳ ରତ ରତ । ଆମ ପାଦ ଆଉ ଚାଲୁ ନଥାଏ । ଥକ୍‌କା ହୋଇ ବସି ପଡ଼ିଲୁ ସେଇ ତଇଳାଠେଇ । ମଙ୍ଗୁଳୁ ଥାଇ କହିଲା ସଇତାନଟା ସିଧାସଳଖ ମୁହେଁଇଛି ପଥରଖୁମ୍ୱ ଆଖୁ ବାଡ଼ିକି । ସଞ୍ଜ ଯାଏ ଏଇ ପାହାଡ଼ କାନ୍ଥରେ କେଉଁଠି ଥିବ । ପୀତବାସକୁ ପଠେଇଲି ଆଉ ଖଣ୍ଡେ ଦୂର ଖୋଜ ବାରି ବାରି ଯିବାକୁ । ଯଦି ସେ ହାତୀର ସୁରାକ୍‌ ପାଇବ ତ ଆମକୁ ଡାକିଦବ ।

ଅଧଘଣ୍ଟାଏ ବସିଲା ପରେ, ବେଳ ଯେତେବେଳେ ବୁଡ଼ି ଆସୁଥାଏ ଆମେ କୁହାଟିଲୁ ପୀତବାସକୁ । ସେ ଜବାବ ଦେଲା ଏବଂ ଖୁବ୍‌ ଶୀଘ୍ର ଫେରିଆସି କହିଲା ଭଙ୍ଗାଦାନ୍ତିଆ ସେ ପାଖର ପାଟିଆରେ (ଛୋଟ ପାଣି ଜାଗା) ପାଣି ପିଇ ଗୋଟିଏ କେନ୍ଦୁଗଛରେ ଘଷି ହୋଇଛି ଓ ପଥରଖୁମ୍ୱ ମୁହାଁ ହୋଇ ଚାଲିଛି ଆଗେଇ ।

ପ୍ରସ୍ତାବ ହେଲା ପଥରଖୁମ୍ୱକୁ ଗଲେ ରାତିରେ ଆଖୁ କିଆରୀରେ ଭଙ୍ଗାଦାନ୍ତିଆକୁ ପାଇବା । ମୁଁ ମନା କଲି । ରାତିରେ ଟର୍ଚ୍ଚ ଆଲୁଅରେ ମତେ ବନ୍ଧୁକର ମାଛି ଭଲ ଦେଖା ଯିବନି । ଦୂରରୁ ଟର୍ଚ୍ଚ ଆଲୁଅ ପଡ଼ିବା ମାତ୍ରେ ହାତୀ ବୁଲି ପଡ଼ିବ, ଆଉ ହାତୀର ପିଚାପଟକୁ ଗୁଳିକଲେ ହାତୀ ଶୀଘ୍ର ମରିବନି । ତା’ଛଡ଼ା ଦିନଟା ଯାକ ଏତେ ଦୂର ଚାଲିଲା ପରେ, ପୁଣି ଛଅ, ସାତ କିଲୋମିଟର ସଞ୍ଜଟାରେ ଯିବାଟା ଅସମ୍ଭବ । ‘‘ପଥର ଖୁମ୍ୱକୁ କାମାକ୍ଷାନଗର ବାଟେ ପରା ମଟର ଯିବା ରାସ୍ତା ଅଛି ।’’ ପୀତବାସ ଥଟ୍ଟାଳିଆ ସ୍ୱରରେ କହିଲା ‘‘ସହରିଆ ବାବୁଙ୍କର ହାତୀ ପିଛାଧରି ଚାଲିବାର ବଳ କାହିଁ ?’’

ସେମାନଙ୍କ ନଜରରେ ଆମର ସମ୍ମାନ ଖୁବ୍‌ ତଳକୁ ତଳକୁ ଖସି ଯାଉଥିବା ପରି ଜଣାଗଲା । ହେଲେ ଆଉ ଉପାୟ ନାହିଁ । ଗୋଟିଏ ଗୋଟିଏ ହୋଇ ଫେରିଲୁ ଶାମାଟାଙ୍ଗି । ସେଇ ପାଞ୍ଚ କିଲୋମିଟର ବାଟ, ଲାଗିଲା ଯେମିତି ଶହେ ଦୁଇଶହ କୋଶ ଦୂର !! ଗୋଡ଼ ତ ଉଠୁ ନଥାଏ–ଶୋଷରେ ହଂସା ଉଡ଼ି ଯାଉଥାଏ–ପେଣ୍ଟ ଜାମା ଦେହ ଝାଳରେ ସୁଡ଼ୁବୁଡ଼ୁ ହୋଇ ଦେହରେ ଲାଗିଯାଇଥାଏ । ଗାଁଠି ପହଞ୍ଚିଲା ବେଳକୁ ଗାଈ ନେଉଟିଲେଣି–ତୁଳସୀମୂଳେ ସଞ୍ଜ ଦିଆ ହେଲାଣି ।

ପାଣି ଟୋପାଏ ମାଗିଲି ଯେ କେହି ଦେଲେନି । ସେମାନଙ୍କର ଧାରଣା, କଟକର ବାବୁମାନେ କ’ଣ କଂସା ବେଲାରେ ପାଣି ପିଇବେ ? ଚାଲି ଚାଲି ଗଲୁ ଗାଁ ସେ ମୁଣ୍ଡର ସ୍କୁଲଘରଠିକି । ତେଣ୍ଡାରେ ବାଲ୍‌ଟିଏ ପାଣି ଉଠେଇ ପୀତବାସ ଆଣି ଥୋଇଦେଲା ଆମ ପାଖରେ-। ଆଉ ସ୍କୁଲର ମାଷ୍ଟରଙ୍କଠାରୁ ଗୋଟିଏ କଂସାଢ଼ାଳ ଆଣିଲା । ଆଗ ଦି’ ଢାଳ ଲେଖା ପାଣି ପିଇଗଲୁ । ମୁହଁହାତ ଧୋଇ, ସେଇ ପଡ଼ିଆର ଘାସଗାଲିଚା ଉପରେ ଚାରିକାତ ମେଲେଇ ପଡ଼ିଗଲୁ ଦଣ୍ଡେ ।

ପୀତବାସ ଗଲା ତା’ ଘରଣୀକୁ କହିଆସିବାକୁ ଯେ, ସେ ରାତିରେ ଆମ ପାଖେ ରହିବ ଆଉ ତା’ ପରଦିନ ପଥର ଖୁମ୍ୱକୁ ଯିବ ହାତୀ ମାରିବାକୁ । ଗାଁର ଗ୍ରାମରକ୍ଷୀ କୁଞ୍ଜ ନାଏକ ଆମକୁ ସାଙ୍ଗ ଦବ ଶାମାଟାଙ୍ଗିଠୁ ବିଜାସାହିକୁ ଯିବା ପାଇଁ । ରାସ୍ତାଟା ତ ବଣୁଆ ବାଟ । କିଏ ଜାଣେ, ବାଟରେ ବାଘ କି ଭାଲୁ ଆମକୁ ନ ହାବୁଡ଼ିବେ । X X X

କେମିତି ଯେ ଆମେ ସେଦିନ ବିଜାସାହି ଯାଏ ଆସିଥିଲୁ, ଭାବିଲେ ବର୍ତ୍ତମାନ ବି ଦେହ ଶୀତେଇ ଉଠେ । ହିଡ଼, ବିଲ, ପଥର, କଣ୍ଟାବଣ ଭିତର ଦେଇ ରାସ୍ତାଟା, ରାତିରେ ବଡ଼ ଭୟଙ୍କର ।

ଗାଁ’ର ଲୋକେ କହନ୍ତି, ସେ ଗାଁମୁଣ୍ଡର ଚିର୍‌ଗୁଣୀ ଜିଅନ୍ତା ଖାଇଯାଏ ଲୋକଙ୍କୁ । ହେଲେ ଆମକୁ ଚିର୍‌ଗୁଣୀ ଖାଇବା କଥା ନ ଥିଲା ଯେ, ପାଦଟାମାନ ଚାଲି ଚାଲି ଫୁଲି ଯାଇଥାଏ–କ୍ୟାନ୍‌ଭିସ୍‌ ଜୋତା ଫାଟିବା ଉପରେ । ଆଉ ବୋଲ ମାନୁ ନ ଥାଏ ପାଦ । ଯେତେ ଖୁଣ୍ଟା ପଥର ବାଟରେ ଥିଲେ, ସବୁଥିରେ ବାଜୁଥିଲା ବୁଢ଼ା ଆଙ୍ଗୁଠିର ନଖ ।

ବିଜାସାହି ଗାଁମୁଣ୍ଡ ଢେଙ୍କାନାଳ ସଡ଼କଠେଇ ଆମ ଫିଆଟ୍‌ ଗାଡ଼ିଟା ଥିଲା । ସେଥିରେ ବସି ସିଧା ଗଲୁ ଖଟୁଆହତା ।

ତା’ ପରଦିନ ବଡ଼ିଭୋର–କୁକୁଡ଼ା-ଡାକୁଆ ବେଳ, ବାହାରିଲୁ ଫେର୍‌ ପଥର ଖୁମ୍ୱ । କାମାକ୍ଷାନଗରଠୁ ଗୋଟିଏ ନୂଆ ସଡ଼କ ତିଆରି ହେଉଛି ତାଳଚେର ଯାଏ । ସେହି ରାସ୍ତାରେ ନଅ କିଲୋମିଟର ଗଲେ ଗୋଟିଏ ରେଭିନିଉ ରାସ୍ତା ଅଛି । ପ୍ରାୟ ଚାରି କିଲୋମିଟର ପଥର ଖୁମ୍ୱ ଗାଁକୁ-

ସେଠି ପହଞ୍ଚିଲା ବେଳକୁ ଦିନ ହେଲାଣି ଆଠଟା । ଗାଁ ଗୋହିରୀ ରାସ୍ତାରେ ସହରର ଫିଆଟ୍‌ କାର୍‌ ଯିବାର ଦେଖି ଗାଁର ସବୁ ପିଲେ, ମାଇପେ ଧାଇଁଲେ ପିଛା ଧରି ସ୍କୁଲଘର ଯାଏ । ସେଇଠି କାର୍‌ଟା ରଖିଦେଇ ପୀତବାସ ଓ କୁଞ୍ଜ ବେହେରାକୁ ସାଙ୍ଗରେ ଧରି ବାହାରିଲୁ ଜଙ୍ଗଲକୁ । ସେ ଗାଁର ବି ଦଳେ ଟୋକା ଆମ ସାଙ୍ଗରେ ଚାଲିଲେ ଦେଖିବାକୁ ।

ପୀତବାସ ଆଖୁକିଆରି ମୁଣ୍ଡରୁ ହାତୀ-ଖୋଜ ଧରି ଧରି ଚାଲିଲା । ଆମେ ଗାଁର ପୋଖରୀ ତୁଠ ଦେଇ ରାସ୍ତାରେ ଗଲୁ ସେ ପାଖ ବଣକୁ । ଅଧ ଘଣ୍ଟାକ ପରେ, ଆମ୍ୱତୋଟା ପାରିହେଲା ବେଳକୁ ଆମ ଦଳରେ କଂଗ୍ରେସ ଆସି ମିଶିଲା । କଂଗ୍ରେସ ହେଉଛି ବାଇଶ ବରଷର ଭେଣ୍ଡିଆ ଟୋକା । କାନ୍ଧରେ ଗୋଟାଏ ବାଉଁଶ ପାଛିଆ, ଡାହାଣ ହାତରେ ଆଙ୍କୁସିଲଗା ଗୋଟିଏ ଦଶଫୁଟିଆ ନଗି । ସେଥିରେ ସେ ଟୋଲଫଳ ପାରୁଥିଲା ବଣରୁ, ଯୋଉ ବାଟ ଦେଇ ଭଙ୍ଗାଦାନ୍ତିଆ ସକାଳୁ ସକାଳୁ ଯାଇଥିଲା ସେଇ ବାଟର ବଣରେ ।

ସେ ଆସି ଆମକୁ ବାଟ କଢ଼େଇ ନେଲା କେନ୍ଦୁଗଛ ମୂଳକୁ । ସେଇଠି ହାତୀ ଗୁଡ଼ାଏ କେନ୍ଦୁ ଖାଇଥାଏ; ଆଉ ଗଦାଏ ଲଣ୍ଡି ଗଦେଇ ଦେଇ ଯାଇଥାଏ । ଖୁବ୍‌ ଅଳ୍ପ ସମୟ ଆଗରୁ ଭଙ୍ଗାଦାନ୍ତିଆ ପୋଖରୀପାଣି ଯାଇଛି ବୋଧ ହୁଏ, ତା’ ପରିସ୍ରାରେ ଭୂଇଁଟା ଏବେ ବି ଓଦା ରହିଛି । ଚାଲ, ଚାଲ ଏଇ ପାଖରେ କେଉଁଠି ଥିବ ନିଶ୍ଚୟ । ପୀତବାସକୁ କୁହାଟ ମାରି ଡକାଗଲା ଫେରିଆସିବାକୁ ।

କଂଗ୍ରେସ ଟୋକାଟା ବଡ଼ ଚାଲାକ–ଯୋଉ ବରଷ କଂଗ୍ରେସ ସରକାର ଆମ ଦେଶକୁ ହାତକୁ ନେଲା, ସେଇ ବରଷ ସେ ଜନ୍ମ ହୋଇଥିବାରୁ, ତା’ ମା’ ନାଁ ଦେଇଥିଲା ତା’ର କଂଗ୍ରେସ ବୋଲି ।

 

ସେ ବଣ-ଜଙ୍ଗଲରେ ଘୂରେ ଖୁବ୍‌ । ଭଙ୍ଗା ଲଟିପତର କି ଓଲଟିପଡ଼ିଥିବା ଘାସଟିଏ ଦେଖି ସେ କହିଦେବ, କେତେ ଆଗରୁ କି ଜନ୍ତୁ ସେ ବାଟେ ଯାଇଥିଲା । ସେ ହାତୀମୂତରେ ଭିଜା ମାଟିକୁ ଛୁଇଁ, ଏଇ ତ ଗଲା ବୋଲି ଠାରିଦେଲା । ସେ କାଳେ କମ୍‌ କଥା କହେ X X X । ଯଦି ଆମ ଦେଶରେ ଏଇପରିକା କର୍ମୀ ଥାଆନ୍ତେ, ଯେଉଁମାନେ କଥା ନ କହି କାମ କରିଯାଆନ୍ତେ, ତେବେ ଏ ଦେଶରେ ସୁନା ଫଳନ୍ତା !!

 

ଟିକିଏ ପରେ ପୀତବାସ ଫେରିଲା, ଚାଲିଲୁ ଖୋଜ ଦେଖି ଦେଖି । ଖଣ୍ଡେ ଦୂର ଯାଇଛୁ କି ନାହିଁ, ଶୁଖିଲା ପଥର ଭୂଇଁରେ ଖୋଜ ଆଉ ଦିଶିଲାନି । ହେଲେ କିନ୍ତୁ କଂଗ୍ରେସ ସିଧା ସିଧା ଚାଲିଥାଏ, ସେଇ ବାଉଁଶ-ପାଛିଆ ତା’ର କାନ୍ଧରେ, ଆଉ ସେଇ ନଗି ତା’ ହାତରେ । କୋଉଠି ପଥରଟା ଟିକିଏ ଚିହିଁକି ଯାଇଛି ତ କୋଉଠି ଘାସ ବୁଦାଟା ଚିପିହୋଇ ଯାଇଛି । କୋଉଠି ଡାଳଟା ଟିକିଏନାଁକୁ ନଇଁଯାଇଛି, ଏମିତିକା ଛୋଟ ଛୋଟ ଚିହ୍ନ ଦେଖି, କଂଗ୍ରେସ ଓ ପୀତବାସ ଆଗେଇଥା’ନ୍ତି । ଆମେ ତାଙ୍କ ପଛେ ପଛେ ଚାଲିଥାଉ ବନ୍ଧୁକ ଧରି ।

 

ଆମକୁ ଲଙ୍ଗଡ଼େଇ ଥାଏ ଅର୍ଜୁନ । ସେ ପଥର ଖୁମ୍ୱ ଗାଁର ‘ଦୋକାନୀପୁଅ ।’ ତା’ର ଛ’ଗୁଣ୍ଠ ଜମିରେ ଆଖୁ ହୋଇଥିଲା ଯେ ଶଳା ଭଙ୍ଗାଦାନ୍ତିଆ ଖାଇ ଦେଇଛି ପଅରିଦିନ ରାତିରେ । ରାଗରେ ଗରଗର–ଇଚ୍ଛା ପାଞ୍ଚଣରେ ପାହାରେ ଦବ ଭଙ୍ଗାଦାନ୍ତିଆକୁ–ବାବୁମାନେ ଗୁଳି କଲା ପରେ ଅବଶ୍ୟ ! ଆଉ ସୁକୁଟା, ବକଟା ଦିହେଁ ଗାଈ, ମଇଁଷି ସବୁ କନିକାକୁ ଜିମା କରିଦେଇ ଦଉଡ଼ିଛନ୍ତି ଆମ ପଛରେ । ଜଣେ ଦୂରବୀଣଟା, ଜଣେ ପାଣି ବୋତଲ ଧରି ଚାଲିଛନ୍ତି ପଛରେ । ଆମେ ଏତେଗୁଡ଼ାଏ ଲୋକ ଚାଲୁଥାଉ, ହେଲେ ଆମ ଦୁଇଜଣଙ୍କର କ୍ୟାନ୍‌ଭିସ ଜୋତାର ସର୍‌ର ଶବ୍ଦ ଛଡ଼ା ଆଉ କିଛି ଶବ୍ଦ ହେଉ ନଥାଏ । ବଣ ଲଟିରେ ଘୂରାଘୂରି କରିବାରେ ଦେଖିଲି, ସମସ୍ତେ ଅଭ୍ୟସ୍ତ । ବିରାଡ଼ି ପରି ବିନା ଶବ୍ଦରେ ଯା’ଆସ କରନ୍ତି ସେମାନେ ।

 

ହାତୀଖୋଜ ଦେଖି ଦେଖି ଅନୁସରଣ କରିବାଟା ଶିକାରୀର ସବୁଠୁଁ ବଡ଼ ରୋମଟାଙ୍କୁରା କାମ । ଏଇ ଗଛ ଉହାଡ଼ରେ କାଳେ ଥିବ ଆମକୁ ଛକି କି ? ...ସେ ବାଙ୍କରେ ଯୋଉ ବଡ଼ କଳା ଭଳି ଜିନିଷଟା ଦେଖାଯାଉଛି, ସେଇଟା ଆଉ ତା’ ପେଟ ନୁହେଁ ତ ?? ଛକି ଛକି ପାଖକୁ ଯାଇ ଦେଖେ ତ ସେଇଟା ପଥରଟାଏ.... ।

 

ସେତିକିବେଳେ ଦେହର ସବୁ ଶିରା-ପ୍ରଶିରାରେ ରକ୍ତର ସୁଅ ଛୁଟିଥାଏ, ନିଶ୍ୱାସ ଖୁବ୍‌ ଜୋର୍‌ରେ ଚାଲିଥାଏ, ଆଉ କାନ ଠିଆ ଠିଆ । କୋଉଠି ଖୁଡ଼୍ କରି ଶବ୍ଦଟେ ହେଲେ, ବନ୍ଧୁକ କାନ୍ଧରେ ତ–ଆଖି ବନ୍ଧୁକର ମାଛିକି ଅନିଶା ।

 

ଏଇପରିକା ଧୀରେ ଧୀରେ ଚାଲିଲୁ ପ୍ରାୟ ସାତ କିଲୋମିଟର ବାଟ । ସୂର୍ଯ୍ୟ ମୁଣ୍ଡଉପରକୁ ଉଠିଲାଣି-ଭାଜିଲାଭଳି ଆମକୁ ସେକି ଦେଉଥାଏ । ଆମେ ଯାଇ ପହଞ୍ଚିଲୁ ସୁନ୍ଦରାଖୋଲ ପାଖ ମଳିକ ତଇଳାଠେଇ । ପାଟି ଶୁଖି ଆଫା-ଆଫା ହେଲାଣି । ସାଢ଼େ ପାଞ୍ଚସେରିଆ ବନ୍ଧୁକଟାକୁ ବୋହି ବୋହି ହାତ ଘୋଳେଇ ହେଲାଣି ।

 

ଆମେ ବସିଲୁ ତଇଳା ମଝିରେ ଯୋଉ ଶାଳ ଗଛଟିଏ ଅଛି ତା’ର ଛାଇରେ । ମୁନ୍ଦିଏ ମୁନ୍ଦିଏ ପାଣି ପିଇଲୁ । ପୀତବାସ ଆଉ କଂଗ୍ରେସ ଗଲେ ଖୋଲଟା ଦେଖି ଆସିବାକୁ । ହାତୀ ତ ଶୋଇଥିବ । ଦଶଟା ବାଜିଲାଣି, ଖରା ଟାଣ ହୋଇଛି, ସେ ତ ବର୍ତ୍ତମାନ ପାଣି ପାଖରେ ଥଣ୍ଡା ଜାଗା ଦେଖି ନିଦ ଯାଉଥିବ । ଖଣ୍ଡେ ଦୂରରୁ ତା’ର ଘୁଙ୍ଘୁଡ଼ି ଶୁଭିବନି କି ?

 

ଅଧଘଣ୍ଟା ପରେ ପୀତବାସ ଦଉଡ଼ି ଦଉଡ଼ି ତଇଳା କାନ୍ଥକୁ ଆସି ଆମକୁ ଠାରିଲା–‘‘ଜଲ୍‌ଦି ଆସ ।’’ ଦୌଡ଼ିଲୁ ଆମେ । ଜଙ୍ଗଲ କାନିରେ ପୀତବାସ ଠାରିଦେଲା, ଏଇ ଆଗରେ ଭଙ୍ଗାଦାନ୍ତିଆ ଡାଳ ଭାଙ୍ଗୁଛି । ପାଦ ଚିପି ଚିପି, ଶୁଖିଲା ପତର, କାଠି ଏଡ଼େଇ ଏଡ଼େଇ ଚାଲିଲୁ ତା’ ପଛରେ ।

 

ପଚାଶ ମିଟର ଯାଇଛୁ କି ନାହିଁ, ପୀତବାସ ଠିଆହୋଇ ଗୋଟାଏ ବୁଦା ଗହଳି ଆଡ଼କୁ ଠାରିଲା । କାହିଁ, କିଛି ତ ନାହିଁ । ସୁର୍‌-ଶବଦ କିଛି ନାହିଁ–କଥା କ’ଣ ? ମୁଠାଏ ଧୂଳି ଧରି ଉଚ୍ଚରୁ ଛାଡ଼ିଦେଲି, ଦେଖିଲି ପବନଟା ଆମ ଆଡ଼ୁ ସେଇ ବୁଦା ଆଡ଼କୁ ବହୁଛି । ଅନୁମାନ କରିନେଲି ଯେ, ଭଙ୍ଗାଦାନ୍ତିଆ ଆମର ଗନ୍ଧ ପାଇଛି ଓ ଚୁପ୍‌ଚାପ୍‌ ଛପିକରି ରହିଛି । ପାଖକୁ ଗଲେ ସେ ଆମ କଥା ବୁଝିବ । ଦେହଟାଯାକର ରୋମସବୁ ଟାଙ୍କୁରି ଉଠିଲା । ଛାତି ଧପ୍‌ ଧପ୍‌ କଲା । ଗୁରୁକୁ ଠାରି କହିଲି, ଧୀରେ ଧୀରେ ଟିକିଏ ବାଁକୁ ଘୁଞ୍ଚିଯିବା ଯେ ଆମର ଗନ୍ଧଟା ସେ ଆଉ ପାଇବନି । ଫେର୍‌ କୋଡ଼ିଏ କଦମ୍‌ ବାଁକୁ ଗଲୁ । ଗୋଟିଏ ଛୋଟ ଶାଳଗଛ କଡ଼କୁ ଆମେ ଚୁପ୍‌ଚାପ୍‌ ଠିଆହୋଇ ରହିଲୁ । ବନ୍ଧୁକ କାନ୍ଧରେ–ଆଖି ବନ୍ଧୁକ ନଳି ଉପର ମାଛି ଉପରେ, ଆଉ ସେଇ ଝଙ୍କାଳିଆ ଲଟି ଉପରେ ।

 

ଏକ, ଦୁଇ, ତିନି, ଚାରି ମିନିଟ୍‌ ଗଲା, ସୁର୍‌-ଶବଦ ନାହିଁ । ଝିଙ୍କାରୀଗୁଡ଼ାକଙ୍କର ଝିଁ-ଝିଁ ରାବ ନୀରବ ହୋଇଗଲା–ପବନ ବି ଧୀର । ବଣଟାଯାକ ନୀରବରେ ନିଶ୍ୱାସ ବନ୍ଦ କରି ଯେମିତି ଚାହିଁରହିଛନ୍ତି କ’ଣ ଗୋଟାଏ ଘଟିବ ।

 

କଟକର ଏଇ ବାବୁମାନେ ଏଇ ‘ଭଙ୍ଗାଦାନ୍ତିଆ’ ଦାନ୍ତର ଶିକାର ହେବେ, କି ଏଠିକାର ଏକଛତ୍ର ରାଜା ଏଇ ଭଙ୍ଗାଦିନ୍ତିଆ ଆଜି ଶିକାରୀ ଗୁଳିରେ ମରିବ !

 

ପାଞ୍ଚ, ଛଅ, ସାତ ମିନିଟ ଗଲା । ହାତ ଦୁଇଟା କ୍ରମେ କ୍ରମେ ଅବଶ ହୋଇଯାଉଥାଏ । ବନ୍ଧୁକଟାର ଓଜନ ସାଢ଼େ ପାଞ୍ଚ ଜାଗାରେ କୋଡ଼ିଏ ସେର ହେଲା ଭଳି ଲାଗୁଥାଏ । ହଠାତ୍‌ ଲଟି ଭିତରୁ ‘ଗୋଟିଏ ଦାନ୍ତ’ ଚିକ୍‌ ଚିକ୍‌ କରି ଉଠିଲା । ଶୁଣ୍ଡଟା ସାପପରିକା ଆଗ ଗଛର ଡାଳଟାରେ ଗୁରେଇ ହୋଇଗଲା । ଛୋଟ ମିଟିମିଟିକା ଆଖିଟା ଆମ ଆଡ଼କୁ ଚାହୁଁଥାଏ ।

 

କାଳେ ଆମକୁ ଦେଖିପକେଇବ, କାଳେ ବୁଲିପଡ଼ିବ ପରା ! ଆଖି ଆଉ କାନ ମଝିକି ଅନିସା କରି ଗୁଳି ଟିପିଲି । ହାତ ତ ସେତେବେଳକୁ ଘୋଳେଇଲାଣି–ତରତରରେ ମାରିବାକୁ ଗୁଳିଟା ବାଜିଲା ଥୋମଣିରେ । ହାତୀଟା ଘୂରି ପଡ଼ି ଆମର ବାଁ ପାଖ ଦେଇ ଦଉଡ଼ିଲା । ଫେର୍‌ ଦ୍ୱିତୀୟ ନଳିର ଗୁଳିଟା ତା’ର ପିଞ୍ଜରା ମଝିକୁ ଦେଖି ମାଇଲି । ଗୁରୁପ୍ରସାଦର ବି ଦୁଇ ଗୁଳି ଫୁଟିଲା-। ବଣ-ଜଙ୍ଗଲ ସେ ଶବ୍ଦରେ କମ୍ପି ଉଠିଲା । ‘ଭଙ୍ଗାଦାନ୍ତିଆ’ କାହାଳିଲା । ଓହୋ–କି ଭୟଙ୍କର ସେ ଶବ୍ଦଟା–ଶୁଣିଲେ ରକ୍ତ ପାଣି ହେବାର କଥା ।

 

ହାତୀଟା ଦଉଡ଼ି ଦଉଡ଼ି ନାଳ ସେ ପାଖକୁ ଗଲା । ଗୁରୁ ଚାହିଁଲା ମୋ ମୁହଁକୁ; ମୁଁ ଚାହିଲି ତାକୁ । ପୀତବାସକୁ ଦଉଡ଼ିବାକୁ କହିଲି ତଇଳାକୁ, ବାକି ଗୁଳିତକ ନେଇ ଆସିବାକୁ । ମୁଁ ତ ଭାବିଥିଲି ଗୋଟିଏ ଗୁଳିରେ କାମ ଖତମ ହୋଇଯିବ ବୋଲି । ହାତରେ ଦୁଇଟା କାର୍ତ୍ତସ୍‌ ଧରି ଆସିଥିଲି ପୀତବାସ ପଛେ ପଛେ ।

 

ସେଇ ଦୁଇଟା ଗୁଳି ଭରିଲି । ଦଶ ପାଦ ଯାଇ ଦେଖେ ତ ରକ୍ତ ପଡ଼ିଛି ଖୁବ୍‌ ବେଶୀ । ଆଉ ଦଶ ପାହୁଣ୍ଡ ପରେ ହାତୀ ହଗିଛି ଓ ବାନ୍ତି କରିଛି । ଜାଣିଲି ଗୁଳି ହାତୀର ହୃତ୍‌ପିଣ୍ଡରେ ଲାଗିଛି, ସେ ଆଉ ବେଶୀ ଦୂର ଯାଇପାରିବନି ।

 

କଂଗ୍ରେସ କିନ୍ତୁ ଛାଇଭଳି ହାତୀର ପିଛା କରିଥିଲା । ଚାଳିଶ, ପଚାଶ କଦମ୍‌ ଦୂରର ଗଛଗହଳିରୁ ଆମକୁ ଠାରିଲା । ଯାଇ ଦେଖିଲି ଭଙ୍ଗାଦାନ୍ତିଆ ଠିଆହୋଇଛି, ଆଉ ଝୁମୁଛି ।

 

କାଳେ କ’ଣ ହେବ ଭାବି ଫେର୍‌ ଗୋଟାଏ ଗୁଳି ମାରିଲି । ଗୁରୁପ୍ରସାଦ ବି ମାରିଲା ଆଉ ଗୋଟାଏ ଗୁଳି । ‘ଭଙ୍ଗାଦାନ୍ତିଆ’ର ବିରାଟ ବପୁଟା ଟଳିପଡ଼ିଲା ମହୁଲଗଛ ତଳେ । ପାଖକୁ ଦଉଡ଼ିଯାଇ ଦେଖେ ତ ଅର୍ଜୁନ ଗୋଟାଏ ପାଞ୍ଚଣ ଧରି ତା’ ବିରାଟ ପେଟରେ ପିଟିଚାଲିଛି । ‘ଭଙ୍ଗାଦାନ୍ତିଆ’ର ପାଟିଟା ମେଲା ହୋଇଗଲା । ଗୋଟାଏ ଝଡ଼ ଭଳି ବତାସ ବାହାରି ଆସିଲା ସେ ମୁହଁ-ଗୁହାରୁ । ସବୁ ସ୍ଥିର ହୋଇଗଲା ତା’ପରେ ।

 

ବନ୍ଧୁକ ଶବ୍ଦରେ ପାଖଆଖ ବସ୍ତିର ଲୋକେ ଦୌଡ଼ି ଦୌଡ଼ି ଆସିଥିଲେ ସେ ବଣକୁ । ଆମେ ତ ଅନେକ ବାଟ ଆସିଥିଲେ । କେମିତି ପଥର ଖୁମ୍ୱରେ ଖବର ପହୁଞ୍ଚିଲା କେଜାଣି । ପଞ୍ଝାଏ ଲୋକ ଆସି ଠୁଳ ହେଲେ । ବଣଟାଯାକ ହାଟପରିକା ହେଲା । ସମସ୍ତେ ଆନନ୍ଦରେ କହିଲେ–ଏଥର ଆଖୁବାରିରୁ କିଛି ଆମଦାନୀ ହବ ।

 

ଗାଁଟା ଯେମିତି ସ୍ୱସ୍ତିର ନିଶ୍ୱାସ ମାରିଲା ।

 

ଢେଙ୍କାନାଳ-କପିଳାସ ରାସ୍ତାରେ ସଞ୍ଜ

 

ରାଇଟ୍‌-ନେଭିଲ ସାହେବ ମୋତେ ଫୋନ୍‌ରେ କହିଲେ, ଢେଙ୍କାନାଳର ଏସ୍‌. ପି. ତାଙ୍କୁ ତାର-ଖବର ଦେଇଛନ୍ତି ଯେ ସେଠି ଗୋଟାଏ ବାଘ ଦୁଇଟା ମଇଁଷି ମାରିଛି । ଆଇ. ଜି. ସାହେବଙ୍କୁ ଶୀଘ୍ର ଢେଙ୍କାନାଳ ଯିବାପାଇଁ ଅନୁରୋଧ ହେଇଚି । ସେଦିନ ଦୁର୍ଯୋଗକୁ ଆଇ. ଜି. ସାହେବଙ୍କର ଦେହ ଭଲ ନଥିଲା–ଯାଇପାରିଲେ ନାହିଁ । ତେବେ ସେ ଆଇ. ଜି. ସାହେବଙ୍କର ନାମ-ଡାକ ଖୁବ୍‌ ଥିଲା–ଭଲ ଶିକାରୀ ବୋଲି । ତାଙ୍କର ଓଡ଼ିଶା ଚାକିରିକାଳରେ ସେ ଅନେକ ମଣିଷଖିଆ ବାଘ ମାରିଛନ୍ତି । ଆଉ ଯେବେ କେହି ଆସି ତାଙ୍କର ସାହାଯ୍ୟ ମାଗେ ବଦମାସ୍‌ ବାଘଟିଏ ମାରିବାକୁ ସେ ସଙ୍ଗେ ସଙ୍ଗେ ତା’ର ବ୍ୟବସ୍ଥା କରନ୍ତି । ଢେଙ୍କାନାଳ ଏସ୍‌. ପି.ଙ୍କଠାରୁ ତାର-ଖବର ପାଇ ସେ ଭାରି ବ୍ୟସ୍ତ ହେଲେ । ନିଜେ ତ ଯାଇ ପାରୁନାହାନ୍ତି–ଏଣେ ବାଘ ମଇଁଷି ମାରିଚି । ତାକୁ ନ ମାରିଲେ ଫେର୍‌ ଆଉ କାହାର ମଇଁଷି ମାରିବ ତ । ମୋତେ ସେଇଠୁ ଫୋନ୍‌ରେ ଆଦେଶ ଦେଲେ ଯେ ଶୀଘ୍ର ଢେଙ୍କାନାଳକୁ ଯିବାକୁ, ଆଉ ସେ ମଇଁଷିଖିଆ ବାଘକୁ ମାରିବାକୁ । ଏଇ ଆଦେଶଟା ମଳୁକୁ ବଇଦ ବତେଇଲା ପରିକା ହେଲା । ମୁଁ ତ ସେତେବେଳେ ନୂଆନୂଆ ଶିକାର କରୁଥାଏ । ହାଲରେ ଗୋଟିଏ .୩୫୫ ରାଇଫଲ୍‌ ବି କିଣିଥାଏ–କୋଡ଼ିଏ କି ପଚାଶଟା ଗୁଳିରେ ଚାନ୍ଦମାରି କରିଥାଏ । ମନ ସକ୍‌ ସକ୍‌ ହେଉଥାଏ କିମିତି ନିଶାଣ ପରଖ ହେବ ବଣଜନ୍ତୁ ଉପରେ ।

 

ଚାରି ବାଜୁ ବାଜୁ ଯାଇ ଢେଙ୍କାନାଳ ଏସ୍‌. ପି.ଙ୍କ ଘରେ ପହଞ୍ଚିଲି । ଏସ୍‌. ପି. କହିଲେ, ସେ ତାର କରିଥିଲେ ସତ; କିନ୍ତୁ ବାଘ ଖବର କିଛି ନାହିଁ । ସେ କେବଳ ଆଇ.ଜି.ଙ୍କୁ ସେଠିକି ଡାକିବା ପାଇଁ ଏପରି ତାର କରିଥିଲେ ।

 

ଏସ୍‌. ପି.ଙ୍କ ଘରକୁ ଲାଗି ଡି. ଏଫ୍‌. ଓ.ଙ୍କ ଘର । ସେତେବେଳେ ମୋର ସାନଭାଇ ଅମ୍ୱିକା ସେଠିକାର ଡି. ଏଫ୍‌. ଓ. । ତାଙ୍କ ଘରକୁ ଗଲି–ସେଠି ଚାହା ଖାଉ ଖାଉ ଏସ୍‌.ପି.ଙ୍କର ତାର କଥା କହିଲି । ସେ ବାଘର କିଛି ଖବର ଜାଣିନାହିଁ ବୋଲି କହିଲାରୁ ମୋର ମୁହଁ ତ ଏତେ ଟିକେ ହୋଇଗଲା । ମୋର ଏପରି ଅବସ୍ଥା ଦେଖି ଅମ୍ୱିକା ମନକୁ ମୋର ବୋଧ ଦବାକୁ କହିଲା ଯେ ସେଦିନ ତା’ର ସରଷିଆପଦାଆଡ଼େ ଯିବାର ଅଛି ଜଙ୍ଗଲ କପିସ୍‌ ଦେଖିବାକୁ–ଆଉ ସେ ପଟେ ବାଘ, ପେଣ୍ଡ୍ରା (କଲରାପତରିଆ ବାଘକୁ ସେଠି ପେଣ୍ଡ୍ରା କହନ୍ତି) ବଡ଼ ମାତିଛନ୍ତି ବୋଲି ଖବର ଆସିଥିଲା-ସାଙ୍ଗରେ ଯାଇପାରନ୍ତେ ତ ଖବର ନବାପାଇଁ ।

 

ସେଇ କଥା ହେଲା । ମୁଁ ବି ସରିଷିଆପଦାକୁ କେବେ ଯାଇ ନଥିଲି । ଲୋକଙ୍କଠୁ ଶୁଣିଥିଲି ସେ ଆଡ଼ର ଜଙ୍ଗଲରେ ବାଘ ଭାଲୁ ପଲ ପଲ, ହାତୀ ଦଳ ଦଳ; ଆଉ ମିରିଗ ସମ୍ବର ଅସୁମାରୀ । ଦିନ ପ୍ରାୟ ସାଢ଼େ ଚାରିଟା ସରିକି ଆମେ ବାହାରିଲୁ । ସଙ୍ଗରେ ହରିବାବୁ–ସେଠାର ଏଗ୍ରିକଲ୍‌ଚର ଅଫିସର୍‌ ବାହାରିଲେ । ମୋ ସଙ୍ଗେ ଯାଇଥାଏ ନରେନ୍ଦ୍ରମୋହନ ଦେଓ । ସରିଷିଆପଦା ରାସ୍ତାରେ କାର୍‌ ଯିବା କଷ୍ଟ । ତହୁଁ ଗୋଟିଏ ଜିପ୍‌ ମାଗିଲୁ ଜଣେ ବନ୍ଧୁଙ୍କଠୁ । ବାଟରେ ଠାଏ ଠାଏ ଜଙ୍ଗଲ କଟା ଚାଲିଥାଏ । ସେଇଠି ଅମ୍ୱିକାର କାମ ସରୁ ସରୁ ପ୍ରାୟ ସଞ୍ଜ ।

 

କପିସ୍‌ ଜଙ୍ଗଲରେ ବୁଲିବାକୁ ଅମ୍ୱିକାର ଅଧଘଣ୍ଟେ ଖଣ୍ଡେ ଲାଗିବାର କଥା । ତେଣୁ ମୁଁ ମୋର ଛୋଟ .୩୫୫ ରାଇଫଲ୍‌ଟି ଧରି ସଡ଼କ ସେ ପାଖ ବଣରେ ପଶିଲି । ପାଖରେ ତ ମୋଟରେ ତିନୋଟି ଗୁଳି ଥାଏ–ମଇଁଷି ମଢ଼ ନିକଟରେ ଥିବା ମଞ୍ଚାଉପରେ ବସି ବାଘକୁ ମାରିବାର କଥା ଥିଲା । ସେଥିପାଇଁ କଟକରୁ ବାହାରିଲା ବେଳେ ତିନୋଟି ଗୁଳି ଧରି ବାହାରିଥିଲି । ପ୍ରତ୍ୟେକ ଶିକାରୀର ଏଇପରି ଗୋଟିଏ ଅଧେ ବିଶ୍ୱାସ ଥାଏ । ମୋର ସେମିତି ତିନିଟା କି ପାଞ୍ଚଟା ଗୁଳିରେ ଖୁବ୍‌ ବିଶ୍ୱାସ ଥିଲା । .....ସେତେବେଳକୁ ସୂର୍ଯ୍ୟ ଖୁବ୍‌ ତଳକୁ ଖସିଲେଣି–ଶାଳଗଛର ତଳଟା ଅନ୍ଧାରୁଆ ହୋଇ ଆସିଲାଣି । ଦୂରରେ କୁକୁଡ଼ା ପାଣି ପିଇ ରାତି ପାଇଁ ଯେ ଯାହାର ଡାଳକୁ ଫେରିବାର ବାଟରେ କେଁ-କଟର ହୋଇ ଦିନ ତମାମ୍‌ କ’ଣ କ’ଣ ହେଲା, କୁହାକୁହି ହେଉଥାନ୍ତି ବୋଧହୁଏ । ମୟୁର ଯାଇ ଉଚା ଡାଳରେ ବସା ଧରିଲାଣି–ମଝିରେ ମଝିରେ ‘କିଏ ହୋ’ ‘କିଏ ହୋ’ ବୋଲି ଡାକିଦଉଚି ଯେ ବଣଟା କମ୍ପି ଉଠୁଛି । ପାଏ ବାଟ ହେବ, ଆଗରେ ବୋଧହୁଏ ପାଣିଖଦାଟିଏ ଥିଲା ବୋଧହୁଏ–କାରଣ ସେଇଆଡ଼ୁ ଏହିସବୁ ଶବ୍ଦ ଆସୁଥାଏ । ମୁଁ ଗୋଟିଏ ଗୋଟିଏ ସେଇ ଆଡ଼େ ଚାଲିଲି । ଖଣ୍ଡେ ବାଟ ଯାଇଛି, ଦେଖେ ଯେ ଗୋଟିଏ ଛାଇ ବାଁ ପାଖ ବୁଦାମୂଳରୁ ଡାହାଣ ପାଖ ଅତାଣ୍ଡି ଲଟା ଭିତରେ ପଶିଗଲା । ଛାତିଟା ଦାଉଁକିନା ହେଲା–ବେକ ପାଖର ରୁମସବୁ ଠିଆହେଲା । ବାଘଟା ନା ପେଣ୍ଡ୍ରାଟାଏ ହେବ ବୋଧହୁଏ । ମୁଁ ତ କିଛି ଶବ୍ଦ ନ କରି ପାଦ ଟେକି ଟେକି ଚାଲୁଥିଲି–ଏ ଜନ୍ତୁଟା ଛପିଥିଲା କିଆଁ ? ଏ ଅଞ୍ଚଳରେ ତ ମଣିଷଖିଆ ବାଘର ଖବର ନ ଥିଲା । ମୋତେ ଛକି ବସିଥିଲେ ତ ଏତେ ଧୀରେ ବାହାରି ଆଗର ଅତାଣ୍ଡି ଲଟାକୁ ଯାଇ ନ ଥାନ୍ତା । ନାଃ, ଭାବିଲି ଆଉ କ’ଣ ଜନ୍ତୁଜୁନ୍ତା ପାଣି ପାଇଁ ଯାଇଚି ଆଗକୁ; ଏ ବାଘଟା ତାକୁଇ ଅନୁସରଣ କରି କରି ଚାଲିଚି ବୋଧହୁଏ । ପାଦେ ପାଦେ ଫେର୍‌ ଆଗେଇଲି । ଅତାଣ୍ଡି ଲଟିଠେଇଁ ଚୁପ୍‌କି ଠିଆହେଲି–ବନ୍ଧୁକକୁ ଉଠାଇ ଧରିଥାଏ । ସାମନାରେ ଖସ୍‌ ଖସ୍‌ ଆଓ୍ୱାଜ୍‌ ହେଲା; ଦେଖେ ତ ଚାରିଟା ମାଈ ହରିଣ ସେଇ ଅତାଣ୍ଡି ଲଟିକୁ ଅନେଇଁଛନ୍ତି–କାନଟିମାନ ତାଙ୍କର ଠିଆ-ଠିଆ–ଟିକେ ପଛରେ ଗୋଟିଏ ଶିଙ୍ଗାଳ, ଧୀରଧାର କାଠପରିକା ଠିଆ ହୋଇଥାଏ । ନିଶାଣ କଲି ତା’ର ଠିକ୍‌ ବେକ ମଝିକୁ ଓ ଘୋଡ଼ା ଟିପିଦେଲି । ‘ଢୋଓ’ ଶବଦରେ ଜଙ୍ଗଲଟା ଘୋ ଘୋ ହେଲା । ସେଇ ଅଧସେକେଣ୍ଡ ଭିତରେ ଢେର୍‌ଗୁଡ଼ିଏ ଘଟଣା ଘଟିଗଲା । ମିରିଗ ଚାରିଟା ଯାହା ଦେଖିଥିଲି ସେଠି ଦୁଇ-ଚାରିଗଣ୍ଡା ମିରିଗ ଥିଲେ; ସବୁ ଫକ୍‌ ଫକ୍‌ ଡେଇଁ ପଳେଇଲେ । ବାଁ ପାଖ ଲଟି ଗହଳିରେ ଆହୁରି ବଡ଼ ବଡ଼ ଶିଙ୍ଗାଳ ଦୁଇଟା ବି ଗଲେ ସେଆଡ଼େ–ଏଣେ ମୋର ଟିକେ ଡାହାଣ କରରେ ଯେଉଁ ଅତାଣ୍ଡି ଲଟିଟି ଥିଲା, ତାରି ଭିତରୁ ଗୋଟିଏ କଲରାପତରିଆ ବାଘ ବାହାରି ଧପ୍‌ ଧପ୍‌ ହୋଇ ପଳେଇଲା ଡାହାଣ ପାଖ ବଣ ଭିତରକୁ । ସେ ପଟରେ ଗୋଟିଏ କୁଟୁରା ରଡ଼ି ଆରମ୍ଭ କରିଦେଲା । ମୟୁର, କୁକୁଡ଼ା କାହାଣେ ହବ ସେ ପାଖଆଖ ଗଛ-ଲଟିରେ ଥିଲେ–ସବୁ ଏକାଥରେ ରାବିଲେ । ଚାରି ପାଞ୍ଚ ମିନିଟ୍‌ଯାକ ଯେମିତି ଗୋଟା ବଣଟା ମୋତେ ପାଟିକରି ଗାଳିଦଉଛି । ହେଲେ ସେତେବେଳକା ବୟସରେ ମୋତେ ଏସବୁ କିଛି ଲାଗିନଥିଲା । ଟୋକା ବୟସରେ ଖାଲି ଲକ୍ଷ୍ୟ ଥିଲା ଗୁଳିଟା ମୋର କଉଠି ବାଜିଲା–ଜନ୍ତୁ ମଲା କି ନାହିଁ । ଦୌଡ଼ିଯାଇ ଦେଖେ ତ ମିରିଗ ଶିଙ୍ଗାଳଟା ମରିଯାଇଛି–ଗୁଳିଟା ଠିକ୍‌ ବେକ ମଝିରେ ବସିଛି । ଏଇ ଜନ୍ତୁଟା କିନ୍ତୁ ଛୋଟ–ଶିଙ୍ଗ ବି ସାନ ସାନ । ଯେଉଁ ଦୁଇଟା ପଳାଇଗଲେ ସେଗୁଡ଼ାକ ବିରାଟ ଆକାରର ଶିଙ୍ଗାଳ ଥିଲେ । ବନସି ସୂତା ଛିଡ଼ାଇ ଯେଉଁ ମାଛଟା ପଳାଏ ସେଇଟା ଯିମିତି ବଡ଼–ଏ ତ ସେମିତି ।

 

ବନ୍ଧୁକ-ଶବ୍ଦ ଶୁଣି ଅମ୍ୱିକା, ହରିବାବୁ ଓ ଦେଓ ଆସି ପହଞ୍ଚିଲେ ମୋ ପାଖରେ । ଶିଙ୍ଗାଳ ମିରିଗଟିଏ ଦେଖି ଖୁବ୍‌ ଖୁସି ହେଲେ । ଧରାଧରି କରି ନେଲୁ ସେ ମଲା ଜନ୍ତୁଟାକୁ ଜିପ୍‌ ପାଖକୁ । ଗାଡ଼ିରେ ଲଦିଲୁ । ସେତେବେଳକୁ ଅନ୍ଧାର ହେଲାଣି ପ୍ରାୟ । ଅମ୍ୱିକା ଓ ହରିବାବୁଙ୍କର ତର୍କ ଚାଲିଥାଏ ସେ କଲରାପତରିଆ ବାଘଟା ତ ଛକିଥିଲା ମିରିଗପଞ୍ଝାଙ୍କୁ–ମୁଁ କିଆଁ ତା’ର ଆହାର ଛଡ଼ାଇ ଆଣିଲି ? ମୋର ତ ନିଘାଥିଲା ସେଇ ହରିଣ ଶିଙ୍ଗାଳ ଉପରେ–ଏଣେ ଯଦି ଏଇ କଲରାପତରିଆ ବାଘ ମୋତେ ଧରିଥାଆନ୍ତା–କି ବିପଦ ନହୋଇଥାନ୍ତା କହିଲ ? ଅମ୍ୱିକା ତ ଢେର୍‌ ବଣ ବୁଲିଛି । ସେ କହିଲା ଏଠାରେ କଲରାପତରିଆ ବାଘ, କି ବାଘ ମଣିଷ ଖାଇବାର ନଜିର ନାହିଁ । ବାଘ, ଯଦି ମଣିଷ ନ ଖାଇଛି ସେ ମଣିଷର କିଛି କରିବନି । ତା’ଛଡ଼ା ତା’ର ନିଘା ଯିମିତି ମିରିଗପଞ୍ଝାଙ୍କ ଉପରେ ଥିଲା–ହେଲେ ଦୂରରେ ଥିଲେ ବୋଲି ସେ ଡେଇଁକି ଧରିବାକୁ ଗଲାନି । ମୋର ରାଇଫଲ୍‌ ବୋଲି ସିନା ମୁଁ ମାରିପାରିଲି, ନ ହେଲେ ସେ ମିରିଗପଞ୍ଝାଟାକୁ ଧରିବାକୁ ସେଇ ପେଣ୍ଡ୍ରାର ବହୁତ ସମୟ, ବହୁତ କଷ୍ଟ ହୋଇଥାଆନ୍ତାନି କି ? ଏଇମିତି କଥାବାର୍ତ୍ତା ଚାଲିଥାଏ–ଦେଓ ମୁନ୍ଦିଏ ମୁନ୍ଦିଏ ଚା’ ସମସ୍ତଙ୍କୁ ଦେଲାରୁ ଖାଇଲୁ ଆମେ–ଫ୍ଲାସ୍କ, ଗ୍ଲାସ ହେରିକା ସାଇତା ସଇଲା–ଫେର୍‌ ବାହାରିଲୁ ସରିଷିଆପଦା ଆଡ଼କୁ । ରାସ୍ତାଟା ସେତେବେଳକୁ ଖାଲି ମାଟି ରାସ୍ତା–ଶଗଡ଼ଗୁଳା ପରିକା ହୋଇଥାଏ । ବାହାରିକି ପାଏ ବାଟ ଯାଇଛୁ କି ନାହିଁ, ଆଲୁଅ ଜାଳିବା ଦରକାର ହେଲା । ଯେମିତି ଆଲୁଅ ଜଳିଚି ଦୂରେ ଦେଖିଲୁ ରାସ୍ତା ମଝିରେ ଗୋଟିଏ କାଠଗଡ଼ ପଡ଼ିଚି ଯେ ତା’ର ଶେଷ ଭାଗଟା ଆମକୁ ଦିଶୁଛି । ଅମ୍ୱିକା କହିଲା, ‘‘କୁଉପ୍‌ ତ ପଛରେ ରହିଲା, ଏଠି କାଠଗଡ଼ ରାସ୍ତା ମଝିରେ କିଏ ପକାଇଛି ।’’ ତା’ କଥା ଶେଷ ହୋଇଚି କି ନାହିଁ କାଠଗଡ଼ଟା ଯେମିତି ହଲିଲା, ଦେଓ ପାଟିକରି ଉଠିଲା ‘‘ବାଘ ବାଘ’’ ଓ ଧଡ଼୍‍କିନା ଗାଡ଼ିର ବ୍ରେକ୍‌ ଦେଲା । ସେଇ ଧକ୍‌କାରେ ହଉ କି ମୋର ବେଶି ଆଗ୍ରହ ଯୋଗୁ ହେଉ ମୁଁ ଗାଡ଼ିର ସିଟ୍‌ରୁ ଯାଇ ଏକବାର ଗାଡ଼ି ଆଗରେ ହେଡ଼୍ ଲାଇଟ୍‌ ପାଖରେ ପଡ଼ିଲା ପରିକା । ଗାଡ଼ିର ଆଲୁଅରେ ବାଘର ପିଚାଟା, ଲାଞ୍ଜଟା ସେତେବେଳକୁ ଭଲ ଦିଶିଲାଣି । ରାଇଫଲ୍‌ଟା ନିଶାଣ କରିବାର–ଗାଡ଼ିର ଆଲୁଅର ତରାସରେ–ଚେଷ୍ଟା କରୁଥାଏ, ସେ ବାଘଟା ମାଇଲା ଡିଆଁ ଯେ ପାଞ୍ଚ ଛଅ ଫୁଟ ଉପରକୁ–ସେଇ ଶୂନ୍ୟରେ ଥାଇ ପକ୍ଷୀ ପରିକା ଲେଉଟି ପଡ଼ିଲା ଡାହାଣ ପାଖର ବଣ ଭିତରକୁ । ସେଇ ଯେ ଶୂନ୍ୟରେ ଲେଉଟିଲା ସେତିକିବେଳେ ମୋର ବନ୍ଧୁକ ଫୁଟିଲା–ଦେଖିଲି ବାଘଟା ବାଘ ନୁହେଁ–ଗୋଟାଏ ବିରାଟ କଲରାପତରିଆ ବାଘ । ସେଟାକୁ ସେ ଅଞ୍ଚଳରେ ପେଣ୍ଡ୍ରା ବାଘ କହନ୍ତି ।

 

ଗୁଳି ତ ଫୁଟିଲା–ହେଲେ କଲରାପତରିଆ ବାଘଟି ବଣକୁ ଡେଇଁ ପଳାଇଲା । ହରିବାବୁ କହିଲେ ‘‘ଆହାଃ, ବାଘଟା ପଳେଇଲା ।’’ ମୋର ମନଟା ବଡ଼ ଖରାପ ହେଲା । ଏତେ ଦିନର ଚାନ୍ଦମାରି ଅଭ୍ୟାସ ଅକାରଣ ହେଲା ! ହେଲେ ଦେଖିବା ସେଠି କ’ଣ ହେଇଛି–ମନେହେଲା ଗୁଳି ଲାଗିଛି ବୋଲି । ମନକଥା ମୋର କହିଲି–ବାକି ତିନିଜଣଯାକ କହିଲେ, ବାଜି ନାହିଁ; କାରଣ ଜନ୍ତୁଟା ଡେଇଁଲା କେଡ଼େ ସହଜରେ–ଦେଖିବାକୁ ଖୁବ୍‌ ସୁନ୍ଦର ଦିଶିଲା । ଗୁଳି ବାଜିଥିଲେ ଟିକେ ହେଲେ ଗର୍ଜିଥା’ନ୍ତା କି ଦେହଟା ତା’ର ଚିହିଁକିଥାନ୍ତାନି ?

 

ଯଦି ବି ବାଜିଚି–ଘାଉଲା ହେଇଚି । ଏଇ ଅନ୍ଧାରରେ କେବଳ ଗୋଟିଏ ଦୁଇସେଲିଆ ଟର୍ଚ୍ଚ ନେଇ ବଣକୁ ପଶିବା ଘାଉଲା ବାଘ ଖୋଜି ? ନାଃ, ସେ କଥା ହେବନି । ଯେଉଁ ଜାଗାରେ ପେଣ୍ଡ୍ରାଟା ଶୋଇଥିଲା ସେଠିକି ଯାଇ ଗାଡ଼ିର ଆଲୁଅରେ ସେଠାର ଭୁଇଁଟା ଭଲକରି ଦେଖିଲି । ଗୋଚ୍ଛାଏ ରୁମ ପାଇଲି । ସେଥିରେ ରକ୍ତ ଲାଗିଥାଏ, ଆଉ ଗରମ ଲାଗୁଥାଏ ରକ୍ତଟା । ସେତିକିବେଳେ ବାଘର ମଲାବେଳର ଶେଷ ‘‘ଆଃ ଆଃ’’ ଶବଦ୍‌ ବି ଶୁଣିଲା ପରିକା ଲାଗିଲା । ସେକଥା କହିଲାରୁ ହରିବାବୁ ହସିଲେ–କହିଲେ, ‘‘ଶିକାରୀର ଏମିତି ବାଉଳା ହେବାର ନଜିର କମ୍‌ ନାହିଁ ତ ।’’

 

ମୁଁ ତାଙ୍କୁ ସେ ରକ୍ତଭିଜା ଓଦା ରୁମ ଦେଖେଇଲି । ସେଇ ତ ପ୍ରମାଣ ଯେ ଗୁଳିଟା ବାଜିଚି । ହରିବାବୁ କହିଲେ, ‘‘ତାହାହେଲେ ଚଟ୍‌କରି ବସିପଡ଼ି ଗାଡ଼ିରେ ଏଠୁ ଦୂରକୁ ଯିବା–ଘାଉଲା ପେଣ୍ଡ୍ରାପାଖରେ ରହିବା ଠିକ୍‌ ନୁହେଁ–କାଲି ସକାଳୁ ଆସି ଦେଖିବା ।’’ ସେଇ କଥା ହେଲା-। ଗୋଟିଏ ଶାଳୁଆ ଡାଳ ଆଣି ସେଇ ରାସ୍ତା ଉପରେ ପକେଇ ଦେଇ ଆମେ ଚାଲିଲୁ ସରିଷିଆପଦାକୁ ।

 

ଶଗଡ଼ଗୁଳା ପରି ସରୁ ମାଟି ରାସ୍ତାରେ ଜିପ୍‌ ଚାଲିଥାଏ । ତା’ରି ହେଡ଼୍‌ଲାଇଟରେ ଦୁଇପାଖର ବଣକାନ୍ଥରେ ଜୁଳୁ-ଜୁଳୁ ଆଖି ସବୁ ଦିଶୁଥାଏ । ନେଉଳଟିଏ, ଶାଳିଆପତନି, ଠେକୁଆ ହେରିକା ନାନାପ୍ରକାର ଛୋଟ ଛୋଟ ଜନ୍ତୁଜୁନ୍ତା ଘୋ-ଘୋ ଶବଦ୍‌ କରି କ’ଣ ଗୋଟିଏ ଆସୁଛି ବୋଲି ଟିକେ ଚମକି ରହିଯାନ୍ତି–ଫେର୍‌ ପ୍ରାଣବିକଳରେ ଲୁଚିଯା’ନ୍ତି ବୁଦାତଳେ । ଆକାଶଛୁଆଁ ଲମ୍ୱା ଶାଳଗଛ ରାସ୍ତାର ଦୁଇପାଖରେ–ଲାଗୁଥାଏ ଯେମିତି ଆମେ ଗୋଟାଏ ପତରଗହଳି ସୁଡ଼ଙ୍ଗ ଭିତରଦେଇ ଯାଉଛୁ । ଅତାଣ୍ଡିଲତା ସବୁ ସରୁଆ ସରୁଆ ଡଙ୍କ ମେଲେଇଥା’ନ୍ତି ରାସ୍ତା ଉପରକୁ–ସେଇ ଡାଳଗୁଡ଼ାକ ଆମ ମୁହଁ-ଆଖିରେ ବାଜୁଥାଏ ବୋଲି ଗାଡ଼ି ଧୀରେ ଧୀରେ ଚଳାଇବାକୁ ପଡ଼ିଥିଲା । ଦୁଇଟା କୁଟୁରା ବଣକାନ୍ଥରେ ଆମକୁ ଅନେଇ ଠିଆ ହୋଇଥିଲେ–ହରିବାବୁ ଦେଓକୁ କହିଲେ ଗାଡ଼ି ରଖିବାକୁ । ଗାଡ଼ି ରଖୁ ରଖୁ ଟିକେ ଆଗକୁ ଚାଲିଗଲା ଯେ ହେଡ଼୍‌ଲାଇଟ୍‌ର ତରାସ ଆଉ କୁଟୁରା ଉପରେ ପଡ଼ିଲା ନାହିଁ–ଦୁଇ ସେଲିଆ ଟର୍ଚ୍ଚରେ ଭଲ ଦିଶିଲାନି ଆମକୁ; ହେଲେ ସେମାନେ ଆମ ଗନ୍ଧ ପାଇଗଲେ ପରା–‘ହେଉ ହେଉ’ ରଡ଼ି ଛାଡ଼ି ଏକା କୁଦାକେ, ଉଭେଇଗଲେ-। ବଣଟାଯାକ ଅଧଘଣ୍ଟେ ଖଣ୍ଡେ କୁଟୁରାର ଡାକରେ ଉଠିଲା-ବସିଲା ପରିକା ହେଲା-। ସରିଷିଆପଦା ପାଖ ହେଲାରୁ ଦୁଇପାଖ ଜଙ୍ଗଲ ଘୁଞ୍ଚିଗଲା–ପଦା ତଇଳା ଦୁଇପାଖରେ ବାଙ୍କ ଉପରେ ବୁଲିଲାବେଳେ ଗାଡ଼ିର ଆଲୁଅରେ ଦେଖିଲୁ ଜୁଳୁ ଜୁଳୁ ଆଖି କାହାଣେ ଖଣ୍ଡେ–ଦିଆଲିରେ ଦୀପମାଳା ଜଳିଲା ପରିକା–ଏତେ ମିରିଗ ଏକାଠି କେବେ ଦେଖି ନ ଥିଲି । ସେତେବେଳକୁ ତ ଅନ୍ଧାର ରାତି–ବିନା ଆଲୁଅରେ ବନ୍ଧୁକ ଲାଖ କରିହବନି । ଆଲୁଅ ପକେଇ ହରିଣ ସମ୍ୱର ମାରିବାଟା ମନା । ରିଜର୍ଭ ଫରେଷ୍ଟ ଆଇନ ଅନୁସାରେ ଆଲୁଅ ପକେଇ ହରିଣ, ସମ୍ୱର, କୁଟୁରା ହେରିକା ନିରୀହ ଜନ୍ତୁଜୁନ୍ତା ମାରିବା ମନା ଅଛି । ଗାଡ଼ିରେ ବସିକି ଗୁଳି କରିବା ବି ବେଆଇନ-। ସେଥିପାଇଁ ସେ ହରିଣପଲ ଭିତରେ ଯଦିଓ ବଡ଼ ବଡ଼ ଶିଙ୍ଗାଳ ଥିଲେ, ମାରିଲୁନି । ତା’ପରେ ମୋ ପାଖରେ ସେତେବେଳେ ଜମାରୁ ଗୋଟିଏ ବୋଲି ଗୁଳି ଥାଏ–ଏତେ ବାଟ ଫେରିବାକୁ ତ ପଡ଼ିବ–ବାଟରେ ଫେର୍‌ ବାଘ-ଫାଘ କ’ଣ ଯଦି ଭେଟିବୁ ? ପାଞ୍ଚ ମିନିଟ୍‌ କାଳ ସେଇଠି ଜିପ୍‌ ଏପାଖ ସେପାଖ କରି ଦେଖିଲୁ କେତେ ମିରିଗ ମନଖୁସିରେ ତଇଳାରେ ବୁଲୁଛନ୍ତି–ମନ ହେଲେ କ’ଣ ଟିକେ ମୁହଁରେ ଦେଉଛନ୍ତି ତ ପୁଣି ଫେରି ଆମକୁ ଅନେଇଁ ଦେଉଛନ୍ତି–ଆମକୁ ଅନେଇଲା ବେଳେ ଆଖିଟିମାନ ଜଳଜଳ ହୋଇ ସବୁଜ ରଙ୍ଗର ଆଲୁଅ ପରିକା ଦିଶୁଥାଏ । ସାନ ସାନ ବଚା ମିରିଗଛୁଆଟିମାନ ମା’ ପେଟ ପାଖରେ ରହି ଜୁଳୁଜୁଳୁ ଅନେଇଁଥାନ୍ତି–ବେକକୁ ଟୁଙ୍ଗାରୁଥାନ୍ତି ।

 

ଏତେ ସୁନ୍ଦର ଦେଖାଯାଉଥାଏ ଯେ କୁହାନଯାଏ । ସେ ହେଲା କୋଡ଼ିଏ ବର୍ଷ ଆଗ କଥା । ଏବେ ଓଡ଼ିଶାର କେଉଁ ଜଙ୍ଗଲରେ ଏକାଠି ଏତେ ମିରିଗ ଦେଖାଯାଆନ୍ତିନି । କେଉଁଠି ହଳେ କି ତିନୋଟି ଯଦି ଦେଖିଲ ତ ଭାଗ୍ୟ ଭଲ ବୋଲିବାକୁ ହବ । ଶୁଣିଲି କାଳେ ବହୁତ ଲୋକ ଏବେ ଶିକାରକୁ ବାହାରନ୍ତି ଜିପ୍‌ରେ ବସି–ରାତି ରାତି ବଣ-ପାହାଡ଼ରେ ପଇଁତରା ମାରନ୍ତି ବଡ଼ ବଡ଼ ସ୍ପଟ୍‌ ଲାଇଟ୍‌ ନେଇ । ମିରିଗ ସମ୍ୱର ବଡ଼ ନିରୀହ ଜନ୍ତୁ । ଆଲୁଅ ଦେଖିଲେ ଠିଆହୋଇ ଅନାନ୍ତି–ବଡ଼ ସ୍ପଟ୍‌ ଲାଇଟ୍‌ ଆଲୁଅରେ ଜଳକା ବନିଯାନ୍ତି; ଆଉ ଯାଇପାରନ୍ତିନି । ଶିକାରୀମାନେ ଏଣେ ୧୨ ଗଜ ଦୁଇ ନଳିଆରେ ଛର୍‌ରା ପକାଇ ଫୁଟାନ୍ତି । ଛର୍‌ରା ଓ ଏଲ୍‌. ଜି.ର ଛୋଟ ଛୋଟ ସିସା କେତେଗୁଡ଼ିଏ ଜନ୍ତୁ ଦେହରେ ବାଜେ–ପାଖଆଖରେ ଯେତେ ଜନ୍ତୁ ଥାଆନ୍ତି, ସବୁ ଘାଉଲା ହୁଅନ୍ତି । କିଏ ମରେ, କିଏ ବା ଘାଉଲା ହେଇ ପଳାଏ–ପେଣ୍ଡ୍ରାର କି ବିଲୁଆର ସହଜ ଶିକାର ହୁଏ । ସବୁଠୁଁ ବେଶି ମରନ୍ତି ପାଣି ପାଖରେ । ଏବକୁ ଗାଁ-ଗାଁକେ ବନ୍ଧୁକ ଅଛି । କେଉଁଠି ଖୁନ୍ଦା ବନ୍ଧୁକ ତ କେଉଁଠି କାର୍ତ୍ତୁସ୍‌ ବନ୍ଧୁକ । ସମସ୍ତଙ୍କୁ ଲାଇସସେନ୍‌ସ ମିଳିଛି ଫସଲ ରକ୍ଷା କରିବାକୁ । ଜଙ୍ଗଲ ପାଖ ଗାଁଗଣ୍ଡାରେ ଲୋକେ ଖୁବ୍‌ ବେଶି କ୍ଷତି ସହନ୍ତି ଏଇ ବଣୁଆ ଜନ୍ତୁମୁହଁରେ । ମିରିଗ, ସମ୍ୱର, କୁଟୁରା, ବାର୍‌ହା ସବୁ ପ୍ରକାର ଫସଲ ଖାଇଯାଆନ୍ତି–ନଷ୍ଟ ବି କରନ୍ତି । ସେଇ ଫସଲ ଜଗିବା ପାଇଁ ପ୍ରତି ଗାଁରେ ବନ୍ଧୁକ ଲାଇସେନ୍‌ସ ଦିଆଯାଇଛି । ହେଲେ ସେ ବନ୍ଧୁକ ସବୁ–ପ୍ରାୟ ଅଧିକାଂଶ–ବ୍ୟବହାର ହୁଏ ଖରାଦିନେ ପାଣିଖଦାଠେଇ–ରିଜର୍ଭ ଜଙ୍ଗଲ ଭିତରେ ଖଳି–ମାଟିଠେଇ ଓ ପାଣିଖଦାଠେଇ । କୋଡ଼ିଏ ବର୍ଷ ଆଗରୁ ଏତେ ବନ୍ଧୁକ ନଥିଲା କି ପାଣିଖଦା, ଖଳିମାଟିଠି ବାଣୁଆ ଜଗି ବସିବା ଶୁଣା ନଥିଲା । ସେଇଟା ବେଆଇନ ଥିଲା । ଏବେ ବି ବେଆଇନ ଯେ ଲୋକ ଧରା ପଡ଼ୁ ନାହାନ୍ତି । ଏଣେ ଜଙ୍ଗଲ ସବୁ କ୍ରମେ କ୍ରମେ କମିଯାଉଛି–ବେଶି ମଣିଷ ଜଙ୍ଗଲକୁ ପଶୁଛନ୍ତି–କିଏ କାଠ ପାଇଁ ତ, କିଏ କେନ୍ଦୁପତ୍ର ପାଇଁ, ପୁଣି କିଏ ଶାଳମଞ୍ଜି ପାଇଁ । ଏତେ ଲୋକଗହଳିରେ ଜନ୍ତୁଜୁନ୍ତା ଶାନ୍ତିରେ ପରିବାର ବଢ଼ଉଛନ୍ତି କିମିତି ଆଉ ? ଏଇ ପ୍ରକାର ଅନେକ କାରଣରୁ ଜନ୍ତୁଜୁନ୍ତା କମିଗଲେଣି ଆମ ବଣ-ଜଙ୍ଗଲରୁ । ଏମିତି ବି ହୋଇପାରେ ଯେ ଆଉ ଦଶବରଷ ପରେ ମିରିଗ କ’ଣ, କିମିତିକା ଜନ୍ତୁ, ଆମ ଓଡ଼ିଶାବାସୀ କହିପାରିବେନି । କଲିକତା ଚିଡ଼ିଆଖାନାରେ କିମ୍ୱା ବାରଙ୍ଗର ନନ୍ଦନକାନନରେ ଆସି ଦେଖିବେ ତ ଜାଣିବେ; ନହେଲେ ନାହିଁ । ଆମର ସମ୍ୱଲପୁର ଜଙ୍ଗଲରେ ବାରାଶିଙ୍ଗା ଥିଲେ ପଚିଶ ତିରିଶ ବର୍ଷ ଆଗରୁ–ବର୍ତ୍ତମାନ ଯାଇ କାନା ସେଙ୍କ୍‌ଚ୍ୟୁରୀରେ ଜବଲପୁର ପାଖରେ ଦେଖିବାକୁ ମିଳିବ । ସେମିତି ବଣମଇଁଷିଟିଏ ଓଡ଼ିଶା ଜଙ୍ଗଲରେ ନାହିଁ । କିଛିଦିନ ଆଗରୁ ଖଡ଼ିଆଳ ଜଙ୍ଗଲରେ, ମାଲକାନ୍‌ଗିରି ଜଙ୍ଗଲରେ ପଲ ପଲ ଥିଲେ । ପନ୍ଦର ବର୍ଷ ଆଗରେ ଆମର ଏଇଠି ଦଶ ମାଇଲ ଦୂର ଚନ୍ଦକା ବଣରେ ବାଘ ଦିଶୁଥିଲେ ସଞ୍ଜବୁଡ଼କୁ–ଦିନରେ ମିରିଗ ଆସି ଚନ୍ଦକା ବଙ୍ଗଳା ହାତରେ ବରକୋଳି ଖାଇବାକୁ କନ୍ କନ୍‌ ହେଉଥିଲେ । ସେମିତି ମନଭୁଲାଣିଆ ଦୃଶ୍ୟ ତ ଆଉ ଦେଖିବାକୁ ମିଳୁନି ଓଡ଼ିଶା ଦେଶରେ । ଆଉ କୋଡ଼ିଏ ବର୍ଷ ପରେ ହୁଏତ ଆମର ପିଲାମାନେ ବୁଢ଼ୀ-ମା’ର ଗପରୁ ଜଙ୍ଗଲ କଥା ଶୁଣି ତାଟକା ହେବେ–‘ଅଗନାଅଗନି ବନସ୍ତ’ କିମିତିକା, ‘କୁଆ-କୋଇଲୀର ଥଣ୍ଟ ନାହିଁ’ ମାନେ କ’ଣ ପଚାରିବେ ? X X X ସୁଲୁସୁଲୁଆ ପବନ ବହିଲା ଯେ ଆମ ଦେହର ଗନ୍ଧ ମିରିଗପଞ୍ଝାଟା ପାଇଗଲେ–ଫକ୍‌ ଫକ୍‌ ଫକର୍‌ ହୋଇ ଯୋଉ କୁଦା ମାରି ବଣରେ ପଶିଲେ, ଦେଖି ଆମେ ହସି ହସି ବେଦମ୍‌ । ହରିବାବୁ ତ ଗୁଣ୍ଡି ପାନଟିଏ ପାଟିରେ ପୂରାଇଥିଲେ–ହସର ଲହସରେ ଢୋକେ ଗୁଣ୍ଡିମିଶା ଲାଳ ଗଳାରେ ପଶିଲା କି କ’ଣ, ଭାରି କାଶ ହେଲା । ପାଣି ଢୋକେ ପିଇ ସାଷ୍ଟମ ହେଲାରୁ ଆମେ ଯାଇ ଗାଁମୁଣ୍ଡ ଫରେଷ୍ଟ ଗାର୍ଡ଼ ଘରଠେଇ ରହିଲୁ । ଅମ୍ୱିକା ତା’ର କ’ଣ କଥା ହେଲା–ଆମେ ଗାଁର ଲୋକଠୁ ବୁଝିଲୁ ବାଘ ସେ ଅଞ୍ଚଳରେ ଗୋରୁଗାଈ ମାରୁଚି କି ? ସେମାନେ କହିଲେ ଯେ ହାଲ୍‌ରେ ସେମିତି କିଛି ଖବର ନାହିଁ–ହେଲେ ହାତୀ ପଲଟେ ଖୁବ୍‌ ନଷ୍ଟ କରୁଥାନ୍ତି ଫସଲ ।

 

ରାତି ସାତଟା ବେଳକୁ ଫେରିଲୁ ଢେଙ୍କାନାଳ ରାସ୍ତାରେ । ଯେଉଁଠି ଶାଳଗଛର ଡାଳଟିଏ ପକେଇଥିଲି ସେଠି ପହଞ୍ଚି ଜିପ୍‌କୁ ଜଙ୍ଗଲ ଭିତରକୁ ପୂରେଇଦେଲୁ । ପ୍ରାୟ କୋଡ଼ିଏ କଦମ୍‌ ଦୂରରେ–ଗୋଟିଏ ବାଉଁଶବୁଦା ମୂଳରେ ଦେଖିଲୁ, ସେ କଲରାପତରିଆ ବାଘଟି ମରି ଶୋଇଛି । ଗୁଳିଟି ଠିକ୍‌ ଦ୍ୱିତୀୟ ପଞ୍ଜରା ମଝିରେ ପଶିକରି ହୃତ୍‌ପିଣ୍ଡଟିକୁ ଛତୁକରି ଦେଇଛି । ଯେଉଁ ବାଟରେ ଗୁଳିଟା ପଶିଥିଲା ସେଇଠି ମେଞ୍ଚାଏ ଚର୍ବି ଠିପି ପରିକା ଲାଗିଯାଇଛି । ରକ୍ତ ଟୋପାଏ ବି କେଉଁଠି ପଡ଼ି ନଥିଲା । ପ୍ରାୟ ସତୁରି ଗଜ ଦୂରରୁ ଗୁଳି ମାରିଥିଲି ତ–ତା’ପରେ ସେଟା ‘‘ନରମମୁହାଁ’’ (Soft-nose) କାର୍ତ୍ତୁସ୍‌ ଥିଲା–ସେ ଗୁଳିଟା ଦେହରେ ପଶି ଫାଟିଯାଇଥାଏ ଯେ ଆଉ ଦେହରୁ ବାହାରି ପାରି ନଥାଏ । ମାପିକି ଦେଖେ ତ ସେଇଟା ସାତଫୁଟ ଦୁଇଇଞ୍ଚ (ସେତେବେଳେ ଦଶମିକ ମାପକାଠି ହୋଇ ନଥିଲା) । ହେଲେ ଜନ୍ତୁଟା ଖୁବ୍‌ ଓଜନଦାର ଥିଲା । ଆଉ ଦେହର ଲୋମ ଖୁବ୍‌ ଚିକ୍‌କଣ । ମୁଣ୍ଡଟା ବାଘମୁଣ୍ଡ ପରିକା ବଡ଼–ଅଣ୍ଡିରା କଲରାପତରିଆ ବାଘ । ଚାରି ଜଣଯାକକୁ ଖୁବ୍‌ କଷ୍ଟ କରିବାକୁ ହେଲା ଛିପ୍‌କୁ ଟେକିବାକୁ । ମୋ ମନଟା ତ କୁଣ୍ଢେମୋଟ ହେଲା । ଚାନ୍ଦମାରି କରିବାଟା ବୃଥା ହେଇନି । ତା’ପରେ ହରିବାବୁଙ୍କ ପ୍ରଶଂସା ଏତେ ରସାଳିଆ ଯେ, ଯିଏ ପାରେ ସେ ଉସ୍‌କିଥାନ୍ତା ସେତେବେଳେ । ମୁଁ ତ ଏକାବେଳକେ ଅଣନିଶ୍ୱାସୀ ହୋଇଗଲି–ତାଙ୍କୁ ସେ ଚମଡ଼ା ଦେବି ବୋଲି ରାଜି ହୋଇଗଲି । ପରେ ଅବଶ୍ୟ ସେ ଚମଡ଼ାଟା ତାଙ୍କୁ ଦେଇନି, କାହିଁକିନା ଇମିତି ସୁନ୍ଦର ଚିତାବାଘ ଚମଡ଼ା ଆଉ ମୁଁ ପାଇନି । ମହୀଶୂର ଭେନିଗନ୍‌ କମ୍ପାନୀ ତାକୁ ଯତ୍ନରେ କିଓର୍‌ କରି ଦେଇଛନ୍ତି ।

 

ଖୁସିରେ ଗପସପ ହୋଇ ବାହାରିଲୁ । ଜିପ୍‌ରେ ଗୋଟିଏ ବିରାଟ କଲରାପତରିଆ ବାଘ ଆଉ ଗୋଟିଏ ମିରିଗ ଶିଙ୍ଗାଳ ଲଦା ହୋଇଛି । ଘରେ ପହଞ୍ଚିଲେ ମାଂସର କବାବ୍‌ ହବ–ଏଣେ ଆଇ. ଜି. ସାହେବଙ୍କୁ ଦେଖେଇହେବ ବାଘଟିଏ–କଲରାପତରିଆ ହେଲେ କ’ଣ ହେବ, ବାଘ ତ ? ଜିପ୍‌ ଚାଲିଥାଏ–କଥା ନହସରେ ମୋର ଆଉ ରାସ୍ତା ଉପରକୁ ନଜର ନ ଥାଏ–ଦେଓବାବୁ ଗାଡ଼ି ଚଳାଉଥା’ନ୍ତି । ଚାରି ମାଇଲ ଖଣ୍ଡେ ଆସିଲାପରେ ହଠାତ୍‌ ଜିପ୍‌ଟା ଧପ୍‌କିନା ରହିଗଲା । ଦେଓବାବୁ ମୋ ଡାହାଣ ହାତକୁ ଚିପିଧରି କହୁଥାନ୍ତି ‘‘ମାରନ୍ତୁ ସାର୍‌ !’’ କିରେ କଥା କ’ଣ ? –କ’ଣ ମାରିବାକୁ ହେବ ? ବନ୍ଧୁକରେ ଗୋଟିଏ ନାଁ’କୁ ଗୁଳି ଅଛି ଯେ ! ସେ ସେଠୁ ଡାହାଣ ପାଖ ନୟନଯୋଡ଼ିରେ ଗୋଟିଏ ଜନ୍ତୁକୁ ଦେଖାଇଦେଲେ । ସେଇଟା ଗୋଟିଏ ବଡ଼ ବିଲେଇ ପରିକା ବସିଥାଏ–ଆଖି ବୁଜିକି । ଆଉ ଗୋଟିଏ କଲରାପତରିଆ ବାଘ–ହେଲେ ବଡ଼ ସାନ ଦିଶୁଥାଏ ଶୁଖିଲା ଶାଳପତର ଗଦା ପାଖରେ । ଗାଡ଼ିରୁ ଓହ୍ଲାଇ ହେଡ଼୍‌ଲାଇଟ୍‌ ପାଖରେ ବସିପଡ଼ିଲାରୁ ବନ୍ଧୁକ ନଳିରେ ଆଉ ମାଛିରେ ଆଲୁଅ ତରାସ ପଡ଼ିଲା । ଭଲକରି ଲାଖ କରି ତା’ ବେକକୁ ମାଇଲି । ସେ ଜନ୍ତୁଟା ଆଉ ଆଖି ଖୋଲିନି କି ଜାଣିପାରିନି କ’ଣ ହେଲା । ଏଥର ହରିବାବୁ ଆସି ମୋ ପିଠିରେ ଜାବୁଡ଼ାଟା ଦେଇ କହିଲେ–‘‘ସାବାସ୍‌ ।’’

 

ମୋର ସେଦିନ ଭାରି ଖୁସି । ତିନିଟା ଗୁଳି ଧରି ଜଙ୍ଗଲକୁ ଗଲେ–ଦୁଇଟା ଚିତା ବାଘ, ଗୋଟିଏ ହରିଣ । ଚିତାବାଘ ଚମଡ଼ା ଲୋକଙ୍କୁ ଦେଖାଇବାକୁ ହେବ–ନିଜର ଶିକାରୀପଣିଆ ଜାହିର୍‌ କରିବାକୁ; ଆଉ ମିରିଗ ମାଂସ ଦୁଇଦିନ ଖାଇବାକୁ ହେବ । ୟା’ଠୁଁ ଆନନ୍ଦ ଆଉ ବେଶି ନୂଆ ଶିକାରୀ–ଜୀବନରେ କ’ଣ ହେବ ? ହେଲେ ଢେଙ୍କାନାଳ ଫେରି ତା’ ପରଦିନ ସକାଳୁ ଯାହା ଦେଖିଲି ମନଟା ଆମ୍ୱିଳା ହେଲା–ଅବ୍‌ଶୋଷ ଢେର୍‌ ହେଲା ।

 

ଏବେ ଯେଉଁଠି ଢେଙ୍କାନାଳ କଲେଜ ହେଇଚି–ତାରି ସାମନାରେ ରେଳଲାଇନ୍‌ ସେପାଖରେ ଗୋଟିଏ ପାହାଡ଼ ଅଛି–ସେହିଠି ଦୁଇଟା ମଇଁଷିକୁ ବାଘ ମାରିଥିଲା ଦି’ଦିନ ଆଗରୁ–ଆମେ ସରିଷିଆପଦା ଗଲାଠୁ ସେ ସାହିର ଲୋକେ ମଇଁଷିର ମାଂସ ନେଇ ଆସିଲେ–ବାଘ ତା’ର ଭୋକରେ ଅନ୍ୟ କୁଉଠି କ’ଣ ମାରିବାକୁ ଗଲା । ଆହାଃ–କେଡ଼େ ସୁଯୋଗଟା ଚାଲିଗଲା ! ! ବଡ଼ ବାଘଟାଏ ମାରିଲେ ଶିକାରୀ ପାଞ୍ଜିରେ ନାଁଟା ରହିଥାନ୍ତା । ଢେଙ୍କାନାଳ ସହର ପାଖରେ-କେଡ଼େ ସୁବିଧାରେ ମାରିହୋଇଥାନ୍ତା ପରା ! ! କିଏ ଜାଣେ, କେତେ ଦିନପରେ କଉଠି କେମିତି ବାଘଟିଏ ମାରିବାକୁ ମୋ କପାଳରେ ଜୁଟିବ ? ବାଘ–ଶିକାରଟା ପରା ରାଜାର ରାଜୁଡ଼ା ପାରିଧି ? ଯେ ବାଘ ନ ମାରିଚି ସେ ଲୋକଙ୍କ ଆଖିରେ କି ଶିକାରୀ ହେ.... ?

 

ତାରଙ୍ଗର ଭାଲୁ

 

ବାମଡ଼ାଟା ଗୋଟିଏ କରଦ ରାଜ୍ୟ ଥିଲା ଆଗରୁ । ବାମଡ଼ାର ରାଜବଂଶରେ କବି ଲେଖକ ଢେର୍‌ ଥିଲେ–ରାଜ୍ୟକୁ ବାମଣ୍ଡା ବୋଲି କରୁଥିଲେ । ବାମଣ୍ଡାର ଦକ୍ଷିଣକୁ ରେଢ଼ାଖୋଲ୍‌ ଷ୍ଟେଟ୍‌ । ସେ କାଳରେ ବାମଣ୍ଡାର ରାଜଧାନୀ ଦେଓଗଡ଼ଠୁ ରେଢ଼ାଖୋଲର ରାଜଧାନୀ ରାମପୁର ଯାଏ ଗୋଟିଏ ସଡ଼କ ଥିଲା । ବାଟରେ ଦୁଇଟା ନଈ ଥିଲା ଯେ ପୋଲ ହେଇ ନଥାଏ । ୧୯୪୮ରେ ବାମଡ଼ା ରାଜ୍ୟ ଓଡ଼ିଶାରେ ମିଶିଲା । ସମ୍ୱଲପୁର ଜିଲ୍ଲାର ଗୋଟିଏ ସବ୍‌ଡ଼ିଭିଜନ୍‌ ହେଲା ବାମଡ଼ା । ସମ୍ୱଲପୁରରୁ ଦେଓଗଡ଼କୁ ଗୋଟିଏ ସୁନ୍ଦର ସଡ଼କ–ମରାମତି ରୀତିମତ ହୁଏ–ସବୁଦିନେ ମଟର ଯାଏ । ରାମପୁରଠୁ ଦେଓଗଡ଼ ଯିବାକୁ ସଡ଼କଟା ନାକଟିଦେଉଳ ଦେଇ ନଈନାଳ ପାରହୋଇ ପାହାଡ଼-ବଣ ଭିତର ପଶି ଯାଇଚି–ମରାମତି ଅଭାବରୁ ସଡ଼କଟା ଅନେକ ଜାଗାରେ ଶଗଡ଼ଗୁଳାପରି ହୋଇଥାଏ ସେ ସମୟରେ । ଦୁଇଜଣ ବନ୍ଧୁଙ୍କ ସାଙ୍ଗରେ ମୁଁ ବାହାରିଥାଏ–ବାଟରେ ଶିକାର ହେବ । ଆମେ ତିନିଜଣଯାକ ଗୋଟିଏ ଫୋର୍ଡ଼ ଗାଡ଼ିରେ ଗଲୁ । ରାମପୁରଠୁଁ ସମ୍ୱଲପୁର ବୟାଳିଶ ମାଇଲ–ସେଠୁ ଦେଓଗଡ଼ ପଅଁଷଠି ମାଇଲ । ଠିକ୍‌ କଲୁ ଯେ ଶହେ ମାଇଲ ବାଟ ନ ଯାଇ ରାମପୁରଠୁ ନାକଟିଦେଉଳ ବାଟେ ଦେଓଗଡ଼କୁ ଯିବା ପଚାଶ ଷାଠିଏ ମାଇଲ ରାସ୍ତା କମ୍‌ ହେବ । ଆଉ ବାଟରେ ଶୁଣିଥିଲି ଯେ କାଳେ ବଢ଼ିଆ ଜଙ୍ଗଲ ସେ ରାସ୍ତାରେ–ଶିକାର ଢେର୍‌ । ଟୋକାବେଳ ତ; ଶିକାର କଥା ଶୁଣିଲେ ରକ୍ତ ଗରମ ହୋଇ ଟକ୍‌ ଟକ୍‌ ଫୁଟୁଥିଲା ସେତେବେଳେ । ସକାଳୁ ରାମପୁରରୁ ବାହାରିଲୁ । ଫୋର୍ଡ଼ ଗାଡ଼ି ଚାଲିଥାଏ ବଣରାସ୍ତା, ଶଗଡ଼ଗୁଳାରେ । ହେଲେ ଦୁଇଟା ବଡ଼ ନାଳ ନଈ କହିଲେ ବି ହେବ–ପାରିହେବାକୁ ଦିନ ଏଗାରଟା ହେଲା । ବାଲିରେ ଆଉ ଝିରି ଝିରି ପାଣିରେ ମଟର ଠେଲି ଠେଲି ଟିକିଏ ହାଲିଆ ବି ହୋଇଥାଉଁ ସବୁ । ଗୋଟିଏ ଗଛମୂଳେ ଗାଡ଼ି ରଖି ଚା’ ବିସ୍କୁଟ୍‌ ଖାଉଚୁ–ଦେଖିଲୁ ଚାରିଟା ଭେଣ୍ଡିଆ ଆମ ଡାହାଣକର ବଣରୁ ବାହାରିଲେ । ହାତରେ ତାଙ୍କର ଗୋଟିଏ ଗୋଟିଏ ସାରୀ ଚଢ଼େଇ । ଡାକିଲୁ ତାଙ୍କୁ ପଚାରିବାକୁ ସେ ଅଞ୍ଚଳରେ ଶିକାର କଥା । ପଚାରିବା ଦରକାର ହେଲାନି । ମନକୁ ସେମାନେ କହିଲେ–‘‘ତୁମେ ବାବୁ ଶିକାର କରିବ କି ?–ଏଇ ଯେ କୋଶେ ଦୂରରେ ସଡ଼କ ଉପରେ ଗାଁଟା ଦେଖୁଚ–ସେଇଟା ଆମରି ଗାଁ–ତାରଙ୍ଗ–ସେଇଠି ଗାଁକୁ ଲାଗିଛି ବଣ; ଆଉ ସେହି ପାହାଡ଼ଟା ଦେଖୁଚନା–ସେଠି ବାର୍‌ହା, ସମ୍ୱର ଢେର୍‌ ଅଛନ୍ତି–ଆମ ସଙ୍ଗେ ଆସ, ଆମେ ଜଙ୍ଗଲ ଆଡ଼ି କରିବୁ–ତୁମେ ଗୋଟିଏ ଯୋଡ଼ାଏ ସମ୍ୱର ମାରିଦବ–ଆମ ଗାଁରେ ଭୋଜି କରିବା......’’ ଇତ୍ୟାଦି ଇତ୍ୟାଦି ।

 

ଚାରିଜଣଯାକଙ୍କୁ ଗାଡ଼ିରେ ବସେଇଲୁ ଆଉ ଗଲୁ ଗାଁଠିକୁ । ସେଠି ଗାଁ ମୁଣ୍ଡରେ ଗାଡ଼ି ରଖିଲୁ–ସେମାନେ ଓହ୍ଲେଇଛନ୍ତି କି ନାହିଁ, ରଡ଼ିଛାଡ଼ିଲେ ଗାଁକୁ ଉଦ୍ଦେଶ୍ୟ କରି ‘‘ଆସବୋ ଶିକାର ଯିମା ।’’ ଗାଡ଼ିରୁ ଓହ୍ଲାଇ ସେମାନେ ଦୌଡ଼ିଲେ ଜଣେ ତଳସାହିକି ଜଣେ ଉପରସାହିକି ଲୋକ ଆଣିବାକୁ–ବଣରେ ପନ୍ତା ଶିକାର ହେବ । ଆମେ ସେଠାର ବଉଳଗଛ ମୂଳେ ବସିଲୁ । ଗାଁର ଜଣେ ବୁଢ଼ା ଆସି ଆମର ଗାଡ଼ିଟା ପରଖ କରିବାକୁ ନିରିଖି ଅନଉଥାଏ–ପଞ୍ଝାଏ ପିଲା ଆସି ଘେରିଥାନ୍ତି ଆମକୁ ଓ ଗାଡ଼ିକି–କିଏ ଠାରିକି ମୋର ଟୋପିଟା ଦେଖଉଥାଏ ତା’ର ସାଙ୍ଗକୁ–କିଏ ବା ହାଁ-କରି ଚାହିଁଥାଏ ବଳରାମର ଦୋକତା ପାଇପ୍‌କୁ । ସେ ବୁଢ଼ା ଜଣକ ଆସି ଆମକୁ ପଚାରିଲା ଯେ ଆମର କ’ଣ ସେଠାର ଜଙ୍ଗଲରେ ଶିକାର କରିବାର ଇଚ୍ଛା । ସେ ଆମକୁ ମୁଣ୍ଡ ହଲେଇ ବାରଣ କଲା । ତା’ କହିବା ଅନୁସାରେ–ସେ ଜଙ୍ଗଲଟା ବଡ଼ ଭୟଙ୍କର । ବଡ଼ ବଡ଼ ଭାଲୁ ସେଠି ଅଛନ୍ତି–ଗାଁର କେତେ କେତେ ଲୋକଙ୍କୁ ଖଣ୍ଡିଆ-ଖାବରା କଲେଣି । ସେ ଗାଆଁ ବାଣୁଆର ଗୋଟାଏ ବେଏଁ ଲମ୍ୱର ନଳି ଅଛି ଯେ ସେଥିରେ ବି ସେ ସେଠାର ଭାଲୁକୁ ମାରିପାରୁନି–ସେ ତ ଭୟରେ ବଣକାନ୍ଥକୁ ବି ଯାଉନାହିଁ ଏଇ କେତେଦିନ ହେବ । ଆଉ ଆମେ ସବୁ ସହରିଆ ବାବୁ । ଆମର ବଣ କଣ୍ଟା ନଟିରେ ପଶିବା ଠିକ୍‌ ନୁହେଁ–ସେଠି ବଡ଼ ବଡ଼ ଭାଲୁ ସବୁ ଅଛନ୍ତି–ମଣିଷ ଦେଖିଲେ ଚିହିଁକି ଆସୁଛନ୍ତି–ତା’ପରେ ଏଇ ଯେଉଁ ବନ୍ଧୁକଟା ଅଛି ଗାଡ଼ିରେ–ଏତେ ଛୋଟ ବନ୍ଧୁକ ଯେ ସେଥିରେ ଠେକୁଆ ବି ମାରିହବନି । ଏଇଆକୁ ଧରି ସେଠାର ଜଙ୍ଗଲକୁ ଯିବା ପାଗଳାମି ହେବ । ତାଙ୍କ ଗାଁର ମଳିକପୁଅ ଏତେ ବଡ଼ ନଳି ନେଇକି ଯାଏ ଯେ, ସେଥିରେ ଭାଲୁର କିଛି ହୁଏ ନାହିଁ । ଏଇପରିକା କେତେ କଥା କହିଗଲା–ତା’ର ଗାଉଁଲି ଭାଷାରେ । ଆମେ କଟକିଆ ବାବୁ, ଆମର କଅଁଳ ଦେହରେ କଣ୍ଟା ବାଜିବ–ଆଉ ସବୁଠୁ ବେଶି ଯେ ଆମର ବନ୍ଧୁକଟିମାନ ଛୋଟ–ଅତି ଛୋଟ–ସେ ଜଙ୍ଗଲର ଭାଲୁକୁ ଏ ବନ୍ଧୁକ ନୁହେଁ । ‘‘ନରମା ଶିକାରୀ–ଖେଳନା ନଳି’’ ଏହି କଥାକୁ ଦୋହରେଇ ତିହିରେଇ କହି–ଚାଲିଥାଏ ବୁଢ଼ା । ଆମେ ଯେମିତି ତା’ କଥାରେ କାନ ନଦେଲା ଭଳି ହେଲୁ ସେ ରୁଣ୍ଡ ହେଉଥିବା ଭେଣ୍ଡିଆମାନଙ୍କୁ କହିଲା ‘‘ଦିନ ବାରଟା ଖରାରେ ଆମପରି ନରମା ଶିକାରୀଙ୍କୁ ଧରି ବୁଲିବାଟା ଅକାରଣ ହେବ ।’’

 

ସେତେବେଳକୁ ଏଗାର ବାରଜଣ ଟୋକାଟାକଳିଆ ଲୋକ ଜମି ଗଲେଣି । ଆମେ ଆମର ବନ୍ଧୁକଟିମାନ ଧରି ଚାଲିଲୁ । ମୋର .୩୫୫ ରାଇଫଲଟା ୨୪ ଇଞ୍ଚ ନଳି–ସେଇଟାକୁ ଦେଖି ବୁଢ଼ାର ଏମିତି ହେଳାସିଆ କଥା–ମୋ ସାଙ୍ଗମାନଙ୍କର .୧୨ ଗଜ–ଜଣଙ୍କର ଦୁଇନଳିଆ, ଆଉ ଜଣଙ୍କର ଏକନଳିଆ ଯେ ରିପିଟାର ରେମିଙ୍ଗ୍‌ଟାନ୍‌ ସେଥିରେ ପାଞ୍ଚୁଟା କାର୍ତ୍ତୁସ୍‌ ଭର୍ତ୍ତି କରିହେବ, ଗୋଟେ ପରେ ଗୋଟେ ଫୁଟାଇହବ–ଲୋଡ଼୍ କରିବାଟା ମନକୁ ହୁଏ ।

 

ଜଙ୍ଗଲଟା ଗାଁକୁ ଲାଗିଚି । ବଣବାଟରେ ପାଏ ବାଟ ଯାଇଚୁ, ପନ୍ତା କରିବା ଲୋକଙ୍କ ଭିତରୁ ଜଣେ ଜାଣିବାର ଲୋକ କହିଲା, ‘‘ସେଇଠି ଜଣେ ବାଣୁଆ ବସିବାକୁ–ମଇନୁଦ୍ଦିନ୍‌ ସେଠି ରହିବାର ହେଲା–ତା’ପରେ ଖଣ୍ଡେ ଦୂର ଯାଇ ବଳରାମ ଆଉ ଖଣ୍ଡେ ବାଟ ଗଲାରୁ ପାହାଡ଼ ସେ ପାଖରେ ମୁଁ ରହିଲି । ସବୁ ଭୂଇଁରେ ବୁଦାମୂଳ ଦେଖି ଛପିକି ବସିଲୁ । ମୁଁ ଯେଉଠି–ରହିଲି ସେଠି ଛୋଟ ଛୋଟ ବୁଦା ଖୁବ୍‌ କମ୍‌–ବୁଦା ପଛରେ ରହିଲେ ଆଗକୁ ପରିଷ୍କାର ଦିଶିବନି ବୋଲି ମୁଁ ଗୋଟିଏ ବଡ଼ ଶାଳ ବୁଦା ସାମନାରେ ଗୋଟିଏ କାଠଗଡ଼ ଉପରେ ବସିଲି । ଖାକି ପେଣ୍ଟ ଓ ଜଙ୍ଗଲି-ସବୁଜ କନାର ଶାର୍ଟ ପିନ୍ଧିଥାଏ–ମୁଣ୍ଡରେ ଥାଏ ଗୋଟାଏ ଖାକି–ସବୁଜମିଶା ରଙ୍ଗର ଗୁର୍ଖା ଟୋପି । ଟୋପିର କନାପଟି ଉପରେ ଦୁଇ ଚାରିଟା ଛୋଟ ଡାଳ ଭାଙ୍ଗି ଗୁଞ୍ଜିଦେଲି; ଟୋପିରେ ଖଞ୍ଜା ଡାଳ ପତର ଠିକ୍‌ ପଛ ପାଖରେ ଥିବା ବୁଦାଟିର ପତର ସଙ୍ଗରେ ମିଶିଯିବା ପରିକା ନିଜକୁ ସଜାଇବାଟା ମୁଁ ଯୁଦ୍ଧବେଳେ ଶିଖିଥିଲି । ସେମିତିକା ବେଶଭୂଷା ହେଇ ନିଶ୍ଚଳ ହୋଇ ଜଣେ ଯଦି ରହେ, ତେବେ ଦୂରରୁ ଜଣାପଡ଼େନି ଯେ ଜଣେ ମଣିଷ ସେଠି ଅଛି ବୋଲି ।

 

ଆମକୁ ବସାଇଦେଇ କାନିଆ ଜଣକ ଯାଇ ପନ୍ତା କରିବା ଲୋକଙ୍କୁ ଇସାରା କରିଦେଲା । ପାଞ୍ଚମିନିଟ୍‌ ହେଇଚି କି ନାହିଁ ଗୋଟିଏ ବଡ଼ ସମ୍ୱର ଧୀରେ ଧୀରେ ପାହାଡ଼ରୁ ଓହ୍ଲାଇ ମୋରି ଆଡ଼େ ଆସିଲା । ଦଶ କି ବାର କଦମ ଆସେ, ଟିକେ ଛିଡ଼ା ହୁଏ–କାନ ଦି’ଟା ଠିଆ କରି ଏଣେତେଣେ ବୁଲାଏ–ପବନଟାକୁ ଶୁଙ୍ଘି ଶୁଙ୍ଘିକା ପଛକୁ ଅନାଏ–ଫେର୍‌ ଦଶ ପାଦ ଚାଲେ । ଏମିତି ହେଇ ହେଇ ମୋ ପାଖକୁ ଆସିଲା । ପାଞ୍ଚଗଜ ଦୂରରେ–ମୋର ଠିକ୍‌ ବାଁକଡ଼ ସାମନାରେ ଠିଆହେଇ ଫେର୍‌ ପଛକୁ ଚାହିଁଲା–ଗୋଟିଏ ଗୋଟିଏ କରି ବାଁକର ଦେଇ ପଛ ଶାଳବଣକୁ ଗଲା-। ମାଈ ସମ୍ୱରଟା ତ; ମାରିବାର ନୁହେଁ–ମାରିଲିନି । ମୋତେ ଦେଖିପାରିଲାନି ସମ୍ୱରଟା, ଯଦିଓ ମୁଁ ଖୋଲାଟାରେ ବସିଥିଲି । ମନଟା ବେଶ୍‌ ଖୁସି ହେଲା ଯେ ମୋର ଜଙ୍ଗଲ–ବେଶ ଆଉ ଧୀର ହୋଇ ବସିବାଟା ନିଖୁଣ ହେଇଚି । ପଛପଟକୁ ଦଶଗଜ ଯାଇଛି କି ନାହିଁ ସମ୍ୱରଟା ମୋର ଗନ୍ଧ ପାଇଗଲା–ଏକାକୁଦାକେ ଉଭେଇଗଲା ଶାଳବଣ ଭିତରେ ।

 

ମୁଁ ତ ଖୁବ୍‌ ଆଶାକରି ବସିଚି ଯେ ମାଈ ସମ୍ୱର ଗୋଟିଏ ଗଲା–ଆଉରି ହଳେ ଦି’ହଳ ମାଈ ସମ୍ୱର ଯିବେ–ତା’ପରେ ସିଙ୍ଗାଳ ବାହାରିବ । ସମ୍ୱରଗୁଡ଼ାକ ମିରିଗ ପରିକା ଦଳ ଦଳ ହୋଇ ରହିନ୍ତି–ଚରନ୍ତି ବି ସାଙ୍ଗରେ । ଏଇ ଆଶାରେ ବସିଚି ଦେଖିଲି ଜଣେ ଲୋକ–ପନ୍ତାର କାନିଆ–ଆସି ମୋ ପାଖରେ । ସେ ପଚାରିଲା, ମୁଁ କିଆଁ ସେ ସମ୍ୱରଟା ମାରିଲି ନାହିଁ । ମୁଁ ଯଉଖଣୁ କହିଲି ଯେ ମାଈସମ୍ୱର ମାରିବା କଥା ନୁହେଁ–ସେ ହସିଲା–ମନକୁ କହିଲା ଭଳି କହିଲା ‘‘ବୁଢ଼ା ଠିକ୍‌ କହୁଥିଲାବୋ–ଏ ନଳିଟା କିଛି ନାଇ ପାରମା ।’’

 

ଠିକ୍‌ ଏତକ କହିଛି କି ନାହିଁ ପାହାଡ଼ ଉପରୁ ପନ୍ତାଳିଆ ପାଟିକଲେ–‘ଭାଲୁ ଭାଲୁ’ । ଏତକ ଶୁଣିଚି କି ନାହିଁ ମୋ ପାଖରେ ଯେଉଁ ଲୋକଟି ଥିଲା ସୁଡ଼୍ ସୁଡ଼୍‌ କରି ଶାଳ ଗଛରେ ଚଢ଼ିଗଲା–ଏକଦମ୍‌ ଅଗ ଡାଳକୁ । ସେଇଠୁ ପାଟି କରୁଥାଏ ମୋତେ ଗଛରେ ଚଢ଼ିବାକୁ; ଭାଲୁ ନ ହେଲେ ଖାଇଯିବ । ମୁଁ ବଡ଼ ଖୁସିଟାଏ ହେଇଗଲି ଯେ ଆମର ଶିକାରୀପଣ ଟିକେ ୟାଙ୍କୁ ଦେଖାଇବାର ବାଟ ମିଳିଲା । ଭାଲୁଟାଏ ଆସିଲେ ମୁଁ ମାରିପାରିବି ବୋଲି ଖୁବ୍‌ ଦମ୍ଭ ମନରେ ଥାଏ ତ । ଥିର ହୋଇ ବସିରହିଲି–ଭାଲୁ ଆସିବା ବାଟକୁ ନିଘା ରଖିଥାଏ । ସଡ଼୍ ସଡ଼୍ ଧଡ଼୍ ଧଡ଼୍ ଧପାସ୍‌ ଶବ୍ଦ କରି ଭାଲୁ ମାଡ଼ି ଆସିଲା ମୋ ଆଡ଼କୁ । ଷାଠିଏ, ସତୁରି ଗଜ ଦୂରରୁ ଦେଖିଲି ଯେ ଗୋଟାଏ ନୁହେଁ ତିନି-ତିନିଟା ବିରାଟକାୟ ଭାଲୁ ଆସୁଛନ୍ତି ସଡ଼୍ ସଡ଼୍ ଆୱାଜ କରି । ମୁଁ ସିନା ଗୋଟିଏ ଭାଲୁ ଭାବି ସାହସ କରି ବସିଥିଲି–ତିନିଟା ଭାଲୁ ପାଇଁ ତିଆରି ହେଇନି । ମୋ ରାଇଫଲ୍‌ଟା ଗୋଟିଏ ନଳି–ଛୋଟ ବୋର୍‌ର–ଭାଲୁର ଠିକ୍‌ ମର୍ମଥାନରେ ନ ବାଜିଲେ ମରିବନି ତ–ଲାଖ କରି ମାରିଲେ ଗୋଟିଏ ସିନା ସେଇଠି ପଡ଼ିବ–ବାକି ଦୁଇଟା ତ ମୋତେ ଗୋଡ଼େଇବେ-। ଦଉଡ଼ିଲା ଭାଲୁକୁ ଲାଖ କରି ମାରିବା କଷ୍ଟ । ଲମ୍ୱା ଲମ୍ୱା ଲୋମ ଯୋଗୁରୁ ଛାତିର ମରମ ଥାନକୁ ଲାଖ କରିବା ତ ପ୍ରାୟ ଅସମ୍ଭବ । ତେଣୁ ଭାବିଲି ଯେ ଆପଣାର ଜୀବନକୁ ବଞ୍ଚାଇକି ଚୁପ୍‌ଚାପ୍‌ ଗଛ ଉପରକୁ ଉଠିଯିବା ଦରକାର । ମନର ଅହମିକା କିନ୍ତୁ ଆଗରେ ଅଗୁଳିଲା–ବୁଢ଼ାର ‘ନରମା ଶିକାରୀ–ଖେଳନା ନଳି’ ମୋ କାନରେ ବାଜିଲା ପରି ହେଲା ।

 

ଏତକ ଭାବନା ମନରେ ହେବାକୁ ଅଧ ସେକେଣ୍ଡରୁ କମ୍‌ ବେଳ ଲାଗିଥିବ ସେତେବେଳେ । ଠିକ୍‌ କରିନେଲି ମାନ ମହତ ଏ ତାରଙ୍ଗ ଗାଁରେ ହରେଇବିନି–ଭାଲୁ ହାତରେ ଅନ୍ତବୁଜୁଳା ବାହାରୁ ପଛକେ । ନିଶ୍ୱାସ ବନ୍ଦ କରି ଖୁବ୍‌ ଲାଖ କରି ପ୍ରଥମ ଭାଲୁର ମୁଣ୍ଡକୁ ଗୁଳି କଲି-। ସେଇଟା ସେଇଠି ଟଳିପଡ଼ିଳାରୁ ଛାତି ଟାଣ ହୋଇଗଲା–ଉଠି ଠିଆ ହେଲି । ମୋ ବନ୍ଧୁକ ଶବଦରେ ପଛର ଦି’ଟାଯାକ ଭାଲୁ ରୁନ୍ଧି ଆସିଲେ ମୋ ଆଡ଼କୁ । ଦଶଗଜ ଦୂରକୁ ଆସି ଆଗର ଭାଲୁଟା ଛିଡ଼ା ହୋଇଗଲା–ହୋ-ହୋ କରି ମଣିଷ ପରିକା ସାମନା ଗୋଡ଼ ଦିଇଟା ମୋ ଆଡ଼କୁ ବଢ଼େଇ ମାଡ଼ି ଆସିଲା । ଠିଆ ହେଲାରୁ ତା’ ଛାତିଟା ପରିଷ୍କାର ଦିଶିଲା–ଛାତିରେ ଗୋଟିଏ ଇଂରାଜୀ ‘ଭି’ ଅକ୍ଷର ପରି ଧଳା ଗାର ଅଛି । ଭାଲୁର ସେଇ ଧଳା ଗାର ସନ୍ଧିକି ଲାଖକରି ଗୁଳି କଲି । ସେ ଭାଲୁଟା ଏତେ ପାଖରେ ଥିଲା ଯେ ଗୁଳିଟା ଏପଟେ ପଶି ପିଠିପଟେ ବାହାରିଗଲା–ଭାଲୁ ମଲାନି ହେଲେ ନଳି ମୁହଁରୁ ଯଉ ନିଆଁ ବାହାରିଲା ସେଇଟା ଦେଖି ସେ ଭାଲୁଟା ପଛକୁ ଫେରି ଚାରିଗୋଡ଼ରେ ଦୌଡ଼ି ପଳେଇଲା ।

Unknown

 

ଆଗରେ ଥିବା ଭାଲୁର ଏ ଦଶା ଦେଖି ପଛର ଭାଲୁଟା ବି ରହିଗଲା । କେତେଟା ସେକେଣ୍ଡ । ସେତିକିବେଳ ଯେ ମିଳିଲା, ସେଥିରେ ଫେରେ ବନ୍ଧୁକରେ କାର୍ତ୍ତୁସ୍‌ ପୂରାଇ ଦେଲି; ପଛଭାଲୁର ପିଠିକୁ ଗୁଳି କଲି । ଗୁଳିଟା କିନ୍ତୁ ଠିକ୍‌ ମେରୁଦଣ୍ଡାରେ ବାଜିଲାନି–ଛାତିରେ ବାଜିଲା । ମେରୁଦଣ୍ଡାରେ ବାଜିଥିଲେ ସେଇଟା ସେଇଠି ପଡ଼ିଥାନ୍ତା । ଆର ଭାଲୁଟା ପୁଣି ଓଲଟି ପଡ଼ି ମୋ ଆଡ଼କୁ ମାଡ଼ିଆସିଲା । ଫେରେ ଗୋଟାଏ ଗୁଳି ମାଇଲି । ଆଉ ତ ଲାଖ କରିବାର ବେଳ ନଥିଲା–ତା’ ଦେହକୁ ମାରିଥିଲି । ତା’ପରେ ଆର ଭାଲୁକୁ ଗୋଟିଏ–ଇମିତି ଆଠୁଟା ଗୁଳି ମାଇଲି–ପ୍ରାୟ ଅଧମିନିଟ କି ମିନିଟକ ଭିତରେ । ଭାଗ୍ୟକୁ ସବୁ ଗୁଳି ଭାଲୁଙ୍କ ଦିହରେ ବାଜିଲା । ଦୁଇଟାଯାକ ଭାଲୁ ମଲେ–ଗୋଟେ ମୋ ବାଁ ପଟେ, ଗୋଟେ ମୋ ଡାହାଣ ପଟେ । ପ୍ରଥମ ଭାଲୁଟା ତ ଆଗରୁ ମରିଯାଇ ଥାଏ–ତିନିଟାଯାକ ମଲା ଭାଲୁ ମଝିରେ ମୁଁ–ମୋ ରାଇଫଲ ନଳି ଗରମ ହୋଇଯାଇଥାଏ–ମୋର ନିଶ୍ୱାସ ସୋଁ-ସୋଁ ହୋଇ ବହୁଥାଏ–ଦେହଟାରୁ ଝାଳ ବୋହି ଜାମା ପେଣ୍ଟ ଦେହରେ ଲାଗିଯାଇଥାଏ । ଗୋଡ଼ରେ ମୋର କମ୍ପ ହେଲା ପରିକା ହେଇ ଥରୁଥାଏ ପାଦ ଝୁଲି ଓ ଆଣ୍ଠୁ ।

Image

(ତାରଙ୍ଗ ବଣରେ)

 

ଯେଉଁ ଲୋକଟି ଗଛରେ ବସି ଏସବୁ କାଣ୍ଡ ଦେଖୁଥାଏ ସେ ତଳକୁ ଆସି ମୋ ପାଦର ଧୂଳି ନେଲା । ମୋର ସାଙ୍ଗମାନେ ଦୌଡ଼ି ଦୌଡ଼ି ଆସିଲେ–କହିଲେ, କ’ଣ ବିପଦରେ ପଡ଼ି ମୁଁ ମିସିନ୍‌ଗନ୍‌ ମାଇଲା ପରି ଗୁଳି କଲି ? ଯେମିତି ତିନିଟା ଭାଲୁର ଅବସ୍ଥା ଦେଖିଲେ ଦୁହେଁ ଆସି ମୋତେ କୁଣ୍ଢେଇ ପକାଇଲେ । ସେତେବେଳକୁ ମୋର ଆଣ୍ଠୁ ଥରିବା ବନ୍ଦହେଲା–ମନଟା ଖୁବ୍‌ ଖୁସି ହେଲା । ପନ୍ତା କରୁଥିବା ଲୋକେ ସବୁ ଜମା ହେଲେଣି ଆମକୁ ଘେରି । ସମସ୍ତେ ଆସି ‘‘ବାଃ ବାଃ କେନ୍ତା ହେଲା’’ କହିଲେ–ଖୁବ୍‌ ଖୁସି ହେଲେ । ଦଶମିନିଟ କାଳ ବିତିଲା ସେଇଠି । ସମସ୍ତେ ଭାଲୁମାନଙ୍କୁ ଟିକିନିଖି କରି ଦେଖୁଥାନ୍ତି–କେତେଟା ଗୁଳି ବାଜିଛି ଗଣୁଥାନ୍ତି–ଏକଥରକେ ସମସ୍ତେ କଥା କହୁଥାନ୍ତି-ଜଙ୍ଗଲଟା ଘୋ ଘୋ କରୁଥାଏ ସେ ହଲ୍ଲା ଆନନ୍ଦରେ ।

 

ଉତ୍ତେଜନା କମିଲାରୁ ପନ୍ତାବାଲା କହିଲେ ଆଉ ଗୋଟିଏ ଛୋଟ ପନ୍ତା କରିବେ–ସେଠି ଅନ୍ତତଃ ଗୋଟିଏ ସମ୍ୱର ମାରି ଦେବାକୁ ନେହୁରା ହେଲେ । ଗାଁରେ ଅନେକ ଦିନ ହେଲା ମାଉଁସ ପାଟିରେ ଲାଗିନାହିଁ । ଦିନ ସେତେବେଳକୁ ବାରଟା; ଭୋକରେ ଶୋଷରେ ଆମର ପାଟି ଆଫା-ଆଫା । ଗାଁର ଲୋକେ ମନ କରିଚନ୍ତି; ତାଙ୍କୁ ନିରାଶ କରିବା ଠିକ୍‌ ହେବ ନାହିଁ ବୋଲି ହଁ ଭରିଲୁ ଆମେ । ଫେରେ ଅଧ ମାଇଲିଏ ବାଟ ଗଲୁ ବଣ ଭିତରେ–ଗୋଟିଏ ପାହାଡ଼ର କାନ୍ଥିରେ ଆମେ ରହିଲୁ । ପନ୍ତାର ଲୋକେ ଗଲେ ପାହାଡ଼ ସେ ପାଖରୁ ଘଉଡ଼ି ଆଣିବାକୁ ଜନ୍ତୁଜୁନ୍ତା ।

 

ପାଞ୍ଚ ମିନିଟ ଖଣ୍ଡେ ବସିଚୁ କି ନାହିଁ ବଳରାମ ଆଡ଼ୁ ଶୁଭିଲା ‘ଢୋ’ । ଯାଇ ଦେଖେ ତ ଗୋଟିଏ ସମ୍ୱର ଶିଙ୍ଗାଳ ପଡ଼ିଛି । ସେ କହିଲା, ସେଠି ଚାରୋଟି ସମ୍ୱର ବାହାରିଲେ–ଦୁଇଟି ମାଈ ଦୁଇଟି ଶିଙ୍ଗାଳ–ସେଥିରୁ ଏଇ ଶିଙ୍ଗାଳଟିକୁ ସେ ଗୁଳି କଲାରୁ ବାକିତକ ନେଉଟି ଗଲେ ପର୍ବତ ଉପରକୁ । ସାଙ୍ଗେ ସାଙ୍ଗେ ଲୋକଙ୍କୁ ସବୁ ଡାକିଲୁ–ସିଟିମାରି ସମସ୍ତେ ଏକଜୁଟ ହେଲାରୁ ଆମେ କହିଲୁ ଚାଲ ଗାଁଠିକି–ପାଣି ପିଇବା । ସେମାନେ ଆଉରି ଗୋଟେ ଯୋଡ଼େ ପନ୍ତା କରିବାକୁ ଭାବିଥିଲେ । ଆମେ ନାହିଁ କଲାରୁ ସମ୍ୱରକୁ କାନ୍ଧେଇ ଚାଲିଲେ ଗାଁକୁ ।

 

ବାଟଯାକ ଆମେ କଥାବାର୍ତ୍ତା ହୋଇ ଚାଲିଥାଉଁ । ମଇନୁଦ୍ଦିନ୍‌ କହିଲେ, ଗୋଟିଏ ବିରାଟ ଦନ୍ତା ବାର୍‌ହା ତାଙ୍କ ପାଖ ଦେଇ ଗଲା–ପ୍ରଥମ ପନ୍ତାରେ । ବାର୍‌ହା ତ ସେ ମାରନ୍ତିନି–ମାରିଲେ ନାହିଁ । ଆମ ମତରେ ସେପରି ଭାବରେ ନିପୁଣ ପନ୍ତା କରିବାରେ ଏଇ ତାରଙ୍ଗ ଗାଁର ଲୋକ ଖୁବ୍‌ ପାରିବାର । କେହି ବେଶି ଶବ୍ଦ କରିନାହାନ୍ତି–ଧୀରେ ଧୀରେ ଜଙ୍ଗଲରେ ଖାଲି ଗୋଟିଏ ଗୋଟିଏ ଚାଲି ଚାଲି ଆସିଲେ । ଏତେ ବଡ଼ ପର୍ବତକୁ ମୋଟେ ଏଗାର ଜଣ ଲୋକ ହକାଳି ଦେଲେ–ଯେମିତି ଜନ୍ତୁ ଶିକାରୀ ପାଖରେ ବାହାରିବ–ଆଉ ଘୋଡ଼ା-ଦୌଡ଼ ପରି ଜୋରରେ ନଯାଇ ଆସ୍ତେ ଆସ୍ତେ ଚାଲିକି ଯିବ, ଯେମିତି ବାଣୁଆର ସୁବିଧା ହବ ମାରିବା ପାଇଁ । ସେମାନେ ବାମଣ୍ଡା ରାଜାଙ୍କର ଶିକାର ପାଇଁ ଆଡ଼ି କରି କରି ଶିଖିଚନ୍ତି ।

 

ଗାଁର ବାରିପଟୁ ଆମେ ପଶିଲୁ ଗାଁକୁ–ସିଧା ଯାଇ ଭାଗବତ ଘରଠେଇ । ସେଠି ଦେଖିଲାବେଳକୁ ଗୋଟିଏ ଚଉତରାର ତିନି ଖୁଣ୍ଟିରେ ଭାଲୁମାନଙ୍କୁ ବନ୍ଧା ହୋଇଛି–ଆଉ ଗାଁଯାକର ପିଲା ମାଇପେ ଆସି ଦେଖୁଚନ୍ତି । ଆମେ ସେଠି ପହଞ୍ଚିଲା ମାତ୍ରେ ଦଳେ ସ୍ତ୍ରୀଲୋକ ଫୁଲ, ବରକୋଳି ପତ୍ର, ଅରୁଆ ଚାଉଳ, ଦୂବ ଥାଳିଆରେ ଆଣି ଆମକୁ ବନ୍ଦାଇଲେ–ମୋତେ ତ ଖୁବ୍‌ ଲାଜ ଲାଗିଲା । ଗୋଟିଏ କାନ୍ଧି ପାଚିଲା କଦଳୀ ଗୋଟିଏ ନଡ଼ିଆ ଆଉ ଗୌଣୀଏ ଚୁଡ଼ା ଆଣି ଥୋଇଲେ ଆମ ପାଖରେ ଖାଇବାକୁ । ସେ ସାହିର ଭୀମ ଗଉଡ଼ ଗୋଟିଏ ସରାରେ ସରାଏ ଦହି ଆଣିଦେଲା । ଆମେ ଗୋଟେ ଗୋଟେ କଦଳୀ ଖାଇ ସେଠୁ ପୁଳାଏ ସମ୍ୱର ମାଉଁସ ଧରି ବିଦାହେଲୁ–ଦେଓଗଡ଼ ଯିବାକୁ । ଗାଁର ସବୁ ଲୋକେ କହିଲେ ପୁଣି ଥରେ ସେଠିକି ଯିବା ପାଇଁ; ଗୋଟିଏ ବଡ଼ ରକମ ରାଜୁଡ଼ା ଶିକାର ପାଇଁ ସବୁ ଯୋଗାଡ଼ ହେବ ।

 

X X X

 

ଏବେ କେତେ ବର୍ଷ ବିତିଗଲାଣି ଆଉ ଆମେ ଏକାଠି ହେଇ ପାରିନୁ କି ସେ ଗାଁକୁ ଯାଇନୁ ।

 

ଅଧଘଣ୍ଟିଆ ଶିକାର

 

ବାମଣ୍ଡା ରାଜ୍ୟର ଲୋକେ, ଦେଖିଲି, ଏମିତି ପନ୍ତା ଶିକାର କରିବାରେ ଖୁବ୍‌ ପାରିବାର-। ଦିନେ ମୋର କାମ ଥାଏ ଦେଓଗଡ଼ରେ–ମୁଁ ସକାଳୁ ସମ୍ୱଲପୁରଠୁ ଜଳଖିଆ ଖାଇ ବାହାରିଲି-। ସମ୍ୱଲପୁରଠୁ ଆଠମାଇଲ ପରେ ଜଙ୍ଗଲ ପଡ଼େ । ସେତେବେଳେ ସଡ଼କଟା ମୋରମ୍‌ ରାସ୍ତା ଥାଏ–ଦୁଇପାଖରେ ସୁନ୍ଦର ଶାଳ ଜଙ୍ଗଲ । ବଡ଼ରମା ଘାଟି ପର୍ଯ୍ୟନ୍ତ ବାଉଁଶ ଜଙ୍ଗଲ ବି ଢ଼େର୍‌–ସେଠି ଗୟଳ ବହୁତ ଦିଶନ୍ତି ସଡ଼କ ଦୁଇପାଖରେ । ମୁଁ ବାହାରିବାର ଟିକେ ବେଶି ବେଳ ହେଇଗଲା–ସେ ଘାଟିରେ କିଛି ଜନ୍ତୁ ଦିଶିଲେନି । ଘାଟି ପରେ ଠିକ୍‌ ଦୁଇପାଖ ଜଙ୍ଗଲରେ କେବଳ ଶାଳଗଛ–ଭୂଇଁଠୁ ପଚାଶ ଶହେ ଫୁଟ ସିଧାସଳଖ ଗଛ ସବୁ । ଜଙ୍ଗଲର ମାଟି ନାଲିଆ ବାଦାମି ରଙ୍ଗ–ଗଛଛାଇରେ ବେଶି ଅନାବନା ବୁଦା ଲଟି ନାହିଁ–କେବଳ ଠାଏ ଠାଏ ମାଟିକୁ ଲାଗିକି ଥାଏ ଛୋଟ ଛୋଟ ଫୁଲଗଛ–ଆଉ ଯେଉଁ ଲତା ଘାସ ସାହେବମାନେ ଗାଙ୍ଗୁଲାରେ ନେଇ ରଖନ୍ତି ଘର ବାରନ୍ଦା ସଜାଇବା ପାଇଁ ସେଇ ଗଛ । ଦିଶୁଥାଏ ଯେମିତି ବଣ ନୁହେଁ, ଗୋଟିଏ ବଗିଚା । ମାଇଲ ମାଇଲ ଧରି ସୁନ୍ଦର ନାଲି ରଙ୍ଗର ମୁରମ୍ ସଡ଼କ–ଦୁଇପାଖେ ଏହିପରି ବଣ । ଦେଖି ଦେଖି ପେଟ ପୂରିଯାଉଥାଏ । ଧୀରେ ଗାଡ଼ି ଚଳେଇ ଚାଲିଥାଏ–ବଡ଼ରମା ପାରିହୋଇ କେତେଗୁଡ଼ିଏ ବାଟ ଗଲାପରେ ଗୋଟିଏ ବଡ଼ ଧରଣର ଗାଁ ପଡ଼ିଲା । ଦେଖିଲି, ସଡ଼କ ଉପରେ ଢେର୍‌ ଲୋକ କାମ କରୁଛନ୍ତି–ସଡ଼କ ମରାମତି କାମ । ଗାଡ଼ି ରଖି ଓହ୍ଲେଇଲି–ଜଣେ ଛାଟିଆକୁ ପଚାରି ବୁଝିଲି ଯେ ସେ ଗାଁର ନାଁ ଜାମୁତ୍‌କେରା । ଦୁଇ ଚାରିଜଣ ଭେଣ୍ଡିଆ ବେଢ଼ିଯାଇଥାନ୍ତି ମୋତେ ଓ ମୋର ୧୯୩୩ ମଡ଼େଲ ଖୋଲା ଗାଡ଼ିକୁ । କଥା ହେଉ ହେଉ ପଚାରିଲି ସେ ପାଖରେ ତ ବଣଟା ସୁନ୍ଦର ଦିଶୁଥାଏ, ଜନ୍ତୁଜୁନ୍ତା କେମିତି ଅଛନ୍ତି–ଶିକାର ପାଇଁ ଆସିଲେ ହବ କି ? ଜଣେ ମୋତେ ପଚାରିଲା କେତେ ସମୟ ପାଇଁ ମୁଁ ସେଠି ରହିପାରିବି ଶିକାର ପାଇଁ ? କାହିଁକି ସମୟ କଥା ପଚାରିଲା ବୋଲି ମୁଁ ଖୋଳେଇ କରି ପଚାରିବାରେ ସେ କହିଲା ଯେ ସେ ଗାଁ ପାଖଆଖ ଜଙ୍ଗଲରେ ପନ୍ତା ଶିକାର ପାଇଁ ଭଲ ଥାନ ଅଛି–ତିନିଘଣ୍ଟିଆ ପନ୍ତାରେ ବାଘ, ଗୟଳ, ସମ୍ୱର, ଭାଲୁ ହେରିକା ବାହାରିବେ–ଦୁଇଘଣ୍ଟିଆ ପନ୍ତାରେ ବାଘ ଭାଲୁ ସମ୍ୱର–ଏକ ଘଣ୍ଟିଆ ପନ୍ତାରେ ବାଘ ନାହିଁ-ଅଧଘଣ୍ଟିଆ ପନ୍ତାରେ ଗୋଟେ ଅଧେ ସମ୍ୱର ମିରିଗ ବାହାରିବେ । ଏତକ ଶୁଣି ମୋତେ ଖୁବ୍‌ କଉତୁକ ଲାଗିଲା–କହିଲି ଯେ ମୋର ଦେଓଗଡ଼ରେ କାମ ଗୋଟାଏ ସରିକି ସରିବ । ମୁଁ ତିନିଟା ସୁଦ୍ଧା ତାଙ୍କ ଗାଁମୁଣ୍ଡରେ ପହଞ୍ଚିବି–ଘଣ୍ଟେ ପାଇଁ ରହିପାରିବି ଶିକାରପାଇଁ–ପନ୍ତାଳିଆ ଯୋଗାଡ଼ କରି ରଖିବେ–ସେଇ ଗାଁମୁଣ୍ଡଠେଇ । ସବୁ ହଁ ଭରିଲେ–ମୋତେ ପାଣି ସରବତ ଖାଇବାକୁ ଦେଲେ–ମୁଁ ଗଲି ଦେଓଗଡ଼କୁ ।

 

ଠିକ୍‌ ତିନିଟା ବାଜିଲା ବେଳକୁ ମୁଁ ପହଞ୍ଚିଲି କଣ୍ଟଥାନଠି । ତିନିଜଣ ଲୋକ ମୋତେ ଅନେଇ ବସିଥିଲେ । ସୁକୁଟା ଉଠି କୁହାଟଟିଏ ଦେଲାରୁ ଆଉ ଆଠଜଣ ଭେଣ୍ଡିଆ ଆସି ଜୁଟିଲେ ସେଠି ।

 

ତରଭର ହୋଇ ସବୁ ବଣରେ ପଶିଲେ–ସୁକୁଟା ମୋତେ ସାଙ୍ଗରେ ନେଇ ଗାଁର ପଶ୍ଚିମକୁ ଯେଉଁ ଡୁଙ୍ଗୁରିଟି (ଛୋଟ ପାହାଡ଼) ଦେଖାଯାଉଥିଲା, ତାରି ନାସି ଆଡ଼କୁ ଚାଲିଲା । ପ୍ରାୟ ଅଧମାଇଲ ଯାଇ ଗୋଟିଏ କେନ୍ଦୁ ଗଛମୂଳେ ପୁରୁଣା ଉଇହୁଙ୍କା ଉପରେ ଦୁଇଚାରିଟା ଛୋଟ ଶାଳଗଛର ଡାଳ ସୁକୁଟା ପାରିଦେଲା–ମୋତେ ସେଇଠି ବସିବାକୁ କହି ସେ ବଣରେ କୁଆଡ଼େ ପଶିଗଲା । ପାଞ୍ଚ ମିନିଟ୍‌ ଖଣ୍ଡେ ବସିଚି, ଦେଖିଲି ଗୋଟିଏ ସମ୍ୱର ଶିଙ୍ଗାଳ ଆସି ମୋ ସାମନାରେ ପଚାଶ ଗଜ ଦୂରରେ ଠିଆହୋଇ ପଛକୁ ଫେରି ଅନାଇଲା । ବଡ଼ ସୁବିଧା ହେଲା ମୋତେ ଲାଖ କରିବାକୁ । ତା’ ସାମନା ଗୋଡ଼ର ଚଟୁଆ ପଛକୁ ଲାଖକରି ଘୋଡ଼ା ଟିପିଲି । ଠିକ୍‌ ସେତିକିବେଳେ ସମ୍ୱରଟା ଟିକେନାକୁ ଚମକି ଉଠିଲା ପରି ହେଇ ମୋ ଆଡ଼କୁ ଡେଇଁ ପଡ଼ିଲା ଯେ ଗୁଳିଟା ଠିକ୍‌ ହୃତ୍‌ପିଣ୍ଡରେ ନ ଲାଗି ପଛକୁ ଲାଗିଲା । ଶିଙ୍ଗାଳଟା କୁଦାମାରି ମୋତେ ପାର ହୋଇ ପଛପଟ ବଣର ଲଟିରେ ପଶିଗଲା । ସେତେବେଳକୁ ସୁକୁଟା ତା’ ପଛରୁ ବାହାରି ଟାଙ୍ଗିଆଟିଏ ଉଚାଇ ତା’ ପଛେ ପଛେ ଦୌଡ଼ିଗଲା । ଟିକେ ପରେ ବାକି ସବୁ ପନ୍ତାଳିଆ ଆସି ମୋ ପାଖରେ ରୁଣ୍ଡ ହେଲେଣି । ପଛ ଲଟିରୁ ସୁକୁଟା ପାଟିକଲା ଯେ ଜନ୍ତୁଟା ସେଠି ପଡ଼ିଚି ବୋଲି । ସମସ୍ତେ ହୋ-ହୋ ହୋଇ ଦୌଡ଼ିଗଲେ ସେଠିକି । ମୁଁ ଯାଇ ଦେଖେ ତ ଜନ୍ତୁଟା ମରିଯାଇଚି ।

 

ମୋତେ ତାଜୁବ୍‌ ଲାଗିଲା ଯେ ସେ ଲୋକମାନେ ପନ୍ତାରେ ଏତେ ବଡ଼ ଡୁଙ୍ଗୁରିଟା କଳି ଆଣିଲେ–ଗୋଟିଏ ଜନ୍ତୁ ଥିଲା ଯେ, ତାକୁ ଆଣି ମୋ ଆଗରେ ପହଞ୍ଚାଇ ଦେଲେ–ହେଲେ, ଏତେ ଟିକେ ସୋର-ଶବଦ କିଛି କରି ନାହାନ୍ତି । ସୁକୁଟାର କୁହାଟରେ ଯେମିତି ଜାଣିଲେ ଜନ୍ତୁଟା ମରି ପଡ଼ିଚି ସେଇଠୁ ଯାଇ ଖୁସି ହୋଇ ‘ହୋ-ହୋ’ ପାଟିକଲେ । ବଡ଼ ଧୁରନ୍ଧର ସେଠାର ଲୋକମାନେ ଦେଖିଲି । ତାଙ୍କର ପାରିଲାପଣ ଏତିକିରେ ସରିଲା ନାହିଁ ତ । ମୋତେ ସେ ଜଙ୍ଗଲରୁ ବାହାରି ଗାଡ଼ି ପାଖକୁ ଆସିବାକୁ ଆଉ ସେଠି ସୁରାଇରୁ ପାଣି ମୁନ୍ଦେ ପିଇବାକୁ ହୁଏତ ଅଧଘଣ୍ଟେ ଲାଗିଥିବ କି ନାହିଁ–ତାରି ଭିତରେ ସେମାନେ ଜନ୍ତୁଟିକୁ ଛାଲିଦେଇ ଗୋଟିଏ ଫଡ଼ିଆ ଓ ଛାଲଟି ଆଣି ମୋ ଗାଡ଼ିରେ ଥୋଇଦେଲେ–ମୁଁ ସମ୍ୱଲପୁରକୁ ବାହାରିଗଲି ।

 

X X X ନାନାପ୍ରକାର କାମଧନ୍ଦାରେ ବ୍ୟସ୍ତ ରହି ମୁଁ ଆଉ ସେ ଗାଁକୁ ଯାଇ ପାରିନାହିଁ କି ତାଙ୍କର ଘଣ୍ଟିକିଆ, ଦି’ଘଣ୍ଟିଆ କି ତିନି ଘଣ୍ଟିଆ ପନ୍ତା ଶିକାର ଦେଖିପାରି ନାହିଁ । ଓଡ଼ିଶାର ଢେର୍‌ ବଣରେ ପନ୍ତା ଶିକାର କରିଚି–ଏମିତି ପାରିବାର ପନ୍ତାଳିଆ ମୋର ନଜରରେ ପଡ଼ିନାହାନ୍ତି କୋଉଠି ।

 

ଡାଲିଯୋଡ଼ା ବାଘ

 

ଡିସେମ୍ୱରର ହାଡ଼ଥରା ଜାଡ଼ । ମେଲେରିଆ ଜ୍ୱରରେ କମ୍ପ ଆସିଲା ଭଳି ଦେହ କମ୍ପି ଉଠିଲା ଶୀତରେ । ନିଦ ଭାଙ୍ଗିଗଲା । କନାର ଛୋଟ ଖଟିଆଟି ମୋର, ମାଟିରୁ ମୋଟେ ଚାଖଣ୍ଡେ ଉଚ୍ଚା । ଗଲା ଯୁଦ୍ଧରେ ଏଇ ଖଣ୍ଡିକ କିଣିଥିଲି ଲଢ଼ୁଆ ଗୋଇ (Trench) ରେ ଦରକାର ହେବ ବୋଲି । ସେହି ଚଉତା-ଖଟରେ (Folding bed) ଗୋଟିଏ କମ୍ୱଳଦ୍ୱାରା ଶୀତକୁ ସମ୍ଭାଳି ହେଲାନି । ତା’ ଛଡ଼ା ତଳର ମାଟିଟା ଥିଲା ସନ୍ତସନ୍ତିଆ । ଉପରେ କେବଳ ତମ୍ୱୁର କାନ୍‌ଭାସ୍‌ଟି । ତମ୍ୱୁର ପତଳା କନା କାନ୍ଥ, ମାଟିରେ ଛୁଏଁ-ନ-ଛୁଏଁ । ସେଇ ଫାଙ୍କ ଦେଇ ପାହାଡ଼ିଆ ଥଣ୍ଡା ପବନ ରାତି ତମାମ ଦେହରେ କେବଳ ଲାଗି ନ ଥାଏ ଯେ, ଦେହ ଭିତରର ହାଡ଼ଗୁଡ଼ାକୁ ଠକ୍‌ଠାକ୍‌ କରି ନଚଉଥାଏ । ଆଉ ପାରିହେଲାନି । ରାତି ଆହୁରି ପହରେ ବାକି । ନିଦ ଭାଙ୍ଗିଗଲେ ।

 

କମ୍ୱଳଟାକୁ ଦେହରେ ଘୋଡ଼ିହୋଇ ତମ୍ୱୁ ବାହାରକୁ ବାହାରି ଆସିଲି । ତମ୍ୱୁ ଆଗରେ ଯେଉଁ କରଞ୍ଜ ଗଛଟା ଅଛି, ତାରି ତଳେ ରାସ୍ତାକୁ ଲାଗି ଗୋଟିଏ ଧୁନି ଲାଗିଥିଲା ସଞ୍ଜବେଳେ । ନିଆଁ ଏବେ ବି ଅଛି, ଲିଭିନି । ସେଇଠି ଗୋଟା କେତେ ଖଣ୍ଡ ଶୁଖିଲା କାଠଗର ପକେଇ ଉସ୍‌କେଇ ଦେଲି ନିଆଁକୁ; ଆଉ ସେଇ ନିଆଁକୁ ଆଶ୍ରା କରି ଦି’ ମିନିଟ ବସିଛି କି ନାହିଁ–କୁଶ, ବୁଢ଼ା, ଲବ ଓ ପିଟର୍‌ ହୁଗ୍‌ଲାର ଲ୍ୟାଣ୍ଡରୋଭରରେ ଫେରିଆସି ହାଜର

 

ଗାଡ଼ିଟାର ବ୍ରେକ୍‌ ଧରୁ ନ ଧରୁ, କୁଶ କୁଦାମାରି ଆସି ମୋ ପାଖରେ ବସିପଡ଼ି ତା’ ହାତ ଦୁଇଟାକୁ ତରବରରେ ନିଆଁ ଭିତରକୁ ପଣିଦେଲା । ଜଲ୍‌ଦି ଗରମ ହୋଇଯିବ ବୋଲି ଏବଂ ପାଟି କରି ଉଠିଲା ‘‘ହେ, ଅନନ୍ତ ଭାଇ ! କେଡ଼େ ମଉକାଟା ହାତଛଡ଼ା ହୋଇଗଲା । ଏଡ଼େ ଏଡ଼େ ଦୁଇଟା ବାଘ ପଳେଇଲେ । ତମେ କ’ଣ କଟକରେ ଶୋଇ ପାରି ନଥାନ୍ତ, ଏଠିକି ଆସି କାହିଁକି ଶୋଇଗଲ ?’’ .....ଏମିତି ଏମିତି କେତେ ଯେ କ’ଣ କହିଗଲା ମତେ, ଆଉ ଧିକାରି ଗଲା ତା’ କପାଳକୁ ଆଉ ସାଧାରଣ ଦୁନିଆଟାକୁ ସେଇ ମିନିଟ୍‌କ ଭିତରେ–କହିହବନି । ସେ ତା’ର ପିଲାଦିନୁ ସେମିତି ଗଡ଼ ଗଡ଼ କରି କଥା କହିଯାଏ ଓ ତା’ ହାତଗୋଡ଼ ମଧ୍ୟ କଥା କହିବାରେ ଅଭ୍ୟସ୍ତ ।

 

ତା’ କଥାରୁ ବୁଝିଲି ଯେ, ଆମେ ଶୋଇବା ପରେ ସେମାନେ–ବୁଢ଼ା, ଲବ, ପିଟର୍‌ ହୁଗ୍‌ଲାର୍‌, ମହେଶ ଓ ସେ ସମସ୍ତେ ଲ୍ୟାଣ୍ଡରୋଭରଟା ଧରି ବାହାରିଥିଲେ ସରିଷିଆପଦା ରାସ୍ତାରେ । ଖଣ୍ଡେ ବାଟ ଯାଇଛନ୍ତି କି ନାହିଁ, ହାତୀ ହାବୁଡ଼ରେ ପଡ଼ି ଫେରିଆସିଲେ । ଫେରି ଆସୁ ଆସୁ ଆମ କ୍ୟାମ୍ପର ସେ ପାଖ ରାସ୍ତାରେ ସଡ଼କ ମଝିଟାରେ ହଳେ ବାଘ ଦେଖିଲେ; ମୁଣ୍ଡଟାମାନ କାଳେ ହୈ–ଏଡ଼େ ବଡ଼ ବଡ଼ !! ଆଉ କେଶର ବି କାଳେ ସିଂହ ପରିକା ଅଛି । ସଡ଼କ ମଝିଟାରେ ସେଇ ବଡ଼ ବଡ଼ ଜନ୍ତୁ ଦି’ଟାକୁ ଦେଖି ତ ମନକୁ ଗାଡ଼ିଟା ଅଟକିଗଲା । କୁଶ ନିଜେ ଗାଡ଼ିଟା ଚଳଉଥିଲା । ତା’ କହିବା କଥା, ସେ ତରବର ହୋଇ ‘ଗୋଟିଏ ବନ୍ଧୁକ ଦିଅ, ଗୋଟିଏ ବନ୍ଧୁକ ଦିଅ’ ବୋଲି ନିକଟରେ ବସିଥିବା ଲୋକଙ୍କୁ କହୁଥାଏ । ଆଉ ସମସ୍ତେ ହାଁ କରି ବାଘକୁ ଦେଖୁଥାନ୍ତି । ବାଘୁଣୀ ବାଁ ପାଖ ଝୋପରେ ପଶିଗଲା । ଆଉ ବାଘ ସଡ଼କ ମଝିରେ ବସିଗଲା ।

 

ହେଡ଼୍ ଲାଇଟରେ ପରିଷ୍କାର ଦେଖାଯାଉଥାଏ, ଦଶଗଜ ହେବ କି ନାହିଁ । ଦଣ୍ଡେ ବସି ବାଘ ଭଲକରି ଦେଖିଲା ଗାଡ଼ିଟାକୁ ଓ ଗାଡ଼ିର ସବାର ଛଅଜଣ ଭେଣ୍ଡିଆ ଟୋକାଙ୍କୁ । ଅଳସ ଭାଙ୍ଗିଲା–ହାଇ ମାରିଲା–ଧୀରେ ଧୀରେ ଡାହାଣ ପାଖ ଜଙ୍ଗଲ ଭିତରକୁ ଚାଲିଗଲା । ଖଣ୍ଡେ ବାଟ ଯାଇ, ଫେର୍‌ ଫେରି ଚାହିଁଲା । ସେତିକିବେଳେ, ଗାଡ଼ି ପଛପଟୁ କିଏ ଜଣେ ବନ୍ଧୁକ ଢୋ କରିଦେଲା । ସେ ଆବାଜ୍‌ରେ ଗାଡ଼ି–ଭିତରର ସବୁ ଟୋକାଏ ଚମକି ଉଠିଲେ, ଆଉ ତରବର ହୋଇ ଯେଝା ବନ୍ଧୁକମାନ ଧରି ନିଶାଣ କଲାବେଳକୁ, ବାଉଁଶବୁଦା ଆଢ଼ୁଆଳରେ ‘ମାମୁ’ ଲୁଚିଗଲେ କେଉଁଠି ! ‘‘ଆଃ ! କି ମଉକାଟା ଛାଡ଼ିଲ ଅନନ୍ତ ଭାଇ ! ତୁମେ ଥିଲେ ନା....’’

 

ଏମିତି କହିଚାଲିଥାଏ କୁଶ । ବାକି, ସମସ୍ତେ ଆସି ରୁଣ୍ଡ ହୋଇଗଲେ ଧୁନି ଚାରି ପାଖରେ । ମାମୁ ଓ ନୀଳମଣି ବି ବିଛଣାରୁ ଉଠିଆସି, କ୍ୟାନ୍‌ଭିସ୍‌ର ଚଉଡ଼ା ଚୌକିଟିମାନ ଆଣି ବସିଗଲେଣି ।

 

X X X

 

୧୯୫୪ ମସିହା ଡିସେମ୍ୱର ମାସ ୩୦ ତାରିଖ ଦିନ ସକାଳୁ କୁଶ, ଲବ ସାଙ୍ଗରେ ପିଟର୍‌ ହୁଗଲାର ସାହେବଙ୍କୁ ଧରି ଆସି କଟକରେ ପହଞ୍ଚିଲେ । ଲବ, କୁଶ ତାଙ୍କ ବାପାଙ୍କ ନିକଟରେ ନେହୁରା ହେଲେ ଯେ ବର୍ଷ ଶେଷ–ଆଉ ନୂଆ ବର୍ଷ ପାଇଁ ତାଙ୍କୁ ଗୋଟିଏ ଶିକାର କ୍ୟାମ୍ପକୁ ନେବାକୁ ହେବ । ମାମୁ ମତେ ଖବର ଦେଲେ ଏଇ ଶିକାର ବନ୍ଦୋବସ୍ତ କରିବାକୁ ।

 

ତା’ ପୂର୍ବ ସପ୍ତାହରେ ଡାଲିଯୋଡ଼ାର ଜଣେ ଚିହ୍ନାଲୋକ ଆସି ମତେ କଟକରେ କହିଯାଇଥାଏ ଯେ, ଡାଲିଯୋଡ଼ା ଜଙ୍ଗଲରେ ଗୋଟାଏ ବିରାଟ ବଡ଼ ବାଘ ଆସି ଆଖପାଖ ଗାଁ-ଗଣ୍ଡାରୁ ବହୁତ ଗୋରୁ ମଇଁଷି ମାରିସାରିଲାଣି ।

 

ସେଇ ଡାଲିଯୋଡ଼ା ଜଙ୍ଗଲର ମାଲିକ–ପଞ୍ଚକୋଟର ରାଜା ସାହେବ–ମାସେ ହେବ ସେ ତାଙ୍କର ଡାଲିଯୋଡ଼ା କୋଠିରେ ଆସି ରହୁଛନ୍ତି । ପ୍ରତି ରାତିରେ ସେ ତାଙ୍କ ସାଙ୍ଗସାଥୀଙ୍କୁ ସାଙ୍ଗରେ ଧରି ପାରିଧି ପାଇଁ ଜଙ୍ଗଲରେ ରାତି କଟାନ୍ତି, ହେଲେ ବାଘଟାକୁ ମାରି ପାରୁନାହାନ୍ତି । ଏଣେ ବାଘଟା ପ୍ରତି ସଞ୍ଜକୁ ଗୋଟାଏ କରି ଗୋରୁ କିମ୍ୱା ମଇଁଷି ମାରୁଛି ।

 

X X X

 

ପଞ୍ଚକୋଟର ରାଜା ଶଙ୍କରିପ୍ରସାଦ ଜଣାଶୁଣା–ବନ୍ଧୁ କହିଲେ ବି ହେବ । ଡାଲିଯୋଡ଼ାର ପ୍ରାୟ ୫ ହଜାର ଏକର ଜଙ୍ଗଲ ତାଙ୍କର ନିଜର ସମ୍ପତ୍ତି । ଗଛପତ୍ର, ଜନ୍ତୁଜୁନ୍ତା ସବୁ ଉପରେ ତାଙ୍କର ମାଲିକାନା । ଜଙ୍ଗଲ ବିଭାଗର ହାକିମିରୁ ସେ ଜଙ୍ଗଲ ବାହାର । ରାଜା ସାହେବ ବର୍ଷରେ ମାସେ ଦି’ମାସ କଟାନ୍ତି ଏଇ ଡାଲିଯୋଡ଼ା କୋଠିରେ । ପଥରର ଗୋଟିଏ ବିରାଟ ଘର ତୋଳେଇଛନ୍ତି ଜଙ୍ଗଲ କାନ୍ଥରେ । ୟାଙ୍କର ଜେଜେବାପା କାଳେ ଖୁବ୍‌ ସଉକି ଲୋକ ଥିଲେ । ସେଇ ଟାଙ୍ଗିର ମଣ୍ଡଳ ଇଷ୍ଟେଟଠୁ ଏଇ ଜଙ୍ଗଲ କିଣି ଶିକାର ପାଇଁ ବେଶ୍‌ ସୁବିଧା କରିଥିଲେ । ତାଙ୍କ ଜଙ୍ଗଲର ଉତ୍ତରକୁ ଢେଙ୍କାନାଳ ଜିଲ୍ଲାର ସରିସାପଦା ରିଜର୍ଭ, ପଶ୍ଚିମକୁ ଆଠଗଡ଼ର ରିଜର୍ଭ ଓ ପୂର୍ବକୁ କଟକ ଜିଲ୍ଲାର କଳକଳା ରିଜର୍ଭ ଜଙ୍ଗଲ । ଏଇଭଳି ତେସମାଳି ଜାଗାରେ ରାଜା ସାହେବଙ୍କର ୫ ହଜାର ଏକର ଜଙ୍ଗଲ । କଣ୍ଟାବାଉଁଶ, ଶାଳ ଆଉ ନାନା ଜାତିର ଗଛଲତାରେ ନିଘଞ୍ଚ ହୋଇଥାଏ, ମଝିରେ ଗୋଟିଏ ବେଶ୍‌ ବଡ଼ ପାହାଡ଼ । ପାହାଡ଼ର ପଶ୍ଚିମପଟରେ ବହିଯାଇଛି ଝରଣାଟିଏ । ବର୍ଷଯାକ ସେଥିରେ ପାଣି ଥାଏ । ସେହି ଝରଣାର ଖୋଲ ପାଖକୁ ରାଜା ସାହେବ ଗୋଟିଏ ବାରଫୁଟିଆ ଘର ତୋଳେଇଥିଲେ । ସେହି ଘର ଭିତରେ ବସିଲେ, କାନ୍ଥର ଜଳା (Hole) ବାଟେ ଝରଣାଟି ପରିଷ୍କାର ଦେଖାଯାଏ ପ୍ରାୟ ଦଶ ପହଣ୍ଡ ଦୂରରେ । ବୁଢ଼ା ରାଜା ସେଇଠି ବସି ଖରାଦିନେ ବାଘ ମାରୁଥିଲେ ।

 

ଖରାଦିନେ ସେହି ଅଞ୍ଚଳରେ କେବଳ ଏଇ ଝରଣାରେ ପାଣି ରହେ । ଜଙ୍ଗଲର ସବୁପ୍ରକାର ଜନ୍ତୁଜୁନ୍ତା ଆସି ପାଣି ପିଅନ୍ତି ସେଇଠି । ଗୟଳ, ହାତୀ, ବାଘ, ସମ୍ୱର, ହରିଣ, ବାର୍‌ହା, ପେଣ୍ଡ୍ରା ଇତ୍ୟାଦି ବେଳ ଉଣ୍ଡି ଆସନ୍ତି ସେଠିକି ପାଣି ଆଶାରେ । ସେହି ପକ୍‌କା ପଥର ଘରକୁ ଗାଡ଼ି ଯିବା ଭଳିଆ ଗୋଟିଏ ଜଙ୍ଗଲ ରାସ୍ତା ରାଜା ସାହେବ ତିଆରି କରିଥିଲେ । ରାସ୍ତାଟି ବୁଲି ବୁଲି ଜଙ୍ଗଲର ସବୁଆଡ଼େ ଘୂରି ଯାଇ ପୁଣି ଫେରିଆସିଛି ସେଇ ପଥର ନଅର ନିକଟକୁ । ନଅରଠୁ ଚଉଦୁଆର ଉଡ଼ାଜାହାଜ ଘାଟି ପ୍ରାୟ ପାଞ୍ଚ ମାଇଲ ।

 

ବୁଢ଼ା ରାଜା ଥିଲାବେଳେ ପାରିଧିକୁ ବରାବର ଆସୁଥିଲେ । ସଉକ ବୁଢ଼ାର ଖୁବ୍‌ ଥିଲା । ବାଘ-ଫାଘର ଦାଉ ଆଖପାଖ ଗାଁଗଣ୍ଡାର ଲୋକେ ଭୋଗୁ ନ ଥିଲେ । ଏବେ, ଏ ଯେଉଁ ରାଜା ସାହେବ ଶଙ୍କରିପ୍ରସାଦ, ସେ ଟୋକା–ତାଙ୍କର ସଉକ ଅନ୍ୟପ୍ରକାର । ପାରିଧିକି ଯେ ସେ ନଯାଆନ୍ତି ତା’ ନୁହେଁ, ପ୍ରାୟ ସବୁଦିନ ରାତିରେ ତାଙ୍କର ପାରିଧି ହୁଏ; କିନ୍ତୁ ସେମିତି କିଛି ଗୋଟାଏ ମାରିବାର ଶୁଣାଯାଏନି । ବୁଢ଼ା ରାଜା ଥିବା ସମୟରେ ଗୋଟିଏ ବଡ଼ ମଟର ଗାଡ଼ିରେ, ତାର-ଜାଲ ଲଗେଇ ଘର ପରିକା କରିଥିଲେ । ସେହି ଗାଡ଼ିର ଲୁହାତାର ଘେରା ଭିତରେ ଗଦି ଚଉକିରେ ବସି ଏ ଟୋକା ରଜା ସାଙ୍ଗଫାଙ୍ଗ, ବାଈଜୀ ଧରି ଶିକାର ପାଇଁ ବାହାରନ୍ତି । ମଟର ସାମନା ସିଟ୍‌ ପାଖକୁ ବଡ଼ ବଡ଼ ଆଲୁଅ ଲାଗିଛି ଯେ, ଜଙ୍ଗଲର ଲଟା ବୁଦା ଭିତରୁ ମୂଷାଟିଏ ବି ବାହାରିଲେ ପରିଷ୍କାର ଦେଖାଯାଏ । ସେଇଥିରେ ବସି ରାଜାସାହେବ ଶଙ୍କରିପ୍ରସାଦ ସଞ୍ଜ ସକାଳ ଜଙ୍ଗଲରେ ଘୂରନ୍ତି–ଖୁବ୍‌ ଇଚ୍ଛା ଗୋଟାଏ ବାଘ ମାରିବାକୁ ।

 

ଅଳ୍ପ କେତେଦିନ ହେବ ତାଙ୍କ ସହିତ ମୋର ଜଣାଶୁଣା ହୋଇଥାଏ । ସେ ମତେ ନିମନ୍ତ୍ରଣ କରିଥାନ୍ତି ତାଙ୍କ ଜଙ୍ଗଲରେ ପାରିଧି କରିବାକୁ । ହେଲେ ୟା ବି କହିଥାନ୍ତି ଯେ ସବୁ ଜନ୍ତୁ ମାରିପାରିବ, କେବଳ ବାଘଗୁଡ଼ିକୁ ଖୋଦ୍‌ ତାଙ୍କ ଶିକାର ପାଇଁ ଛାଡ଼ିଦେବାକୁ ହେବ । ମୁଁ ସେଇଥିଯୋଗୁ ମଙ୍ଗୁଳିକୁ କହିଥିଲି ଯେ, ରାଜାଙ୍କ ଜଙ୍ଗଲ ବାହାରେ ଯଦି କେବେ ମଢ଼ କରେ, ମତେ ଖବର ଦେବାକୁ । ସେଇ ଖବର ଆଶାରେ ଅପେକ୍ଷା କରିଥିଲି ।

 

ଯେତେବେଳେ ମାମୁ ଲବ କୁଶକୁ ସାଙ୍ଗରେ ନେଇ ଶିକାର ଯିବା କଥା କହିଲେ, ସେତେବେଳେ ମୋର ମନେ ପଡ଼ିଗଲା ଏଇ ଡାଲିଯୋଡ଼ା ଜଙ୍ଗଲ କଥା । କାରଣ ଅଳ୍ପ ସମୟ ଭିତରେ ବେଶୀ ଜନ୍ତୁ ଦେଖିବାକୁ ହେଲେ, ହୁଏ ଟିକରପଡ଼ା ପାଖଆଖ ଜଙ୍ଗଲକୁ, ନ ହେଲେ ଏଇ ଡାଲିଯୋଡ଼ା ଜଙ୍ଗଲକୁ ଯିବା କଥା ।

 

ପଞ୍ଚକୋଟ ରାଜାସାହେବଙ୍କ ନିକଟକୁ ଖବର ପଠେଇଲି ଯେ, ଆମେ ଜଙ୍ଗଲ ଭିତରେ ବସା ଓ ତମ୍ୱୁରେ ରହିବୁ ଦୁଇଦିନ । ସେତେବେଳେ ରାଜାସାହେବ ତାଙ୍କର ଡାଲିଯୋଡ଼ା ନଅରଠି ଥା’ନ୍ତି ।

 

ଡିସେମ୍ୱର, ୩୦ ତାରିଖ ସକାଳୁ ଆମେ ସବୁ ଆସି ବଣରେ ଭୋଜି କରି ଦିନଟା କଟେଇଲୁ । ସଞ୍ଜ ହେବାର ଆଗରୁ ପାଖଆଖ ତଇଲାରେ ବୁଲି ଗୋଟିଏ କୁଟୁରା ମାରିଥାଉ ।

 

ସଞ୍ଜରେ ଗୋଟିଏ ଗାଡ଼ିରେ ସମସ୍ତେ ବାହାରିଲୁ ପିଟର୍‌ ହୁଗ୍‌ଲାରକୁ ଜନ୍ତୁ ଦେଖେଇବାକୁ । ଆମର ରହିବା ଜାଗାରୁ ଶହେ ଗଜ ଯାଇଛୁ କି ନାହିଁ ରାସ୍ତା ଉପରେ ଯୋଡ଼ିଏ ଠେକୁଆ ଦେଖିଲୁ । ହୁଗ୍‌ଲାର ସାହେବଙ୍କୁ ଗୋଟିଏ ୧୨ ଗଜ ବନ୍ଧୁକ ଦେଇଥିଲି ବ୍ୟବହାର କରିବାକୁ । ସେ ସେଥିରେ ୪ ନମ୍ୱର ଗୁଳି ପୂରେଇ, ଗାଡ଼ିରୁ ଡେଇଁପଡ଼ିଲେ ଓ ଠେକୁଆ ମାରିବାକୁ ବନ୍ଧୁକ ଉଚାଉ ଉଚାଉ ସେଗୁଡ଼ିକ ବୁଦା ଭିତରେ ଲୁଚିଗଲେ । ସାହେବ ବଡ଼ ବ୍ୟସ୍ତ ହୋଇ ଏପଟ ସେପଟ ଖୋଜିବାରେ ଲାଗିଥାଏ । ମତେ ଖୁବ୍‌ ହସ ମାଡ଼ିଲା ଯେ ଠେକୁଆ ତ ପଣ ପଣ ଦିଶିବେ, ଏଇ ଦିଇଟା ପାଇଁ ସାହେବର ଏତେ ଅସ୍ତବ୍ୟସ୍ତ କିଆଁ ? କିଛି ସମୟ ପରେ ପିଟର୍‌ ଫେରିଆସି ବଡ଼ ଅବଶୋଷ୍‌ କଲା । କହିଚାଲିଲା ତାଙ୍କ ଦେଶ ସୁଇଜର୍‌ଲ୍ୟାଣ୍ଡ କଥା...

 

ସେଠି କାଳେ ଏଇପରିକା ଠେକୁଆ-ଶିକାରଟା ଖୁବ୍‌ ଗୋଟିଏ ବଡ଼ ଜନ୍ତୁ ଶିକାର । ସେ ଦେଶରେ ଆଉ ବଡ଼ ଜନ୍ତୁ ବୋଇଲେ ପାହାଡ଼ରେ କାଁ-ଭାଁ ଦୁଇ ଚାରିଟା ଜଙ୍ଗଲି ଛେଳି । ସେ ଦେଶଟା ଖୁବ୍‌ ସୁନ୍ଦର । ପାହାଡ଼ମାଳାର ଉପର ଭାଗ ବରଫ ଓ ତଳ ଭାଗ ଆଡ଼କୁ ସୁନ୍ଦର ସୁନ୍ଦର ଗଛଲତାରେ ଛାଇ ହୋଇଯାଇଥିବା ଖୋଲ ଅନେକ । ସେଇ ଗଛଗହଳିର ଭିତର ଦେଇ କୁଳୁ କୁଳୁ କରି ବହିଯାଉଛି ଝରଣା; ତା’ର ପାଣି ଖୁବ୍‌ ସଫା, କାଚ ପରିକା । ପାହାଡ଼ କାନ୍ଥମାନଙ୍କରେ ସେଠାର ବାସିନ୍ଦାସବୁ ସୁନ୍ଦର ସୁନ୍ଦର ଘର କରି ଥାଆନ୍ତି । ନାନା ଦେଶର ଲୋକେ ସେଠାକୁ ବୁଲିବାକୁ ଆସନ୍ତି । ସେ ଦେଶର ସବୁଠୁ ବେଶି ରୋଜଗାର ହୁଏ ଏଇ ବୁଲି ଆସୁଥିବା ବିଦେଶୀମାନଙ୍କ ପାଇଁ ।

 

ଦଳ ଦଳ ଲୋକ ଆସି ଜମା ହୁଅନ୍ତି ଏଇ ପାହାଡ଼ମାନଙ୍କରେ ବଣଛେଳି ଦେଖିବାକୁ । ପିଟର୍‌ କହିଲା, ତା’ର ପିଲାଦିନେ ଏମିତି ସବୁ ବିଦେଶୀ ଦେଖଣାହାରି ଦଳ ଆସିଲେ, ସେ ତାଙ୍କର ନିଜ ଭାଷାରେ ପାଟିକରି ଉଠେ ‘‘ମା, ଗୋ ! ଛେଳିଗୁଡ଼ାକ ଗୁହାଳରୁ ଛାଡ଼ି ଦେ । ଦେଖଣାହାରି ଢେର୍‌ ଆସିଲେଣି ।’’

 

ତା’ର ମା’ ଘରର ଛେଳିଗୁଡ଼ିକୁ ବାରିପଟ ଜଙ୍ଗଲରେ ଛାଡ଼ିଦେଇ ଆସେ । ଏଣେ ପିଟର୍‌ , ବିଦେଶୀ ଦେଖଣାହାରିଙ୍କୁ ଏପଟେ ପାହାଡ଼ମାଳା ଦେଖାଉ ଦେଖାଉ ପାହାଡ଼ ଉପରେ ଛେଳି ଚରୁଥିବାର ଦୃଶ୍ୟ ଦେଖେଇ ପଇସା ରୋଜଗାର କରେ । ସେଠି ତ ଛେଳି ଶିକାର ମନା । ତେଣୁ ଡର ନ ଥାଏ ଯେ ତା’ ଛେଳିକୁ କେହି ଗୁଳି କରି ମାରିଦେବ ।

 

ଏ ଗପ ଶୁଣି ଆମେ ବହେ ହସିଲୁ । ସମସ୍ତେ ଗାଡ଼ିରେ ବସିଲୁ । ଫେର୍‌ ଗାଡ଼ି ଚାଲିଲା-। ଗୋଟିଏ ଫୋକ୍‌ଶ୍‌ କଲାଭଳି ବଡ଼ ଆଲୁଅ ଗାଡ଼ିରେ ଲାଗିଥାଏ । କୁଶ ସେହି ଆଲୁଅଟିକି ବଣର ଏଣେତେଣେ ପକାଉଥାଏ ।

 

ଜନ୍ତୁଜୁନ୍ତା ବୁଦାମୂଳରେ ଲୁଚିଥିଲେ ବି ଏଇ ଆଲୁଅରେ ତାଙ୍କ ଆଖିଟାମାନ ଜଳଜଳ ହୋଇ ଦିଶେ; ଆଉ ସାଧାରଣ ଜନ୍ତୁ ଜଳକା ହୋଇ ଯାଆନ୍ତି । ଯାଇପାରନ୍ତିନି କୁଆଡ଼େ । ଶିକାରୀ ମନଇଚ୍ଛା ବେଳ ନେଇ ଗୁଳି ଚଳେଇପାରେ । ସେଇଥିପାଇଁ ଏପରି ଶିକାର କରିବା ଜଙ୍ଗଲ-ଆଇନ୍‌ରେ ମନା ।

 

ଭଲ ଶିକାରୀ, ଖେଳବାଡ଼ ଶିକାରୀମାନେ କେବେହେଲେ ଗାଡ଼ିରେ ବସି ଶିକାର କରନ୍ତିନି । ସେଇଟା ରାଜା-ରାଜୁଡ଼ାଙ୍କର ଶିକାର ଖେଳିବା ପାଇଁ ସୁବିଧା; ଆଉ ଗଡ଼ଜାତର ଜଙ୍ଗଲରେ ପ୍ରାୟ ସେମିତି ଶିକାର ହେଉଥିଲା ।

 

ଆମେ ସେଦିନ ଗାଡ଼ିରେ ବୁଲୁଥିଲୁ ଶିକାର ଆଶାରେ ନୁହେଁ, କେବଳ ପିଟର୍‌ କୁ ଜନ୍ତୁ ଦେଖେଇବା ଉଦ୍ଦେଶ୍ୟରେ । ତା’ପରଦିନ ସେ କଲିକତା ଫେରିଯିବାର କଥା । ତା’ ଛଡ଼ା ପଞ୍ଚକୋଟ ରାଜାଙ୍କର ନିଜର ଜଙ୍ଗଲରେ ରାତିରେ ବୁଲିବା ବେଆଇନ୍‌ ନୁହେଁ ।

 

ଖଣ୍ଡେ ବାଟ ଆଗେଇଗଲା ପରେ, ହଳେ ମିରିଗ ଦେଖାଗଲେ ବାଁ ପାଖ ଜଙ୍ଗଲ ଭିତରୁ- ଗାଡ଼ିଟା ଠିଆହେବା ଆଗରୁ ପିଟର୍‌ ଡେଇଁପଡ଼ି ବନ୍ଧୁକ ଧରି ଦଉଡ଼ିଲା ଜଙ୍ଗଲ ଭିତରକୁ-। ମୁଁ ତ ମନା କରିଥାଏ ଗାଡ଼ି ଉପରୁ କୌଣସି ଜନ୍ତୁକୁ ଗୁଳି କରିବାକୁ; କାରଣ ସେଇଟା ଭଲ ସୌଖୀନ ଶିକାରୀର ଲକ୍ଷଣ ନୁହେଁ; ଯିଏ ପାରେ ସିଏ ତ ଗାଡ଼ି ଉପରେ ବସି ବାଘକୁ ବି ଗୁଳି ମାରି ଦେଇ ପାରିବ ।

 

ପିଟର୍‌ର ଧପ୍‌ ଧପ୍‌ ଧପାସ୍‌ ଶବ୍ଦରେ ମିରିଗହଳଟା ପଳେଇଲେ । ପିଟର୍‌ ବଡ଼ ଦୁଃଖରେ ମନ ମାରି ଫେରିଆସି ବସିଲା । ଗାଡ଼ି ପୁଣି ଚାଲିଲା । କିଛି ଦୂର ଯାଇଛି କି ନ ଯାଇଛି ସୁ-ସୁ ଇସାରା ଶବ୍ଦରେ ଗାଡ଼ି ଠିଆହେଲା । ଦେଖାଗଲା, ବାଉଁଶ ବୁଦା ଗହଳି ଭିତରୁ ଯୋଡ଼ିଏ ଆଖି । ଏଥର ମଧ୍ୟ ପିଟର୍‌ ଗାଡ଼ିରୁ ତଳକୁ ଡେଇଁପଡ଼ି ଦୌଡ଼ିଲାରୁ ଜନ୍ତୁ ପଳାଇ ଗଲେ । ଗଲାବେଳେ ଦେଖାଗଲା ସେଇଟା ଥିଲା ସମ୍ୱର ଶିଙ୍ଗାଳଟିଏ । ତା’ପରେ ଦେଖିବାକୁ ମିଳିଲେ ହଳେ ଭାଲୁ । ଆମ ଗାଡ଼ି ଦେଖି ଦୁହେଁ ଦଉଡ଼ୁଥାନ୍ତି ବୁଦାଭିତରକୁ । ଆମର ବୀର ଶିକାରୀ ପିଟର୍‌ ପୁନରାୟ ଦଉଡ଼ିବାକୁ ଆରମ୍ଭ କଲାବେଳେ ମୁଁ ଧରିରଖିଲି ତାକୁ । ବାର ଗଜ ନଳିରେ କ’ଣ ଭାଲୁ ମାରିହୁଏ ? ଭାଲୁ ଘାଉଲା ହେଲେ ଭାରୀ ରାଗେ ଓ ତା’ର ଟିକେ ବି ଡର-ଭୟ ରହେନି । ମାଡ଼ି ଆସିବ, ଶିକାରୀ ଦେହରେ ହାତ ମାରିଲେ ତ ତା’ର ଅନ୍ତବୁଜୁଳା ସବୁ ବାହାରି ପଡ଼ିବ । X X X

 

ସେତେବେଳକୁ ରାତି ପ୍ରାୟ ଦଶଟା ବାଜିଲାଣି । ଡିସେମ୍ୱର ମାସ । ଜଙ୍ଗଲର ଥଣ୍ଡା ପବନରେ ଦେହର ଲୋମ ଟାଙ୍କୁରି ଉଠିଲାଣି । ଦାନ୍ତ ପାଟି ଠକ୍‌ ଠକ୍‌ ହେଲାଣି । ମୁଁ ତ ମୋଟା ମୋଟା ଦୁଇଟା ଉଲ ସ୍ୱେଟର ପିନ୍ଧିଥାଏ । ତେବେ ବି ଏତେ ଶୀତ ! ଦେଖେ ତ ପିଟର୍‌ ହୁଗଲାର୍‌ ଦେହରେ କେବଳ କନାର ଖଣ୍ଡେ ଖାକି ସାର୍ଟ, ଗେଞ୍ଜି ନାହିଁ । ଏଣେ ଛାତିରେ ଦୁଇଟା ବୋତାମ ଖୋଲା । ମୁଁ ତ ତା’ର ଏ ବେଶ ଦେଖି ତାଟକା ! ଲୋକଟାକୁ ଶୀତ ହେଉନି କେମିତି ? କଥା କ’ଣ, ମୁଁ ତାକୁ କାରଣଟା ପଚାରିଲି । ସେ ହସିଲା, ତା’ ଦେଶ ସୁଇଜରଲ୍ୟାଣ୍ଡର କଥା କହିଲା । ସେଠିକାର ଥଣ୍ଡା କଳନା କରି ହବନି । ସେ ଦେଶର ଶୀତରେ ସେ ପିଲାଦିନୁ ବଢ଼ିଛି, ତେଣୁ ଆମ ଏଇ ଗରମ ଦେଶର ଶୀତ ତାକୁ ଜଣା ପଡ଼େନି ।

 

ମଣିଷ ଦେହ, କ’ଣ ସହେ ଆଉ କ’ଣ ସହିପାରେନି, ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଶୀତଦାଉରେ ଆଉ ସମ୍ଭାଳି ହେଲାନି, କହିଲି ‘‘ଗାଡ଼ି ଫେରାଅ, କ୍ୟାମ୍ପକୁ ଯିବା ।’’

 

ସେତେବେଳକୁ ଆମେ ଘାଟି ପାର ହୋଇ ସରିଷିଆପଦାର ରିଜର୍ଜ ଜଙ୍ଗଲ ପାଖାପାଖି ହେଲୁଣି । ଗାଡ଼ି ଫେରିଲା । ଗୋଟାଏ ଫର୍ଲଙ୍ଗ ରାସ୍ତା ଯାଇଛୁ କି ନାହିଁ ଡାହାଣ ପାଖ ବଣରେ ଦେଖିଲୁ ଦଳେ ହାତୀ । ଫେର୍‌ ପିଟର୍‌ ହୁଗୁଲାର୍‌ ଡେଇଁ ପଡ଼ି ବାହାରିଥିଲା ପାଖକୁ ଯିବାକୁ । ମନାକଲାରୁ କହିଲା, ‘‘ଜନ୍ତୁଗୁଡ଼ାକ ବଡ଼ ନିରୀହ ଦେଖାଯାଉଛନ୍ତି । ଟିକିଏ ସେମାନଙ୍କ ପାଖକୁ ଯାଇ ଭଲକରି ଦେଖିବାର କଥା । କିନ୍ତୁ ବଣୁଆ ହାତୀର ତୋଡ଼ କେତେ, ସେକଥା ତାକୁ ବୁଝେଇବାକୁ ମୋତେ ଢେର୍‌ ବେଳ ଲାଗିଲା । ସେତେବେଳକୁ ଆମେ ଆସି କ୍ୟାମ୍ପ ନିକଟରେ ପହଞ୍ଚିଗଲୁଣି ।

 

ସମସ୍ତେ ଗାଡ଼ିରୁ ଓହ୍ଲାଇ ମାମୁଙ୍କ ପାଖରେ ଗପିଗଲୁ କ’ଣ କ’ଣ ହେଇଗଲା । କୁଶର ତ ବଡ଼ପାଟି । ସେ କ’ଣ କାହାକୁ କିଛି କୁହାଇଦେଲା ? ତା’ ପାଟିରେ ଆଉ କାହାରି କଥା ଶୁଣି ହେଲାନି । ପିଟର୍‌ ହୁଗ୍‌ଲାର୍‌ ତ ଏକଦମ୍‌ ଉତ୍ତାଳ ହୋଇ ଉଠିଥାଏ । କଥାବାର୍ତ୍ତା ଚାଲିଥାଏ । ଏଣେ ସୁରେଶ ଓ ହାଡ଼ିଆ ଦୁହେଁ ଆମ ଖାଇବାର ବାଢ଼ିଦେଲେ । ଗଛମୂଳର ଧୁନି ଚାରିପାଖରେ ସମସ୍ତେ ବସି ଖାଇଲୁ । ଖାଇପିଇ ସାରି ମାମୁ, ଗୁରୁପ୍ରସାଦ, ନୀଳମଣି ଓ ମୁଁ ଶୋଇବାକୁ ଗଲୁ ଓ ବାକି ଟୋକାତକ ପିଟର୍‌ ହୁଗ୍‌ଲାର୍‌କୁ ବାଘଟିଏ ଦେଖେଇବାକୁ ଗାଡ଼ି ଧରି ପୁଣି ବାହାରି ପଡ଼ିଲେ । ବୁଲି ବୁଲି ରାତିପାହାନ୍ତାକୁ ପଶ୍ଚିମ ପାଖରେ ରାସ୍ତା ଉପରେ ଯୋଡ଼ିଏ ବାଘ ଦେଖି ଫେରିଆସି କହିଚାଲିଥାନ୍ତି ଧୁନି ଚାରିପଟେ ବସି ମୋ ଆଗରେ ।

 

ଗାଡ଼ିର ହେଡ଼୍‌ ଲାଇଟରେ ସେମାନେ ଦେଖିଲେ ଦୁଇଟା ବାଘ । ବାଘ ଓ ବାଘୁଣୀ ଗାଡ଼ିକୁ ପଛକରି ଚାଲିଥାନ୍ତି ରାସ୍ତା ମଝିରେ । ଗାଡ଼ିଟା ଯେମିତି ସେମାନଙ୍କ ନିକଟକୁ ଆଗେଇ ଗଲା, ପ୍ରାୟ ଦଶଗଜ ଦୂର ବାକି, ବାଘୁଣୀଟା ବାଁପାଖ ବାଉଁଶ ବଣକୁ ଚାଲିଗଲା । ଏମାନେ ଆଉ ତାକୁ ଦେଖି ପାରିଲେ ନାହିଁ । କିନ୍ତୁ ବାଘଟା–ଯାହାର ମୁଣ୍ଡଟା ‘ହୈ, ଏତେବଡ଼–କେଶର ସିଂହପରି ବାହାରିଛି’–ସେଇଟା ରାସ୍ତା ମଝିରେ ବସି ଗାଡ଼ିକୁ ଭଲକରି ଦେଖିଲା–ଅଳସ ଭାଙ୍ଗିଲା–ବେଶ୍‌ ଆପଣା ମନକୁ ଧୀରେ ଧୀରେ ଡାହାଣ ପାଖ ବାଉଁଶ ବଣକୁ ଚାଲିଗଲା । ଜଙ୍ଗଲ ଭିତରୁ ସେ ଯେତେବେଳେ ପଛକୁ ଫେରି ଗାଡ଼ିଆଡ଼େ ନଜର ହେଲା, ବୁଢ଼ା ଢୋ–କରି ବନ୍ଧୁକ ଫୁଟେଇଥିଲା ।

 

କୁଶ କଥାରେ ଆମେ ସମସ୍ତେ ତ ମଜ୍ଜି ଯାଇଥିଲୁ ଖିଆଲ ନାହିଁ କାହାର, କେତେବେଳୁ ସିନ୍ଦୂରା ଫାଟି ସକାଳ ହେଲାଣି । ସୂର୍ଯ୍ୟ ଉଠି ଦେଖାଦେଲେଣି ଆକାଶରେ । ସୁରେଶ ଆସି ସମସ୍ତଙ୍କୁ ଚାହା ଦେଇଗଲାଣି ନଜର ନାହିଁ କାହାରି । କେହି କେହି କହି ଉଠିଲେଣି, ସିଧା ସେଇଠୁ ବାଘ ପିଛା କରିବାକୁ ।

 

ଶୀତଦିନ, କଅଁଳ ଖରାରେ ବାଘ-ବାଘୁଣୀ ଖରା ଖାଉଥିବେ । ମାମୁ କହିବାକୁ ଆରମ୍ଭ କଲେ, ‘‘ବାଘ ବାଘୁଣୀ ଏକାଠି ସାଙ୍ଗହୋଇ ବୁଲିବା ମାନେ ସେମାନଙ୍କ ଭିତରେ ଗୋଟାଏ ଭାବଲାଭ ବଢ଼ିଉଠିଛି; ଆଉ ଏଇ ସମୟରେ ସେମାନଙ୍କ ପାଖକୁ ଯିବାଟା ବଡ଼ ବିପଦ–ସେ ଖାଇଯିବଟି ।’’ ଅମୁ ଥାଇ ଥାଇ କହିଉଠିଲା, ‘‘ହଁ, ବଡ଼ି ସକାଳଟାରୁ ବର୍ତ୍ତମାନ ତ କାହାରି ନିତ୍ୟକର୍ମ ସରିନି–ଏଇ ଅବସ୍ଥାରେ ବାଘର ଚେହେରାଟା ଦେଖିପକେଇଲେ ନା, ପୋଖରୀପାଣି ସଫା ହୋଇଯିବ ।’’ ସମସ୍ତେ ହୋ ହୋ ହୋଇ ହସି ଉଠିଲେ, ପରିବେଶଟା ବେଶ୍‌ ଜମିଥିଲା ।

 

ତା’ପରେ ସମସ୍ତେ ନିଜ ନିଜ କାମଧନ୍ଦା ବଢ଼େଇବାରେ ଲାଗିପଡ଼ିଲେ । ପିଟ୍‌ର୍‌ ହୁଗ୍‌ଲାର୍‌ ଓ କୁଶ ଦୁହେଁ କଟକ ଫେରିଆସିଲେ; କାରଣ ତାଙ୍କର ସେ ଦିନ କଲିକତା ଫେରିଯିବାର କଥା । ବାକି ଯେଉଁମାନେ ରହିଗଲେ, ସେମାନଙ୍କୁ ସବୁ ଦଳ-ଦଳ କରି ପଠେଇଦେଲି ଶିକାର କରିବାକୁ । ଦୁଇ ଦୁଇ ଜଣ ହୋଇ ଚାଲି ଚାଲି ଯିବା କଥା ବଣ ଭିତରେ । ବାଘ ଦେଖିଲେ କେହି ମାରିବେ ନାହିଁ ବୋଲି ସେମାନଙ୍କୁ କୁହାଗଲା । ରାଜା ସାହେବ ଆମକୁ କହିଥାନ୍ତି, ତାଙ୍କ ବଣର ବାଘ କେବଳ ସେ ନିଜେ ମାରିବେ । ତା’ ଛଡ଼ା ପିଲା ଏସବୁ ନୂଆ ଶିକାର କରି ଶିଖିବାକୁ ବାହାରିଛନ୍ତି । ତଳେ ଠିଆ ହୋଇ ଛୋଟ ରାଇଫଲ୍‌ କିମ୍ୱା ବାରଗଜ ଦୁଇନଳିଆରେ ବାଘକୁ ମାରିଲେ ସେ ଘାଉଲା ହେବ ସିନା, ମରିବ ନାହିଁ । ବାଘ ଥରେ ଘାଉଲା ହେଲେ ସାଂଘାତିକ ବ୍ୟାପାର... ।

 

ତା’ ଛଡ଼ା ରାଜାସାହେବ ଜଙ୍ଗଲର ପଶ୍ଚିମ ଭାଗରେ ଗଲା ଦୁଇ ସପ୍ତାହ ହେବ ଗୋଟିଏ ଦି’ଟା ଜାଗାରେ ମଇଁଷି ବାନ୍ଧୁଥାନ୍ତି ବାଘ ପାଇଁ । ସେପାଖ ଜଙ୍ଗଲ ବେଶି ଘଞ୍ଚ । ବାଉଁଶ ବଣ, ସାଗୁଆନ ଗଛ-ଗହଳିରେ ଖରା ତଳେ ପଡ଼େନି । ଆଉ ମଝିରେ ମଝିରେ ପାଣି ଥିବା ଭଲ ଥଣ୍ଡା ଜାଗାସବୁ ଅଛି । ଆମେ ପୂର୍ବ ପଟର ଖୋଲା ଜଙ୍ଗଲରେ କ୍ୟାମ୍ପ କରିଥାଉ, ଆଉ ସେଇ ପାଖରେ ଶିକାର ପାଇଁ ବୁଲାବୁଲି କରୁଥାଉଁ । ବାଘ ଏ ତରଫକୁ ଆସିବାର କଥା ନୁହେଁ ।

 

ଟୋକାଟୋକାଳିଆ ସବୁ ଶିକାର ପାଇଁ ତଇଲା ଆଡ଼େ ଚାଲିଯିବାରୁ, ମୁଁ ଆଉ ମାମୁ ବସି ଗପିବାକୁ ଆରମ୍ଭ କରିଦେଲୁ ସେ ବାଘକଥା । ମୋର ମନେ ହେଲା–ବାଘର ନିଶ୍ଚୟ ଗୋଟାଏ ବିଶେଷତ୍ୱ ଅଛି ଯେ ତା’ ହାବୁଡ଼ରେ ପଡ଼ିଗଲେ ମଣିଷ ନିର୍ଜୀବ ଭଳି ହୋଇଯାଏ । ପିଟର୍‌ ହୁଗ୍‌ଲାର୍‌ କଥା ମନେ ପଡ଼ିଗଲା । ସେ ବିଦେଶୀ ଲୋକ । ବଣରେ କେବେ ବାଘ ଦେଖି ନଥିବ; କାରଣ କୌଣସି ଗୋଟାଏ ଜନ୍ତୁ ତା’ ନଜରରେ ଯେବେ ପଡ଼ିଯାଇଥିଲା ସେ ଡେଇଁ ପଡ଼ୁଥିଲା ବନ୍ଧୁକ ଧରି । ଏମିତିକି ହାତୀ, ଭାଲୁ ପାଖକୁ ଚାଲିଯିବାକୁ ମଧ୍ୟ ଡରୁ ନଥିଲା । ବାଘ ଦେଖି ତା’ ପାଟିରୁ ଟୁଁଉଁଟିଏ ବି ବାହାରିଲା ନାହିଁ–କି ସେ ଆଉ ଆଗ ଭଳି ଛନଛନ ହେଲାନି ।

 

ମାମୁଙ୍କର ମୋର ବସି ମସୁଧା କଲୁ କେମିତି ସେଠୁ ବାଘଟିଏ ମାରିବୁ । ରାଜାସାହେବ ଦୁଃଖ କରିବେନି । ଏଣେ ଗାଁଗଣ୍ଡାରେ ଯୋଉ ବାଘଭୟ ହୋଇଛି ସେଇଟା ମଧ୍ୟ ଯିବ ।

 

ଡାଲିଯୋଡ଼ାର ସୁକୁଟା ଆମର କ୍ୟାମ୍ପ କଥା ଶୁଣି କାଲି ଆସିଥିଲା । ବହୁତ ନେହୁରା ହୋଇ କହିଲା, ‘‘ବାବୁ ! ସେ ରଜା ତ ଖିଆଲୀ ଲୋକ । ରାତି ରାତି ହୋଇ କେତେ ରାତି ବିତିଗଲାଣି, ହେଲେ ମାରି ପାରୁନାହାନ୍ତି ବାଘକୁ । ଏଣେ ବାଘ ଆମ ଗାଁରୁ ରୋଜ ଗୋଟାଏ ଗୋଟାଏ କରି ଗୋରୁ ମଇଁଷି ମାରୁଛି । ରାଜା ସାହେବ ମଇଁଷି କିଣି ବାଘ ପାଇଁ ବଣରେ ବାନ୍ଧୁଛନ୍ତି; ହେଲେ ବାଘ ତାକୁ ଖାଉନି, ଆମରି ଗାଁ ଗଣ୍ଡାର ଦୁହାଁଳୀ ଗାଈ, ମଇଁଷି, ଚାଷକଲା ପଣ୍ଡା, ବଳଦଙ୍କୁ ସବୁ ମାରି ଖାଉଛି ବାବୁ ! ତମେ ହେଲେ ସେ ବାଘଟାକୁ ମାରିଦିଅ ।’’ କଥା କହୁ କହୁ ଆଖିରେ ଲୁହ ଜମିଆସୁଥିଲା ସୁକୁଟାର । ମଙ୍ଗୁଳି ବି ଏଥିରେ ହଁ ଭରିଲା ।

 

ଏମିତିକା ଅନେକ ଖବର-ଅନ୍ତର ଉପରେ ଗପ କରୁ କରୁ ବେଳ ଗଡ଼ିଯାଇଥାଏ । ବୁଢ଼ା, ଅମୁ ହେରିକା ଦଳ ଦଳ ହୋଇ ଜଙ୍ଗଲରୁ ଫେରିଲେ । କିଏ କହିଲା, ‘‘କୁଟୁରାଟା ମତେ ଦେଖି ପଳେଇଲା’’; ଆଉ କିଏ କହିଲା, ‘‘ଠିକ୍‌ ବନ୍ଧୁକଟା ଉଠେଇଲା ବେଳକୁ ପବନଟା ଆମ ପଛରୁ ବହିଲା ଯେ ଗନ୍ଧ ବାଜିଗଲା ମିରିଗ ପଞ୍ଝାଙ୍କ ନାକରେ, ତା’ପରେ ଯାଃ, ଆଖି ପିଛୁଳାକେ ସବୁ ଶୁନ୍‌ଶାନ୍ ।’’ –ଏଇମିତିକା ଅନେକ କଥା । ତଥାପି ଯାହା ହଉ ସଞ୍ଜକୁ ଖାଇବା ପାଇଁ ପୁଞ୍ଜାଏ ହରଡ଼ ଚଢ଼େଇ, ଆଉ ଗୋଟିଏ ବାର୍‌ହା ଆଣିଥା’ନ୍ତି ।

 

ସଞ୍ଜବେଳକୁ ରାଜାସାହେବ ତାଙ୍କ ସାଙ୍ଗସାଥୀ ଧରି ଆସି ଆମ କ୍ୟାମ୍ପରେ ହାଜର । ଆମେ ତାଙ୍କୁ ଚାହା ଆଉ ବାର୍‌ହା ମାଂସଭଜା ଦେଲୁ । ସେ ବସି ଗପ ଜମେଇ ଆମକୁ ଖୁବ୍‌ ହସେଇଲେ । ଯିବା ଆଗରୁ କହିଗଲେ, ସେ କୋଉଠି ବଣରେ ମଇଁଷି ବାନ୍ଧିଛନ୍ତି ଆମେ ଯେମିତି କେହି ନ ଯାଉ ।

 

ସେ ଚାଲିଗଲା ପରେ, ଆମେ ଦୁଇଦଳ ହୋଇ ଗଲୁ । ମାମୁଁ, ଅମୁ ଓ ଲବକୁ ନେଇ ଗଲେ ପୂର୍ବ ପାଖର ତଇଳା ପାର ହୋଇ ସୋଫା ଆଡ଼େ । ଆଉ ମୁଁ ଗୁରୁ, ବୁଢ଼ା ଓ ନୀଳମଣିକୁ ନେଇ ଡାଲିଯୋଡ଼ା ଗାଁ ପାଖର ବଣରୁ ବାହାରି ଗଲି ଗୁରୁଡ଼ୁଝାଟିଆ ଆଡ଼େ ପଶ୍ଚିମ ପଟକୁ । ସଞ୍ଜ ପହରେ କୋଉଠି ବାଘଟା ଗାଁ ପାଖ ପଡ଼ିଆରେ ପଇଁତରା ମାରେ ବୋଲି ବାସୁଆ ଦେଖିଥିବାର କହୁଥିଲା ।

 

ଆମେ ରାଜାସାହେବଙ୍କ ନଅର ପଛପଟ ଶଗଡ଼ଗୁଳାରେ ପ୍ରାୟ ଦୁଇ ମାଇଲ ଯାଇଛୁ, ଗୋଟାଏ କୁପ୍‌ ପାଖକୁ ଆସିଗଲୁ । ସେଠିକାର ଗଛ ସବୁ କଟା ହୋଇଥାଏ । ପଚାଶ କି ଶହେ ଏକର ଜଙ୍ଗଲ ପଦା । ସେଇ କପିସ୍‌ ବଣର ଚାରି ପାଖରେ କୋଡ଼ିଏ ଫୁଟର ରିଜର୍ଭ ଲାଇନ୍‌ । ସେଇଥିରେ ଆମ ଗାଡ଼ି ଚାଲିଥାଏ, ହଠାତ୍‌ ଦୂରରୁ ଯୋଡ଼ିଏ ମିଟିମିଟି ଆଖି ଦେଖାଗଲା । ଭାବିନେଲି, ବୋଧହୁଏ କୁଟୁରାଟାଏ । ଗାଡ଼ି ରଖିଲୁଁ । ଗାଡ଼ିରୁ ଓହ୍ଲେଇ ଦୂରବୀଣ ଦେଇ ଦେଖିଲି । ଛାତିଟା ତ ଦାଉଁକିନା ହୋଇଗଲା, ହାତରୁ ଦୁରବୀଣଟା ଖସିପଡ଼ିଲା ଭଳି ଜଣାପଡ଼ିଲା; ପାଟିରୁ ହଠାତ୍‌ ବାହାରି ପଡ଼ିଲା ‘ବାଘ’ । ଗାଡ଼ିରେ ଥିଲେ ସାତ ଜଣ ଲୋକ । ସେଠିକାର ରେଞ୍ଜର ବାବୁ ବି ଆମ ସାଙ୍ଗରେ ଥା’ନ୍ତି । ତାଙ୍କୁ ମଧ୍ୟ ଦୁରବୀଣଟା ବଢ଼େଇଦେଲି, ସେ ଦେଖିଲେ ବାଘଟା କେମିତି ଆରାମରେ ଶୋଇଛି । ଆଖି ତା’ର ଅଧା ବନ୍ଦ ହୋଇଛି । ସେଇଥିଯୋଗୁ ବୋଧେ ଆମ ଆଲୁଅରେ ତା’ ଆଖି ଛୋଟ ଛୋଟ ଦେଖାଯାଉଥାଏ । ନୀଳମଣି ଦୂରବୀଣଟା ନେଇ ଦି ମିନିଟ୍‌ ଦେଖିଲା ପରେ ଗୁରୁ, ବୁଢ଼ା, ମଙ୍ଗୁଳି ସବୁ ପାଳିକରି ଦେଖିଲେ । କଥା ଠିକ୍‌ ହେଲା ମାରିବା । ଏଇ ବାଘଟା ଗାଁଗଣ୍ଡାର ଗୋରୁ ମଇଁଷି ମାରି ଖାଉଛି । ରେଞ୍ଜର ବାବୁ ତ ଜାଣିଥାନ୍ତି ରାଜାସାହେବଙ୍କ କଥା । ସେ କହିଲେ, ଏଇ ଜାଗାଟା ରାଜାସାହେବଙ୍କ ଜଙ୍ଗଲ ବାହାରେ । ସେଇଟା ଆଠଗଡ଼ ଡିଭିଜନର ରିଜର୍ଭ ଜଙ୍ଗଲ, ଆଉ ମୋର ତ ରିଜର୍ଭ ଜଙ୍ଗଲରେ ପାରିଧି କରିବାପାଇଁ ବର୍ଷିକିଆ ଛାଡ଼ (Permit) ଥିଲା । ତା’ ବଳରେ ଏ ବାଘ ଶିକାର ମୁଁ କରିପାରେ । ନୀଳମଣି ଆମର ସେଠି ଅତିଥି । ମୁଁ ତାକୁଇ କହିଲି ମାରିବାକୁ । ତାଙ୍କର ଗୋଟିଏ ଛୋଟ ରାଇଫଲ ଥାଏ .୨୬୫ ମଉଜାର । ସେ ନାହିଁ କଲେ; କାରଣ ଏତେ ଦୂରରୁ ସେଭଳି ରାଇଫଲ୍‌ ଭଲ କାମ ଦେବନି । ଶେଷରେ ମୋରି ଉପରେ ସମସ୍ତଙ୍କର ନଜର; ମତେ ହିଁ ମାରିବା ପାଇଁ ସମସ୍ତେ କହିଲେ ।

 

ଗାଡ଼ିତଳେ ଠିଆହୋଇ ଦେଖିଲି । ସାମନାରେ ପଡ଼ିଥିବା କଟାଗଛ ଯୋଗୁ ବାଘଟା ଭଲ ରକମ ଦେଖାଯାଉନି । ଲ୍ୟାଣ୍ଡରୋଭର୍‌ର ବନେଟ୍‌ ଉପରେ ଠିଆ ହେଲାରୁ ଟିକିଏ ଭଲ ଦେଖାଗଲା । ହେଲେ ମାରିବାକୁ ଡର ଲାଗୁଥାଏ । ମାଟି ଉପରୁ ତ ମୁଁ ଜମା ତିନି ଫୁଟ ଉଚ୍ଚରେ, ବାକି ଅନ୍ୟ ସମସ୍ତେ ଗାଡ଼ି ଚାରିପାଖରେ ତଳେ ଛିଡ଼ା ହୋଇଛନ୍ତି । ମୋର ରାଇଫଲ .୩୫୫ ମଉଜାର । ଠିକ୍‌ ସନ୍ଧି ଜାଗାରେ ଯଦି ଗୁଳି ନବାଜିବ ତା’ହେଲେ ଘାଉଲା ବାଘ ଚିହିଁକି ଆସିବ ଆମ ଉପରକୁ । ଜହ୍ନ ରାତିଟା ସିନା ଦିନ ପରିକା ଦିଶୁଛି, ହେଲେ ବାଘ ମାଡ଼ି ଆସିଲାବେଳେ କ’ଣ ପାଖରୁ ତା’ର ମୁଣ୍ଡକୁ ମାରିହେବ ? ଯଦିବା ବାଘ ଆମ ଉପରକୁ ନ ଆସେ, ତା’ହେଲେ ତ ପଛପଟର ବଣ ଭିତରକୁ ପଶିଯିବ । ସେପଟେ ତ ରାଜାସାହେବଙ୍କ ଜଙ୍ଗଲ । ସେ ବଣ ଭିତରକୁ ବାଘ ମାରି ଯିବିନି ବୋଲି କଥା ଦେଇଛି । ତା’ ଛଡ଼ା ରାଜାସାହେବ ତ ବର୍ତ୍ତମାନ ତାଙ୍କ ବନ୍ଧା ମଇଁଷିକି ଜଗି ପାଖାପାଖି କଉଠି ଗାଡ଼ିରେ ବସିଥିବେ । ଯଦି ଘାଉଲା ବାଘ ତାଙ୍କ ଉପରକୁ ଡେଇଁଲା ରାଗରେ ?

 

ଏମିତି ସବୁ ଅନେକ ଚିନ୍ତା ମୁଣ୍ଡ ଭିତରେ ଖେଳିଗଲା । ଏଣେ ନୀଳମଣି, ଗୁରୁ, ବୁଢ଼ା ଓ ରେଞ୍ଜର ବାବୁ ଲଗେଇଥା’ନ୍ତି ଗୁଳି ଚଳେଇବାକୁ । ମନ ଭିତରର ଡର କଥାଗୁଡ଼ାକ କେମିତି କହନ୍ତି ତାଙ୍କୁ ! ସମସ୍ତଙ୍କ କଥାର ଗୋଟିଏ ଜବାବ୍‌ ଦେଇ କହିଲି–‘ହଉ’ ।

 

ବାଘଟା ପ୍ରାୟ ଶହେ ଗଜ ଦୂରରେ ପଦାଟାରେ କରମାଡ଼ି ଶୋଇଥାଏ । ମୁଣ୍ଡଟା ଗୋଟାଏ ଗଉଣି ପରିକା ବିରାଟ ବଡ଼; ଆଉ ବେକଟା ଖୁବ୍‌ ମୋଟା । ଦୂରବୀଣରେ ଭଲକରି ଦେଖିଲି ଯେ ମୁଣ୍ଡକୁ ଲାଖ କଲେ ଠିକ୍‌ ହେବନି; କାରଣ ତା’ର ଥୋମଣିଟା ଆମ ଆଡ଼େ ଥାଏ । ଦେହରେ କଲିଜାକୁ ମାଇଲେ ବାଘ ନିଶ୍ଚୟ ଖଣ୍ଡେ ଦୂରକୁ ପଳାଇବ । ରାତିରେ ତାକୁ ଖୋଜି ବାହାର କରିବା କଷ୍ଟ । ତେବେ ରାଜାସାହେବଙ୍କର ଗାଡ଼ିରେ ଦଳେ ଲୋକ ବଣ ଭିତରେ; କାହାକୁ ହୁଏତ ଖାଇବ । ଭାବିଲି, ବେକରେ ଗୁଳି ମାଇଲେ ବାଘର ଉଠିବାର ବଳ ରହିବନି । ‘ସବୁ ଶିର ଯାକ ବେକରେ ବନ୍ଧା’–ସବୁ ଶିରା-ପ୍ରଶିରା ଛିଡ଼ିଯିବ ।

 

Image

(ଡାଲିଯୋଡ଼ାରେ ବାଘ)

 

ବୁଢ଼ାର କାନ୍ଧରେ କହୁଣି ରଖିଲି ଓ ତାକୁ କହିଲି ଟର୍ଚ୍ଚଟା ଠିକ୍‌ ରାଇଫଲ ନଳି ଉପରେ ପକେଇବାକୁ । ନିଶାଣ ନେଇ, ନିଶ୍ୱାସ ବନ୍ଦକରି ଗୁଳି ଟିପିଲି । ଢୋ କରି ଆବାଜ ହେଲାମାତ୍ରେ ବାଘର ଆଖି ଦୁଇଟା ଧପ୍‌ କରି ଜଳିଉଠିଲା । ଯେମିତି ଦିହୁଡ଼ି ଦି’ଟା । ଆଉ ମୁଣ୍ଡଟା ତା’ର ଏପାଖ ସେପାଖ ହେଲା । ନୀଳମଣି ଦୂରବୀଣରେ ଦେଖି କହିଉଠିଲେ, ‘‘ବାଜିଚି ବେକରେ–ମାର, ମାର–ଆଉ ଗୋଟାଏ ମାର ।’’ ଫେରେ ମୋ ବନ୍ଧୁକ ଆଉ ଥରେ ଗର୍ଜି ଉଠିଲା । ବାଘର ମୁଣ୍ଡଟା କେବଳ ଏକଡ଼ ସେକଡ଼ ହେଉଥାଏ । ନୀଳମଣି ତାଙ୍କର .୨୭୫ ରାଇଫଲଟା ମୋ ହାତକୁ ବଢ଼େଇ ଦେଇ କହିଲେ ‘‘କ୍ୟାପ୍‌ଟେନ ! ଏଇଥିରେ ଗୋଟାଏ ମାର ତ ଦେଖି ।’’ ତାଙ୍କ କଥା ରଖି ଫେର୍‌ ସେଥିରେ ଗୋଟାଏ ମାରି ଦେଖିଲି ବାଘ ନୀରବ ହୋଇ ପଡ଼ିଗଲା ଚାରିକାତ ମେଲେଇ ।

 

ଟର୍ଚ୍ଚ ଖଣ୍ଡେ ଧରି ବାହାରିଲି ତା’ ପାଖକୁ । ମୁଁ ଆଗେ ଆଗେ, ରେଞ୍ଜର ବାବୁ ଟର୍ଚ୍ଚ ଦେଖାଉଥାନ୍ତି ମୋ କାନ୍ଧ ପାଖରେ; ଆଉ ସମସ୍ତେ ପଛରେ । ସେଇ ଶହେ ଗଜବାଟ ଧୀରେ ଧୀରେ ଯିବାକୁ ଲାଗିଗଲା ପ୍ରାୟ ଘଣ୍ଟାଏ । ଯାଇ ଦେଖିଲୁ ବାଘ ମରିଯାଇଛି । ଦେହଟା ତା’ର ଗରମ ଥାଏ–ରେଞ୍ଜର ବାବୁ ଧାଇଁଯାଇ ବାଘ ମୁହଁର ନିଶରେ ହାତ ଦୁଇଟା ବୁଲାଇ ଆଣିଲେ । ପଚାରିଲାରୁ କହିଲେ, ବାଘ ମୁହଁରେ ହାତ ବୁଲାଇ ପାରିଲେ କାଳେ ହାତର ଖୁବ୍‌ ଯଶ ବଢ଼େ–ତରକାରୀ ରାନ୍ଧିଲେ ସେ ତରକାରୀ ଖୁବ୍‌ ମିଠା ହେବ । ମଙ୍ଗୁଳି ଯାଇ ବାଘର ନିଶ ଉପାଡ଼ିବାକୁ ହାତ ବଢ଼େଇଲାରୁ ମୁଁ ମନା କଲି । ଏତେବଡ଼ ମୁଣ୍ଡଟା–ସାମନା ଗୋଡ଼ ଦି’ଟା ହାତୀ ଗୋଡ଼ ପରିକା ମୋଟ ମୋଟ–ମୁଁ ତ ମନେ ମନେ ଠିକ୍‌ କରିନେଲି ଯେ ମହୀଶୂରର ଭେନିଙ୍ଗନ୍‌ ପାଖକୁ ପଠେଇ ବାଘର ସାମନା ଅଧାଟା ମାଉଣ୍ଟ କରି ଆଣିବି–ନିଶ କମିଗଲେ ବାଘଟା ଅସୁନ୍ଦର ହେବ । ଖୁସିରେ ଆଗେ ଆମେ ସବୁ ବହେ ଡେଇଁଲୁ ସେଠି । ତା’ପରେ ବାଘଟା ଧରି ଗାଡ଼ିକୁ ଉଠେଇବାର କଥା ହେଲା । ସାତଜଣ ଲୋକ ଆମେ ଉଠେଇ ପାରିଲୁନି । ବୁଲେଇକି ଗାଡ଼ିଟା ସେଠିକି ଆଣିବାକୁ ପଡ଼ିଲା–ତା’ପରେ ତଡ଼ା ଲଗେଇ ବାଘଟାକୁ ଉଠେଇଲୁ ବଡ଼ କଷ୍ଟରେ ।

 

ତ୍ରିପୁରା ରାଜ୍ୟର ହାତୀ

 

ରାତି ଘଡ଼ିଏ ଥାଏ ‘‘କଅଟ...କଅଟ...କଅଟ’’ ଶବ୍ଦରେ ମୋର ନିଦ ଭାଙ୍ଗିଗଲା । ଶବ୍ଦଟା ଖୁବ୍‌ ଉଚ୍ଚା ପର୍ଦାରେ ହେଲା ମିନିଟ ଦୁଇ–ଘର ଗୋଟାକଯାକ ଝାଏଁ ଝାଏଁ ହେଇଗଲା । ଇମିତି ଶବ୍ଦ ତ ମୁଁ କେବେ ଶୁଣି ନ ଥିଲି । ଗୋଟିଏ ବଡ଼ କାଠର କଡ଼ି ଭାରା ସହି ନ ପାରି ଭାଙ୍ଗିଲେ ଯେମିତି କଟ୍‌ କଟ୍‌ ଶବ୍ଦ କରିବ, ଠିକ୍‌ ସେଇ ପରିକା ଶବ୍ଦ; ଯେ ଆଉରି ବେଶି ଜୋର ସେ ଶବ୍ଦଟା । ନିଦ ଭାଙ୍ଗିଗଲା–କଉଠି ଶୋଇଚି ଭାବି ଠିକ୍‌ କରିବାକୁ ଟିକେ ବେଳ ହେଲା ।

 

ପୁରୁଣାକାଳିଆ ଘର ସେଇଟା । ଘର କହିଲେ ଠିକ୍‌ ହବନି, ସେଇଟା କୁଞ୍ଜବନ ରାଜବାଟୀ । ଅନେକ ବର୍ଷ ଆଗରୁ ଆଗରତଳାର କୁଞ୍ଜବନରେ ତ୍ରିପୁରା ମହାରାଜା ସେ କୋଠା ତିଆରି କରାଇଥିଲେ–କବି ରବୀନ୍ଦ୍ରନାଥ ଠାକୁରଙ୍କର ରହିବା ପାଇଁ । ସେ ଯୁଗରେ ସିମିଟ୍‌-ଢଳେଇ ଛାତ ଏତେ ବେଶି ଚାଲୁ ନ ଥିଲା; ବଡ଼ ବଡ଼ କାଠର (ବିମ୍‌) କଡ଼ିସବୁ ଦେଇ ଛାତ ହୋଇଥାଏ । ଭାବିଲି ସେଇ କାଠ ବିମ କ’ଣ ଭାଙ୍ଗିବ କି ? ଏଇପରି ମନେ ମନେ ଭାବୁଥାଏ, ଫେର୍‌ ଥରେ ସେଇପରିକା ଆୱାଜ ହେଲା । କିଛି ବୁଝିପାରିଲିନି କ’ଣ । ମଶାରି ଭିତରେ ଚଦରରେ ମୁଣ୍ଡ କାନ ଢାଙ୍କି ଶୋଇବାର ଚେଷ୍ଟା କରୁଥାଏ–ନିଦ ତ ହେଲାନି–ପୂର୍ବ ଦୁଇ ଦିନର ଘଟଣା ସବୁ ମନକୁ ଆସିଲା...

 

ମାମୁ ମାଈଁଙ୍କର ଡାକରାରେ ମୁଁ ଯାଇଥାଏ ତ୍ରିପୁରା ରାଜ୍ୟର ରାଜଧାନୀ ଅଗରତାଲା । ସେଠି ମାମୁ ଥିଲେ ଚିଫ୍‌ କମିଶନର । ଆଗ କାଳର କଥାରେ ଛୋଟଲାଟ୍‌ । ସେ ରାଜ୍ୟରେ କାଳେ ପୂର୍ବ-ପାକିସ୍ତାନର ବାସହରା ଲୋକଙ୍କୁ ବସବାସ କରିବାକୁ ଯଉ ଜାଗାକୁ ଆବାଦ କରୁଥା’ନ୍ତି, ସେଠି ହାତୀପଲ ସବୁ ଆସି ଘରଦୁଆର ଭାଙ୍ଗୁଥା’ନ୍ତି । ସରକାର ଠିକ୍‌ କରିଥା’ନ୍ତି ଯେ ହାତୀପଲରୁ କିଛି ମାରିଦେବା ଦରକାର ।

 

ରାଜାଙ୍କ ଅମଳରେ ତ ହାତୀ ଧରାହେଉଥିଲା–ଅନେକ ହାତୀ ଧରାହେଉଥିଲେ–ହାଟରେ ହାତୀ ସବୁ ବିକା ହେଉଥିଲେ । ରାଜ୍ୟରେ ରାସ୍ତାଘାଟର ସୁବିଧା ନ ଥିଲା । ସେଠାରେ କଣ୍ଟ୍ରାକ୍ଟରମାନେ ସବୁ ହାତୀ ରଖୁଥିଲେ ଜଙ୍ଗଲରୁ କାଠ ଆଣିବାକୁ । ତ୍ରିପୁରା, ଆସାମ, ମଣିପୁର–ଏଇସବୁ ଜାଗାରେ ହାତୀ ବହୁତ ବ୍ୟବହାର ହଉଥିଲା । ଏବେ ବିଜ୍ଞାନ ଏତେ ସୁବିଧା କରିଦେଲା ଓ ରାସ୍ତାଘାଟର ଏତେ ଉନ୍ନତି ହେଲା ଯେ ହାତୀ ପୋଷିବାଟା ଆଉ ସୁବିଧା ହେଉ ନାହିଁ । ହାଟରେ ବାଟରେ ଯେ ହାତୀ ବିକା ହେଉଥିଲା ସେଇଟା ଖୁବ୍‌ କମିଗଲା । ହାତୀ ବିକ୍ରି ନ ହେଲାରୁ ସରକାରଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିଲା ହାତୀ ଧରିବାକୁ । ଏବେ ତ କେବଳ ସାଧୁ ସନ୍ନ୍ୟାସୀମାନେ ହାତୀ ନେଇ ମଠରେ ରଖୁଛନ୍ତି ମେଳା କି ଯାନିଯାତ୍ରାରେ ପଟୁଆର କରିବାପାଇଁ । ହାତୀଧରା ବନ୍ଦ ହେବାରେ ବଣରେ ହାତୀପଲ ଖୁବ୍‌ ବଢ଼ିଛନ୍ତି–ଏଣେ ଜଙ୍ଗଲ କମିଯିବାରୁ ହାତୀଙ୍କର ଖୋରାକ ପାଇଁ ଗଛପତ୍ର କମିଗଲା–ପଲ ପଲ ହାତୀ ଆସି ଚାଷଜମିରେ ପଡ଼ୁଛନ୍ତି, ଧାନ କ୍ଷେତରୁ ଖାଉଚନ୍ତି ଯେତେ, ମାଡ଼ି ଚକଟି ତା’ଠୁ ଢେର୍‌ ବେଶି ନଷ୍ଟ କରୁଛନ୍ତି । ଏଇପରିକା ପରିସ୍ଥିତିରେ ତ୍ରିପୁରା ସରକାର କାଗଜରେ ବିଜ୍ଞାପନ ଦେଇଥା’ନ୍ତି ଯେ ଶିକାରୀମାନେ ଯାଇ ହାତୀ ଶିକାର କରନ୍ତୁ–ତାଙ୍କୁ ପୁରସ୍କାର ଦିଆଯିବ ।

 

ସେଇ ବିଜ୍ଞାପନ ପଢ଼ିଲା ପରେ ଲେଖିଥାଏଁ ମାମୁଙ୍କୁ ଯେ ମୁଁ ଯାଇ କିଛି ଦିନ ଶିକାର କରିବି ସେ ଜଙ୍ଗଲରେ । ମାମୁଙ୍କର ଅନେକ ଦିନରୁ ତ ନିମନ୍ତ୍ରଣ ଥିଲା ଯିବାପାଇଁ । ମୁଁ ଯାଇପାରୁ ନ ଥିଲି ନାନା କାରଣରୁ । ଏଣେ ଛୁଟି ମିଳିବାର ସୁବିଧା ହେଉ ନ ଥାଏ–ଫେର୍‌ ଅଗରତାଲାକୁ ଯିବାକୁ ବଡ଼ ଅସୁବିଧା । ଦମ୍‌ ଦମ୍‌ ବିମାନଘାଟିରୁ ଉଡ଼ାଜାହାଜରେ ଯିବାକୁ ହେବ । ସେ ଉଡ଼ାଜାହାଜ ପୁଣି ପାକିସ୍ତାନ ଉପରେ ଉଡ଼ିକରି ଯିବ–ଏଇ କଥା ଭାବିଲା ବେଳକୁ ମୋର ତ ମନ ଦବିଯାଉଥାଏ ।

 

ସେଥର କିନ୍ତୁ ଏଇ ଶିକାର ଲୋଭରେ ମନକୁ ଦମ୍ଭ କରି କଲିକତା ଗଲି । ମାମୁ ବୋଧହୁଏ ମୋର ମନର ଖୁନ୍ତଖୁନ୍ତିଆ ଭାବ ଠଉରେଇଥିଲେ । ସେ ତାଙ୍କର ଜଣେ ଅଫିସରଙ୍କୁ କଲିକତା ପଠେଇଥା’ନ୍ତି–ମୋତେ ସାଙ୍ଗରେ ନେଇ ଉଡ଼ାଜାହାଜରେ ବସେଇଦବାକୁ । ରାୟବାବୁ ମୋତେ ହାବୁଡ଼ା ଷ୍ଟେସନ୍‌ଠି ଭେଟିଲା ବେଳକୁ କହୁଥା’ନ୍ତି ଯେ ଡେକୋଟା ହେଲେ କ’ଣ ହେବ, ସେ ଉଡ଼ାଜାହାଜଟାରେ ଖୁବ୍‌ ଆରାମ ମିଳେ । ସେ ସମୟରେ ତ ଆମର ଏୟାରଲାଇନ୍‌ସରେ ଭଲ ଯାତ୍ରୀବାହୀ ଜାହାଜ ଫ୍ରେଣ୍ଡସିପ୍‌ କି ଭାଇକାଉଣ୍ଟ ଭଳି ଜାହାଜ ନ ଥିଲା । ସବୁ ଡେକୋଟା–ଗଲା ଯୁଦ୍ଧରୁ ସବୁ ବଳକା ହେବାରୁ ଏଇଥିରେ ଲାଗିଥିଲା । ରାୟବାବୁଙ୍କୁ କହିଲି ଯେ ମୁଁ ଗଲା ଯୁଦ୍ଧରେ ଫୌଜରେ ଥିଲି, ଆଉ ଡେକୋଟା ଉଡ଼ାଜାହାଜ କଥା ଭଲ ଜାଣେ ।

 

ରାୟବାବୁ ମୋତେ ଡାକିଲେ–ଯାଇ ତାଙ୍କ ରାଜ୍ୟର ବଙ୍ଗଳାରେ ରହିବାକୁ । କଲିକତାରେ ତାଙ୍କର ଗୋଟିଏ ଅତିଥିଶାଳା ଥାଏ । ମୁଁ ତ ଆଗରୁ ଠିକଣା କରିଥାଏ ଯେ ମୋର ବନ୍ଧୁ ରବି ବୋଷଙ୍କ ଘରେ ରହିବାକୁ । ରାୟବାବୁଙ୍କୁ କହିଲି ସେ କଥା–ସେ କିନ୍ତୁ ନଛୋଡ଼ବନ୍ଦା । କହିଲେ, ସେ ଦିନଟାଯାକ ମୋତେ ନେଇ ବୁଲେଇବେ କଲିକତା ସାରା । ମୋର ତ ସେ ଦିନ କଲିକତାରେ ରହିବାର ଥିଲା–ହାତୀ ଶିକାର ପାଇଁ ବଡ଼ ରାଇଫଲ୍‌ ସେତେବେଳେ ମୋର ନ ଥାଏ । ବନ୍ଧୁ ରବି ବୋଷ କହିଥା’ନ୍ତି ତାଙ୍କର .୪୬୫ର ଦି’ନଳିଆ ରାଇଫଲ୍‌ଟା ଦେବେ ବୋଲି । ସେ ଦିନ ମୋତେ କଲିକତା ପୋଲିସ୍‌ କମିଶନ୍‌ର ସାହେବଙ୍କଠୁ ମୋ ନାଁ’ରେ ଗୋଟିଏ ଅଳ୍ପଦିନିଆ ଲାଇସେନ୍‌ସ ନବାର କଥା ଥିଲା । ବିନା ଲାଇସେନ୍‌ସରେ ତ ବନ୍ଧୁକ ରଖିବା କି ବ୍ୟବହାର କରିବାଟା ଆଇନରେ ନାହିଁ । ଦିନଟାଯାକ ଏଇ ସବୁ କାମରେ ବୁଲାବୁଲି କରିବା ପାଇଁ ରାୟବାବୁଙ୍କର ମୋଟର ଗାଡ଼ି ମିଳିବ ଶୁଣି ଖୁବ୍‌ ଖୁସିରେ ତାଙ୍କୁ ଧନ୍ୟବାଦ ଦେଲି । ଜିନିଷପତ୍ର ମୋର ବେଶି କିଛି ନ ଥାଏ–ଉଡ଼ାଜାହାଜରେ ଯିବାକୁ ହେଲେ ପ୍ରତ୍ୟେକ ଅଧସେର ଅଧିକା ଜିନିଷକୁ ଭଡ଼ା କାଳେ ଅଢ଼େଇ କି ତିନିଟଙ୍କା ।

 

ଛୋଟ ଗୋଟିଏ ସୁଟକେଶ୍‌ ଆଉ ଗୋଟିଏ ଶେଷମିନିଟଥଳି* । ତାକୁ ରାୟବାବୁଙ୍କ ଗାଡ଼ିରେ ରଖି ହାବଡ଼ା ଷ୍ଟେସନର ଜଳଖିଆ ଦୋକାନକୁ ଗଲୁ–ଚା’ କପେ ପାଇଁ । ସେଠି ଚା’ ଆଉ ଟୋଷ୍ଟ ଖାଉଁ ଖାଉଁ ଜଣେ ବୁଢ଼ା ଭଦ୍ରଲୋକ ଆସି ରାୟବାବୁଙ୍କୁ ନମସ୍କାର କଲେ; ଆଉ ବସିଲେ ଆମ ପାଖରେ । ରାୟବାବୁ ତାଙ୍କୁ ଚିହ୍ନାଇ ଦେଲେ–ସେ ତ୍ରିପୁରା ମହାରାଜାଙ୍କର କକା । ଭଦ୍ରଲୋକ ଯଉଖୁଣୁ ଶୁଣିଲେ ଯେ ମୁଁ ଅଗରତାଲାକୁ ଯାଉଛି ଆଉ ମୁଁ ସେଠାର ଛୋଟଲାଟଙ୍କର ଭଣଜା, ମୋତେ ଖୁବ୍‌ ଆଦର କଲେ–ସଞ୍ଜକୁ ତାଙ୍କ କୋଠିକି ଯିବାକୁ ବହୁତ ଅନୁରୋଧ କଲେ । ଭଦ୍ରଲୋକଙ୍କୁ ଷାଠିଏ ବର୍ଷ ହବ ପରା–ଧୀରେ ଧୀରେ ରହି ରହି କଥା କହନ୍ତି–ବଙ୍ଗଲା ଭାଷା ସାଙ୍ଗରେ ତ୍ରିପୁରା ରାଜ୍ୟର ଦେଶୁଆ ଶବ୍ଦ ଯୋଡ଼ି ଯୋଡ଼ି କହନ୍ତି ଯେ କାନକୁ ଖୁବ୍‌ ମିଠା ଶୁଭୁଥାଏ-। ପିଲାଦିନରୁ ମୋର ଖୁବ୍‌ ଗୋଟାଏ ଆଶା ଥାଏ ଯେ ରାଜା-ମହାରାଜାଙ୍କ ଘରର ଚାଲିଚଳଣ କିମିତି ଦେଖିବାକୁ । ଆମର ମୟୂରଭଞ୍ଜର ମହାରାଜାଙ୍କୁ ତ କେବଳ ବାହାରେ ଦେଖିଥିଲି–କେତେବେଳେ ହାତୀପିଠିରେ ବସି ରଥ ଟଣା ତଦାରଖ କରୁଥା’ନ୍ତି ତ କେତେବେଳେ ଲକ୍ଷେ ଟଙ୍କାର ରୋଲ୍‌ସ୍‌ ଗାଡ଼ିରେ ବସି ସଞ୍ଜରେ ହାୱା ଖାଇବାକୁ ବାହାରିଥା’ନ୍ତି । ଆଉ ଖୁବ୍‌ କମ୍‌ ସମୟରେ ତାଙ୍କୁ ଦେଖିଥିଲି ଅଫିସରେ ବସି ଦେଓ୍ୟାନ୍‌ ସାହେବ ସାଙ୍ଗରେ ଶାସନ-ପ୍ରଶାସନ କଥା ହେଉଥା’ନ୍ତି । ଘରେ–ରାଜବାଡ଼ିରେ–କିମିତି ଚଳପ୍ରଚଳ ହୁଅନ୍ତି–ସାଙ୍ଗସାଥୀ ସାଙ୍ଗରେ କିମିତି ଖେଳକୌତୁକ କରନ୍ତି, ଜାଣି ନ ଥିଲି । ପିଲା ଦିନେ ଆମେ ଗାଁ’ରେ ତ ଅନୁମାନ କରୁଥିଲେ ଯେ ରଜାପୁଅମାନେ ସୁନାର ସରାରେ ଚାଉଳ ଭଜା ଖାଉଥିବେ ! ଆମେ ସିନା ନଡ଼ିଆ ସରାରେ ବୁଟ ଚାଉଳ ଭଜା ଖାଇ ଖାଇ ବାଗୁଡ଼ି ଖେଳିବାକୁ ଗାଁମୁଣ୍ଡର ମଶାଣି ପଦାକୁ ଯାଉଥିଲୁ–ରଜାପୁଅ ନିଶ୍ଚୟ ସୁନାର ସରାରେ କାବୁଲି ବୁଟ ଭଜା ଖାଉଥିବେ–ଆମ ପରିକା ବାଗୁଡ଼ି, ବୋହୂଚୋରି ନ ଖେଳି ସାଧବପୁଅ, ମନ୍ତ୍ରୀପୁଅ ଗହଣରେ ଯାଉଥିବେ ପାରିଧି କରି କିମ୍ୱା ସେ ଦେଶର ରାଜାଝିଅର ମୁଣ୍ଡବାଳ ଯେଉଁ ଫରୁଆରେ ଭାସିଆସିଥିଲା ବଳଙ୍ଗ ନଈରେ ସେଇ ଫରୁଆରୁ ବାରହାତ ଲମ୍ୱର ବାଳ ଧରି ଝୁରିହେଉଥିବ ଆଉ ବଳଙ୍ଗ ନଈ କୂଳେ କୂଳେ ଘୋଡ଼ା ଦୌଡ଼େଇଥିବ ବରେହି ପାଣି ଜଳପ୍ରପାତ ପାର ହେଇ ସେ ଦେଶର–ପରି-ରାଇଜର ରାଜଜେମାକୁ ଖୋଜିବାକୁ ।

 

* Last minute bag.

 

ଏଇମିତିକା କେତେପ୍ରକାର ଗପରୁ, ପିଲା ବେଳର ଭାବପ୍ରବଣ ମନ ମୋର ରାଜା-ମହାରାଜାଙ୍କ କଥାରେ ବିଭୋର ହେଇଥିଲାବେଳେ ଖୁବ୍‌ ଇଚ୍ଛା ହୋଇଥିଲା ଯେ ଦିନେ ନା ଦିନେ ଦୁନିଆରେ ବଡ଼ ହେଲେ ଯାଇ ମହାରାଜାଙ୍କ ଘରେ ରହିବାକୁ ହେବ । ତାଙ୍କର ଘରୋଇ ଚାଲିଚଳଣ କେମିତି ଦେଖିବାକୁ ହେବ–ଆଶା ଥାଏ ।

 

ଭଦ୍ରଲୋକ ଯେ ତ୍ରିପୁରା ମହାରାଜାଙ୍କର କକା ଆଉ ମତେ ଡାକୁଥିଲେ ତାଙ୍କ କୋଠିରେ ଯାଇ ରହିବାକୁ-ସଞ୍ଜବେଳେ ନିହାତି ପକ୍ଷେ ଯାଇ ଘଣ୍ଟେ ଖଣ୍ଡେ ବସି ଗଳ୍ପ କରିବାକୁ ଅନୁରୋଧ କରୁଥିଲେ । ମନେ ମନେ ଭାବିଲି-ଜାଣିଲି ଯେ ଭଗବାନ କାହାରି ମନୋବାଞ୍ଛା ଅପୂରଣ ରଖନ୍ତିନି କେବେ । କଉ ବାଳୁତବେଳର ଆଶା ମୋର ଏବେ ପୂରଣ ହେବାକୁ ଯାଉଚି ଏଇପରିକା ।

 

ଏଇ ତ କେଇ ବର୍ଷ ଆଗରୁ ମୁଁ ଯୁଦ୍ଧରେ ଯାଇଥିଲି । ସେଠି ଯାଇ କିଙ୍ଗିସ୍‌ କମିସନ୍‌ ପାଇ ଉଚ୍ଚ ପାହ୍ୟାକୁ ଯାଇପାରିଥିଲି । ଦେଶ ସ୍ୱାଧୀନ ହୋଇଯିବା ପରେ ସିନା କରଦ ରାଜ୍ୟଗୁଡ଼ାକ ସବୁ ମିଶିଗଲା, ଆମ ଦେଶର ରାଜା ରାଜୁଡ଼ା ସବୁ ହେଇଗଲେ ସାଧାରଣ ଦେଶୁଆ ଲୋକ । ଯଦି କରଦ ରାଜ୍ୟ ଥା’ନ୍ତା–ଆଉ ଯେମିତି ଶାସନପ୍ରଣାଳୀ ଥିଲା ସେମିତି ଥା’ନ୍ତା, କିଏ କହିପାରେ ଯେ ମୁଁ ଦିନେ ପଲିଟିକାଲ ଏଜେଣ୍ଟ ହେଇ କରଦ ରାଜ୍ୟମାନଙ୍କର ଗୋଷ୍ଠୀରେ ହାକିମି କରି ନ ଥାନ୍ତି ? ଫୌଜରେ ଥିଲାବେଳେ ରାଜା ମହାରାଜାମାନେ ବି ଆମ ପରିକା ଅଫିସର ହୋଇଥିଲେ–ସେତେବେଳକୁ ତାଙ୍କମାନଙ୍କ ସାଙ୍ଗରେ ବସି ହଇ-ହଲ୍ଲା କଲାବେଳେ କିନ୍ତୁ ପିଲାବେଳର ସେଇ ଆଶା କଥା ମନେପଡ଼ି ନ ଥିଲା । ଏଇ ହାବଡ଼ା ଷ୍ଟେସନ୍‌ର ଖାଇବା ଘରେ ବସି କାହିଁକି କେଜାଣି ବାଳୁତବେଳର କଥା ଖୁବ୍‌ ମନେପଡ଼ିଲା–ହସ ମାଡ଼ିଲା ।

 

ଦିନଟା ଯାକ କଟିଲା ମୋର କଲିକତାର ଏ ମୁଣ୍ଡରୁ ସେ ମୁଣ୍ଡ ଯିବା-ଆସିବାରେ । ଚିଫ୍‌ କମିଶନର ସାହେବ ମୋର ଲାଇସେନ୍‌ସ ଦେଲେ–ଆଉ କପେ ଚା’ ବି ଦେଲେ । ସେଠୁ ଗଲୁ ଆର: ବି: ରଡ଼ା ଦୋକାନରୁ ସେ ରାଇଫଲ୍‌ର କାର୍ତ୍ତୁସ୍‌ ପାଇଁ । ହାତୀ, ବାଘ ଶିକାର ପାଇଁ ଜଙ୍ଗଲକୁ ଗଲେ ସାଙ୍ଗରେ ଏକବାରେ ତଟକା କାର୍ତ୍ତୁସ୍‌ ନବା ଦରକାର । ଯଦି ପୁରୁଣା କାର୍ତ୍ତୁସ୍‌ ନବ ଆଉ ଠିକ୍‌ ବଖତବେଳେ କାର୍ତ୍ତୁସ୍‌ ନଫୁଟେ, ପ୍ରାଣଟା ସେଇଠି ଯିବ ସିନା ! ତଟକା କାର୍ତ୍ତୁସ୍‌ ଦଶଟା କିଣିଲି–ରାଇଫଲ୍‌ର କଳକବ୍‌ଜା ଠିକ୍‌ଠାକ୍‌ ଅଛି କି ନାହିଁ ପରଖି ଦେଲେ ତାଙ୍କର ମିସ୍ତ୍ରୀମାନେ । ରାଇଫଲ୍‌ ବାକ୍‌ସ ସାଙ୍ଗରେ ଓଜନ କରି କହିଲେ ଯେ ବାକ୍‌ସଟା ନ ନେଲେ ସାଙ୍ଗରେ ଉଡ଼ାଜାହାଜ ଭଡ଼ା କମ୍‌ ହେବ । ସେଇଆ ହେଲା-ଖାଲି କନା ଖୋଳଟିଏ ନେଲି ସାଙ୍ଗରେ ।

 

ଏଇପରିକା ଶିକାର ସରଞ୍ଜାମ ଯୋଗାଡ଼ କରୁ କରୁ ଦିନଟା କଟିଗଲା । ସଞ୍ଜ ହେଉଁ ହେଉଁ ଯାଇ ତ୍ରିପୁରା ମହାରାଜାଙ୍କ କକାଙ୍କ ଘରଠେଇ । ସେଠି ଦେଖିଲି, ସାଧାରଣ ବାବୁଭାୟାଙ୍କ ଘର ପରିକା ତାଙ୍କ ଘର–ଆସବାବପତ୍ର ବି ସେଇପରିକା–ରହନ୍ତି ବି ସେମିତି ଆମରି ପରି ଧୋତି କୁର୍ତ୍ତା ପିନ୍ଧି । ପହଞ୍ଚିଲାମାତ୍ରେ ସେ ଭଦ୍ରଲୋକ ସରବତ ଚା’ ଯାଚିଲେ–ମୁଁ ଚା’ ମାଗିଲି । ଚା’ ଖିଆ ସରିଚି କି ନାହିଁ ଲାଲ ସାହେବଙ୍କର ଜଣେ ବନ୍ଧୁ ଆସି ପହଞ୍ଚିଲେ–ବୟସ ପଚାଶ ପାଖାପାଖି–ସାହେବି ପୋଷାକ୍‌–ଖୁବ୍‌ ଦାମିକା କନାରେ ଦାମିକା ଦର୍ଜି ତାକୁ ତୟାରି କରିଥିବା ପରି ଜଣାପଡ଼ୁଥାଏ–ଦି’ ଓଠ କଣରେ ଡାହାଣ କରକୁ ଗୋଟିଏ ପାଇପ୍‌ । ସେ ଭଦ୍ରଲୋକ ଘରେ ପଶିବାକ୍ଷଣି କଡ଼ା ଦୋକତା ଗନ୍ଧ ସାଙ୍ଗରେ ଗୋଟାଏ ବଢ଼ିଆ ଖସ୍‌ବୁ–ମନମତାଣିଆ ଅତର ବାସନାରେ ଘରଟା ପୁରି ଉଠିଲା । ଲାଲସାହେବ ଚଉକିରୁ ଉଠି ଆମକୁ ସବୁ ବିଲାତି କାଇଦାରେ ପରିଚୟ କରାଇଦେଲେ । ତାଙ୍କ ନାଁ ମିଷ୍ଟର ସିନା ବୋଲି କହିଲେ । ବଙ୍ଗଳା ଭାଷାରେ ସିଂହକୁ ବିଲାତି ଢାଞ୍ଚାରେ ‘ସିନା’ ବୋଲି ଉଚ୍ଚାରଣ କରନ୍ତି ପରା !

 

ମିଷ୍ଟର ସିନା ଯେମିତି ଶୁଣିଲେ ଯେ ମୋର ଘର ଓଡ଼ିଶା ଆଉ ମୁଁ ଶିକାର ଉଦ୍ଦେଶ୍ୟରେ ବାହାରିଚି–ମୁଁ ଫୌଜରେ ଅଫିସର ଥିଲି–ମୁଁ ତ୍ରିପୁରା ଛୋଟଲାଟଙ୍କର ଭଣଜା ଇତ୍ୟାଦି ସେ ତ ଏକବାରେ ଗଦ୍‌ଗଦ୍‌ ହେଇଗଲେ । ତାଙ୍କର ବନ୍ଧୁ ଲାଲସାହେବଙ୍କୁ ଧିକ୍‍କାରି କହିଲେ, ଯେ ଜଣେ ଆର୍ମି ଅଫିସର, ଆଉ ଫେର୍‌ ଜଣେ ହାତୀ ଶିକାରୀଙ୍କୁ ଘରେ ବସାଇ ଚା’ଜଳଖିଆ ଦେବାଟା ଖୁବ୍‌ ଅସଭ୍ୟତା ହେଇଚି । କଲିକତା କ୍ଲବକୁ ଯିବା ଦରକାର । ସେଠି କେତେ ଶିକାରୀ ବନ୍ଧୁ ମିଳିବେ ଗପ କରିବାକୁ–ସେଠାରେ ବାର୍‌ରେ ବି ମିଳିବ ଷ୍କଚ୍‌ ହୁଇସ୍କି, ଯେଉଁଥିରେ କି ଶିକାରୀର ଜିଭଟା ହାଲୁକା ହେଇଯିବ ଆଉ ଶିକାର କାହାଣୀ ରଙ୍ଗୀନ୍‌ ହୋଇ ସୁଅ ଛୁଟିବ ମୁହଁରୁ । ଏଇ ସବୁ କଥା ମିଷ୍ଟର ସିନା ଇଂରାଜୀ ଭାଷାରେ କହିଲେ । ଇଂରାଜୀରେ ଏ କଥାଗୁଡ଼ାକ ଖୁବ୍‌ ସୁନ୍ଦର ଶୁଭୁଥାଏ; ଆଉ ମଜା କଥା ପରି ଲାଗୁଥାଏ । ଇଂରାଜୀ ଭାଷାଟା ଏତେ ମିଠା ଯେ ଧିକ୍‍କାର ବା ଗାଳିଗୁଲଜଟା ବି ସାକୁଲା କଥା ପରି ଜଣାପଡ଼େ ।

 

X X X

 

ଲାଲସାହେବ ସଙ୍ଗେ ସଙ୍ଗେ ହଁ ଭରିଲେ, ଆଉ ଘର ଭିତରକୁ ଗଲେ ବେଶ ବଦଳାଇବାକୁ । କଲିକତା କ୍ଲବଟା ସବୁ ବଡ଼ବଡ଼ିଆ, ଧନୀ ଲୋକଙ୍କର କ୍ଲବ୍‌ । ସେଠିକି ସଞ୍ଜବେଳେ ଯିବାକୁ ହେଲେ ବିଲାତି ଧରଣର ହେଉ ବା ଦେଶୀ ହେଉ ଖୁବ୍‌ ଭଲ ପୋଷାକ ହେଲେ ଯାଇ ହେବ; ନହେଲେ ଦ୍ୱାରଠୁ ଫେରିଆସିବାକୁ ହେବ । ସିନାସାହେବ କାଳେ ଆଗରୁ ବହୁତ ବର୍ଷ ଆଗରୁ ଓଡ଼ିଶାକୁ ଶିକାର କରିବାକୁ ଆସିଥିଲେ । ସେ ମୋତେ ଅନେକ କଥା ପଚାରିଲେ । ତାଙ୍କର ମୁଣ୍ଡରେ ବାଳ ବିଲକୁଲ୍‌ ନ ଥାଏ–ଗୋରା ତକତକ ଖପୁରିରେ ଆଲୁଅଟା ଆଇନାରେ ପ୍ରତିଫଳିତ ହେଲା ପରି ଦିଶୁଥାଏ । ଆଉ କଥା କହିବାବେଳେ ତାଙ୍କର ଆଖି ଭୂରୁ ଯୋଡ଼ାକ ଉପରକୁ ଉଠିଯାଉଥାଏ–କେତେବେଳୁ ଲାଲସାହେବ ପୋଷାକ ପିନ୍ଧି ଆସି ଅପେକ୍ଷା କରିଥାନ୍ତି, ଆମକୁ କ୍ଲବକୁ ନେବା ପାଇଁ ।

 

ତାଙ୍କ କୋଠିରୁ ପାଞ୍ଚମିନିଟର ବାଟ କ୍ଲବ ଘରଟା–ଗୋଟାଏ ବିରାଟ କୋଠା–ଚୌରଙ୍ଗି ଲୋଅର୍‌ ସାର୍କୁଲାର୍‌ ରୋଡ଼୍‌ ଛକଠୁ ମୋଟେ ପଚିଶ ତିରିଶ ଗଜ ବାଟ । ଗାଡ଼ି ଯାଇ ରହିଲା ଗାଡ଼ି ବାରନ୍ଦା ପାଖରେ–ପୋଷାକପିନ୍ଧା ବେହେରା ଜଣେ ଆସି ମିଲିଟାରୀ କାୟଦାରେ ସଲାମ କରି ମୋଟର ଗାଡ଼ି ଦୁଆର ଖୋଲିଦେଲା–ଆମେ ଓହ୍ଲେଇଗଲୁ–ଡ୍ରାଇଭର ଗାଡ଼ି ନେଇ ଗଲା ସେକଡ଼ କାନ୍ଥ ପାଖକୁ ଧାଡ଼ି ବାନ୍ଧି ରଖିବାକୁ । ସିନାସାହେବ ପାଞ୍ଚଟା ପାହାଚ ଏକା ଥରକେ ଚଢ଼ିଗଲା ପରିକା ଦିଶିଲା–ଉପରକୁ ଉଠି ବାଁ ପାଖ କାଉଣ୍ଟରରେ ମୋର ନାଁ ଲେଖିଦେଲେ–ମୁଁ ସେଦିନ ତାଙ୍କର ଅତିଥି ହିସାବରେ କ୍ଲବ୍‌ର ସଭ୍ୟମାନଙ୍କ ସାଙ୍ଗରେ ବସିପାରିବି ।

 

ଗାଡ଼ି ବାରନ୍ଦା (Portico) ରୁ ପାଞ୍ଚଟା ପାହାଚ ଉଠିଲେ ଦୁଇଟା ବିରାଟ ଦୁଆର । ଦୁଆରବନ୍ଧ ଦଶଫୁଟ ଉଚ୍ଚା, ଆଉ ଶାଗୁଆନ କାଠର ଯାଉଁଳି କବାଟ ଲାଗିଚି । ଦୁଆରରେ ପଶିଲେ ବାଁ ପାଖରେ ଛୋଟ ଗୋଟିଏ ଦୁଆର, ପାଖରେ ଲେଖା ଅଛି ‘ଜେଣ୍ଟ୍‌ସ୍‌ କ୍ଳୋକ ରୁମ୍‌’–ଭିତରକୁ ଗୋଟିଏ ଘରେ ଭଦ୍ରଲୋକଙ୍କର ଟୋପି, ଛଡ଼ି ଓ କୋଟ୍‍ ରଖିବାର ଜାଗା, ଆଉରି ଭିତରକୁ ଗାଧୁଆ ଘର । ସବୁ ସାହେବୀ ଢଙ୍ଗରେ ସଜା ହୋଇଚି । ସେଇ ‘କ୍ଳୋକ ରୁମ୍‌’ ଦୁଆରେ ଗୋଟିଏ କାଉଣ୍ଟର ପାଖରେ ଜଣେ କିରାଣୀ ବାବୁ ବସିଚି–ପାଖରେ ଟେଲିଫୋନ୍‌ ଆଉ ସାମନାରେ ଗୋଟିଏ ମୋଟା ରେଜିଷ୍ଟାର । ସେ ରେଜିଷ୍ଟାରରେ ସବୁ ଅତିଥିମାନଙ୍କର ନାଁ, ଗାଁ ଲେଖାଯାଏ । ସେ ବାବୁଟି ସମସ୍ତଙ୍କୁ ‘ଗୁଡ୍‌ ଇଭିନିଂ ସାର୍‌’ କହୁଥାନ୍ତି । ସେଠୁ ପାରି ହୋଇଗଲେ ଗୋଟାଏ ଖୁବ୍‌ ବଡ଼ ହଲ୍‌ ଘର । ସେ ଘରେ ଠାଏ ଠାଏ ଗୋଟିଏ ଗୋଟିଏ ଛୋଟ ଗୋଲ ଟେବୁଲ–ପାଖରେ ଗଦିଦିଆ ଚାରୋଟି ଆରାମ ଚେୟାର । ସବୁ ଚେୟାରରେ ପ୍ରାୟ ଲୋକବାକ ବସିଥା’ନ୍ତି–ଭଦ୍ରଲୋକମାନେ ସାହେବୀ ପୋଷାକରେ ଆଉ ମାଇପେ ନାନା ଢଙ୍ଗରେ ଶାଢ଼ି ପିନ୍ଧିଥା’ନ୍ତି । ମୁଣ୍ଡରେ ଗଭା ସେମାନଙ୍କର କେତେ ପ୍ରକାରର ଯେ କହିହବନି–କଉଟା ଚଢ଼େଇ ବସା ଓ କଉଟା ମନ୍ଦିରଚୂଡ଼ା ପରିକା–କିଏ ଫୁଲମାଳଟିଏ ବାନ୍ଧିଛି ତ କିଏ ଲକ୍ଷେ ଟଙ୍କାର ମୁକ୍ତାମାଳଟେ ବାନ୍ଧିଚି ଯତ୍ନ କରି । ଆମେ ସେମାନଙ୍କ ପାଖଦେଇ ଗଲୁ ବାଁ ପାଖର କୋଠରିକି–ରାସ୍ତାରେ ବେହେରାମାନେ ସବୁ ଧଳା ପେଣ୍ଟ, କୋଟ୍‍ ପିନ୍ଧି ଆମକୁ ମିଲିଟାରୀ ଢଙ୍ଗରେ ସଲାମ ଠୁଙ୍କୁଥା’ନ୍ତି । କେହି କେହି ବାଦଶାହୀ ଢଙ୍ଗରେ କୁର୍ଣ୍ଣିସ୍‌ ବି କଲେ ।

 

ଯେଉଁ କୋଠରିରେ ଆମେ ପଶିଲୁ ସେଇଠି ଦୁଇ ଚାରିଟା ଛୋଟ ଟେବୁଲ ଆଉ ତାସ ଦୁଇମୁଠା ଲେଖେଁ ଥାଏ । ଚାରିଜଣ ତାସ ଖେଳୁଥିଲେ ଯେ ଆମକୁ ସେ ଘରେ ପଶିବାର ଦେଖି ପାରିଲେ ନାହିଁ ବୋଲି ମନେହେଲା । ସେ ଘରର ବାଁ ପାଖ କାନ୍ଥରେ ଗୋଟିଏ ଦୁଆର ଫିଟାଇ ସିନା ସାହେବ ମୋତେ ଆଗ ଯିବା ପାଇଁ ଇସାରା କଲେ–ଅଣ୍ଟାଠୁ ଟିକେ ନଇଁ କହିଲେ, ଆଫଟାର୍‌ ଇଉ । ଏଇସବୁ ଆଦବ୍‌ କାଇଦାରୁ ଜଣେ ବାହାର ଲୋକ ବୁଝିବ ଯେ ମୁଁ ଗୋଟେ କ’ଣ ବଡ଼ ଲୋକ ବୋଲି । ମୋତେ ସେତେବେଳକୁ ବେଶ୍‌ ଟିକେ ଲାଜ ଲାଗୁଥାଏ । ମୋର ପିନ୍ଧା ଜାମା ପେଣ୍ଟ ସବୁ ମାଝିଆରି ଧରଣର, ଆଉ ସେଠାର ଲୋକମାନଙ୍କର ଖୁବ୍‌ ଦାମିକା ବିଲାତି ସୁଟ୍‌ ।

 

ଆମେ ଯେଉଁ ଘରେ ପଶିଲୁ ସେଠି ପ୍ରାୟ ଦଶ ବାରଜଣ ମାଇପି ଲୋକ ବସିଥିଲେ । ରୂପରେ ଏକ ଆରକୁ ଜିଣି । ସମସ୍ତେ ଆମକୁ ଅନେଇଲେ–କଥାବାର୍ତ୍ତା ସବୁ ବନ୍ଦ ହେଇଯାଇଥାଏ-। ସିନାସାହେବ ଓ ଲାଲସାହେବ ତାଙ୍କୁ ସବୁ ଗୁଡ୍‌ ଇଭିନିଂ ମିସେସ୍‌ ସେନ୍‌, ମିସେସ୍‌ ଭଟ୍ଟାଚାର୍ଯ୍ୟ, ମିସ୍‌ ବୋଷ...କହିସାରି ମୋର ପରିଚୟ ଦେଲେ ଯେ ‘‘ଓଡ଼ିଶାର ଏଲିଫାଣ୍ଟ-ହାଣ୍ଟର୍‌ କେପ୍‌ଟେନ୍‌ ମହାନ୍ତି ।’’ ମୁଁ ସମସ୍ତଙ୍କୁ ନମସ୍କାର କଲି । ସବୁ ମାଇପେ ତ ଆସି ମୋତେ ଘେରିଗଲେ, ଆଉ ଏକା ସାଙ୍ଗରେ ସମସ୍ତେ କହିଲେ ଯେ–‘‘ଓ... !! ଆପଣ ସେଇ କେପ୍‌ଟେନ୍‌ ମହାନ୍ତି; ଯେ କି କଲରାପାଟଠେଇ ହରିଣ ମାଂସର କବାବ୍‌ କରିଥିଲେ ? ଆମକୁ ତା’ର ନିଦାନଟା ଦିଅନ୍ତୁ ନା କେପ୍‌ଟେନ୍‌ ମହାନ୍ତି ।’’ ....ସେମାନେ କାଳେ ମୋ ବିଷୟରେ ଢେର୍‌ କଥା ଶୁଣିସାରିଚନ୍ତି–ସବୁଠୁ ବେଶି ଜାଣିଚନ୍ତି ଯେ କାଳେ ମୁଁ ଜଣେ ଭାରି ବଢ଼ିଆ ରାନ୍ଧୁଣି । କିଏ ମୋ ପାଇଁ ସରବତ ଗିଲାସେ ତ କିଏ ମୋତେ ଆଣି ସିଗାରେଟ୍‌ ଦଉଥାଏ । ମୋର ସାଙ୍ଗମାନେ ଲାଲସାହେବ ଓ ସିନାସାହେବ ତ ସେତେବେଳକୁ ଯାଇ କାନ୍ଥକୁ ଆଉଜି ଚୁପଚାପ୍‌ ଛିଡ଼ା ହୋଇଥାନ୍ତି ।

 

ସିନା ସାହେବ କହିଲେ ‘‘ଆରେ ଆରେ, ଆପଣ ଏଠି ଏଡ଼େ ଜନପ୍ରିୟ ଲୋକ ବୋଲି ତ ଆମକୁ କହି ନ ଥିଲେ କେପ୍‌ଟେନ୍‌ ମହାନ୍ତି !’’ ମିସ୍‌ ବୋଷ କହିଲେ ଯେ ସେ ତାଙ୍କର ବନ୍ଧୁ ମିସେସ୍‌ ଭଟ୍ଟାଚାର୍ଯ୍ୟଠୁ ମୋ ବିଷୟରେ ସବୁ ଶୁଣିଛନ୍ତି–କେମିତି କଳାହାଣ୍ଡିର କରଲାପାଟ୍‌ଠେଇ କେମ୍ପ୍‌ରେ ମୁଁ ମିରିଗ ମାଂସର କବାବ୍‌ କରିଥିଲି ସେଇ କଥା । X X X

 

ସେ ଅନେକ ଦିନର କଥା, ପାଞ୍ଚବର୍ଷ ଆଗର କଥା । ମୋର ବନ୍ଧୁ ଭଟ୍ଟାଚାର୍ଯ୍ୟ ସାହେବ ଓ ସିନାସାହେବ-ସୁରେଶଚନ୍ଦ୍ର ସିନା–ଆଉ ମିସେସ୍‌ ଭଟ୍ଟାଚାର୍ଯ୍ୟ ଯାଇଥିଲେ ବାଘ ଶିକାର ଉଦ୍ଦେଶ୍ୟରେ । ମୁଁ ସେମାନଙ୍କୁ ନେଇ ଯାଇଥାଏ କଳାହାଣ୍ଡି ଜିଲ୍ଲାକୁ । ସେଠି ସେତେବେଳେ ବହୁତ ମଣିଷଖିଆ ବାଘ ଥିଲେ । ସକାଳୁ କଳାହାଣ୍ଡିର ଭବାନିପାଟଣାଠେଇ ପହଁଞ୍ଚିଲୁ–ସେଠି ହାଫିଜ୍‌ ସାହେବ ଥିଲେ ଏସ୍‌.ପି. । ଆମକୁ ଦି’ପହରେ ଖୁବ୍‌ ଆଡ଼ମ୍ୱରରେ ଖୋଇପେଇ ସଞ୍ଜକୁ କରଲାପାଟ ବାଟରେ ଛାଡ଼ିଦେଲେ । ଭବାନିପାଟଣାଠୁ କରଲାପାଟ୍‌ ପ୍ରାୟ ଚାଳିଶ ମାଇଲ ବାଟ–ଖୁବ୍‌ ଘନ ଜଙ୍ଗଲ ଭିତର ଦେଇ ପାହାଡ଼ ପର୍ବତ ଡେଇଁ ସେ ରାସ୍ତା ଯାଇଚି । ସାତ ମାଇଲ ପରେ ଆମେ ଜଙ୍ଗଲ ଭିତରେ ପଶୁ ପଶୁ ମିରିଗ ଶିଙ୍ଗାଳଟିଏ ଆସି ସଡ଼କରେ ଆମ ବାଟ ଓଗାଳି ଛିଡ଼ା ହେଲା । ବନ୍ଧୁ ଭଟ୍ଟାଚାର୍ଯ୍ୟ ଶିଙ୍ଗାଳକୁ ମାରିଆଣି ଗାଡ଼ିରେ ଲଦିଲେ । ଆମେ ଯାଇ କରଲାପାଟ୍‍ଠି ପହଞ୍ଚିଲା ବେଳକୁ ସଞ୍ଜ ହେଲାଣି । ସେଠି ରହିବା ପାଇଁ କେବଳ ଗୋଟିଏ କୋଠରି ଥିବା ଗୋଟିଏ ରେଭିନ୍ୟୁ ସେଡ୍‌ ଥିଲା ଯେ, ସେଇ ଗୋଟିକ କୋଠରିରେ ନା ଥିଲା ଦୁଆରରେ କବାଟ, ନା ଥିଲା ଝରକାରେ କବାଟ । ସେଇ ସେଡ୍‌ର ପଛକୁ କୋଡ଼ିଏ ଗଜ ଦୂରରୁ ଜଙ୍ଗଲ ଆରମ୍ଭ–ଆଉ ସେଇ ବଣରେ ମଣିଷଖିଆ ବାଘ ବହୁତ । ସେଇଠି ରହିଲେ ବାଘର ସନ୍ଧାନ ଶୀଘ୍ର ମିଳିବ ବୋଲି ଆମେ ରହିଥିଲୁ ସେ ରେଷ୍ଟ ସେଡ୍‌ରେ । ପହଞ୍ଚିସାରି ରାତି ହେବାରୁ ଆଉ ମିରିଗଟିକୁ କଟାକଟି କରି ପାରିଲୁନି–କାଳେ ରାତିରେ ବାଘ ନେଇ ଯିବ ବୋଲି ଭାବି ପାଖରେ ଆମ୍ୱ ଗଛ ଉପରେ ତାକୁ ଦଉଡ଼ି ଦେଇ ଝୁଲେଇ ଦେଲୁ–ପାଞ୍ଚ ଗଜ ଦୂରରେ ବାରନ୍ଦାରେ ମୁଁ ଶୋଇଲି ।

 

ତା’ ପରଦିନ ସକାଳୁ ଉଠି ମିରିଗଟିକୁ କଟାକଟି କଲୁ । ବନ୍ଧୁ ଭଟ୍ଟାଚାର୍ଯ୍ୟ କଲିକତାରୁ ନାନା ପ୍ରକାର ସରଞ୍ଜାମ ଧରି ଆସିଥା’ନ୍ତି ସୁବିଧାରେ ରାନ୍ଧିବେ ବୋଲି । ସେ ସମୟରେ ପ୍ରେସର କୁକର୍‍ ନୂଆ ନୂଆ ବାହାରିଥାଏ–କଲିକତାରେ । ବନ୍ଧୁ କହିଲେ ଯେ ସେ ପ୍ରେସର କୁକର୍‍ରେ ମାଂସ ରାନ୍ଧିବେ ଆମକୁ ଭଲ କରି ଖୁଆଇବେ । ପ୍ରେସର କୁକର୍‌ ବିଷୟରେ ଢେର କଥା କହିଲେ । ମତେ କାହିଁକି କଥାଟା ଅଡ଼ୁଆ ଲାଗିଲା–ମିରିଗ ମାଂସକୁ ଶୁଖିଲା ନ ରାନ୍ଧିଲେ ଗନ୍ଧ ଖୁବ୍‌ ହୁଏ । ପ୍ରେସର କୁକର୍‌ରେ ତ ଶୁଖିଲା ରନ୍ଧା ହୋଇ ପାରିବନି–ସେଥିରେ ସିନା ପାଣି ନ ପକାଇ ମାଂସ ସିଝେଇ ହେବ–ମାଂସର ପାଣି ମାରି ହବ ତ ନାହିଁ । ମୁଁ ସେଇଠୁ କହିଲି ‘‘ଯେ ଦେଶ ଯାଇ, ସେ ଫଳ ଖାଇ’’ ହିସାବରେ ହରିଣ ମାଂସ, କି ଶିକାର ମାଂସ ସହରିଆ ଢଙ୍ଗରେ ନ ରାନ୍ଧି ଜଙ୍ଗଲି ଢଙ୍ଗରେ ରାନ୍ଧିବା ଦରକାର । କାଳେ ବନ୍ଧୁ ମୋର ଦୁଃଖ ପାଇବେ ସେଇ ଯୋଗୁ ତାଙ୍କୁ ସେରେ ହେବ ଭଲ ବେଅଁ ମାଉଁସ ଦେଲି, ତାଙ୍କର ଯନ୍ତ୍ରରେ ରାନ୍ଧିବାକୁ । ଆଉ ମୁଁ ଗୋଟିଏ ଫଡ଼ିଆରେ ଆମର ବଣୁଆ ଢଙ୍ଗରେ ଟିକେ ତେଲ ଲୁଣ ଅଦା ଦେଇ ରଡ଼ ନିଆଁରେ ପୋଡ଼ିଦେଲି ।

 

ଖାଇବସିଲୁ ବାରନ୍ଦାରେ । ସାଙ୍ଗ ଭଟ୍ଟାଚାର୍ଯ୍ୟ ବସିଲେ–ତାଙ୍କର ପ୍ରେସର କୁକର୍‌କୁ ଆଣି ପାଖରେ ଥୋଇଥା’ନ୍ତି । ଭାତ ହେରିକା ପରଷି ସାରିଲା ପରେ ସେ ଖୁବ୍‌ ଆଡ଼ମ୍ୱର କରି, ଯେମିତି ଆମର ଏଠାର ମାଟିଆବାବୁ ହାତଟିକୁ ପବନରେ ଏଣେତେଣେ ବୁଲାଇ ଗୋଟାଏ ଟୋପିରୁ ଜିଅନ୍ତା ଠେକୁଆଟିଏ କାଢ଼ନ୍ତି, ସେମିତି ସାଙ୍ଗ ମୋର ପ୍ରେସର କୁକର୍‌ ଢାଙ୍କୁଣୀ ଖୋଲିଦେଲେ । ଢାଙ୍କୁଣୀ ଖୋଲା ହେଲାଠୁ ଗୋଟିଏ ଫୁରୁକୁଟିଆ ଗନ୍ଧ ବାହାରିଲା–ପଚା ମାଂସ ପରିକା । ସୁରେଶବାବୁ, ମିସେସ୍‌ ଭଟ୍ଟାଚାର୍ଯ୍ୟ ଓ ମୁଁ ତ ନାକରେ ହାତ ଦେଲୁ–ଖାଇବୁ କ’ଣ ? ସାଙ୍ଗ ଭଟ୍ଟାଚାର୍ଯ୍ୟ ମୁହଁକୁ ସିଧା ରଖି ସେ ମାଂସରୁ ପୁଳାଏ ନେଇ ପାଟିରେ ଦେଲେ–ହେଲେ ଖାଇପାରିଲେନି । ସେଠୁ ମୁଁ ଯାଇ ନିଆଁରୁ ପୋଡ଼ା ମାଉଁସ ପେଣ୍ଡାଟା ଆଣି ରଖିଲି–ଖଣ୍ଡେ ଖଣ୍ଡେ କାଟି ସମସ୍ତଙ୍କ ଥାଳିରେ ଦେଲି । ସାଙ୍ଗମାନେ ଖାଇଲେ ଆଉ ଖୁବ୍‌ ଖୁସି ହେଲେ । ମିରିଗ-ମାଂସ ଏତେ ସୁଆଦିଆ ହୋଇପାରେ ବୋଲି ସୁରେଶବାବୁଙ୍କର ଧାରଣା ନ ଥିଲା । ସେଠି ଆମେ ରହିଲୁ ପାଞ୍ଚଦିନ–ସବୁବେଳେ ସେଇପରିକା ପୋଡ଼ା ମାଉଁସ ଖାଇବି । ସେ ଦିନଗୁଡ଼ାକ ବେଶ୍‌ ଆନନ୍ଦରେ କଟିଥିଲା । X X ସେଇଠୁ ଫେରିକି ସୁରେଶବାବୁ ଆଉ ମିସେସ୍‌ ଭଟ୍ଟାଚାର୍ଯ୍ୟ କଲିକତା କ୍ଳବ୍‌ରେ କହିଛନ୍ତି ବୋଧେ ସେ ରାନ୍ଧିବା କଥା ।

 

ମିସେସ୍‌ ସେନ୍‌ ବଡ଼ ବ୍ୟସ୍ତ କଲେ ତାଙ୍କୁ ସେ ରାନ୍ଧଣାଟା ବତାଇ ଦେବାପାଇଁ । ମୁଁ ତ ଭାରି ହଇରାଣରେ ପଡ଼ିଲି । ମୁଁ କ’ଣ ରନ୍ଧାରନ୍ଧି ଜାଣେ ଯେ କହିପାରିବି କି ସେରେ ମାଂସକୁ ଏତେ ଅଦା, ଏତେ ଲୁଣ ? କହିଲି, ‘‘ମାଂସ ଉପରେ ପିଆଜ, ରସୁଣ, ଅଦାବଟା ଖୁବ୍‌ ଦଳି ଦଳି ମଖେଇବ । ହଁ, ତା’ ଆଗରୁ ଭିନ୍‌ଗାର ଦେଇ ମାଂସକୁ ଦୁଇଘଣ୍ଟା ରଖିଥିବ–ହଁ, ଲୁଣଟା ବି ଦବାର କଥା ତ । ତା’ପରେ ଖୁବ୍‌ ମୁଲାଏମ୍‌ କାଠ-କୋଇଲାର ରଡ଼ରେ ସେ ମାଂସକୁ ସେକିବ ଦୁଇ ଘଣ୍ଟା-।’’

 

ଏଇସବୁ ଶୁଣି ମିସେସ୍‌ ସେନ୍‌ କହିଲେ ଯେ ହେଲାନି, ଆଉ କ’ଣ ଦବାକୁ ହେବ ମାଂସଟା ସୁଆଦ କରିବାକୁ । କହିଲି, ‘‘ହଁ ଗୋ ହଁ, ବାଢ଼ିଲାବେଳେ ସେ ମାଂସ ସାଙ୍ଗରେ ଟିକେ ‘ଭାଲୋ ବାସା’ ମାନେ ସ୍ନେହ ଗୋଳେଇକି ବାଢ଼ିବ ।’’

 

ସମସ୍ତେ ଖୁବ୍‌ ହସିଲେ । ଯେତେ ମାଇପେ ଥିଲେ ସେଠି ସମସ୍ତେ ଲଗେଇଲେ ଥରେ ତାଙ୍କୁ ବଣକୁ ନେଇ ଶିକାର ଦେଖାଇବାକୁ ଆଉ ଶିକାର-ମାଂସ ଖୋଇବାକୁ । ମୁଁ ତ ଛାନିଆ–ଏ ଜଞ୍ଜାଳ କିଏ ମୁଣ୍ଡାଇବ ? କୌଣସି ପ୍ରକାର ତାଙ୍କଠୁ ମୁକ୍ତି ପାଇ ଘରକୁ ଫେରୁ ଫେରୁ ରାତି ଦଶ ହେଲା । ତା’ ପରଦିନ ବଡ଼ିଭୋରରୁ ଦମ୍‌ଦମ୍‌ ଘାଟିରେ ଉଡ଼ାଜାହାଜ ଧରିବାକୁ ହେବ ପରା !

 

X X X ସେ ଦିନ ସକାଳୁ ଉଡ଼ାଜାହାଜରେ ଆସିଲାବେଳେ ସେଇ ଦେଢ଼ଘଣ୍ଟା କାଳ କେତେ କଥା ମନରେ ହେଇଥିଲା । ଅଗରତାଲା ପହଞ୍ଚିବା ସମୟଠୁ ରାତିଯାକେ ବସି ମାଈଁଙ୍କଠୁ ତ୍ରିପୁରା ରାଜ୍ୟ କଥା ଶୁଣିଛି । କୁଞ୍ଜବନ ପ୍ରାସାଦର ବଗିଚାରେ ବୁଲି ବୁଲି ଫୁଲଫଳ ଦେଖି ମନ ବିଭୋର ହେଇଚି–ରବି ଠାକୁର କେମିତି ସେ ପ୍ରାସାଦରେ ରହିଥିଲେ, କ’ଣ କବିତାସବୁ ଲେଖିଥିଲେ, ସେଠି ମାଈଁଙ୍କଠୁ ଶୁଣିଥିଲି ସେ ଦିନ । ମୋଟାମୋଟି ସେଠି ସେ ଦିନଭିତରେ କେତେ ଯେ ଆନନ୍ଦ ପାଇଚି, କେତେ ଯେ ଆଉରି ସୁଖର ବେଳ ଆସିବ ବୋଲି ଆଶା କରିଥିଲି କୁହାନଯାଏ । ହେଲେ ଏଇ ଭୋରଟାରୁ କଟ୍‌ କଟ୍‌ କଟ୍‌ ଶବ୍ଦରେ ମୋର ସବୁ ସ୍ୱପ୍ନ ଯେମିତି ଭାଙ୍ଗିଯିବାକୁ ବସିଲା । ଏକଡ଼ ସେକଡ଼ ହେଇ ହେଇ ଗଲା ଦୁଇ ଦିନର କଥା ସବୁ ମନେ ପକେଇ ପକେଇ ରାତି ପାହିଗଲା । ସିନ୍ଦୂରା ଫାଟିବାକ୍ଷଣି ଦାସୁ ଚା’ ସରଞ୍ଜାମ ଆଣି ଥୋଇଲା ମୋ ପାଖରେ । ଠିକ୍‌ ସେତିକିବେଳେ ପୁଣି ‘କଟ୍‌ କଟ୍‌’ ଶବ୍ଦ ହେଲା । ତାକୁ ପଚାରିବାରେ ସେ କହିଲା, ଏଇଟା ‘ଖେକୋ’ । ତା’ର ଅଧା ବଙ୍ଗଳା ଭାଷାରେ କହିଲା, ଏଇଟା ଗୋଟେ ବଡ଼ ଆକାରର ଝିଟିପିଟି–ତାକୁ ସେଠି ଖେକୋ କହନ୍ତି ।

 

ମୁଁ ତ ନିଜକୁ ଖୁବ୍‌ ଧିକାରିଲି । ଏତେବେଳଯାଏ ବୁଝିପାରି ନ ଥିଲି କିମିତି । ଶବ୍ଦଟା ଠିକ୍‌ ଝିଟିପିଟିର ଶବ୍ଦ ପରି ଚଢ଼ା ଆୱାଜ, ଏକାଥରକେ ଶହେଟା ଝିଟିପିଟି ଶବ୍ଦ କଲେ ଯେମିତି ଶୁଭିବ, ସେମିତି । ମନଟା ଟିକେ ହାଲୁକା ହେଲା ଯେ ବିମ୍‌ଟା ତା’ହେଲେ ମୋ ଉପରେ ଭାଙ୍ଗିପଡ଼ୁନି !!

 

ଚା’ପରେ ଉଠି ନଅରଯାକ ବୁଲିଆସିଲି । ସାମନା ଆଡ଼କୁ ଯେଉଁ ଗୋଲାପ ମନ୍ଦାଟା ହେଇଚି, ସେଇଥିରେ ତ ମୋର ମନ ଲାଗିଥାଏ । ଗଛଗୁଡ଼ାକ ଖୁବ୍‌ ସୁନ୍ଦର ଆଉ ଫୁଲଟିମାନ ସାଧାରଣଠୁ ଦୁଇଗୁଣ ବଡ଼ ଆଉ ବାସନା ତ ମନମତାଣିଆ । ସେଇଠି ମଝିରେ ଠିଆ ହେଇ ମୁଁ ତ ଏକଦମ୍‌ ବିଭୋର ହେଇଯାଇଥିଲି । କେତେବେଳୁ ଆସି ମାଈଁ ମୋତେ ଡାକୁଆନ୍ତି ଯେ ହୁବ୍‌ ନଥାଏ । ଦାସୁ ଆସିକି ମୋତେ ହଲାଇ ଦେଇ କହିଲା ‘ଗୋଲ କାମରାକୁ’ ଯିବାକୁ, ସେଠି ଫେର୍‌ ଦଫାଏ ଚା’ ହେବ ।

 

ଚା’ ଖାଉଁ ଖାଉଁ ତ୍ରିପୁରା ରାଜ୍ୟର ମାନଚିତ୍ର ଦେଖାହେଲା । ମାମୁ କହିଲେ ଯେ ସେଇ ଦିନ ଆମେ ବାହାରି ଯାଇ ପାରିଲେ ଭଲ ହୁଅନ୍ତା–ହେଲେ ସାଙ୍ଗରେ ମୋର ଯେଉଁ ଅଫିସରଙ୍କର ଯିବାର କଥା ସେ ସେଇଦିନ ଫେରିବା କଥା ଗସ୍ତରୁ । ତାଙ୍କ ସାଙ୍ଗରେ ସବୁ ବନ୍ଦୋବସ୍ତ ନକଲେ ତ ହେବନି । ଏଣେ କଲେକ୍‌ଟର ସାହେବ–ଭୁଟାଲିଆ ସାହେବ–ଖବର ଦେଇଥା’ନ୍ତି ଯେ କଲିକତାର ଆଉ କେତେଜଣ ଶିକାରୀ ଜଙ୍ଗଲରେ ଘୂରୁଛନ୍ତି ହାତୀ ପାଇଁ–ସେମାନଙ୍କର ରାସ୍ତାରେ ମୋର ଯିବାଟା ତ ସୁନ୍ଦର ହବନି । ସେ ସବୁ ଖବରାଖବର ସେଇ ଦିନ ସଞ୍ଜ ସୁଦ୍ଧା ଆସିବାର ଆଶା । ଖବର ସବୁ ଆସିଲେ ଫଣିବାବୁ–ଶ୍ରୀ ଫଣି ମଜୁମ୍‌ଦାର, ତାଙ୍କର ପୁନର୍ବସତି ଅଫିସର–ଠିକ୍‌ ଠିକ୍‌ ଗୋଟିଏ ମସୁଧା କରି ପାରିବେ । ସେଇ ଫଣିବାବୁ ମୋତେ ନେଇକି ଜଙ୍ଗଲରେ ଛାଡ଼ିବାର କଥା ଥିଲା । ସେଇ କୁଞ୍ଜବନ ନଅରରେ ମୋର ତ ବେଶ୍‌ ଆନନ୍ଦରେ ବେଳ କଟୁଥାଏ ।–ଗୋଲାପ ଫୁଲ, ଜାରବେରା, ଡାଲିଆ, ଗେଣ୍ଡୁ ଫୁଲ, ସବୁର ଆକାର ସାଧାରଣଠୁ ବେଶ୍‌ ବଡ଼ । ‘ହଁ’ ଭରିଲି ତାଙ୍କରି କଥାରେ । ଆଉ ଦି’ ଦିନ ଖଣ୍ଡେ ଡେରି ହେଲେ ବି କ୍ଷତି ନାହିଁ ବୋଲି କହିଲି । ମୋର ତ ଛୁଟି ଥାଏ ଦଶ ବାର ଦିନ ବାକି । ସେତିକିବେଳେ ମାଈଁଙ୍କୁ କହିଲି, ରାତି ପାହାନ୍ତି କଟ୍‌ କଟ୍‌ ଶବ୍ଦ କଥା । ମାଈଁ ହସିଲେ, କହିଲେ, ମୁଁ ଡରିଲି କି ? ସେଇଟା ଗୋଟେ ଅତିକାୟ ଝିଟିପିଟି–ଭଲ ନାଁ ହେଉଛି ତକ୍ଷକ । ଆଗ କାଳରେ କାଳେ ପରୀକ୍ଷିତ ମହାରାଜାଙ୍କୁ ସେଇ ତକ୍ଷକ ଦଂଶିଥିଲା ।

 

ସେ ଦିନ ସକାଳଟା ଯାକ ମୁଁ ସେ କୁଞ୍ଜବନ ନଅରରେ ଏପଟ-ସେପଟ ଛପି ଛପି ବୁଲିଲି ଏଇ ତକ୍ଷକକୁ ଦେଖିବାକୁ, ଦିନ ଦଶଟାକୁ ତା’ର ଦେଖାମିଳିଲା । ଗୋଟିଏ ଗୋଧି ଭଳିଆ ଚେହେରା; କିନ୍ତୁ ଝିଟିପିଟି ପରିକା କାନ୍ଥରେ କାନ୍ଥରେ ବୁଲେ । ପୋକ-ଜୋକ ଖାଏ । ବିଷ ଅଛି କି ନା ଜାଣି ପାରିଲି ନାହିଁ । ନୋଟ୍‌ ବହିରେ ଲେଖି ରଖିଲି କଟକ ଫେରିଲେ ଆମର ଜୁଲଜିର ପ୍ରଫେସର ଡକ୍‌ଟର ବସନ୍ତ ବେହୁରାଙ୍କୁ ପଚାରିବି ବୋଲି । ସାଙ୍ଗରେ କେମେରା ନଥିଲା ଫଟୋ ନେଇପାରିଲି ନାହିଁ, ଅବଶୋଷ୍‌ ରହିଗଲା ଢେର୍‌ । ସେ ଦିନ ଏଇ ତକ୍ଷକର ପିଛା ବୁଲିବାବେଳକୁ ଆଉ ଗୋଟିଏ ଅଦ୍ଭୁତ ଜନ୍ତୁ ଦେଖିଲି । ସେଠାରେ ଗୁଣ୍ଡିଚିମୂଷା ସବୁ ବାଦାମୀ ରଙ୍ଗର । ଆଉ ଆମର ଏ ଆଡ଼ର ଗୁଣ୍ଡିଚିମୂଷାଠୁ ବଡ଼–ପ୍ରାୟ ଦେଢ଼ା ଆକାର ହେବ । ତାଙ୍କ ଦେହରେ କଳା ଧଳା ଗାର ବି ନାହିଁ । ଭାବିଲି ଏଠାରେ ଗୁଣ୍ଡିଚିମୂଷାମାନେ ରାମେଶ୍ୱରକୁ ଯାଇପାରି ନଥିଲେ ବୋଧହୁଏ-। ରାମ-ଲକ୍ଷ୍ମଣ ଯେବେ ଲଙ୍କା ଦ୍ୱୀପକୁ ସେତୁ ବାନ୍ଧୁଥିଲେ ସେତେବେଳେ ଗୁଣ୍ଡିଚିମୂଷାଟିଏ ଯାଇ ବାଲି ପକାଉଥିଲା ବୋଲି ରାମ ତାକୁ ଆଉଁସି ଥିଲେ ଯେ ତାଙ୍କର ଆଙ୍ଗୁଠି-ଚିହ୍ନ ଗୁଣ୍ଡିଚିମୂଷା ଦେହରେ କଳା ଧଳା ଆକାରରେ ରହିଯାଇଚି । ଏଠାର ଗୁଣ୍ଡିଚିମୂଷା ଅଗରତାଲାରୁ ରାମେଶ୍ୱର ଯାକେ ଯାଇପାରି ନ ଥିଲେ ବୋଧହୁଏ । ସେଇଥିପାଇଁ ଦେହରେ ଶ୍ରୀରାମଙ୍କର ଆଙ୍ଗୁଠି-ଚିହ୍ନ ରହିପାରିନାହିଁ । ଏଇ କଥା ଆସି ମାଈଁଙ୍କୁ ପଚାରିବାରେ ସେ ବି କହିଲେ ଯେ, ତାଙ୍କର ରହଣି କାଳରେ ସେ ଗୁଣ୍ଡିଚିମୂଷା ଦେଖି ନଥିଲେ । ସେ ତ ଆମ ଆଡ଼ର ଧଳା କଳା ରଙ୍ଗର ଗୁଣ୍ଡିଚିମୂଷା ଖୋଜିଥିବେ, ଏଇ ମଇଳା ବାଦାମୀ ରଙ୍ଗର ଗୁଣ୍ଡୁଚିମୂଷାଙ୍କୁ ନଜର କରି ପାରି ନାହାନ୍ତି ବୋଧହୁଏ ।

 

ଫଣିବାବୁ ଉପରଓଳି ଆସିଲେ । ତାଙ୍କର ଯାହା ଖବର ଥିଲା ସବୁ କହିଲେ । ତାଙ୍କ ମତରେ ଆମେ ଗଣ୍ଡାଛରାଠେଇ ପୁନର୍ବସତି ବିଭାଗର ନୂଆ ଛାଉଣୀରେ ରହିବା–ସେଇଠୁ ଜଙ୍ଗଲରେ ହାତୀ ଖୋଜିବା ସୁବିଧା ହେବ । ଭଦ୍ରଲୋକଙ୍କ ବୟସ ପଚାଶ ଉପରେ–କଥାବାର୍ତ୍ତା କରିବାର ଢଙ୍ଗ ତାଙ୍କର ଖୁବ୍‌ କୁହାଳିଆ । ଖୁବ୍‌ ହସ କଥାଟା ବି କହନ୍ତି ମୁହଁକୁ ଗମ୍ଭୀର କରି । ତାଙ୍କର ଘର କାଳେ ଢାକା ପାଖରେ ଥିଲା–ସେଠାର ପୂର୍ବ-ବଙ୍ଗୀୟ ଭାଷା ତାଙ୍କର ମାତୃଭାଷା । ସେ ଭାଷାଟା ଶୁଣିବାକୁ କେତେଟା ଆମର ଦେଶୁଆ ଓଡ଼ିଆ ପରିକା–କାନକୁ ଖୁବ୍‌ ମିଠା ଶୁଭେ । ‘ଚ’ ଶବ୍ଦଟା ତାଙ୍କ ପାଟିରେ ‘ସସ୍‌’ ଶୁଭେ । ମୁଁ ମନେ ମନେ ଖୁସି ହେଲି ଯେ ଶିକାର ହେଉ ବା ନହେଉ–ତ୍ରିପୁରା ସରକାରଙ୍କ ହାତୀଦଳନ ଯୋଜନା ସଫଳ ହେଉ ବା ନହେଉ ମୋର ବୁଲାବୁଲିଟା ଫଣିବାବୁଙ୍କ ସାଙ୍ଗରେ ଖୁବ୍‌ ସୁଖକର ହେବ । ଫଣିବାବୁ ପ୍ରତ୍ୟେକ କଥାରେ ଗୋଟିଏ ନା ଗୋଟିଏ ଟିପ୍‌ପଣୀ କରନ୍ତି–ଯଉ ଟିପ୍‌ପଣୀଟା ଶୁଣିଲେ ଜଣେ ଅତି କଡ଼ା ମିଞ୍ଜାସ୍‌ର ଲୋକର ବଦନରେ ହସର ରେଖା ଉକୁଟିବ । ଯେଉଁ ଘରେ ଆମେ ବସି କଥାବାର୍ତ୍ତା ହେଉଥିଲେ ସେଇଠି ନଡ଼ିଆ ଖୋଳପାରେ ତିଆରି ଗୋଟିଏ ବୁଢ଼ାର ମୁଣ୍ଡ ଥିଲା–ଆଉ କାନ୍ଥରେ ଷ୍ଟାଲିନ୍‌ର ଗୋଟିଏ ଫଟୋ ବି ଥିଲା–ଫଣିବାବୁଙ୍କର ଟୀକା ଶୁଣି ଶୁଣି ସେ ଦୁଇଟା ମୁହଁରେ ବି ଆମୋଦର ରେଖା ଉକୁଟିଲା ।

 

ମାମୁ ମାଈଁ ତୁହାଇ ତୁହାଇ ପଚାରିଲେ, ‘‘ଗଣ୍ଡାଛେରା ଡେରାରେ ସବୁପ୍ରକାର ଖାଇବାର ମିଳିବ ତ ? ରହିବା, ଗାଧୋଇବା, ଶୋଇବା ପାଇଁ ସବୁପ୍ରକାର ସୁବିଧା ଅଛି ତ ?’’ ଏସବୁ ପ୍ରଶ୍ନର ଉତ୍ତରରେ ଫଣିବାବୁ କହିଲେ, ‘‘ସାହେବର କିସ୍‌ସୁ ଅସୁବିଦେ ହବେନା ସାର୍‌, ଆମି ଥାକସ୍‌ସି ତୋ ସଙ୍ଗେ ।’’ ତେବେ ହଁ–ସେଠି ତ ଆଉ କୁଞ୍ଜବନ ଉଆସ ପରିକା ମାର୍ବଲ୍‌ ପଥରଖଞ୍ଜା ଗାଧୁଆଘର ନାହିଁ କି ଉଆସ ଚାରିପାଖରେ ଯେମିତି ବାଗ୍‌-ବଗିଚା–ଯେମିତି ଚନ୍ଦ୍ରଉଦିଆ ଫୁଲ-ସେମିତି ତ ଆଉ ବଣରେ ମିଳିବନି ।

 

ଠିକ୍‌ ହେଲା ତା’ ପରଦିନ ବଡ଼ିଭୋରରୁ ଗୋଟିଏ ଜିପ୍‌ରେ ଆମେ ବାହାରିବୁ । ଜିପ୍‌ରେ ଗୋଟିଏ ଟ୍ରେଲାର୍‌ ଖଞ୍ଜାହେବ–ସେଥିରେ ବିଛଣାପଟା, ରନ୍ଧା ସରଞ୍ଜାମ ହେରିକା ଲଦାହେବ । ସାଙ୍ଗରେ ଜଣେ ଫରେଷ୍ଟ ଅଫିସରଙ୍କୁ ବି ନବାର କଥା ହେଲା । ଆମକୁ ପ୍ରାୟ ନବେ ମାଇଲ ଯିବାକୁ ଥାଏ । ଷାଠିଏ ମାଇଲ ଭଲ ପକ୍‌କା ସଡ଼କ ଅଛି–ବାକି ରାସ୍ତାଟା ଜଙ୍ଗଲି ରାସ୍ତା–ମାଟି ରାସ୍ତା । ବାଟରେ ଗୋଟିଏ ଲମ୍ୱା ଘାଟି ବି ଅଛି ପରା । ମୋଟାମୋଟି କଥା ଯେ ରାସ୍ତା ସିନା ନବେ ମାଇଲ–ଲାଗିବ ଯେମିତି ଶହେ ପଚାଶ ମାଇଲ । ସେଇଥିପାଇଁ ଯେତେ ସକାଳୁ ଯାଇପାରୁ ସେତେ ଭଲ ହେବ । ଦାସୁକୁ ତ ବରାଦ ହେଲା କୁକୁଡ଼ା-ଡାକରୁ–ସେଠି କୁକୁଡ଼ା-ଡାକରୁ ନ କହି ମୁଁ ଭାବିଲି ଖେକୋ ଡାକରୁ କହିଲେ ଭଲ ହୁଅନ୍ତା; କାହିଁକି ନା, ସେ ତକ୍ଷକ ଓରଫ୍‌ ଖେକୋ ତ ଠିକ୍‌ ରାତିପାହାନ୍ତା କଟ୍‌ କଟ୍‌ କରି ଡାକିଦବ ମୋତେ–ଦାସୁ ମୋତେ ଉଠେଇବ, ଚାହା ଜଳଖିଆ ଦବ ଖାଇବାକୁ, ଆଉ ବାଟକୁ ନବାକୁ ଖାଇବାର ପୁଡ଼ିଆଟେ ବାନ୍ଧିକି ଦବ । ଫଣିବାବୁ ଉଠିଲେ ପରଦିନର ସପର୍‌ ପାଇଁ ସବୁ ଯୋଗାଡ଼ଯନ୍ତ୍ର କରିବାକୁ । ଆମେ ବସି ଗପ ଆରମ୍ଭ କଲୁ ଅଗରତାଲାର ଲୋକବାକଙ୍କ କଥା–ତାଙ୍କର ଚାଲିଚଳନ କଥା–କେମିତି ସେମାନେ ଖୁବ୍‌ ସରଳ ନିରୀହ ଲୋକ, କେମିତି ସୁନ୍ଦର ସୁନ୍ଦର ହାତକାମ ସବୁ କରନ୍ତି–ବାଉଁଶରେ, କପା ସୂତାରେ । ସେମାନଙ୍କର ଘରଦୁଆର ସବୁ କିମିତି କେବଳ ବାଉଁଶରେ ହୁଏ । ଆଉ ସାଧାରଣ ଲୋକ କିମିତି ଗୀତ-ବାଦ୍ୟପ୍ରିୟ ।

 

ତା’ ପରଦିନ ବଡ଼ିଭୋରରୁ ଦାସୁ ଚା’ ଆଣି ମୋତେ ଡାକିବା ଆଗରୁ ସେଠାର ଖେକୋ ମୋତେ ଉଠେଇ ଦେଇଥାଏ । ଶୀଘ୍ର ଶୀଘ୍ର ଦାନ୍ତପତ୍ର ଘଷି ଗାଧୁଆ-ପାଧୁଆ ସାରି ଜଳଖିଆ ପେଟେ ଖାଇ–କିଛି ଖାଇବାର ବାନ୍ଧି ବାହାରିପଡ଼ିଲି । ଫଣିବାବୁ ଜିପ୍‌ ଓ ଟ୍ରେଲାର ନେଇଆସି ପହଞ୍ଚିଲେ ଛଅଟା ସୁଦ୍ଧା । ମୁଁ ମାଈଁ-ମାମୁଙ୍କର ଆଶୀର୍ବାଦ ଓ ଫଣିବାବୁ ମାମୁଙ୍କଠୁ ମୋର ହେପାଜତ୍‌ କରିବାକୁ ତାଗିଦ୍‌ ପାଇ ବାହାରିପଡ଼ିଲୁ ଗଣ୍ଡାଛରା ରାସ୍ତାରେ ।

 

କୁଞ୍ଜବନ ଉଆସରୁ ବାହାରି ମାଇଲିଏ ଖଣ୍ଡେ ରାସ୍ତା ପରେ ଅଗରତାଲା ସହର । ସହରଟା ପାରିହୋଇ ପୂର୍ବକୁ ଗୋଟିଏ ପକ୍‌କା ରାସ୍ତା ଯାଇଚି ଘାଟିର ପର୍ଯ୍ୟନ୍ତ–ସେଇ ରାସ୍ତାରେ ଆମେ ଗଲୁ । ସେଠାର ସଡ଼କଟା ମାଟି ଓ ଇଟାରେ ତିଆରି–ଇଟା ଉପରେ ଅଳ୍ପ ଗେଟି ବିଛାଯାଇ ଆଲକାତରା ଦିଆହେଇଛି । ସେ ରାଜ୍ୟରେ ପଥରର ବଡ଼ ଅଭାବ । ପନ୍ଦର ମାଇଲ ପରେ ଗୋଟିଏ ବଡ଼ଧରଣର ଗାଁ ପଡ଼ିଲା–ଜିରାନିଆ ସଡ଼କ ଦୁଇ କରରେ ଦୋକାନ-ବଜାର ଢେର୍‌ । ଫଣିବାବୁ ଗାଡ଼ି ଅଟକେଇଲେ ତାଙ୍କର ପୁନର୍ବସତି ବିଭାଗର ଅଫିସ ଆଗରେ । ସେଠାର ଅଫିସର ସାଙ୍ଗରେ କଥାବାର୍ତ୍ତା ହେଇ ବୁଝିଲେ ଯେ ତାଙ୍କର କହିବା ଅନୁସାରେ ବନ୍ଦୋବସ୍ତ ସବୁ ଠିକ୍‌-ଠାକ୍‌ । ଫେର୍‌ ପନ୍ଦର ମାଇଲ ପରେ ପଡ଼ିଲା ଗୋଟିଏ ଘାଟି । ତେଲିଆମୁରା ଗାଁ ପରେ ଅଠରମୁରା ପାହାଡ଼ର ଘାଟି ରାସ୍ତା । ପାହାଡ଼ଟାରେ ପଥର ମୋଟେ ନାହିଁ କହିଲେ ଚଳେ; ଖାଲି ମାଟି । ସେଇ ମାଟିଗଦାର ପାହାଡ଼ କାନ୍ଥକୁ କାଟି ରାସ୍ତା ତିଆରି ହେଇଚି–ଟିକେ ଜୋର ବର୍ଷା ହେଲେ ଗଦାଏ ମାଟି ଧସିଆସି ସଡ଼କ ବନ୍ଦ ହୁଏ । ଘାଟି ପାରହେଲେ ଦଶ ବାର ମାଇଲ ପରେ ଦୋଲବାରି ଗାଁ । ସେ ଜାଗାଟାକୁ ଆମ୍ୱାଶା ବୋଲି ବି କହନ୍ତି ।

 

ଆମ୍ୱାଶାଠେଇ ଆମେ ଦି’ପହରିଆ ଖିଆ ଖାଇଲୁ । ଆଉ ବେଳ ନେଉଟିଆ ବେଳକୁ ବାହାରିଲୁ ଜଙ୍ଗଲ ବିଭାଗର ରାସ୍ତାରେ ଗଣ୍ଡାଛରାକୁ । ସେଇ ରାସ୍ତାଟା ନୂଆ ତିଆରି ହଉଥାଏ । ପାହାଡ଼ କାଟି ଜଙ୍ଗଲ ଭିତର ଦେଇ ସେ ରାସ୍ତା ଯାଇଛି । ଅଣଓସାର ପାହାଡ଼ିଆ ଘାଟି-ରାସ୍ତା–ଟ୍ରେଲାରଲଗା ଜିପ୍‌କୁ ଧୀରେ ଧୀରେ ଚଳାଇବା ଦରକାର ହେଲା । ଆଠ ଦଶ ମାଇଲ ପରେ ବୋଲଂବାସାଠେଇ କେତେଗୁଡ଼ିଏ ସରକାରୀ ଘର ଅଫିସ୍‌ ଥିଲା । ସେଠି ଗାଡ଼ି ରଖି ଖବର ନବାରେ ଜଣାଗଲା ଯେ ହାତୀ ସେ ଜଙ୍ଗଲରେ ଭାରି ଗଣ୍ଡଗୋଳ କରୁଥା’ନ୍ତି । କଲିକତାର ବାଇରନ୍‌ ସାହେବ ସେଠି ଶିକାର କରିବାକୁ ଆସି ରହିଛନ୍ତି । ତା’ ପୂର୍ବ ରାତିରେ ଗୋଟିଏ ହାତୀ ଗାଁ ଭିତରେ ପଶିଥିଲା ଯେ ତାକୁ ମାରିଥିଲେ ସେ ବାଇରନ୍‌ ସାହେବ ।

 

ଆହୁରି ପଲେ ହାତୀ ପଛରେ ସେଦିନ ସେ ଭଦ୍ରଲୋକ ଜଙ୍ଗଲକୁ ଯାଇଛନ୍ତି । ଆମେ ତ ଆଉ ତାଙ୍କ ସାଙ୍ଗରେ ଦେଖାକରି ପାରିଲୁନାହିଁ । ଏଣେ ସଞ୍ଜ ହେଇଯାଉଥାଏ ବୋଲି ତରତର ହୋଇ ଗାଡ଼ି ଛାଡ଼ିଲୁ ଗଣ୍ଡାଛରା ରାସ୍ତାରେ ।

 

ପାହାଡ଼ ପର୍ବତ କାନ୍ଥରେ ବାଙ୍କି ବାଙ୍କି ସେ ସରୁ ରାସ୍ତାଟାରେ ଧୀରେ ଧୀରେ ଯିବାକୁ ଖୁବ୍‌ ଭଲ ଲାଗୁଥାଏ । ସେଠାର ଜଙ୍ଗଲରେ ବେଶି ଭାଗ ବାଉଁଶ–ଆମ ଏ ଆଡ଼ର ବାଉଁଶ ପରିକା ନୁହେଁ । ସେ ବାଉଁଶ ଖୁବ୍‌ ସରୁଆ । ସେଥିରେ ଛତାବେଣ୍ଟ ଆଉ ବଇଁଶି ତିଆରି ହୁଏ । ଗଛଗୁରାକ ବାରଫୁଟ କି ପନ୍ଦରଫୁଟ ଉଚ୍ଚା ହୁଏ–ସରୁ ସରୁ ପତର । ଗୋଟିଏ ନୂଆ କଥା ଦେଖିଲି ସେଠି । ପ୍ରାୟ ସବୁ ବାଉଁଶ ଗଛରେ ଫଳ ଫଳିଥାଏ । ମୁଁ ତ ଆଗରୁ ବାଉଁଶ ଗଛରେ ଫଳ ହେବାର ଦେଖି ନ ଥିଲି । ଖୁବ୍‌ ଆଶ୍ଚର୍ଯ୍ୟ ଲାଗିଲା । ଭାବିଲି ଏ ଜାତିର ବାଉଁଶରେ ଫଳ ହୁଏ ବୋଧହୁଏ !

 

ପରେ ଆସି ଅମ୍ୱିକାକୁ ପଚାରି ବୁଝିଲି ଯେ ସବୁ ବାଉଁଶ ଗଛରେ ଫୁଲ-ଫଳ ହୁଏ–କୋଡ଼ିଏ ପଚିଶି ବର୍ଷରେ ଥରେ । ଫୁଲ ହେଲେ ସେ ବୁଦାଟା ମରିଯାଏ–ପୁଣି ନୂଆ ଗଛ ନ ହେବା ଯାଏ ସେ ଜଙ୍ଗଲରେ ବାଉଁଶ ଆଉ ନ ମିଳେ । ତେବେ ଏ ଆଡ଼ର ବାଉଁଶରେ ଛୋଟ ଛୋଟ ଫୁଲ; ଆଉ ଫଳ ବି ଧାନ ଆକାରର । ତ୍ରିପୁରାର ଗଛରେ ଯଉ ଫଳ ଦେଖିଲି, ସେଗୁରାକ ଗୋଟିଏ ଗୋଟିଏ ପିଜୁଳି ପରିକା । ବାଉଁଶର ସରୁ ଡାଳରୁ ତଳକୁ ଓହଳିଥାଏ ଯେ ଦେଖିବାକୁ ସୁନ୍ଦର ଦିଶୁଥାଏ ।

 

ସଞ୍ଜ ରତରତ ହେଉଥାଏ, ଆମେ ଯାଇ ଗଣ୍ଡାଛରା ଠେଇ ପହଞ୍ଚିଲୁ । ସେଠି ପୁନର୍ବସତି ବିଭାଗର ଗୋଟିଏ ଛାଉଣି ଥାଏ । ଅନେକ ଲୋକବାକ ଥା’ନ୍ତି । ସେଇଠି ରହିଲୁ ଗୋଟିଏ ବସାଘରେ । ସେ ଘରଟା ତିଆରି ହୋଇଥାଏ ବାଉଁଶରେ । କାନ୍ଥଟା ବାଉଁଶରେ–ଛାତ ବି ବାଉଁଶରେ; ଆଉ ମାଟିରେ ବି ବାଉଁଶ ବିଛା ହେଇଥାଏ । ବାଉଁଶର ଭାଡ଼ି ହୋଇଥାଏ ଖଟ ପରିକା ବ୍ୟବହାର ହେବା ପାଇଁ । ସେଦିନ ରାତିଟା ସେଇଠି କଟିଲା । ସଞ୍ଜଟା ଯାକ ପାଖଆଖ ଗାଁ-ବସ୍ତିର ଲୋକ ଆସି ଖବର ଦେଲେ ଯେ ତାଙ୍କ ଗାଁ ପାଖର ଜଙ୍ଗଲରୁ ଆଗ ହାତୀ ମାରିବା ଦରକାର ।

 

କୁକୁଡ଼ାଡାକରୁ ଉଠି କିଛି ଜଳଖିଆ ପରେ ମୁଁ ବାହାରି ପଡ଼ିଲି ହାତୀ ଖୋଜିବାକୁ ଜଙ୍ଗଲରେ । ସାଙ୍ଗରେ ଜଣେ ଫରେଷ୍ଟ ଅଫିସର ଗଲେ । ୪୬୫/.୫୦୦ ଦି’ନଳିଆ ରାଇଫଲ୍‌ଟା ସାଢ଼େ ୫ ସେର; ଆଉ ତା’ର ଦଶଟା ଗୁଳି ଅଧସେରେ ହେବ । ବୋହିବାକୁ କଷ୍ଟ ହେବ ବୋଲି ସେ ପଡ଼ାର ଜଣେ ଚାଖମାକୁ ସାଙ୍ଗରେ ନେଲୁ । ପିଇବା ପାଣି ଗୋଟିଏ ଲୁହା ବୋତଲରେ ଧରି କାନ୍ଧରେ ଝୁଲାଇ ଚାଲିଲୁ । ପ୍ରଥମ ଆଠ ଦଶ ମାଇଲ ବାଟ ତ ସମତଳ ରାସ୍ତା–ଜଙ୍ଗଲ ବି ଖୁବ୍‌ ପତଳା । କାଁ-ଭାଁ ଗୋଟିଏ ଯୋଡ଼ିଏ ଛୋଟ ଛୋଟ ଟିଲା । ସେ ଦେଶରେ ଛୋଟ ମୁଣ୍ଡିଆକୁ ଟିଲା କହନ୍ତି । ଟିଲାଗୁଡ଼ାକ ଗୋଟାଏ ଗୋଟାଏ ବିରାଟ ମାଟିଗଦା–ଯେମିତି କଟକର ବାରବାଟୀ କିଲ୍ଲା ଭିତରେ ଗୋଟିଏ ମାଟିଗଦା ଅଛି–ସେମିତି ତା’ ଚାରିପାଖ ଯାକ ବାଉଁଶ ବଣ । ଅଧିକାଂଶ ଟିଲାର ବାଉଁଶ ବଣକୁ କାଟିଦେଇ ସେଥିରେ ନିଆଁ ଲଗେଇ ପୋଡ଼ିଦିଅନ୍ତି । ସଫା ହେଇଗଲେ ସେଇ ଟିଲାଟାଯାକ ଫୁଟେ ଗହୀର ଓ ଚାରି ଆଙ୍ଗୁଳି ବ୍ୟାସର ଗାତ ଖୋଳି ସେଥିରେ କପାମଞ୍ଜି, ଧାନ, ମକ୍‌କା, କଖାରୁମଞ୍ଜି ଆଉ ଗେଣ୍ଡୁଫୁଲ ମଞ୍ଜି ପୋତିଦିଅନ୍ତି ସେଠାର ଚାଖ୍‌ମାମାନେ । ଟିଲାର ମଝାମଝି ଜାଗାରେ କିମ୍ୱା ଚୁଳି ଉପରେ ଗୋଟିଏ ବାଉଁଶର ଘର କରି ଜଗନ୍ତି । ଯଉ ଗଛର ଯେତେବେଳେ ଅଙ୍କୁରିବା କଥା ସେ ତା’ର ସେତେବେଳେ ହୁଏ–ଫଳ ଫଳିଲେ ଚାଖ୍‌ମାଟି ତା’ର ଆମଦାନି କରିପକାଏ, ଆଉ ସେଇ ବାଉଁଶ ଘର ବାରନ୍ଦାରେ ବସି ହୁକା ଟାଣୁଥାଏ । ଗୋଟିଏ ଟିଲାରେ ଗୋଟିଏ ଘର । ଆମର ଏଣେ କୋରାପୁଟ ଜିଲ୍ଲାରେ ଯେମିତି ପୋଡ଼ୁଚାଷ ହୁଏ ସେଇପରିକା ଢଙ୍ଗ–ଯଉ ଟିଲା ଯେ ଆବାଦ କଲା ସେଟା ତା’ର ହେଇଗଲା । ଏଇପରିକା ଟିଲା କେତେ ଆଉ ଛରା କେତେ ପାରହୋଇ ଚାଲିଥାଉ । ସେ ଦେଶରେ ଛୋଟ ନଈନାଳକୁ ଛରା କହନ୍ତି । ଦଶ ବାର ମାଇଲ ବାଟ ଯାଉ ଯାଉ ଦିନ ଦଶଟା ବାଜିଲା । ଶୋଷରେ ଜିଭ ଶୁଖିବା ପରିକା ହଉଥାଏ । ପାଖରେ ପାଣି ବୋତଲ ତ ଥାଏ–ଟିକିଏନାକୁ ପାଣି ପିଇଦେଲେ ଫେର୍‌ ଦିନଯାକ ବଣରେ କ’ଣ କରିବା ଭାବି ଆଉ ସେ ପାଣି ଖର୍ଚ୍ଚ କଲୁ ନାହିଁ । ପ୍ରଧାନ ଚନ୍ଦ୍ର ଦଳପତି ପାରା ବୋଲି ଗୋଟିଏ ଗାଁରେ ଯାଇ ସେଠାରେ ପଧାନ ଘରେ କୁଣିଆ ହେଲୁ । ସେ ତ ଭାରି ଖୁସି ହେଲା ଯେ ଲାଟ ସାହେବଙ୍କ ଭଣଜା ତା’ ଘରେ ଯାଇ ବସିଲେ ବୋଲି । ସାଙ୍ଗେ ସାଙ୍ଗେ ଦୁଧ ଦୁହିଁ ପିଇବାକୁ ଦେଲା । ଆମକୁ ଖୁବ୍‌ ବଳେଇଲା ସେଇଠି ଦି’ପହର ଖିଆଟା ସାରିବାକୁ । ଆମେ ତ ଛାନିଆ ହେଉଥାଉ କେମିତି ରାଇମାଶର୍ମା ପାହାଡ଼ ମାଳକୁ ଯିବୁ–ସେଠି ପରା ହାତୀ ପଲ ପଲ । ପଧାନକୁ ଢେର୍‌ ଧନ୍ୟବାଦ ଦେଇ ସେଠୁ ବାହାରିପଡ଼ିଲୁ । ଗୋବିନ୍ଦବାରି, ଯତନବାରି ଗାଁ ସବୁ ପାର ହୋଇଯାଇ ରାଇମାଶର୍ମା ପର୍ବତମାଳର ଜଙ୍ଗଲରେ ପଶିଲା ବେଳକୁ ଦିନ ଦି’ପହର । ଗୋଟେ ପରେ ଗୋଟେ ଟିଲା ପାର ହୋଇ ଗୋଟିଏ ଘଞ୍ଚ ଜଙ୍ଗଲରେ ପହଞ୍ଚିଲୁ । ସେଠି ବାଉଁଶଗଛ ଏତେ ଘଞ୍ଚ ହୋଇଥାଏ ଯେ ଦଶ ପାହୁଣ୍ଡ ଦୂରକୁ ଦେଖାଯାଉ ନ ଥାଏ । ହାତୀ ପଲ ଚରୁଥା’ନ୍ତି ତାରି ଭିତରେ–ଦୂରରୁ ବାଉଁଶ ଭାଙ୍ଗିବାର ଶବ୍ଦ ଶୁଭୁଥାଏ । ସାଙ୍ଗରେ ବେଶି ଲୋକ ଗଲେ ତ ଶବଦ ବେଶି ହେବ । ସେଥିପାଇଁ ମୁଁ ଫରେଷ୍ଟ ଅଫିସରଙ୍କୁ କହିଲି ସେ ପାଖର ଚାଖ୍‌ମା ବସ୍ତିରେ ରହନ୍ତୁ; ମୁଁ ସେଇ ବସ୍ତିର ଜଣେ ଟୋକାକୁ ସାଙ୍ଗରେ ଧରି ବଣକୁ ଯିବି । ସ୍ନେହକୁମାର ଚାଖ୍‌ମାର ସେ ଅଞ୍ଚଳରେ ଖୁବ୍‌ ନାମ-ଡାକ ଯେ ସେ କାଳେ ଖୁବ୍‌ ସାହସୀ ଲୋକ–କେବେ ସେ ତା’ ଜମିରୁ ହାତୀକୁ ଠେଙ୍ଗାରେ ବାଡ଼େଇ ଖେଦି ଦେଇଥିଲା । ସେ ତ ମୋତେ କହିଲା ଏକବାରେ ନେଇ ହାତୀପଲ ମଝିରେ ପହଞ୍ଚେଇ ଦେବ ।

 

ସ୍ନେହକୁମାର ଚାଖ୍‌ମା ଯାହା କହିଲା, ସେଇଆ କଲା । ମୋତେ ବଣ ଲଟିରେ ନେଇ ଗୋଟିଏ ଜାଗାରେ ପହଞ୍ଚାଇ ଦେଲା–ସାମନାରେ ବାଉଁଶ ବୁଦା ଟିକେ ପତଳା ଥାଏ–ବଡ଼ ବଡ଼ ଘାସବୁଦା ଥାଏ । ସେ ଘାସକୁ ହାତୀ ଘାସ (Elephant grass) କହନ୍ତି । ସେଗୁରାକ ଆଠ ଦଶଫୁଟ ଉଚ୍ଚା ହେଇଥାଏ । ଆମର ଏପଟ କାଶି (କାଶତଣ୍ଡି) ପରିକା । ସେଇଠି ଗୋଟିଏ ବାଉଁଶ ବୁଦା ଉହାଡ଼ରେ ମୋତେ ଠିଆହେବାକୁ କହି ସେ ଫେର୍‌ ଛାଇ ପରିକା କୁଆଡ଼େ ଉଭେଇଗଲା ।

 

ବାଉଁଶ ବୁଦା ପଛପଟେ ଛିଡ଼ା ହୋଇ ଦେଖିଲି ଆଗର ହାତୀଘାସର ଛୋଟ ପଡ଼ିଆ । ଆରପାଖର ସବୁ ବାଉଁଶ ଗଛ ପାଖରେ ଗୋଟିଏ ଯୋଡ଼ିଏ ହାତୀ ଡାଳ ଭାଙ୍ଗି ଖାଉଚନ୍ତି । ଦଶ କି ବାର ଘର ହାତୀ ସେଇଠି ଚରୁଥାନ୍ତି–ମୋତେ ତ କେବଳ ବାଉଁଶ ଡାଳ ଭାଙ୍ଗିବାର ଶବଦ ଶୁଭୁଥାଏ–ହାତୀମାନଙ୍କର ଶୁଣ୍ଢଟିମାନ ବେଳେ ବେଳେ ହାତୀଘାସ ଉପରକୁ ଦିଶୁଥାଏ–ଆଉ ସେମାନଙ୍କର ପେଟର ଗର୍ଜନ ଶୁଭୁଥାଏ–କାନର ଠପ୍‌ ଠପ୍‌ ଆୱାଜ୍‌ ଶୁଭୁଥାଏ । କେତେବେଳେ ଫଁ ଫଁ ହେଉଥା’ନ୍ତି ଯେ ସେଇଟା ଶୁଭୁଥାଏ । ପରିଷ୍କାର ଭାବେ ଦେଖିଲେ ସିନା ଜାଣନ୍ତି ଯେ କଉଟା ଦନ୍ତା ହାତୀ, କଉଟା ମାଈହାତୀ । ମୋର ତ ମାଈହାତୀ ମାରିବାର ଇଚ୍ଛା ନ ଥାଏ ମୋଟେ । ମାଈହାତୀର ଦାନ୍ତ ନ ଥାଏ । ଆଫ୍ରିକାର ସବୁ ହାତୀମାନଙ୍କର ସିନା ଦାନ୍ତ ଥାଏ, ଭାରତୀୟ ହାତୀ-ଜାତିରେ ମାଈମାନଙ୍କର ଦାନ୍ତ ନ ଥାଏ । ମାଈହାତୀ ବି ମାରିଥିଲେ ହୁଏତ ତ୍ରିପୁରା ସରକାରଙ୍କର ହାତୀଦଳନ ଯୋଜନାକୁ ସାହାଯ୍ୟ ହେଇଥା’ନ୍ତା–ମୋର କିଛି ଲାଭ ହୁଅନ୍ତାନି । ଓଜନିଆ ଦାନ୍ତ ଯୋଡ଼ାଏ ପାଇଲେ ତ ଯାଇ ଦେଖେଇବି ସାଙ୍ଗମାନଙ୍କୁ–ନହେଲେ ଏତେବଡ଼ ଜନ୍ତୁଟାକୁ ମାରି ମିଛୁଟାରେ ମନଖରାପ କାହିଁକି କରନ୍ତି ?

 

ବହୁତ ଚେଷ୍ଟାକଲି ଭଲକରି ଦେଖିବାକୁ ଯେ ଆଉ ହେଇପାରିଲାନି । ହାତୀପଲ ଭିତରୁ ଆହୁରି ଶୁଣିଲି ବାଳୁତ ହାତୀମାନଙ୍କର କଳରୋଳ । ମୋର ତ ସେତକ ଶୁଣି ଛାତି ଦାଉଁ ଦାଉଁ ହେଲା । ମାଈହାତୀ ପାଖରେ ଛୁଆ–ସେ ଫେର୍‌ ଗୋଟେ ନୁହେଁ–ପଞ୍ଝାଏ ଛୁଆ–ସେଗୁଡ଼ାକର ତ କିଛି ଠିକ୍‌ ଠିକଣା ନାହିଁ । ଖେଳୁ ଖେଳୁ ଖେଳ ନହସରେ ମୋ ପଟକୁ ଯଦି ଚାଲିଆସନ୍ତି ତ ମା’ମାନେ ବି ପଛେ ପଛେ ଆସିବେ ଆଉ ପାଖରେ ଯଦି ମଣିଷ-ଗନ୍ଧ ତାଙ୍କ ନାକରେ ବାଜିଚି ନା ପ୍ରଳୟ କାଣ୍ଡ ହବ–ମୋର ହାତ ଗୋଡ଼ ଗଣ୍ଡି ମୁଣ୍ଡ ସବୁ ହାତୀ ଗୋଡ଼ ତଳେ ପିଣ୍ଡୁଳା ହୋଇଯିବ । ଗୋଟିକିଆ ମା’ହାତୀଠୁ ବା ଦୌଡ଼ିକି ପଳେଇଯାଇହବ; ଦଳେ ମା’ହାତୀ ପାଖରୁ ପଳେଇବାର ତ ବାଟ ମିଳିବନି । ଏଇପରିକା ଚିନ୍ତା ମନଟାକୁ ଗୋଳେଇ-ଘାଣ୍ଟି ପକଉଥାଏ । ହାତରେ ଦି’ନଳିଆ ରାଇଫଲଟା ହାତକୁ ଖୁବ୍‌ ଓଜନିଆ ହେଲାଣି–ଖରାଯାଇ ମୁଣ୍ଡଉପରେ ହେଲାଣି ଯେ ଶୋଷରେ ତାଳୁ ଶୁଖିଗଲାଣି । ବାଉଁଶ ପତରସନ୍ଧିରେ ଆଗକୁ ଅନିଶା କରି କରି ବେକଟା ବି ବଥେଇଲାଣି । ଢେର୍‌ ବେଳ ପରେ ସ୍ନେହକୁମାର ଚାଖ୍‌ମା ପାଦ ଚିପିଚିପି ମୋ ପାଖକୁ ଆସି କହିଲା ଯେ ସେ ପଲରେ ଦନ୍ତାହାତୀ ନାହିଁ । ଖାଲି ଦଶଘର ମାଈ ଆଉ ଯୋଡ଼ିଏ ଛୁଆହାତୀ । ଚୁପି ଚୁପି ପାଦ ଚିପିଚିପି ଆମେ ସେ ବଣରୁ ବାହାରି ଆସିଲୁ । ପଦାରେ ପହଞ୍ଚିବା ବେଳକୁ ଦିନ ଦେଢ଼ୁଟା । ଆମର ଫରେଷ୍ଟ ଅଫିସର ବନ୍ଧୁଟି ଡଜନେ କୁକୁଡ଼ା ଅଣ୍ଡା ସିଝାଇ ଆଣିଥା’ନ୍ତି ଆଉ ଗରାରେ ଗରାଏ ପାଣି । ସେଥିରୁ ଗଣ୍ଡାଏ ଖାଇ ପାଣି ପିଇ ଦଶ ନିଶ୍ୱାସ ମାରିବାକୁ ଗଛ ଛାଇରେ ଟିକେ ଗଡ଼ିପଡ଼ିଲି । ସ୍ନେହକୁମାର ଆଉ ଜଣେ ସାଙ୍ଗକୁ ଧରି ଗଲା ବଣକୁ ଦନ୍ତାହାତୀର ଓର ଖୋଜିବାକୁ ।

 

ପାଖରେ ଗାଁର ବୁଢ଼ା ଜଣେ ଆସି ବସିଲା । ଭାରି ଜିଗର କଲା ଗୋଟାଏ ଯୋଡ଼ାଏ–ମାଈ ହେଉ ପଛେ–ହାତୀ ମାରି ଦବାକୁ । ସେମାନେ ଅନେକ ଦିନ ହବ ମାଂସ ଖାଇନାହାନ୍ତି । ସେଠାର ଆଦିବାସୀମାନେ ହାତୀମାଂସ ଖୁବ୍‌ ଭଲ ପାଆନ୍ତି । ମୁଁ ନାସ୍ତି କଲି–ଦନ୍ତାହାତୀ, ଖଚଡ଼ ହାତୀ ନ ହେଲେ ମାରିବି ନାହିଁ । ବୁଢ଼ାର ମନ ଭାରି ଖରାପ ହେଲା ବୋଧହୁଏ ।

 

ଅଧଘଣ୍ଟେ ପରେ ସ୍ନେହକୁମାର ଚାଖ୍‌ମା ଆସି ମୋତେ ଡାକିଲା । ମାଇଲିଏ ଦୂରର ସେଇ ପାହାଡ଼ ଉପରେ ଦନ୍ତାହାତୀ । ବଡ଼ ଆଗ୍ରହରେ ଚାଲିଲି । ସେଠା ପାହାଡ଼ ସବୁ ତ ମାଟିର–ଗଛ-ବୃଛ ଖୁବ୍‌ କମ୍‌–ପୋଡ଼ୁଚାଷ ଯୋଗୁ ପାହାଡ଼ମାନଙ୍କ ଉପରେ ବଡ଼ ଗଛ କିଛି ନାହିଁ କହିଲେ ଚଳେ । ଗୋଟିଏ ପାହାଡ଼ର ଚୁଳିରେ ଛିଡ଼ାହେଲେ ତା’ ଆଖପାଖ ପାହାଡ଼ଗୁଡ଼ାକ ସବୁ ଦିଶେ ଢେର୍‌ ଦୂର ଯାଏ । ଆମେ ଯାଇ ସେମିତି ଗୋଟିଏ ଟିଲାଠି ଛିଡ଼ାହୋଇ ଦେଖିଲୁ ପୂର୍ବ ଆଡ଼କୁ ଗୋଟିଏ ଟିଲା ଉପରେ ଆଠ ଦଶଟି ହାତୀ ଘାସ ଖାଉଥା’ନ୍ତି । ସେ ଦଳରେ ଗୋଟିଏ ହାତୀର ଆକାର ଦେଖି ତ ମୋର ନିଶ୍ୱାସ ବନ୍ଦ ହେବା ଉପରେ ହୋଇଥିଲା । ତା’ର ଆକାରଟା ଗୋଟିଏ ପାହାଡ଼ ପରି ବିରାଟ । ସେ ଦଳର ଆର ହାତୀଗୁଡ଼ାକ ତା’ ପାଖରେ ଛୁଆପରି ଦିଶୁଥା’ନ୍ତି । ଏ ଦୃଶ୍ୟ ଦେଖିଲୁ ଆମେ ପ୍ରାୟ ଅଧମାଇଲ ଦୂରରୁ । ସେଠିକି ପହଞ୍ଚିବାକୁ ହେଲେ ଆମକୁ ତିନିଟା ପାହାଡ଼ ଉଠିବାକୁ ହବ ଆଉ ଯୋଡ଼ିଏ ଛରା–ଆମ ଆଡ଼ର ନାଳ–ପାରିହେବାକୁ ହେବ । ଆଉ ତର ସହିଲାନି । ଦୌଡ଼ିଲା ପରିକା ହେଇ ବାହାରିଲୁ–ଅନିଶା ଥାଏ ସେଇ ଟିଲାଠେଇ, ସେଇ ପାହାଡ଼ ପ୍ରକାର ହାତୀଠେଇ । ଝୁଣ୍ଟିଲି ଢେର୍‌ ଥର ବାଟରେ । ଟିଲା, ଛରା ସବୁ ପାରହେଇ ସେଠି ପହଁଞ୍ଚିଲା ବେଳକୁ ଦିନ ଚାରି ବାଜିଲାଣି । ସେ ଟିଲାଟାର ଏମୁଣ୍ଡ ସେମୁଣ୍ଡ ଖୋଜିଲୁ–ହାତୀର ସୁରାକ ନାହିଁ । ଏତେ ବଡ଼ ବଡ଼ ପାହୁଲ ଚିହ୍ନ ଦେଖି ମୁଁ ଅନୁମାନ କଲି ସେ ହାତୀଟା ଖୁବ୍‌ କମ୍‌ରେ ଏଗାର ଫୁଟ ଉଚ୍ଚା ହେଇଥିବ ପରା–ଠାଏ ଠାଏ ତା’ର ଦାନ୍ତ ମାଟିରେ ଘୁଷୁରିଚି ଯେ ଦାଗ ପଡ଼ିଚି-। ସ୍ନେହକୁମାର ଲଗେଇଥାଏ ଆମେ ସେ ହାତୀ ଖୋଜ ଧରିକି ଡହରିବା ତା’ ପଛରେ । ସାଙ୍ଗର ଫରେଷ୍ଟ ଅଫିସର ବାରଣ କଲେ–କହିଲେ ସେଇ ଟିଲାଟା ପାକିସ୍ଥାନର ସୀମା–ଆଉ ଆଗକୁ ଗଲେ ତ ଆମେ ପାକିସ୍ଥାନର ରାଜ୍ୟକୁ ଯିବା । ମନମାରି ବସିପଡ଼ିଲି ସେଠାର ଗୋଟିଏ ଢିପଠେଇ-। ଗୋଡ଼-ହାତ ଭାରି ଘୋଳେଇଲାଣି ତ ସେତେବେଳକୁ । କ’ଣ କରିବା ? ହାତୀମାନଙ୍କର ତ ପାସପୋର୍ଟ ଧନ୍ଦା ନାହିଁ । ସେ ମନଖୁସିରେ ହିନ୍ଦୁସ୍ଥାନ, ପାକିସ୍ଥାନ ଯାଇ ପାରୁଛନ୍ତି–ଆମେ ତ ଆଉ ଗୋଡ଼େଇକି ପାକିସ୍ଥାନରେ ପଶିପାରିଲେନି । X X

 

ଦୁଇଶହ ଗଜ ଦୂରରେ ଦେଖିଲୁ ସେ ହାତୀଟି ଆଉ ଗୋଟିଏ ଟିଲା ଚଢ଼ୁଥିଲା–ବିରାଟକାୟ–ତା’ ପଛକୁ ଚାଳିଶ କି ପଚାଶ ହାତୀ–ମାଈ, ଦନ୍ତା, ଛୁଆ–ମେଣ୍ଢାପଲ ପରିକା ଚାଲିଥା’ନ୍ତି ଟିଲା ଉପରଦେଇ । ସୂର୍ଯ୍ୟ ପଶ୍ଚିମ ଆକାଶରେ ଏକଦମ୍‌ ସେଇ ଟିଲାର ଆରପାଖର ବଣରେ ପଶିଲା ପରିକା–ନାଲିଆ ହଳଦିଆ ରଙ୍ଗରେ ଆକାଶ ଖୁବ୍‌ ତୋଫା ଦିଶୁଥାଏ । ସେଇ ତୋଫା ଆକାଶରେ ଟିଲାଟା ଦିଶୁଥାଏ ମେରୁ ପରିକା–ଆଉ ତାରି ଉପରେ କାହାଣେ ଖଣ୍ଡେ ହବ ପଲହାତୀ... ।

 

ସେ ଦୃଶ୍ୟ ଏଡ଼େ ସୁନ୍ଦର ଦିଶୁଥିଲା ଯେ ଯିଏ ନ ଦେଖିଚି ତାକୁ କହି ବୁଝାଇବା କଷ୍ଟ । କେଜାଣି ଅବା ରମେଶବାବୁ ଚିତ୍ର କରି ଦେଖେଇଦେବେ ତୁମକୁ । X X X

 

ସଞ୍ଜ ହେଲାରୁ ଗୋଟିଏ ଗୋଟିଏ ଫେରିଲୁ ସ୍ନେହକୁମାର ଚାଖ୍‌ମାର ବସ୍ତିକୁ । ସେଦିନ ତ ଆଉ ଫେରିପାରିଲିନି ଆମର ଗଣ୍ଡାଛରାର ବସାକୁ । ସ୍ନେହକୁମାର କହିଲା ତାରି ଘରେ ସେଦିନ ରାତିଟା ରହିବାକୁ । ମୋର ତ ସେତେବେଳେ ଗୋଡ଼ହାତ ଭାରି ପରାଶ ହେଲାଣି–ଦିନଟାଯାକ ଚାଲିଚି–ପ୍ରାୟ କୋଡ଼ିଏ କି ପଚିଶ ମାଇଲ–ଟିଲା ଚଢ଼ିଚି, ଛରା ପାରି ହେଇଚି କାହିଁରେ କେତେ–ବଡ଼ ଆଗ୍ରହରେ ହଁ ଭରିଲି ତାଙ୍କ ଘରେ ରହିବାକୁ ।

 

ସ୍ନେହକୁମାର ଚାଖ୍‌ମାର ଘରଟା ବାଉଁଶରେ ତିଆରି । ବାଉଁଶର ଗୋଟିଏ ଭାଡ଼ି ହେଇଚି ଯେ ଚାଳିଶ ଫୁଟ ଲମ୍ୱା ଆଉ ତିରିଶ ଫୁଟ ଓସାର । ମାଟିରୁ ସାତଫୁଟ ଉପରେ ଭାଡ଼ି । ସେଇ ଭାଡ଼ିଟା ଘର । ତିନି ପାଖରେ ଆଠଫୁଟ ଓସାରର ବାରନ୍ଦା ପରିକା; ବାକି ଜାଗାଟା ବାଉଁଶବାଡ଼ ଦେଇ କାନ୍ଥ ହେଇଚି । ଆଉ ଉପରେ ବାଉଁଶର ଚାଳ । ସେଠାର ଆଦିବାସୀମାନେ ହେଲେ ରିଆଙ୍ଗ ଜାତି ଓ ଚାଖ୍‌ମା ଜାତିର ଲୋକ । ସମସ୍ତଙ୍କର ଘର ଏଇପରିକା । ଭାଡ଼ିତଳେ ସେମାନେ ମେଣ୍ଢା, ଘୁଷୁରି, ଗୋରୁ, ମଇଁଷି ହେରିକା ରଖନ୍ତୁ ଆଉ ତା’ଉପର ଘରେ ନିଜେ ଶୁଅନ୍ତି । ବାରନ୍ଦାରେ ରନ୍ଧାରନ୍ଧି ହୁଏ । ଲୁଗା ବୁଣିବାର ତନ୍ତଟିଏ ଥାଏ ଆଉ ଅତିଥି ଅଭ୍ୟାଗତ ଚର୍ଚ୍ଚା ହୁଏ । ତାଙ୍କର ମାଇପିମାନେ ଖରିଦକରା ଲୁଗା ପିନ୍ଧନ୍ତିନି–ନିଜେ ବୁଣିଥିବାର ଲୁଗା ପିନ୍ଧନ୍ତି । ସେମାନେ ତ ଲୁଙ୍ଗି ପରିକା ଛୋଟ ଲୁଗାଟିଏ ପିନ୍ଧନ୍ତି–ସାଧାରଣରେ ଅଣ୍ଟା ଉପରକୁ କିଛି ପିନ୍ଧନ୍ତିନି । ଯାନିଯାତ୍ରାରେ କି ଗାଁ ବାହାରକୁ ହାଟ-ବଜାରକୁ ଗଲେ ଗୋଟିଏ ଛଅ ଇଞ୍ଚ ଓସାରର ଚିତ୍ର-ବିଚିତ୍ର ଲୁଗା ଛାତିରେ ଗୁଡ଼େଇ ଦିଅନ୍ତି । ଚାଖ୍‌ମାମାନେ ଦେଖିବାକୁ ଗୋରା । ରିଆଙ୍ଗମାନେ ବି ପ୍ରାୟ ଗୋରା ଯେ ଚାଖ୍‌ମାଙ୍କ ପରିକା ସାହେବୀ ଗୋରା ନୁହେଁ । ଚାଖ୍‌ମାମାନେ କାଳେ ପର୍ତ୍ତୁଗୀଜ ବଣିକମାନଙ୍କର ବଂଶଧର ।

 

ସ୍ନେହକୁମାର ଚାଖ୍‌ମା ଘରେ ସେ ରାତିଟା ବଡ଼ ଆନନ୍ଦରେ କଟିଲା । ପାଖଆଖ ପଡ଼ାର ଯେତେ ଲୋକବାକ ଥିଲେ ସବୁ ସେଠିକି ଆସିଲେ–ଲାଟ ସାହେବଙ୍କର ଭଣଜାଙ୍କର ସମ୍ମାନ ଦବାକୁ । ସଞ୍ଜବତି ଲାଗୁ ଲାଗୁ ସ୍ନେହକୁମାର ଘର ଚାରିପାଖ ଶହେ ଖଣ୍ଡେ ପୁରୁଷ ମାଇପେ ପିଲେ ଜମା ହେଇଗଲେ । ବାଉଁଶର ଭାଡ଼ିଘରକୁ ଏତେ ଲୋକ ଉଠିଲେ ସେଇଟା ଖସି ପଡ଼ିବ–ବୁଢ଼ା ବୁଢ଼ା ଆଠଦଶ ଜଣ ଆସିଲେ ଆଉ ସେ ଗାଁର ସବୁଠୁ ବୟସ୍କା ବୁଢ଼ୀଟିଏ ଗୋଟିଏ ବୋତଲରେ ବୋତଲେ ତାଙ୍କ ଘରତିଆରି ମଦ ଧରି ଆସିଲା । ସେଇ ବୋତଲଟା ମୋତେ ଆଗ ଦିଆହେଲା । ସ୍ନେହକୁମାର କହିଲା ନ ଖାଇଲେ ବି ପାଟି ପାଖରେ ଟିକେ ଲଗେଇଲେ ହବ । ଦିଅଁଙ୍କ ଠେଇଁ ଭୋଗ ଲାଗିଲା ପରା–ମୁଁ ସେ ବୋତଲ ଟିକେ ମୁହଁରେ ଲଗେଇ ତା’ ହାତକୁ ବଢ଼େଇ ଦେଲାରୁ ସମସ୍ତେ ସେଇଥିରୁ ଢୋକେ ଢୋକେ ପିଇଲେ । ବାରନ୍ଦାରେ ଗୋଟିଏ ନୂଆ ତୁଳାର ନୂଆ ରେଜାଇ ପାରିଦେଲେ–ନୂଆ ତକିଆ ଦୁଇଟା ପଡ଼ିଲା । ମୁଁ ସେଇଠି ବସିଲାରୁ ସାମନା ମାଟିରେ ନାଚହେଲା ଘଣ୍ଟେ ଖଣ୍ଡେ ।

 

ସ୍ନେହକୁମାରର ସ୍ତ୍ରୀ ଭାତ ବାଢ଼ିବ କି ପଚାରିଲାରୁ ଆଗ୍ରହରେ ହଁ ଭରିଲି–ଭୋକ ତ ଖୁବ୍‌ ହେଉଥିଲା । ବାଉଁଶର ଗୋଟିଏ ଛୋଟ ଟେବୁଲ–ଫୁଟେ ଉଚ୍ଚା ହେବ–ମୋ ଆଗରେ ଥୁଆହେଲା । ତା’ଉପରେ କଦଳୀପତ୍ରରେ ମାଣେ ଚାଉଳର ଭାତ ବଢ଼ାହେଲା । ମୁଁ ତ କାବା, ଏତେଗୁଡ଼ାଏ ଭାତ ଖାଇପାରିବିନି । ବହୁତ ଜିଗର୍‌ କଲାରୁ ଭାତ କମାଗଲା–ତା’ଉପରେ କୁକୁଡ଼ା ତରକାରି ବେଲାଏ ଢଳାଗଲା । ସ୍ନେହକୁମାରକୁ ତ ପୂରା ମାଣେ ଚାଉଳର ଭାତ ଲାଗିଲା–ସେ ତା’ର ଏଲୁମିନିୟମ୍‌ ଥାଳିରେ ଖାଇଲା । ମାଂସରନ୍ଧାରେ କେବଳ ଲୁଣ ଆଉ ପିଆଜ ପଡ଼ିଥାଏ–ଖାଇବାକୁ ଖୁବ୍‌ ସୁଆଦ ହୋଇଥାଏ । ଭାତ ଏତେ କମ୍‌ ଖାଇବା ଦେଖି ଚାଖ୍‌ମାଣୀ ଅନବରତ ଟିପ୍‌ପଣୀ କରୁଥାଏ ଯେ ଅଧେ ମୁଁ ବୁଝିପାରୁ ନ ଥାଏ–ପଚାରିଲେ ଭଙ୍ଗା ବଙ୍ଗଳାରେ ସେ ହସି ହସି ପଚାରେ ସ୍ନେହକୁ ‘‘କି କୟେ ସାହେବ ?’’

 

X X X

 

ତା’ ପରଦିନ ସକାଳୁ ପୁଣି ବହେ ଜଙ୍ଗଲ ଘୂରିଲୁ । ହାତୀର ଆଉ ଦେଖା ମିଳିଲାନି । ହେଲେ ଗୋଟିଏ ବିରାଟ ବାଘ ପାଇଲି । ଛୋଟ ଛୋଟ ଘାସବଣ, ସେଠି ଗୋଟିଏ ମଇଁଷି ମଢ଼ରେ ସେ ଖାଉଥିଲା । ଆମେ ଯାଇ ତ ଏକବାରେ ହାବୁଡ଼ିଗଲୁ । ସେ ବାଘ ତା’ର ଖିଆ ବନ୍ଦ କରି ତରାଟିଲା ମୋତେ–ମୁଁ ତ ଏକଦମ ଛାନିଆ–ରାଇଫଲରେ ତ ହାତୀ–ପାଇଁ ସଲିଡ଼ ଗୁଳି ପୂରେଇଚି–ତା’ ଛଡ଼ା ଦଶହାତ ଦୂରରେ ବାଘ; ଏତେ ଟିକେ ହଲଚଲ ହେଲେ ଖାଲି ପ୍ରାଣଭୟରେ ସେ ମୋ ଉପରକୁ କୁଦି ପଡ଼ିବ । ମୁଁ ବି ତାକୁ ତରାଟି ରହିଲି । ମିନିଟକ ପରେ ସେ ଆପଣାର ଉଠିଲା, ଘାଉଁ କରି ବିରକ୍ତିର ରଡ଼ିଟିଏ କରି ପଛର ବୁଦାରେ ପଶିଗଲା । ଆମେ ନିଶ୍ୱାସ ମାରି ଆପଣାର ବାଟ ଧରିଲୁ ।

 

ବୁଲି ବୁଲି ରାଇମାଶର୍ମା ପର୍ବତମାଳଟା ଯାକ ଖୋଜି ଦେଖିଲୁ ଯେ ପଲହାତୀ ସବୁ ପାକିସ୍ଥାନର ଚିଟ୍ଟାଗଙ୍ଗ ଅଞ୍ଚଳକୁ ଚାଲିଗଲେ । ମାଈ ଛୁଆ ଘରେ ଦୁଇଘର କାଁ ଭାଁ ରହି ଯାଇଚନ୍ତି । ଫେରିଲୁ ସେଦିନ ସଞ୍ଜକୁ ଗଣ୍ଡାଛରା ବସାକୁ । ସେଠି ଫେରିକି ଫଣିବାବୁଙ୍କୁ ଏ କଥା କହିବାରୁ ସେ ତ ମୁଣ୍ଡରେ ହାତଦେଇ ବସିଗଲେ । କହିଲେ କମିଶନର ସାହେବଙ୍କୁ ଜବାବ ଦେଇ ଆସିଥିଲେ ଯେ ସେଠାରୁ ଗୋଟାଏ ଯୋଡ଼ାଏ ହାତୀ ମରାଇଦେବ–ଏବେ ଫେରିକି କ’ଣ କହିବେ ତାଙ୍କୁ ? ମନୁ ପାଖରେ ଗୋଟାଏ ଯୋଡ଼ାଏ ଦନ୍ତା ଅଛନ୍ତି ଯେ ସେଗୁଡ଼ାକ ବାୟା ହାତୀ–ସାହେବଙ୍କ ଆଦରର ଭଣଜାଙ୍କୁ କ’ଣ ଆଉ ବାୟାହାତୀ ପାଖକୁ ନବାଟା କଉ ବୁଦ୍ଧିଆ କର୍ମଚାରୀର କାମ ? ସେଇ ଯୋଗୁରୁ ତ ସେ ରାଇମାଶର୍ମା ଅଞ୍ଚଳକୁ ଆସିଥିଲେ–ପଲ ପଲ ହାତୀ ଭିତରୁ ବାଛି ବାଛି କି କମିଶନର ସାହେବଙ୍କ ଭଣଜା ମାରିଥା’ନ୍ତେ–ମନ ମାନିଥାନ୍ତା–ଏଣେ ଭୟ କରିବାର କାରଣ ନ ଥାନ୍ତା କିଛି ? ଦଳୁଆ ହାତୀ ସାହସ କରି ଶିକାରୀକି ଗୋଡ଼ାନ୍ତିନି ପ୍ରାୟ । ଏକାଣିଆ ବାୟା ହାତୀ ଗୋଡ଼େଇ ଗୋଡ଼େଇ ଲୋକ ମାରନ୍ତି ।

 

ଏଇପରି ଚିନ୍ତାରେ ଫଣିବାବୁ ବିହ୍ୱଳ ହେବାର ଦେଖି ମୁଁ କହିଲି ଯେ ମନୁଠିକି ଯିବା । ବାୟା ହାତୀ ଯଦି ସେଠି ମଣିଷ ମାରୁଚି, ସେଇଠି ଆଗ ତା’ରି ମୁକାବିଲା କରିବା ଆମର ଉଚିତ ଥିଲା । ମିଛରେ ମୋତେ କହିବାକୁ ହେଲା ଯେ ମୁଁ ତା’ ଆଗରୁ ଢେର୍‌ ଢେର୍‌ ବାୟା ହାତୀ ମାରିଛି ବୋଲି । ଅନେକ ବାୟା ହାତୀ ମାରିଚି ଶୁଣି ଫଣିବାବୁ ଟିକିଏ ଦମ୍ଭ ଧରିଲେ ପରା । ସେ ରାତିଟା ଗଣ୍ଡାଛରାଠି କଟିଲା ।

 

ତା’ ପରଦିନ ସକାଳ ଦଶଟାରେ ବାହାରିଲୁ ଫେରନ୍ତା ଆମ୍ୱଶା ଯାକେ । ସେଇଠୁ ଉତ୍ତରକୁ କୋଡ଼ିଏ ମାଇଲ ବାଟ କୈଳାସର ରାସ୍ତାରେ ଗଲେ ମନୁ ବୋଲି ଗୋଟିଏ ଜାଗା ପଡ଼ିବ–ସେଠି ଗୋଟିଏ ଭଲ ସରକାରୀ ଡାକବଙ୍ଗଳା ଅଛି । ସେଇ ବଙ୍ଗଳାଠାରୁ ଦୁଇ ମାଇଲ ଭିତରେ ଗୋଟିଏ ଛୋଟ ବସ୍ତିରେ ଗୋଟିଏ ଦନ୍ତାହାତୀ ପଶି ଘର ଦୁଆର ଭାଙ୍ଗିଥାଏ ଆଉ ଗୋଟିଏ ବୁଢ଼ୀକୁ ମାରିଥାଏ । ସେ ହାତୀଟା ଲଙ୍ଗଥୁରାଇ ପର୍ବତମାଳାରୁ ଆସିଚି ବୋଲି ଅନୁମାନ । ଫଣିବାବୁଙ୍କର ଇଚ୍ଛା ନଥିଲା ସେଠିକି ଯିବାପାଇଁ; କାରଣ ସେ ଡରୁଥିଲେ କାଳେ ସେ ବାୟା ହାତୀ ପଛରେ ଯାଇ ଯଦି ମୋର କିଛି କ୍ଷତିହୁଏ ତେବେ କମିଶନର ସାହେବ ତ ତାଙ୍କୁ ଦୋଷ ଦେବେ ।

 

ଉପରବେଳା ଚାରିଟା ସୁଦ୍ଧା ମନୁ ବଙ୍ଗଳାଠେଇ ପହଞ୍ଚିଲୁ । ଚା’ ଖାଉ ଖାଉ ସେ ବସ୍ତିର ଜଣେ ଲୋକ-ପ୍ରେମକୁମାର ଚାଖ୍‌ମା–ଆସି ଖବର ଦେଲା ଯେ ସେ ବାୟା ହାତୀ ଗାଁ ପାଖ ଟିଲାରେ ରହୁଚି । ସାଙ୍ଗରେ ଗଲେ ସେଇଲାଗେ ଦେଖେଇଦବ । ସଞ୍ଜ ହେବାକୁ ଆଉ ବେଶି ଡେରି ନ ଥାଏ । ପ୍ରେମକୁମାର ତା’ପରଦିନ କୁକୁଡ଼ାଡାକରୁ ଆସିବାକୁ କହିଲି । ସେଇ ରାତିଟା ଫଣିବାବୁଙ୍କର କୁହାଳିଆ ଭାଷାରେ ଗପ ଶୁଣି ଶୁଣି କଟିଲା । X X X

 

ସିନ୍ଦୂରା ଫାଟିବା ଆଗରୁ ପ୍ରେମକୁମାର ଆସି ପାଖରେ ହାଜର ହେଲା । ତରବରରେ ଦାନ୍ତପତ୍ର ଘଷି କପେ ଚା’ ଓ ଗୋଟିଏ ଅଣ୍ଡାସିଝା ଖାଇ ବାହାରିପଡ଼ିଲି । ଫଣିବାବୁ ଶୋଇଥିଲେ । ଜିପ୍‌ରେ ଦେଢ଼ମାଇଲ ଗଲୁ । ସେଇଠୁ ଚାଲିକି ଟିଲାରେ ଚଢ଼ିଲୁ । ବସ୍ତିଠୁ ସେ ଟିଲା ଅଧମାଇଲରୁ ଟିକେ କମ୍‌ ହେବ । ଦୁଇଟା ଛୋଟ ଛୋଟ ମୁଣ୍ଡିଆ–ଲମ୍ୱାଳିଆ ପୂର୍ବରୁ ପଶ୍ଚିମକୁ–ପୂର୍ବ ପଟେ ଦୁଇଟା ଯାକ ମୁଣ୍ଡିଆ ମିଶିଛି । ମୁଣ୍ଡିଆଗୁଡ଼ାର ଢାଲୁ ଅଂଶରେ ବର୍ଷାପାଣି ବୋହି ଗୋଟିଏ ବିରାଟ ଖାଲ ହୋଇଥାଏ । ଗୋଟା ମୁଣ୍ଡିଆଟା ଖାଲି ହାତୀ-ଘାସରେ ଭର୍ତ୍ତି । ଉତ୍ତର ପାଖ ମୁଣ୍ଡିଆର କାନ୍ଧରେ ଗୋଟିଏ ମାଙ୍କଡ଼ ପିଛଳା ଗଛ; ଆଉ ପାଖରେ ଗୋଟାଏ ବାଉଁଶ ବୁଦା ।

 

ସେଇ ବାଉଁଶବୁଦା ପାଖରୁ ଘାସବଣରେ ପଶିବାର ସୁଡ଼ସୁଡ଼ିଆ ରାସ୍ତାଟିଏ–ସେଇ ବାଟେ ହାତୀ ବୋଧହୁଏ ଯାଇଚି । ପ୍ରେମକୁମାର ଓ ମୁଁ ସେଇ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ସେଇ ପାହାଡ଼ ତଳକୁ ଖସିଲୁ । ଦୁଇଶହ ଗଜ ବାଟ ଯିବାକୁ ଆମକୁ ଅଧଘଣ୍ଟେ ଲାଗିଲା । ସେ ଗଳିବାଟରୁ ତ କୁଆଡ଼େ କିଛି ଦିଶୁ ନ ଥାଏ–ଦୁଇ ପାହୁଣ୍ଡ ଯାଉ–ମିନିଟିଏ ଚୁପ୍‌ଚାପ୍‌ ରହିକି କାନଡ଼େରି ଶୁଣୁ–ପବନର ଗତି ପରୀକ୍ଷା କରୁ । ସେଠି ତ ଶୁଖିଲା ବାଲି ପାଇଲୁନି ପବନର ଗତି ପରଖ କରିବାକୁ । ଗାଲରେ କିମ୍ୱା ହାତର ପାପୁଲି ପଛପଟେ ଟିକେ ଛେପ ଲଗେଇକି ପରୀକ୍ଷା କରୁ କଉଆଡ଼େ ଦେଖେଇଲେ ଥଣ୍ଡା ଲାଗୁଚି । ହାତୀ ଶିକାରରେ ପବନର ଗତି ପରୀକ୍ଷା କରିବାର ଆଉ ଏତେ ସୁଡ଼୍‍ସାଡ଼୍‍ ଶବ୍ଦ ବାରିପାରିବାର ଶକ୍ତି ଉପରେ ଶିକାରୀର ପ୍ରାଣ ନିର୍ଭର କରେ । ହାତୀକି ସିନା ଭଲ ଦିଶେନି–ତା’ର କାନ ଓ ଶୁଙ୍ଘିବା ଶକ୍ତି ଖୁବ୍‌ ତେଜ । ହାତୀ, ଶିକାରୀର ଖବର ପାଇବା ଆଗରୁ ଶିକାରୀ ହାତୀକୁ ଠାବ କରିବା ଦରକାର ।

 

ଆମେ ତ କିଛି ସୁରାକ ପାଇଲୁନି ହାତୀର । ପୂର୍ବ ଆଡ଼ୁ କ୍ରମେ ଆଲୁଅ ବେଶି ବେଶି ହଉଥାଏ–ସୂର୍ଯ୍ୟ ଉଠିଲେଣି ସେଇ ଟିଲା ଉପରକୁ–ଆମେ କିନ୍ତୁ ଘାସବଣରେ ଜାଙ୍ଗଲୁ ଜାଙ୍ଗୁଲୁ ଅନ୍ଧାରରେ ଗୁରୁଣ୍ଡୁ ଥାଉ । ଦୁଇଶହ ଗଜ ଇମିତି ଗଲାପରେ ହାତୀର ବିଛଣାଟା ଦେଖିଲୁ । ଘାସବୁଦା ସବୁକୁ ମାଡ଼ି ମାଟିରେ ଶୋଇଦେଇଚି–ଦଶ ପନ୍ଦର ଫୁଟ ଓସାରର ଗୋଟିଏ ଗଦି ପରିକା ହେଇଚି । ଗୋଟିଏ କରରେ ହାତୀର ଲଣ୍ଡି ଦି’ ଚାରି ଗଉଣୀ ହବ । ସେଇଠି ଟିକେ ଫାଙ୍କ ବୋଲି ସକାଳୁଆ ଥଣ୍ଡା ପବନ ଦିହରେ ଲାଗିଲା । ହାତ ମୁହଁ ସବୁ ପୋଡ଼ିଲା ହାଉ ହାଉ । ଦେଖିଲା ବେଳକୁ ହାତରେ ଆଉ ମୁହଁରେ ଅସଂଖ୍ୟା ଆଁଚୁଡ଼ା ଦାଗ–ଗୁରୁଣ୍ଡି ଗୁରୁଣ୍ଡି ଆସିଲାବେଳେ ହାତୀଘାସର ଆଁଶରେ ହାତର ଓ ମୁହଁର ଚମଡ଼ା କଟିଚି । ଦେହରେ ଶାର୍ଟ ଥିଲା ବୋଲି ଦେହଟାରେ କିଛି ହେଇ ପାରି ନଥିଲା । X X ପବନଟା ସେତେବେଳେ ଦୁଇ ମୁଣ୍ଡିଆ ମଝିର ନାଳର ତଳ ଆଡ଼ୁ ବୋହୁଥାଏ । ଆମ ଚାରିପାଖରେ ତ ବାରଫୁଟିଆ ଘାସର ପାଚିରି–କିଛି ଦିଶୁ ନଥାଏ–ଚୁପ୍‌ଚାପ୍‌ ଠିଆହେଲୁ । ମୁଁ ଠିକ୍‌ କରିଥାଏ ଯେ ଖରା ଆଉ ଟିକିଏ ଉପରକୁ ଉଠିଲେ ହାତୀ ଆସିବ ସେଇ ଦେଢ଼ଫୁଟ ବହଳର ଘାସ ଗଦିରେ ଶୋଇବାକୁ–ଭେଟ ସେଇଠି ତା’ରି ଘରେ ହେବ-। ହେଲେ ସେ ଆସିବା ଆଗରୁ ଆମକୁ ଖବର ମିଳିବା ଦରକାର; ନ ହେଲେ ଆମକୁ ବି ଘାସଗଦିର ତୁଳା ପରିକା ହବାକୁ ହବ ।

 

ପନ୍ଦର କୋଡ଼ିଏ ମିନିଟ ସେଇଠି ଆମେ ଠିଆହେଇ ଥାଉଁ–ହାତର ଓ ମୁହଁର ଖଣ୍ଡିଆରେ ଟିକେ ଟିକେ ଛେପ ଲଗେଇଥାଉଁ–ଥଣ୍ଡା ପବନରେ ଟିକେ ଶୁଖିବା ପାଇଁ । ନାଳର ତଳପଟୁ ଶୁଭିଲା ବାଉଁଶ ଭାଙ୍ଗିବା ଶବଦ । ଧୀରେ ଧୀରେ ସେ ତା’ର ଖାଇ–ଖାଇକି ବିଛଣା ଆଡ଼କୁ ଆସୁଥାଏ । ଏଣେ ମୋର ଛାତି ଧଡ଼୍‍‍ଧଡ଼୍‍ ହେଉଥାଏ–କେମିତି ଦଶଗଜ ଦୂରରୁ ତା’ ମୁଣ୍ଡଟା ଦିଶିବ ଯଦି ସିନା ମାରିବ ? ନହେଲେ ତ ନିଜେ ସେଇଠି ହାତୀର ଶିକାର ହେବି । ଇମିତି ଇମିତି ଯୁଗେ ବିତିଲା ପରିକା ହେଲା । ହଠାତ୍‌ ଶୁଣିଲି, ହାତୀ ଆସୁ ଆସୁ ଚୁପ୍‌ କରି ଠିଆ ହୋଇଗଲା । ଏ ତ ଲକ୍ଷଣ ଭଲ ନୁହେଁ । ପବନ ଗତି ପରୀକ୍ଷା କରି ଦେଖେ ତ ପବନ ସେତେବେଳେ ଗତି ବଦଳେଇ ଆମ ଆଡ଼ୁ ହାତୀ ଆଡ଼କୁ ବହୁଚି । ହାତୀ ଜାଣିପାରିଲାଣି ଯେ ତା’ର ବିଛଣା ଆଡ଼େ ମଣିଷ ଅଛି । ଭାବୁଥାଏ ହାତୀ କ’ଣ କରିବ–ଚୁପି ଚୁପି ଆସି ଶୁଣ୍ଢରେ ମୋତେ ଆଗ, ନା ପ୍ରେମକୁମାରକୁ ଆଗ ଧରିବ–ନା ଫେରିକି ଆଉ କଉ ବସାକୁ ଯିବ ।

Image

(ତ୍ରିପୁରା ବଣରେ)

 

ଦି’ମିନିଟ ନିଶବ୍ଦ ରହିଲା ହାତୀ । ଥୋଡ଼ ଟେକି ପବନ ବାରୁଥିଲା ବୋଧହୁଏ । ତା’ପରେ ଆମର ବାଁ ପାଖ ଟିଲା ଉପରକୁ ଚଢ଼ିଲା । ପ୍ରେମକୁମାର ଇସାରାରେ କହିଲା ଯେ ହାତୀ ମୁହେଁଇଲାଣି ସେ ଟିଲା ପାରହୋଇ ଆର ପାଖରେ ଇମିତିକା ଗୋଟିଏ ଥଣ୍ଡା ଖୋଲ ଅଛି, ସେଇଠିକି । ଆମେ ଫେର୍‌ ସେଇ ସୁଡ଼ଙ୍ଗ ରାସ୍ତାରେ ଗଳି ଗଳି ବାହାରିଲୁ ଟିଲାର କାନ୍ଧରେ ମାଙ୍କଡ଼ ପିଛଳା ଗଛମୂଳକୁ । ପ୍ରେମକୁମାର ସେଇ ଗଛରେ ଚଢ଼ି ଦେଖିଲା ହାତୀର ବାଟକୁ–ହାତୀ ତ ଘାସବଣରେ ଦିଶୁ ନ ଥାଏ; ହେଲେ ସେ ଚାଲିଲା ବେଳକୁ ଘାସ ଦୋହଲୁଥାଏ ଯେ ଉପରୁ ଦିଶୁଥାଏ ।

 

ମୋତେ ସେ କହିଲା ବାଁ ପଟେ ବୁଲି, ସେଇ ଟିଲାର ମଥାରେ ମଥାରେ ବୁଲି ଆର ପାଖ ଟିଲାର ମଥାନକୁ ଯିବାକୁ–ହାତୀ ସେଇଆଡ଼େ ମୁହେଁଇଚି । ଧାଇଁକି ଗଲି ସେ ପାଖ ଟିଲା ମଥାକୁ । ପାଖରୁ ସଡ଼୍‌-ସଡ଼୍‌-ସସ୍‌-ସସ୍‌ ଫାଁ ଶୁଭୁଥାଏ । ମଝିରେ ମଝିରେ ପେଟ ଗର୍ଜନ ବି ଶୁଭୁଥାଏ–ହେଲେ ଦେଖିପାରୁ ନ ଥାଏ ହାତୀକି । ଘାସବୁଦାର ଏପଟେ ଉଁକି ମାରିବାକୁ ଗଲାଠୁ–ହାତୀ ମୋର ଗନ୍ଧ ପାଇଗଲା । କାହାଳିଲା ଖୁବ୍‌ ଜୋରରେ; ଆଉ ଦଉଡ଼ି ଆସିଲା ଶୁଣ୍ଢକୁ ଉଚ୍ଚାକରି । ଶୁଣ୍ଢଟାର ଆଗଟା ଘାସ ବାଉଁଶବୁଦା ଉପରକୁ ଦିଶିଲା ମୋଠୁ ଦଶଗଜ ଦୂରରେ–ହେଲେ ଶୁଣ୍ଢକୁ ଗୁଳିକଲେ ଲାଭ କ’ଣ ? ପଛେଇଗଲି ପାଞ୍ଚ ପାହୁଣ୍ଡଯାକେ–ଖୋଲା ଜାଗାକୁ । ସେଇ ମୁଣ୍ଡିଆର ମଥାନ ଦେଇ ଗୋଟିଏ ଶଗଡ଼ଗୁଳା ଥାଏ–ମାଟି ପାହାଡ଼ ତ । ଶଗଡ଼ ଚାଲି ଚାଲି ମାଟି କାଟିଥାଏ ଯେ ଘାସବଣର ମାଟିଠୁ ଦୁଇଫୁଟ ଗାଢ଼ ହୋଇଥାଏ । ହାତୀ ଦଉଡ଼ି ଆସିଲା ତ ସେଇ ଦୁଇଫୁଟ ଗାତଠେଇ ଏଇ ଟିକେନାକୁ ଥମକି ରହିଗଲା–ମୋ ପାଖରୁ ପାଞ୍ଚଗଜ ଦୂରରେ । ମୁଁ ସେତେବେଳକୁ ବନ୍ଧୁକ ମାଛିକି ଅନିସା କରିଥାଏ–ଯେମିତି ହାତୀର ବାଁ କାନମୁଳ ଘାସବଣରୁ ବାହାରିଚି ଢୋ-ଢୋ ଦୁଇଟା ଯାକ ଗୁଳି ଫୁଟେଇଦେଲି ।

 

ଦନ୍ତାହାତୀ ସେଇଠି ଟଳିପଡ଼ିଲା–ଥୋଡ଼ଟା ତା’ର ଆସି ମୋ ଆଣ୍ଠୁଠେଇ ।

 

ପ୍ରେମକୁମାର ଧାଇଁ ଧାଇଁ ଆସିଲା–କୁହାଟ ମାଇଲା ଯେ ବସ୍ତିର ସବୁ ଲୋକ ଜମାହେଲେ । ଫଣିବାବୁ ବି ଜିପ୍‌ରେ ମୋ ପାଇଁ ଜଳଖିଆ ଚା’ ନେଇକି ଆସିଲେ । ପ୍ରେମକୁମାରଠୁ ସବୁ ବୃତ୍ତାନ୍ତ ଶୁଣି ମୋତେ ବହେ ବକ୍ତୃତା ଦେଲେ–‘‘ଅତି ରିସ୍କ୍‌ ନେୱା ଉଚିତ ଛିଲ ଆପନାର୍‌ ?’’ ଇତ୍ୟାଦି ଇତ୍ୟାଦି ।

 

ଚନ୍ଦକା ଚଡ଼କ

 

ଭୁବନେଶ୍ୱର-ଖଣ୍ଡଗିରିଠୁ ଆରମ୍ଭ କରି ପଶ୍ଚିମକୁ ଡମପଡ଼ା ଯାଏ ଯଉ ବଣଟା ଅଛି, ସେଥିରେ ଢେର୍‌ ଢେର୍‌ ଜନ୍ତୁ ଥିଲେ । ବଣଟା ବି ଖୁବ୍‌ ଘଞ୍ଚ ଥିଲା । ମୁଁ ଯେବେ ପ୍ରଥମ ଶିକାର-ନିଶାରେ ଘାରିହୁଏ, ସେତେବେଳେ କଟକରୁ ଭୁବନେଶ୍ୱର ଯିବାକୁ ହେଲେ କାଠଯୋଡ଼ି ନଦୀରେ ଖରାଦିନିଆ ରାସ୍ତାରେ ଯାଇ ବାରଙ୍ଗ-ଚନ୍ଦକା ବାଟଦେଇ ଖଣ୍ଡଗିରି ପାଖଦେଇ ଭୁବନେଶ୍ୱରକୁ ଯାଉଥିଲୁ । ବାରଙ୍ଗ ପାଖରୁ ଜଙ୍ଗଲ ଆରମ୍ଭ । ଅନାବନା ଗଛ ଆଉ ଲଟିରେ ବଣଟା ଖୁବ୍‌ ଘଞ୍ଚ ହେଇଥାଏ । ସେ ଜଙ୍ଗଲ ପୂର୍ବରେ ଭୁବନେଶ୍ୱର ଆଉ ପଶ୍ଚିମରେ ଡମପଡ଼ା ଯାଏ ଲାଗିଥିଲା । ମିରିଗ, ସମ୍ୱର, କୁଟ୍ରା ତ ମେଳା ମେଳା–ବାଘ ବି ଥିଲେ ଅନେକ । ଗୋଟିଏ ସଞ୍ଜରେ ଆମେ ତ ପାଞ୍ଚଥର ବାଘ ହାବୁଡ଼ରେ ପଡ଼ିଥିଲୁ । ମୁଁ, ବଳରାମ ଓ ମଇଉଦ୍ଦିନ ସେଦିନ ଗୋଟେ ଭୋଜି ଖାଇବାକୁ ଭୁବନେଶ୍ୱର ଯାଇଥିଲୁ । ଭାଗ୍ୟକୁ ଆମେ ସବୁ ଗୋଟେ ମଟର ଗାଡ଼ିରେ ଥିଲୁ । ବାଘ ଦେଖିଲୁ ରାସ୍ତା ଉପରେ, ରାସ୍ତାକଡ଼ର ବଣ-ବୁଦାରେ–ଗାଡ଼ି ଭିତରେ ଥିଲୁ ବୋଲି ଡର ଲାଗିଲାନି-

 

ସେଇ ଜଙ୍ଗଲରେ ବୁଲିବାକୁ ହେଲା କୋଡ଼ିଏ ବର୍ଷ ପରେ ୧୯୭୦ ସାଲ ଏପ୍ରିଲ ମାସର ପ୍ରଥମ ସପ୍ତାହରେ । ମନ ଭାରୀ ଦୁଃଖ ହେଲା ଦେଖିକି ଯେ ଆମେ ଆମର ଜଙ୍ଗଲ-ସମ୍ପତ୍ତିଟିକୁ ନଷ୍ଟ କରିଦେଲୁଣି ଏଇ କେଇ ବର୍ଷ ଭିତରେ । ସତୁରି ସାଲରେ ମୁଁ ଆଉ ମୋର ସାନଭାଇ ଗୁରୁପ୍ରସାଦ ଦିନେ ସନ୍ତୋଷବାବୁଙ୍କ ସାଙ୍ଗରେ ଯାଇଥିଲୁ ଚନ୍ଦକା ଅଞ୍ଚଳର ବଣଟା ଦେଖିବାକୁ ।

 

ଗଲା ଦୁଇବର୍ଷ ହେଲା ସେ ଅଞ୍ଚଳରେ ହାତୀ ଉପଦ୍ରବ କାଳେ ଖୁବ୍‌ ବଢ଼ିଥାଏ । ଯୋଡ଼ିଏ ଦନ୍ତା ହାତୀ କାଳେ ଗାଁଗଣ୍ଡାରେ ପଶୁଥାନ୍ତି–ଲୋକବାକ ସଡ଼କରେ ତାଙ୍କ ହାବୁଡ଼ରେ ପଡ଼ି ମରୁଚନ୍ତି । ବଳଦଗାଡ଼ି ସବୁ ବଣରୁ ଫେରୁଥିବାବେଳେ ହାତୀ କାଳେ ତାକୁ ସବୁ ଓଲଟାଇ ଦଉଥାନ୍ତି । ପୁରୀର ଜିଲ୍ଲାପାଳ ହୁଲିଆ ଜାରି କରିଥାନ୍ତି ଯେ ଦୁଇଟା ଦନ୍ତା ହାତୀକି ଯେ ମାରିଦବ ସେ କିଛି କିଛି ଟଙ୍କା ଇନାମ ପାଇବ । ଆଠ ଦଶ ମାସ କାଳ ସେ ହୁଲିଆ ଜାରିହବା ପରେ ଦିନେ ମୋତେ ଜିଲ୍ଲାପାଳ ଚିଠି ଲେଖିଲେ ଯେ ଚନ୍ଦକା ଅଞ୍ଚଳରେ ଚଡ଼କ ପଡ଼ିଚି–ହାତୀ ଢେର୍‌ ଲୋକ ମାରିଲାଣି; ଶୀଘ୍ର ଯାଇକି କିଛି ଉପାୟ କରି ସେ ମାରଣା ହାତୀ ଯୋଡ଼ାକ ମାରିଦବାକୁ । ହୁଲିଆ ଜାରିହବା ପରଠୁ କାଳେ ସାତ ଆଠ ଜଣ ବାଣୁଆ ଯାଇକି ତାଙ୍କଠୁ ଛାଡ଼–ପାରମିଟ୍‌–ଆଣିଲେଣି; ହେଲେ କେହି ଆଉ ସେ ମାରଣା ହାତୀକି ମାରି ପାରିନି । ମୁଁ ତ ଏ କଥା ଶୁଣି ନାସ୍ତି କରିଦେଲି ଯେ ଇନାମ ପାଇଁ ମୁଁ ଶିକାର କରିବାକୁ ଯିବିନି । ସେଇଟା ତ ଶିକାରୀ-ମହଲରେ ମୋର ବଦ୍‌ନାମ ହବ–ହଁ, ଯଦି ଇନାମ କଥାଟା ଉଠେଇ ଦିଆଯାଏ ମୁଁ ଯାଇ ଚେଷ୍ଟା କରିବି । ଏଇ କଥାରେ ରାଜି ହେଇ ମୁଁ ଛାଡ଼ଟା ଆଣିଥାଏ । ଚନ୍ଦକା ଅଞ୍ଚଳରେ ଯାଇ ଡେରା ପକେଇବା ଆଗରୁ ମୁଁ ଓ ଗୁରୁ ଦୁହେଁ ସନ୍ତୋଷବାବୁଙ୍କ ସାଙ୍ଗରେ ଯାଉଥାଉଁ ସେ ଅଞ୍ଚଳଟା ବୁଲିକି ଦେଖିବାକୁ; ଆଉ କଉଠି ଡେରା କଲେ ସୁବିଧା ହବ ବାଛିବାକୁ । ସନ୍ତୋଷବାବୁଙ୍କର ତ ସେ ବଣଟା ଯାକରେ କାଠକଟା କାମ ଲାଗିଥାଏ–ଠାଏ ଠାଏ ସବୁ ଜଙ୍ଗଲ ଭିତରେ ଝାଟିମାଟି ଘର କରି ତାଙ୍କର ଲୋକବାକ ଥା’ନ୍ତି । ସେଇମାନେ ତ ଦିନରାତି ବଣରେ ଆତଯାତ ହେଉଚନ୍ତି । ହାତୀର ଖବର ତାଙ୍କୁ ଭଲ ରକମ ଜଣାଥିବା କଥା । ଏଇ ଆଶାରେ ଯାଇଥିଲୁ ତ; ହେଲେ ସେମାନଙ୍କୁ ହାତୀକଥା କିଛି ଜଣା ନ ଥିଲା-। ପ୍ରଥମେ ଯାଇ ଚନ୍ଦକା ରେଞ୍ଜରବାବୁଙ୍କ ଅଫିସରେ ପହୁଞ୍ଚିଲୁ । କୁଳମଣିବାବୁ ସେଠାରେ ରେଞ୍ଜର ଥିଲେ । ସେ ତ ମୂଳରୁ ଆକାଶରୁ ପଡ଼ିଲା ପରି ହେଲେ । ତାଙ୍କର କାଗଜପତ୍ରରୁ ସେ କାଳେ ଜାଣିଥିଲେ ଯେ ଦୁଇଟା ହାତୀକୁ ‘ମାରଣା’ ବୋଲି ହୁଲିଆ ହେଇଥିଲା–ସେ ଅନେକ ଦିନ ଆଗର କଥା । ସେ ହୁଲିଆ ତ ଛଅ ମାସ ପରେ ତମାଦି ହେବ । ମୁଁ ତାଙ୍କୁ ଜିଲ୍ଲାପାଳଙ୍କ ଚିଠିଟି ଦେଖେଇଲି । କୁଳମଣିବାବୁ ସେ ଚିଠି ଓ ଛାଡ଼ର ନକଲ ଗୋଟେ ତାଙ୍କ ବସ୍ତାନିରେ ରଖିଲେ । ତା’ପର ସେଠାର ଥାନାବାବୁଙ୍କୁ ଖବର ଦେଲେ । ଥାନାରେ ସେତେବେଳେ ବାହିନିପତିବାବୁ ଥାନ୍ତି-। ସେ ସାଙ୍ଗେ ସାଙ୍ଗେ ଆସିଲେ । ତାଙ୍କର ନଥିପତ୍ରରେ ଖବର ଯାହା ଥିଲା କହିଲେ । ହାଲରେ ଅନ୍ଧାରୁଆ ଗାଁଠେଇ ହାତୀ ବାହାରୁଚି କହିଲେ । ସେଇଠି କାଳେ ଗୋଟେ ଲୋକ ଏବେ ଅଳ୍ପ ଦିନ ତଳେ ମରିଚି ।

 

ଏ କଥା ଶୁଣି ଆମେ ସିଧା ଗଲୁ ଅନ୍ଧାରୁଆ ଗାଁ ଆଡ଼କୁ । କୁଳମଣିବାବୁ ଆମ ସାଙ୍ଗରେ ଜଣେ ଲୋକ ଦେଇଥାନ୍ତି ବାଟ ଦେଖେଇବାକୁ । ଚନ୍ଦକାଠୁ ଖଣ୍ଡଗିରି ସଡ଼କରେ ପାଞ୍ଚ କି ଛଅ କିଲୋମିଟର ବାଟ ଗଲେ ଡାହାଣ ହାତକୁ ଗୋଟେ କଚା ରାସ୍ତା ଅଛି–ସେଇଟା ସିଧା ଅନ୍ଧାରୁଆ ଗାଁକୁ ଯାଇଚି । ଆମ ଜିପ୍‌ ଯାଇ ଗାଁମୁଣ୍ଡଠି ହେଲାବେଳକୁ ଦଳେ ପିଲା ମଟର ଗାଡ଼ି ପଛରେ ଲାଗିଥାନ୍ତି । ଦଶ ପନ୍ଦର ଜଣ ଟୋକା-ବୁଢ଼ା ବି ଆସି ଜମିଗଲେ । ହାତୀ କଥା ପଚାରିବାରେ ସେମାନେ କହିଲେ କିମିତି ସେ ଦନ୍ତା ମାରଣା ହାତୀହଳଟା ତାଙ୍କ ଗାଁରେ ପଶି ଉତ୍‌ପାତ କରିଚନ୍ତି-। ତାଙ୍କ କଥାରୁ ଜଣାଗଲା ଯେ ଗୋଟେ ନୁହେଁ, ଯୋଡ଼ିଏ ହାତୀ ସେ ଅଞ୍ଚଳର ଲୋକଙ୍କୁ ଭାରୀ ହଇରାଣ କରୁଚନ୍ତି ମାସେ ହବ । ଦିନକର ବଡ଼ିଭୋରରୁ ପାଣୁ ମଙ୍ଗରାଜ ତା’ର ଜଣେ ସାଙ୍ଗକୁ ନେଇ ବାହାରିଥାଏ ମଳିପଡ଼ା ଗାଁକୁ । ପାଣୁ ତ ବଡ଼ ଗରିବ ଲୋକ; ବଣରୁ କାଠ ଆଣି ବିକ୍ରିବଟା କରି ପେଟ ପୋଷେ । ବଣରେ କାଠୁରିଆ ଧନ୍ଦା କରି କରି ତା’ର ତ ଉମରଟା ବିତିଥିଲା-ମଲାବେଳକୁ ବଅସ ତିନିକୋଡ଼ି କି ଚାରିକୋଡ଼ି ହବ । ବୟସ ହେଲେ କ’ଣ ହବ, ଖୁବ୍‌ ଲମ୍ୱା ଚଉଡ଼ା ମରଦଟା କିନ୍ତୁ । ବଡ଼ିଭୋରରୁ ସେଦିନ ଗାଁରୁ ବାହାରି, ସେ ଗୋହିର ପାଖରେ ଯୁଠି ପାଣିଟିକେ ଅଛି ସେଇଠି–ବୁଢ଼ା ବସିଲା ଦାନ୍ତ ଘଷିବାକୁ । ଜାଙ୍ଗୁଲୁ-ଜୁଙ୍ଗୁଲୁ ଅନ୍ଧାର ଥାଏ ତ ସେତେବେଳେ । ପାଣିକୂଳରେ ବସି ଦାନ୍ତ ଘଷୁଥାଏ ଆଉ ସାଙ୍ଗକୁ କହୁଥାଏ ସେ ଦିନଟାରେ କ’ଣ ସବୁ କରିବ–କିମିତି ସେପାଖ ଭରତପୁର କୁପ୍‍କୁ ଯାଇ କାଠ ଆଣିବ, ସୁନିଆ ମାଁଠୁ ଯଉ ଚାଉଳ ଧାର ଆଣିଥିଲା ତାକୁ ଫେରେଇଦବ–ଇମିତି ଇମିତି କେତେ କଥା । ଏତିକିବେଳେ ତ ହାତୀ ଆସି ବୁଢ଼ା ପାଖରେ ଏକଦମ୍‌ । ତା’ ସାଙ୍ଗ ତ ଦେଖିପକେଇକି ଚିର୍‌ଚିରେଇ ଉଠିଲା । ‘‘ହାଉଲୋ ମାଇଲା ଲୋ’’...କହି କହି ସେ ପ୍ରାଣବିକଳରେ ଧଉଡ଼ିଲା ଗାଁ ଭିତରକୁ । ବୁଢ଼ା ମଙ୍ଗରାଜ ତା’ର ବିରାଟ ବପୁକୁ ନେଇ ଆଉ ଦୌଡ଼ି ପାରିଲାନି–ହାତୀ ଧରିପକେଇକି ପେଣ୍ଡୁ ପରିକା ଗଡ଼େଇ ଗଡ଼େଇ ବୁଢ଼ାକୁ ଖଣ୍ଡେ ଦୂରକୁ ନେଲା କି–ଆଗ ଗୋଡ଼ ବୁଢ଼ାର ପେଟ ଆଉ ଛାତିରେ ମାଡ଼ିଦେଲା-। ପାଣୁ ବୁଢ଼ା କେଁ କିନି ଶବ୍ଦ କଲା–ତା’ର ଅନ୍ତବୁଜୁଳା ବାହାରିପଡ଼ିଲା । ହାତୀ ତାକୁ ଛାଡ଼ିକି ପାଣିରେ ପଶିଲା, ପାଣି ପିଇଲା–ପେଁକାର ରଡ଼ି କରି ଦୋହଲି ଦୋହଲି ବଣକୁ ଗଲା । ଏଇ ବାଟେ ଯାଇ ସେ ଭରତପୁର ରିଜର୍ଭରେ ରହିଲା । ହଁ ବାବୁ, ସେ ହାତୀ ବରାବର ଏ ଗାଁ ପାଖକୁ ଆସୁଚି–ସେଦିନ ପରା ସେ ସାହୁଘର ବାରିରେ ଯଉ ପାଳଗଦା ନାହିଁ, ସେଇଠି ଯାଇ ପାଳବିଡ଼ା ଖାଇଲା । ଆମେ ଯେତେ ପାଟିତୁଣ୍ଡ କଲୁ, କ’ଣ ଖାତର କଲା କି ? ପାଳବିଡ଼ା ଖାଇ ଖାଇ ମନବୋଧ ହେଲାରୁ ଦୋହଲି ଦୋହଲି ବଣକୁ ଗଲା ।

 

ଏତିକିବେଳେ ଦାମା କହିଲା, ‘‘ଗୋଟେ ଦନ୍ତା ଟିକେ କୁଜା ପରିକା ଚାଲେ–ଆରଟା କିନ୍ତୁ ଖୁବ୍‌ ବଡ଼–ଏଡ଼େ ବଡ଼ ତା’ର ମୁଣ୍ଡଟା ହବ । ଦାନ୍ତ ନା ? ହଁ ବାବୁ, ଏଡ଼େ ଏଡ଼େ ଦାନ୍ତ ।’’ ହାତ ଲମ୍ୱେଇକି ଦାମା ଦେଖେଇ ଦେଲା ବେଁ ଲମ୍ୱ ଦାନ୍ତ ଆଉ କୁଣ୍ଢେ ମୋଟ ଗୋଟିଏ ଗୋଟିଏ ଦାନ୍ତ । ତା’ କଥାରୁ ମନେହେଲା ଯେମିତି ହାତୀଗୁଡ଼ାକ ଅସୁରହାତୀ ।

 

ଅନ୍ଧାରୁଆର ଲୋକମାନେ ଆମକୁ ବଡ଼ ଆଦରରେ ଡାକିନେଲେ ଗାଁ ଗୋହିରକୁ । ସେଇଠି ଖଟ ଖଣ୍ଡେ ଆଣି ବସିବାକୁ କହିଲେ । କଥା ହଉଁ ହଉଁ ମୋ ହାତରୁ ଗୋଟେ କାର୍ତ୍ତୁସ୍‌ ଖସି ପଡ଼ି ଜିପ୍‌ର ସିଟ୍‌ ତଳକୁ ଚାଲିଯାଇଥାଏ; ସେଇଟା ଖୋଜିକି ସନ୍ଧିରୁ କାଢ଼ିବାକୁ ସମୟ ଲାଗିଲା । ଖଟରେ ମୁଁ ବସିଥାଏ–ଗାଁର ବାଣୁଆ ଆସିଲେ । ସେ କହିଲେ କି ତାଙ୍କ ଦିହଟା ଟିକେ ଭଲ ଥିଲେ ସେ ମୋତେ ସାଙ୍ଗରେ ନେଇ ହାତୀକି ଦେଖେଇଥାଆନ୍ତେ । ସେତେବେଳେ ତ ତାଙ୍କୁ ଜ୍ୱର ଖୁବ୍‌ ଆଉ ଅନ୍ତକୋଷରେ ଭାରୀ ପରାଶ୍‌ । କହିଲେ–ଗଲା ହପ୍ତାରେ ସେ ଯଉ ରାଜାପୁଅ ଆସିଥିଲେ–ଆଉ ସେ ସ୍କୁଲଘରେ ଦି’ଦିନ ରହି ନଥିଲେ–ତାଙ୍କୁ ପରା ସେ ଏକଦମ୍‌ ହାତୀର ସାମନା-ସାମନି କରି ଦେଇଥିଲେ । ହେଲେ ସେ ମାରିପାରିଲେ କୁଉଠି ? ସେ ଆମକୁ ନିମତା କଲେ ଆଉ ଦିନାକେତେ ଛାଡ଼ିକି ଆସିଲେ–ତାଙ୍କର ଜ୍ୱରଟା ଟିକେ କମିଲେ ସେ ଆମକୁ ନେଇଯିବେ ସାଙ୍ଗରେ ହାତୀ ରହିବା ଜାଗାକୁ । ଆମକୁ ରହିବାର ସବୁ ବନ୍ଦୋବସ୍ତ କରିଦେବେ ଗାଁ ସ୍କୁଲଘରେ–ନ ହେଲେ ଭାଗବତ ଘରେ ରହିଯିବେ । ଆଉରି ବି କହିଲେ ଯେ ହାତୀ ତ ବର୍ତ୍ତମାନ ଯାଇ ଧୋବାବନ୍ଦ ଆଡ଼େ ଅଛି–ଦି’ଦିନ ହବ ଖବର ପାଇଥିଲେ ଯେ ହାତୀକାଳେ ଚୁଡ଼ଙ୍ଗ ଆଡ଼େ ବାହାରିଥିଲା । ସେ ଯଉଠି ଥାଉ, ଦିହଟା ଟିକେ ଭଲ ଥିଲେ ଏଇକ୍ଷଣି ଯାଇ ତାକୁ ବାହାରକରନ୍ତେ ନିକି ! ଦାମା, ରାମା, ଶାମା ସବୁ ତାଙ୍କ କଥାରେ ମୁଣ୍ଡ ଟୁଙ୍ଗାରୁଥାନ୍ତି । ହେଲେ ଆମର ତ ଭାଗ୍ୟ ଖରାପ, ଆମୁକୁ ଜଣେ ଇମିତି ପାରିବାର ବାହାଦୂର ଶିକାରୀର ସାହାଯ୍ୟ ମିଳିଲାନି ସେତେବେଳେ ! ଅଲକ୍ଷଣା ଜରଟା ତ ଲାଗିରହିଚି !

 

ଆମେ ମନ ମାରିକି ଆସିଲୁ–ଆସିଲାବେଳେ ମୁଁ କହିଆସିଲି ଯେ ଦିନାକେତେ ପରେ ମୁଁ ଫେରିବି ସେ ଗାଁକୁ; ହାତୀ ମାରିବାକୁ ଚେଷ୍ଟା କରିବି । ଚନ୍ଦକାରେ ରେଞ୍ଜରବାବୁ କହିଲେ ଦାଳୁଆ ଗାଁକୁ ଯିବାକୁ । ସେଠି ଜଣେ ଖୁବ୍‌ ପାରଙ୍ଗମ ଲୋକ ଅଛି; ତା’ରିଠି ସବୁ ଖବର ମିଳିବ । ସେ ମନକଲେ ନେଇକି ଆମକୁ ହାତୀ ପାଖରେ ପହୁଞ୍ଚେଇ ଦେଇ ପାରିବ । ରେଞ୍ଜରବାବୁଙ୍କୁ ସାଙ୍ଗରେ ଧରି ଗଲୁ ଖୋର୍ଦ୍ଧା ସଡ଼କରେ ପ୍ରାୟ ପାଞ୍ଚ କିଲୋମିଟର । ସେଇଠି ଡାହାଣ କରକୁ ଗୋଟେ ଜଙ୍ଗଲ ବିଭାଗର ସଡ଼କ–ବଣ ଭିତରକୁ ପଶିଚି । ପାଖରେ ଗୋଟେ ସ୍କୁଲଘର–ଟିକେ ଭିତରକୁ ଗାଁଟା–ପଚାଶଟା ଖଣ୍ଡେ କୁଡ଼ିଆ ଘର । ସଡ଼କ କଡ଼ର ବରଗଛମୂଳେ ଜିପ୍‌ ରଖିଲାକ୍ଷଣି ପିଲା ବୁଢ଼ାକି ପନ୍ଦର କୋଡ଼ିଏ ଲୋକ ଜମିଗଲେ ଆମ ଚାରିପାଖରେ । ରେଞ୍ଜରବାବୁଙ୍କର ଲୋକ ନଟବର ଜଟର ଆଉ ଦେଖାମିଳିଲାନି । ଲୋକେ କହିଲେ ଯେ ସେ ତ ଚନ୍ଦକା ବଜାରକୁ ଯାଇଥିବ ଦୁଧ ବିକି–ଏଇ ସାଙ୍ଗେ ସାଙ୍ଗେ ଆସିବନିକି ।

 

ନଟବର ଜଟର ବାଟ ଚାହିଁକି ଆମେ ବସିଲୁ ସେଇଠି ଅଧଘଣ୍ଟେ । ସେଇ ସମୟଟା ବିତିଲା ଗାଁବାଲାଙ୍କଠୁ ଶିକାର କାହାଣୀ ଶୁଣିବାରେ । କିମିତି ଦିନେ ଡଡ଼ସ୍‌ୱାର୍ଥ ସାହେବ ସେ ଖୋର୍ଦ୍ଧାର ଫରେଷ୍ଟ ଅଫିସର୍‌ ଥିଲେ–ଆଉ ରାଇଟ୍‌ ନେଭିଲ ସାହେବ–ସେ ଓଡ଼ିଶାର ଆଇ. ଜି. ସାହେବ–ଦୁହେଁ ସାଙ୍ଗ ହେଇ ଏମିତି ଗୋଟିଏ ମାରଣା ଦନ୍ତା ହାତୀ ମାରିବାକୁ ଆସିଥିଲେ । ସେ ଅନେକ ଦିନ ଆଗ କଥା । ଏଇ ଦାଳୁଆ ଗାଁମୁଣ୍ଡରେ ହାତୀ କିମିତି ତାଙ୍କୁ ତଡ଼ିଥିଲା–ସାହେବମାନେ ଏଇ ବରଗଛମୂଳରୁ ଗୁଳି କରିଥିଲେ–ଦିଆଲି ରାତିରେ ବାଣ ଫୁଟିଲା ପରିକା ବନ୍ଧୁକ ଫୁଟିଲା ଆଉ ହାତୀ କିମିତି ଗଁ-ଗଁ କଲା ...ଇତ୍ୟାଦି ।

 

ଏଇମିତି କଥାବାର୍ତ୍ତା ହେଉଥାଉଁ ନଟବର ଜଟ ଆସି ଆମୁକୁ, ରେଞ୍ଜରବାବୁଙ୍କୁ ସଙ୍ଖୁଳିଲା । ହାତୀର ସନ୍ଧାନରେ ଆମେ ଆସିଚୁ ଶୁଣି ଖୁବ୍‌ ଖୁସିହେଲା । କହିଲା ଯେ ଡେରି ହେଇଗଲା ଢେର୍‌–ହାତୀ ତ ସେପାଖ ବଣରେ ଆଉ ରହୁନାହିଁ । ଚୁଡ଼ଙ୍ଗଆଡ଼େ କି ଡମପଡ଼ାଆଡ଼େ ଯାଇଥିବ । ହେଲେ ସେ ତ ଶିକାରୀମାନଙ୍କୁ ‘ବୋରାବୋରି’ ହାତୀ ପାଖକୁ ନେଇଯାଇ ପାରିବ । ନଟବର ଜଟର କଥା କହିବାର ଭଙ୍ଗି ଭାରୀ ବଢ଼ିଆ । ପ୍ରତି କଥାରେ ‘ବୋରାବୋରି’ ଦୁଇ ଚାରିଥର କହେ । ଲୋକଟା ଦେଖିବାକୁ ବେଶ୍‌ ଲମ୍ୱା; ଦେହ ପାତଳ ହେଲେ ବି ବେଶ୍‌ ତାଗଡ଼ା, ହାତ ଆଉ ପାଦ ସାଧାରଣଠୁ ବଡ଼ । ଆମକୁ ହାତୀ ବିଷୟରେ ଢେର୍‌ କଥା କହିଲା । ମାସକ ଆଗରୁ କିମିତି ସେ ହାତୀ ତାଙ୍କ ଗାଁ ପାଖକୁ ଆସିଥିଲା–କିମିତି ବୋରାବୋରି ହରିଆକୁ ଥୋଡ଼ରେ ଧରି ଫୋପାଡ଼ିଥିଲା–ସବୁ କହିଗଲା । ହାତ ହଲେଇ, ଭଙ୍ଗିକରି ଦେଖାଇଦେଲା ସବୁ । ତା’ସାଙ୍ଗରେ ଠିକ୍‌ କଲୁ ଯେ ଆର ହପ୍ତାକୁ ଆସି ଆମେ ସେଇଠି ଡେରା କରିବୁ; ଆଉ ସେ ଆମକୁ ହାତୀ ଦେଖେଇବ ।

 

ଚନ୍ଦକାକୁ ଫେରି ରେଞ୍ଜରବାବୁଙ୍କ ଘର ବାରନ୍ଦାରେ ବସି ବିଚାର କଲୁ କ’ଣ କରାଯିବ । ଗାଁଗଣ୍ଡାର ଲୋକ ତ ନାନା କଥା କହୁଛନ୍ତି । କିଏ କହୁଚି ହାତୀ ଭରତପୁର କୁପ୍‌ରେ, କିଏ କହୁଚି ଚୁଡ଼ଙ୍ଗ ବଣରେ, ଆଉ କିଏ କହୁଚି ଧୋବାବନ୍ଦ ବଣରେ–କାହା କଥା ବିଶ୍ୱାସ କରିବ ? କୁଳମଣିବାବୁଙ୍କ ଘରର ଚା’ ଆଉ ଅଣ୍ଡାସିଝା ଖାଉ ଖାଉ ଠିକ୍‌ କଲୁ ଯେ ଆସନ୍ତା ଦି’ଦିନ ଭିତରେ ରେଞ୍ଜରବାବୁ ତାଙ୍କର ଗାର୍ଡ଼ମାନଙ୍କୁ ସବୁ ପଠେଇବେ ଡମପଡ଼ାଠୁ ଆରମ୍ଭ କରି ଏପଟେ ଭୁବନେଶ୍ୱର ପଟିଆ ପର୍ଯ୍ୟନ୍ତ । ସେଇମାନେ ବଣ ଭିତରର ସବୁ ପାଣିଖଦା ବି ତନଖି କରି ଦେଖିବେ ହାତୀ କଉଠି ପାଣି ପିଉଚି । ଦି’ଦିନ ପରେ ଆମେ ଆସି ଚନ୍ଦକା ବଙ୍ଗଳାରେ କି ନନ୍ଦନକାନନର ବଙ୍ଗଳାରେ ଡେରା କରିବୁ । ସେଇଠୁ ହାତୀ ଖୋଜିବୁ ରେଞ୍ଜରବାବୁଙ୍କ ଲୋକ ସାଥିରେ ।

 

ସବୁକଥା ଯୋଗାଡ଼ଯନ୍ତ୍ର କରିବାକୁ ମୋତେ ହପ୍ତାଟେ ଲାଗିଗଲା । ନନ୍ଦନକାନନର ଅଫିସର୍‌ଙ୍କଠୁ ହୁକୁମନାମା ନେଲି ଯେ ସେଠାର ବଙ୍ଗଳାରେ ରହିବି ବୋଲି । ମୋର .୪୭୦ ଦି’ନଳିଆ ରାଇଫଲ୍‌ ପାଇଁ ନୂଆ କାର୍ତ୍ତୁସ୍‌; ଗୁରୁ ପାଇଁ ଆଉ ଗୋଟେ .୪୭୦ ଦି’ନଳିଆ ରାଇଫଲ୍‌-। ସପ୍ତାହେଖଣ୍ଡେ ବଣରେ ରହିବାକୁ ହେଲେ ରସଦ ହେରିକା ସବୁ ସାଙ୍ଗରେ ଧରିବାକୁ ହେଲା । ଅଟା, ଘିଅ, ଆଳୁ, ପୋଟଳ, ଅଣ୍ଡା, ଟିଣଦୁଧ, ଚା’, ଲୁଣ, ଲେମ୍ୱୁ ହେରିକା ସବୁ ତ ସାଙ୍ଗରେ ନେଇଯିବାକୁ ହବ । ରନ୍ଧାରନ୍ଧି ଆଉ ଶିବିରକାମ ପାଇଁ ଶ୍ୟାମକୁ ସାଙ୍ଗରେ ନେଇ ଏପ୍ରିଲ୍‌ ପହିଲା ଦିନ ଉପରଓଳି ବାହାରିଲୁ କଟକରୁ ଭୁବନେଶ୍ୱର-ଖଣ୍ଡଗିରି ଦେଇ । ଚନ୍ଦକା-ରେଞ୍ଜରବାବୁଙ୍କ ପାଖରେ ପହୁଞ୍ଚିବାକୁ ସଞ୍ଜ ପାଞ୍ଚ ହେଲା । କୁଳମଣିବାବୁ ଘରେ ନ ଥିଲେ; ଖୋର୍ଦ୍ଧା ଡି.ଏଫ୍‌.ଓ.ଙ୍କ ପାଖକୁ ଯାଇଥିଲେ, ସେଇ ସଞ୍ଜକୁ ଫେରିବେ ବୋଲି କହିଯାଇଥାନ୍ତି । ଆମେ ଯାଇ ନନ୍ଦନକାନନ ବଙ୍ଗଳାଠେଇ ପହୁଞ୍ଚି ଦେଖୁ ଯେ ବଙ୍ଗଳାରେ ରହିବା ଅପେକ୍ଷା ତାଙ୍କର ଯଉ ବାଟୋଇ ଘର–ଟ୍ରଭଲାର୍‌ସ୍‌ ଲଜ୍‌–ସବୁ ଅଛି ସେଇଠି ରହିବା ବେଶି ସୁବିଧା । ସେଠି ରନ୍ଧାବଢ଼ା ପାଇଁ ବିଜୁଳି ଚୁଲି ଅଛି, ଆଉ ଘରଗୁଡ଼ାକ ବଣବୁଦା ଭିତରେ । ଭାରୀ ଭଲ ଲାଗିଲା ସେ ଜାଗା । ଶ୍ୟାମ ଚା’ କପେ ଆଉ ଦୁଧ କପେ କରିଦେଲା । ଆମେ ସେତକ ଆଉ କିଛି ବିସ୍କୁଟ ଖାଇ ଫେର୍‌ ଗାଡ଼ିଧରି ବାହାରିଲୁ ଚନ୍ଦକା କୁଳମଣିବାବୁଙ୍କୁ ଭେଟିବାବୁ । ସାଙ୍ଗରେ ନନ୍ଦନକାନନର ଜଣେ ଗାର୍ଡ଼କୁ ନେଲୁ ସଡ଼କ ପାଖର ଗେଟ୍‌ର ଚାବି ଖୋଲିବାକୁ ।

 

କୁଳମଣିବାବୁ ଖୋର୍ଦ୍ଧାରୁ ଫେରିଥାନ୍ତି । ସେ ଖବର ଦେଲେ ଯେ ଧୋବାବନ୍ଦ ପାଖରେ ଘୁଷୁରିଆପଦାରେ ଯଉ ଚଟିଘର ଅଛି ତା’ରି ପାଖେଆଖେ ହାତୀମାନେ ରହୁଛନ୍ତି । ଘୁଷୁରିଆପଦା ପାଖ ଦେଇ ଯଉ ନାଳଟା ଚନ୍ଦକା ଆଡ଼େ ବହୁଚି, ସେଥିରେ ଠାଏ ଠାଏ ପାଣି ଅଛି ଯେ ସେଇଠି ହାତୀ ରାତିରେ ପାଣି ପିଏ । କାଲି ବଡ଼ିଭୋରରୁ ଆମେ ରେଞ୍ଜ ଅଫିସକୁ ଆସିଲେ ସେଇଠି ଗାଡ଼ି ରଖିଦେଇ ଚାଲିଚାଲି ଯିବୁ ଘୁଷୁରିଆପଦା । ସେଇଠୁ ହାତୀର ମଡ଼ା–ପାଦଚିହ୍ନ–ଦେଖି ଦେଖି ବଣକୁ ପଶିବା । ଚନ୍ଦକାଠୁ ଘୁଷୁରିଆପଦା ପ୍ରାୟ ଆଠ କିଲୋମିଟର–ଜିପ୍‌ ଯିବାପାଇଁ ଶଗଡ଼ଗୁଳା ଅଛି । ଯଦି ଜଙ୍ଗଲ କଣ୍ଟ୍ରାକ୍‌ଟର କେହି ସକାଳୁ ସେଆଡ଼େ ଯାଆନ୍ତି ତ ଆମୁକୁ ସେତକ ବାଟ ଜିପ୍‌ରେ ନେଇଗଲେ ଭଲ ହୁଅନ୍ତା । କୁଳମଣିବାବୁ କହିଲେ ଯେ ଜଙ୍ଗଲ କର୍ପୋରେସନ୍‌ର ତ କାମ ଲାଗିଚି । ତାଙ୍କରି ଜିପ୍‌ ଖୁବ୍‌ ଦୌଡ଼ୁଚି ବଣରେ । ସେମାନେ କେହି ଆସିଲେ ତାକୁ ରେଞ୍ଜରବାବୁ ଅଟକେଇବେ ଆମେ ଆସିବାଯାକେ । ଏତକ ଠିକ୍ ହେଲା–ଆମେ ଫେରିଲୁ ଡେରାକୁ । ସଅଳ ଖାଇପିଇ ଶୋଇପଡ଼ିଲୁ ।

 

ବଡ଼ିଭୋରରୁ ଉଠି ଦାନ୍ତପତ୍ର ଘଷି ଦୁଇଟା ଲେଖେଁ ସିଝା ଅଣ୍ଡା ଆଉ ଚା’ ବିସ୍କୁଟ୍‌ ଖାଇ ବାହାରିପଡ଼ିଲୁ । ଛଅଟା ବାଜୁ ବାଜୁ ଆମେ ଯାଇ ରେଞ୍ଜରବାବୁଙ୍କ ପାଖରେ ପହୁଞ୍ଚିଗଲୁ । ରେଞ୍ଜର୍‌ବାବୁ ଚନ୍ଦକା ଗାଁର ଜଗନ୍ନାଥ ବେହେରା, ଲୋକନାଥ ବେହେରା ଆଉ ଧ୍ରୁବ ନାୟକଙ୍କୁ ଡକାଇଲେ । ସେଇମାନେ ମୋତେ ବାଟ କଢ଼େଇନେବେ ହାତୀର ଖୋଜ ଦେଖି ଦେଖି । ସେତେବେଳକୁ କର୍‌ପୋରେସନ୍‌ର ଜିପ୍‌ ଗୋଟେ ବି ଆସିଥାଏ ଧୋବାବନ୍ଦ ବାଟେ ବାଆଁରା ପର୍ଯ୍ୟନ୍ତ ଯିବାକୁ । କୁହାପୋଛା କଲାରୁ ତାଙ୍କ ଅଫିସର୍‌ ଆମକୁ ଘୁଷୁରିଆପଦା ଚଟିଘରକୁ ନେଇଯିବେ ବୋଲି ରାଜି ହେଲେ । ଜିପ୍ ଚନ୍ଦକା ଗାଁର ଗୋହିର ଦେଇ ଗଲାବେଲେ ଆଉ ଦୁଇ ଚାରିଜଣ ଟୋକା ଚଢ଼ିଲେ ଆମ ସାଙ୍ଗରେ ବଣ ବୁଲିବାକୁ । ଗାଁ ପାରହେଲେ ଗୋଟେ ଆମ୍ବତୋଟା-। ସେ ତୋଟାରେ ଗୋଟେ କ’ଣ କୀର୍ତ୍ତନ ଯୋଗାଡ଼ ଚାଲିଥାଏ–ଗୋଟେ ମଠ ଅଛି ନା କ’ଣ ପାଖରେ । ଆମ୍ବତୋଟା ପାରହେଲେ ବାଉଁଶବଣ । ସେ ବର୍ଷ ବାଉଁଶଗଛ ସବୁ ନଣ୍ଡା–ଫୁଲ ଧରିଥାଏ ଧାନ ହବ ବୋଲି । ଏମିତି ବାର ତେର ବର୍ଷରେ ଥରେ ଫୁଲ ହୁଏ, ଧାନ ହୁଏ; ତା’ପରେ ବାଉଁଶଗଛ ମରିଯାଏ । ଆମେ ଦେଖିଲୁ ଗଛସବୁ ଶୁଖିଆସିଲାଣି–କଉ ଗଛରେ ଧାନ ହେଇ ସାରିଲାଣି ତ କଉ ଗଛରୁ ଧାନ ପଡ଼ିଲାଣି ଯେ ଗାଁ ମାଇପେ ପିଲାଏ ଧାନ ଠୁଳ କରୁଥାନ୍ତି ପହଁରା ଧରି ।

 

କୌଣସି ବାଉଁଶଗଛରେ ପତର ନଥାଏ । ଭାବିଲି ହାତୀ ତା'ହେଲେ କ’ଣ ଖାଉଥିବେ-? ରେଞ୍ଜରବାବୁ କହିଲେ, ବଣଟାରେ ତ ଢେର୍‌ ଗଛପତର ଥିଲା ପୂର୍ବରେ–ଏବେ ଅନାବନା ଗଛସବୁ କାଟିଦେଇ ସାଗୁଆନ ଲଗାଯାଉଚି । ସାଗୁଆନ ପତର ତ କୌଣସି ଜନ୍ତୁ ଖାଆନ୍ତିନି-। ସେଇଯୋଗୁ ହାତୀ ଏବେ ଗାଁଗଣ୍ଡାକୁ ଯାଇ ଖେତରୁ ଧାନ ଆଉ ଘର ଖଳାରୁ କଳେଇ ବିଡ଼ା ଖାଉଚନ୍ତି–ପାଖରେ ମଣିଷ ପାଇଲେ ମାଡ଼ି ଦଉଚନ୍ତି । ରେଞ୍ଜରବାବୁଙ୍କର କଥା ଶୁଣିକି ମୋର ତ ହାତୀଟା ପାଇଁ ଖୁବ୍ ଦୟା ହେଲା । ପେଟବିକଳରେ ସିନା ଗାଁଗଣ୍ଡାର ଖେତ-ବାରିକି ହାତୀ ଯାଇଥିଲା ! ଖେତରେ ଧାନ ଖାଇଲା ବୋଲି, କି ଖଳାରୁ ପାଳବିଡ଼ା ଖାଇଲା ବୋଲି ରାଗରେ ମଣିଷ ସବୁ ଖନ୍ଦା ବନ୍ଧୁକରୁ କି ନଳିରୁ ଗୁଳି ଫୁଟେଇଲେ । ସେ ଗୁଳିସବୁ ହାତୀର ମୋଟା ଚମଡ଼ା ଭେଦକରି ବେଶି ବାଟ ନପଶି ଚମଡ଼ା ତଳକୁ ରହିଲା । ଘା ପୁଜ ହେଇ ପରାଶ୍‌ ହେଲା ଯେ ହାତୀ ବାୟାପରି ହେଲା–ଯାହାକୁ ପାଇଲା ପାଖରେ ମାଇଲା । ହାତୀର ଦୋଷ ତ କିଛି ନାହିଁ ! ! ହେଲେ ଆମର ସମାଜର ରୀତି ହେଲା ଯେ ଯଦି କୌଣସି ଜନ୍ତୁ ମଣିଷଜୀବନ ନଷ୍ଟ କରେ ସେ ଜନ୍ତୁକୁ ବିନାଶ କରିବାକୁ ହବ ।

 

ଚନ୍ଦକା ଅଞ୍ଚଳର ବଣଟା ଛୋଟ, ଆକାରରେ । ସେଠି ବେଶି ହାତୀ ରହିପାରିବା ଭଳି ଗଛପତ୍ର ନାହିଁ । ଗୋଟିଏ ହାତୀ ପରା ଦିନକୁ ଦୁଇ ମହଣ ପତ୍ର ଖାଇବ । ହାତୀର ବଂଶ କିଛି କମେଇବା ଦରକାର । ଆଗକାଳରେ ରାଜାମହାରାଜାମାନେ ଖେଦାରେ ହାତୀ ଧରୁଥିଲେ । ସେ ହାତୀ ନିଜେ ନିଜେ ରଖୁଥିଲେ; ହାଟବାଟରେ ବିକୁଥିଲେ ବି । ଏବେ ତ ଆଉ ହାତୀ ବିକ୍ରି ହଉନାହାନ୍ତି କି ଖେଦାରେ ହାତୀ ଧରିବାକୁ କେହି ମନ କରୁନାହାନ୍ତି । ଏଇ କେଇ ବର୍ଷ ଆଗରୁ ମହୀଶୂର ସରକାର ଖେଦାକରି ସତୁରି ଘର ହାତୀ ଧରିଥିଲେ । ଖେଦା ଦେଖିଯିବାପାଇଁ ଟିକଟ କରିଥିଲେ–ପ୍ରତି ଟିକଟ ପାଞ୍ଚଶ ଟଙ୍କା କରି । ଲକ୍ଷ ଲକ୍ଷ ଟଙ୍କା ପାଇଥିଲେ ଖର୍ଚ୍ଚବାର୍ଚ୍ଚ ବାଦେ । ଯଉ ହାତୀସବୁ ଖେଦାରେ ପଡ଼ିଥିଲେ ତାଙ୍କୁ ସବୁ ବିକିବାକୁ ବସିଲେ । ବଡ଼ ବଡ଼ ହାତୀଙ୍କି କାଠ କଣ୍ଟ୍ରାକ୍ଟର ନିଅନ୍ତି ଜଙ୍ଗଲରେ କାଠ ଟଣାଟଣି ପାଇଁ । ଏବେ ତ ମିସିନ୍ ହେଲାଣି–ଅଳ୍ପ ଖର୍ଚ୍ଚରେ କାଠ ଆସିପାରିବ । ହାତୀକୁ କିଏ ପୋଷେ ? ଛୋଟ ଛୋଟ ହାତୀଙ୍କି ସବୁ ସର୍କସବାଲାଏ ଆଉ ଚିଡ଼ିଆଖାନାମାନେ କିଣନ୍ତି । ଶୁଣିଲେ ଯେ ମହୀଶୂରର ହାତୀମାନେ ବିକ୍ରି ହୋଇପାରିଲେ ନାହିଁ । ସରକାର ବର୍ଷେ ଦି’ ବର୍ଷ ତାଙ୍କର ଖାଇବା ଯୋଗାଇବାକୁ ଯାଇ ସବୁ ଲାଭତକ ଖର୍ଚ୍ଚ କରିଦେଲେ; ଫେର୍ ହାତୀଙ୍କୁ ସବୁ ବଣରେ ଛାଡ଼ିଦେଲେ । ଏଇ କଥା ଦେଖିଶୁଣି କିଏ ଆଉ ହାତୀଧରାରେ ମନ ବଳେଇବ ?

 

ଏଇରକମ ଭାବୁ ଭାବୁ ଆସି ଘୁଷୁରିଆପଦାଠି ପହୁଞ୍ଚିଗଲୁ । ସେଠି ଝାଟିମାଟିର ଚାରି ପାଞ୍ଚ ବଖରାର ଘରଟିଏ ହେଇଚି । ଦୁଇ ଚାରିଜଣ ବନବିଭାଗର ଗାର୍ଡ଼ ରହନ୍ତି । ସେ ଅଞ୍ଚଳରେ କାଳେ କାଠ ଚୋରି ଖୁବ୍ ହୁଏ । ସେଇ ଚୋରି ରୋକିବାକୁ ଏଇ ବସାଘରଟା ହେଇଚି । ତାଙ୍କ ପାଇଁ କୂଅଟିଏ ନାହିଁ । ସେମାନେ ପାଖର ନାଳରୁ ପାଣି ଆଣନ୍ତି ଯେ ହାତୀ ରୋଜ ତାଙ୍କର ବାଲିଚୁଆ ଗୁଡ଼ାକ ଭାଙ୍ଗି ଦଉଥାଏ । ସେଇ ପାଖେଆଖେ କାଳେ ଢେର୍ ହାତୀ ରହନ୍ତି । ସେଇଠି ଜିପରୁ ଓହ୍ଲେଇକି ଗଲୁ ବଣ ଭିତରର ନାଳକୁ ଯଉଠି ହାତୀ ପାଣି ପିଇଥିବ । ନାଳଟା ତ ଶୁଖିଯାଇଥାଏ–ଠାଏ ଠାଏ ଟିକେ ରଞ୍ଚେ ପାଣି ଥାଏ । ପ୍ରାୟ ଦୁଇ କିଲୋମିଟର ତଳକୁ ଗୋଟିଏ ଗଣ୍ଡଭଳିଆ ଅଛି ଯେ ସେଠି ଆଣ୍ଠୁଏ କି ଅଣ୍ଟାଏ ପାଣି ଅଛି । ସେଠିକି ଯାଇ ଦେଖୁ ତ ହାତୀର ଖୋଜ ଢେର୍‌ । ଛୋଟ ବଡ଼ ହେଇକି ପ୍ରାୟ ପନ୍ଦର କି କୋଡ଼ିଏଟି ହାତୀ ପାଣିକି ଆସିଥିଲେ । ସେ ଭିତରେ ଆମର ମାରଣା ଦନ୍ତାଟା ନାହିଁ ଜଣାଗଲା । ମାରଣା ହାତୀର ପାହୁଲ ଗୋଟିଏ ଗୋଟିଏ ଚଲା ପରିକା ବଡ଼ ବଡ଼ କାଳେ । ସେଇ ନାଳର ବାଲି ପାଖରେ ଦେଖି ଦେଖି ଫେର୍‌ ଦୁଇ କିଲୋମିଟର ଗଲୁ । ଆଉ ଗୋଟେ ଖୋଲ ପରି ଜାଗା–ପାଣି ମୁନ୍ଦେ ବେଶିକି ଅଛି । ସେଇଠି ଦେଖିଲୁ ଗୋଟିଏ ଦନ୍ତା ହାତୀର ଖୋଜ ପଡ଼ିଚି । ସତରେ ସେ ଖୋଜଗୁଡ଼ାକ ଖୁବ୍‌ ବଡ଼ ବଡ଼ । ହାତୀର ଖୋଜରୁ ମାପିକି ଦେଖିଲି ଯେ ହାତୀଟାର ଉଚ୍ଚତା ପ୍ରାୟ ଦଶଫୁଟ ଯାଏ ହବ । ସେଇ ମଡ଼ା ଦେଖି ଦେଖି ଗଲୁ–ଚାଲିଚୁ ତ ଚାଲିଚୁ । ଏପାଖ ବଣରୁ ସେପାଖ କୁପ୍‌ । ଫେର୍‌ ନାଳ ପାରହୋଇ ସେ ପାଖର ମୁଣ୍ଡିଆ–ଏମିତି ଘୂରିଲୁ ଦିନଟା ସାରା । ଖିଆ ନାହିଁ କି ପିଆ ନାହିଁ । ପାଖରେ ବୋତଲେ ଲେଖେ ପାଣି ଧରିଥିଲୁ; ସବୁ ଶେଷ ହେଲା । ବେଳବୁଡ଼ ହେଲାବେଳକୁ ଆଉ ପାଦ ଉଠିଲାନି । ସେଇଠୁ ଫେରିଲୁ ଚନ୍ଦକା–ଚନ୍ଦକାରୁ ଗାଡ଼ିନେଇ ନନ୍ଦନକାନନ ପହଞ୍ଚୁ ପହଞ୍ଚୁ ସଞ୍ଜ ହେଲା ।

 

ଗୋଡ଼ହାତ ଦେହ ତ ପରାଶ ହୋଇଥାଏ ଖୁବ୍‌ । ଦିନଟାଯାକ ଓଜନିଆ ଦି’ନଳିଆ ରାଇଫଲ୍‌ କାନ୍ଧରେ ପକାଇ ହାତୀମଡ଼ା ଦେଖି ଦେଖି ବୁଲିଚୁ । ସକାଳୁ ଯାହା ଦି’ଖଣ୍ଡ ବିସ୍କୁଟ୍‌ ଆଉ ଦି’ଟା ସିଝା ଅଣ୍ଡା–ଦିନ ସାରାରେ ବୋତଲେ ପାଣି । ପେଟ ଯାଇ ପିଠିରେ ଲାଗିଥାଏ ଆଉ ଜିଭଟାମାନ କୁକୁର-ଜିଭ ପରିକା ପାଟି ବାହାରକୁ ବାହାରିଥାଏ ଚନ୍ଦକା ପହୁଞ୍ଚିଲା ବେଳକୁ । ରେଞ୍ଜରବାବୁଙ୍କ ଘରୁ ଢାଳେ ଲେଖେ ପାଣି ପିଇଲୁ, ତା’ପରେ ଯାଇ ବଳ ହେଲା ଗାଡ଼ି ଚଳେଇ ଡେରାକୁ ଯିବାକୁ ।

 

ଗରମ ପାଣିରେ ଲୁଣଟିକେ ପକେଇ ସେଇ ପାଣିରେ ଗୋଡ଼ ବୁଡ଼େଇ କିଛି ସମୟ ରଖିବାରେ ଯାଇ ଗୋଡ଼ର ପାଦର ପରାଶ୍‌ କମିଲା । ସଅଳ ଖିଆପିଆ ସାରି ଶୋଇବାକୁ ଯାଉଚୁ–ଗୁରୁପ୍ରସାଦ ବାହାରୁ ମୋତେ ଡାକିଲା । ସେଇ ଚଟିଘରଟା ତ ବଣଭିତରେ–ଚୁଡ଼ଙ୍ଗ ହ୍ରଦ କୂଳରେ ଏକଦମ୍‌ । ଘରୁ ପଦାକୁ ଆସି ଟର୍ଚ୍ଚ ପକେଇଲାରୁ ଦେଖେ ଯେ କୋଡ଼ିଏ କି ପଚିଶ ମିରିଗ ହ୍ରଦକୂଳରେ ଚରୁଛନ୍ତି । ଅଧଘଣ୍ଟେ ଖଣ୍ଡେ ବସିକି ଦେଖିଲୁ–ନିଦରେ ଆଖିପତା ଯେତେବେଳେ ଓଜନିଆ ହେଲା ଯାଇକି ଶୋଇପଡ଼ିଲୁ ।

 

ତା’ପରଦିନ ସକାଳଟା ଖୁବ୍‌ଥଣ୍ଡା ହୋଇଥାଏ । ରାତିରେ ଝଡ଼ ହେଇଥାଏ ଆଉ ଖୁବ୍‌ ଅସରାଏ ବର୍ଷା ବି ହେଇଥାଏ । ଇମିତିକା ପାଗରେ ବେଶି ବାଟ ଚାଲିବାକୁ କମ୍‌ କଷ୍ଟ ହୁଏ । ପୂର୍ବଦିନ ପରି ବେଳାବେଳି ଚା’ ହେରିକା ଖାଇ ଚନ୍ଦକାରେ ରେଞ୍ଜରବାବୁଙ୍କ ପାଖରେ ପହଞ୍ଚିଗଲୁ । ସେଦିନ ବି କର୍ପୋରେସନ ଜିପ୍‌ ଖଣ୍ଡେଦୂର ଆମକୁ ନେଇଯିବାକୁ ରାଜି ହେଇଥାଏ । ତାଙ୍କ ଅଫିସର୍‌ ବି ଏଇ ଶିକାରରେ ଖୁବ୍‌ ଆଗ୍ରହ ଦେଖେଇଥିଲେ । ହାତୀ ଯୋଗୁରୁ ତାଙ୍କର କାମରେ ବି ବାଧା ହଉଥାଏ ପରା । ସେଦିନ ଚନ୍ଦକା ଗାଁଯାକ ଆସିଥାନ୍ତି ଆମକୁ ସାହାଯ୍ୟ କରିବାକୁ । ଥାନାବାବୁ–ବାହିନୀପତି–ରେଞ୍ଜରବାବୁ ହେରିକା ସମସ୍ତେ ବାହାରିଲେ ଆମ ସାଙ୍ଗରେ ଯିବାକୁ । ସମସ୍ତିଙ୍କି ତ ଜିପ୍‌ରେ ଜାଗା ହେଲାନି । ଥୋକେ ବାହାରିଲେ ଚାଲି ଚାଲି ବଣଟାଯାକ ଖୋଜିବାକୁ-। ଆମେ ଜିପ୍‌ରେ ସିଧା ଗଲୁ ଘୁଷୁରିଆପଦା ଚଟିଘରଟିକୁ । ସେଇଠି ଖବର ମିଳିଲା ଯେ ତା’ ପୂର୍ବ ରାତିରେ ହାତୀ ଧୋବାବନ୍ଦଆଡ଼େ ଯାଇଚି । ସେଇଠୁ ପ୍ରାୟ ତିନି ଚାରି କିଲୋମିଟର ପଶ୍ଚିମକୁ ଧୋବାବନ୍ଦ ଜଙ୍ଗଲ–ସେଇଠି ଗୋଟିଏ ପୋଖରୀ ଥିଲା ଜନ୍ତୁଜୁନ୍ତା ପାଣି ପିଇବାପାଇଁ-। ସେ ପୋଖରୀ ତ ଶୁଖିଗଲାଣି । କାଦୁଅ ଖୋଳିଲେ ଟିକେ ରଞ୍ଚେ ପାଣି ମିଳେ । ହାତୀ ସେମିତି ଖୋଳି ପାଣି ପିଇଥାଏ । ତା’ର ଖୋଜଚିହ୍ନ ପରିଷ୍କାର ପଡ଼ିଥାଏ । ପୋଖରୀଠୁ ଦୁଇଶହ ମିଟର ପଛକୁ ଜିପ୍‌ ରଖି ଆମେ ସବୁ ଯାଇଥାଉ । ପୋଖରୀ ଚାରିପଟେ ସାଗୁଆନ ଜଙ୍ଗଲ । ଗଛଗୁଡ଼ାକ ଆଠଦଶ ବର୍ଷର–ଛୋଟ ଛୋଟ ଗଛ । ପୋଖରୀର ହୁଡ଼ା ପାରହେଇ ହାତୀର ମଡ଼ା ଦେଖି ଦେଖି ସାଗୁଆନ ବଣରେ ପଶିଲୁ । ଦେଖିଲୁ ଯେ ଗୋଟେ ସାଗୁଆନ ଗଛକୁ ହାତୀ ଗଡ଼େଇ ଦେଇ ମାଡ଼ି ମକଚି ଦେଇଚି । ସାଗୁଆନ ପତ୍ର କି ଡାଳ ତ ହାତୀ ଖାଏନି–ପତ୍ରଗୁଡ଼ାକ ଆଁସୁ ଭର୍ତ୍ତି, ଖସଖସିଆ-। ଗଛଟା ଭାଙ୍ଗିଲା କିଆଁ ? ଏଇ ପ୍ରଶ୍ନଟା ପଚାରିଲି ରେଞ୍ଜରବାବୁଙ୍କୁ–ଠାରିକି କଥାବାର୍ତ୍ତା । ସେଠି ତ ଆଉ ପାଟିତୁଣ୍ଡ କରି ହବନି–ହାତୀ ପାଖରେ କଉଠି ଥିବ । ହାତୀ ମଣିଷଗନ୍ଧ ପାଇଲେ ତଡ଼ିଆଣେ-

 

କୁଳମଣିବାବୁ ବି ଠାରିକି ମୋତେ ଜବାବ ଦେଲେ ଯେ ହାତୀଟା ପାଗଳ ହେଇଚି କି କ’ଣ । ଦଶ କଦମ୍‌ ଦୂରରେ ଆଉ ଗୋଟେ ଗଜା ସାଗୁଆନ ଗଛ ସେମିତି ଶୋଇଚି । ଗଲା ରାତିର ବର୍ଷାରେ ମାଟିଟା ତ ବେଶ୍‌ ଓଦା ଆଉ ନରମ ହେଇଥାଏ । ହାତୀର ପାଦଚିହ୍ନ ପରିଷ୍କାର ଦେଖାଯାଉଥାଏ–ହେଲେ, ଆଉ ମଡ଼ା ଦେଖିବା ଦରକାର ପଡ଼ିଲାନି । ପ୍ରତି ଦଶ ପନ୍ଦର କଦମ୍‌ରେ ଗୋଟେ ଲେଖେ ସାଗୁଆନ ଗଛ ଭାଙ୍ଗିଥାଏ । ସେଇ ଭଙ୍ଗା ଗଛସବୁ ହାତୀର ଯିବା ବାଟ ଆମକୁ ପରିଷ୍କାର କରିଦେଲା । ସାଗୁଆନ ବଣ ପାର ହେଇ ହାତୀ ଯାଇ ବାଉଁଶ ବଣରେ ପଶିଚି । ବାଉଁଶବଣରେ ତ ଧାନ ହେଇଥାଏ–ପତ୍ର ଗୋଟାଏ ବି ନ ଥାଏ । ହେଲେ ବି ବାଉଁଶବୁଦା ଆଉ ଲଟି ଏଡ଼େ ଗହଳି ହେଇଥାଏ ଯେ ମାତ୍ର ଦଶ କଦମ୍‌ ଦୂରକୁ ଦେଖି ହଉଥାଏ । ଶୁଣିଥାଏ ତ ହାତୀଟା ମଣିଷଗନ୍ଧ ପାଇଲେ ଗାଲେଇକି ଗଛ ଉହାଡ଼ରେ ଛପିଯାଏ–ପାଖକୁ ମଣିଷ ଆସିଲେ ଥୋଡ଼ପାହାଡ଼ରେ ଧରି ପାଦରେ ଦଳିଦିଏ । ଏଇ କଥା ସବୁ ହେଜିକି ସାବଧାନ ତ ଖୁବ୍‌ ହବାର କଥା–ହେଲେ ଛାତି ଭିତରଟା ଯେ ହୁର୍‌ହୁର୍‌ କରୁଥାଏ–ଧଡ଼କାଣିଟା ଦୂରକୁ ଶୁଭୁଥିବ ତ । ପବନ କଉ ଦିଗରୁ ବହୁଚି ଭଲରକମ ବାରିନବା କଥା । ହାତୀ ଆଡ଼ୁ ଆମ ଆଡ଼କୁ ପବନ ବହୁଥିଲେ ସୁବିଧା–ଆମେ ହାତୀ ପାଖକୁ ଯାଇପାରିବା, ହାତୀ ଜାଣିପାରିବନି । ମାଟିଟା ତ ଓଦା, ଆମର ପାଦଶବ୍ଦ ଜମାରୁ ଶୁଭିବନି–ସାବଧାନରେ କାଠି କି ଖୁଣ୍ଟ ଦେହରେ ପାଦ ନ ପଡ଼ିଲେ ହେଲା । ହାତୀର ଶୁଣିବା ଶକ୍ତି ଆଉ ଶୁଙ୍ଘିବା-ଶକ୍ତି ଖୁବ୍‌ ପ୍ରଖର କି ନା, ସେଇ ଦୁଇଟାକୁ ଜଗିବାକୁ ହେବ । ପବନ ବାରିବା ପାଇଁ ଶୁଖିଲା ଧୂଳି ଟିକେ ଦରକାର । ଓଦା ମାଟିରେ ଶୁଖିଲା ଧୂଳି କଉଠି ପାଇବା-। ଶୁଖିଲା ପତରରେ ବି କାମ ଚଳିଥାନ୍ତା–ତା’ ବି ନାହିଁ । ଗାଲରେ ଟିକେ ପାଣି କି ଛେପ ମାରି ପରଖ କରିବାକୁ ହେଲା । ପବନଟା କିନ୍ତୁ ଥିର ରହୁନଥାଏ । କେତେବେଳେ ଏପଟୁ ତ କେତେବେଳେ ସେପଟୁ ହେଲା ପରିକା ମନେହେଲା । ଏ ଅବସ୍ଥାରେ ଆଗେଇବା କଷ୍ଟ । ପାଦେ ଯାଇ ଦଣ୍ଡେ ଶୁଣିବାକୁ ହେଲା । ଏଇମିତି ଅଧଘଣ୍ଟେ ବାଉଁଶ ବୁଦାରୁ ବାଉଁଶ ବୁଦା ଯାଇ ଦେଖିଲି–ମନେହେଲା ଯେ ହାତୀଟା ଖୁବ୍‌ ପାଖରେ କଉଠି ଅଛି । ଆଉରି ବି ମନେହେଲା ଯେ ହାତୀ ଜାଣିପାରିଚି ଯେ ଆମେ ପାଖରେ ଅଛୁ ବୋଲି । ଚୁପ୍‌ଚାପ୍‌ ଛିଡ଼ା ହେଇକି ଆମକୁ ଅପେକ୍ଷା କରୁଚି-। ନହେଲେ ତ ଡାଳପତ୍ର ଭାଙ୍ଗୁଥାନ୍ତା ଯେ ବହେ ବାଟକୁ ଶୁଭନ୍ତା । ତା’ ଛଡ଼ା ହାତୀର ପେଟଟା ବି ଗର୍ଜନ କରନ୍ତା ଯେ ଆମେ ପଚାଶ ଶହେ କଦମ୍‌ ଦୂରରୁ ଶୁଣିପାରନ୍ତେ । ପେଟର ଗର୍ଜନଟା ହାତୀ ସହଜରେ ବନ୍ଦ କରିପାରେନି । ଖୁବ୍‌ ସାବଧାନ ହେଲେ–ଖୁବ୍‌ ତରକିଲେ ଯାଇ ପେଟଟା ତା’ର କିଛି ସମୟ ପାଇଁ ନିଶବ୍ଦ ହୁଏ । ଏଇଥିରୁ ମନେହେଲା ସେ ଆମକୁ ଧରିବା ପାଇଁ ଛପିଚି ନିଶ୍ଚେ-। ଭାରି ଡର ଲାଗିଲା । ମୋ ସାଙ୍ଗରେ ଥାଏ ମୋର ସାନଭାଇ ଗୁରୁ–ଆଉ କୁଳମଣିବାବୁ, ବାହିନୀପତିବାବୁ, ଜଗନ୍ନାଥ, ଲୋକନାଥ ହେରିକା । ସେମାନଙ୍କର ଜୀବନରକ୍ଷା ପାଇଁ ମୁଁ ଦାୟୀ-। ଆଉ ମୋର ତ ଭରସା କେବଳ ଦି’ନଳିଆ .୪୭୦ ରାଇଫଲ୍‌ ଆଉ ଛାତିରେ ଦମ୍ଭ । ହେଲେ ଛାତିଟା ତ ଧଡ଼ ଧଡ଼ ହେଲାଣି ସେତେବେଳେ । ଏଇ ଅବସ୍ଥାରେ ଶୁଣିଲି ଜିପ୍‌ର ହର୍ଣ୍ଣ । ତୁହାଇ ତୁହାଇ ହର୍ଣ୍ଣ ବାଜିଲା । ମନେହେଲା ଯେମିତି ଆମୁକୁ ବଡ଼ ବିକଳରେ ଡାକୁଚି । ହାତୀ ଆଉ ବୁଲିଯାଇ ଜିପ୍‌କୁ ଭାଙ୍ଗିଲା କି ? ଦୌଡ଼ିକି ଗଲୁ ଜିପ୍‌ ପାଖକୁ । ସେଠି ଯାଇ ଦେଖୁ ତ ଡ୍ରାଇଭର ପାଖରେ ଚାରିପାଞ୍ଚଜଣ ଲୋକ ଜମା ହେଇଚନ୍ତି । ସେମାନେ କହିଲେ ଯେ ହାତୀ ଲୋକମାନଙ୍କୁ ତଡ଼ୁଚି ଘୁଷୁରିଆପଦା ସେପାଖ ରଗଡ଼ିରେ । କହିଲେ, ବାବା କେଡ଼େ କେଡ଼େ ଦାନ୍ତ ସେ ହାତୀର-!! ଜିପ୍‌ରେ ସବୁ ବସିଲୁ । ସେପାଖ ବଣକୁ ଯାଇ ପହୁଞ୍ଚିଲାବେଳକୁ ସେଠି ଦଳେ ଲୋକ ଆମକୁ କହିଲେ ଯେ ମୁଣ୍ଡିଆ ଉପରକୁ ହାତୀ ଉଠିଯାଇଚି । ଜିପ୍‌କୁ ସେଇଠି ରହିବାକୁ କହି ଚାଲିଲୁ-। ପବନ ପରୀକ୍ଷା କରି ଦେଖେ ତ ପବନ ଆମ ଆଡ଼ୁ ମୁଣ୍ଡିଆ ଆଡ଼କୁ ବହୁଚି । ଜଗନ୍ନାଥକୁ କହିଲି ସେ ବାଟ ବତଉ; ଯେମିତି ମୁଣ୍ଡିଆର ଆରପଟୁ ଆମେ ଆସିବା । ସେ କହିଲା ସେପଟ ତ ମୁଣ୍ଡିଆକୁ ଚଢ଼ିବାର ବାଟ ନାହିଁ; ଖାଲି ଢିମା ଢିମା ପଥର । ଚଢ଼ିବାକୁ କଷ୍ଟ ହଉ ପଛେ ସେଇ ପଟୁ ଆସିବାକୁ ହବ; ଏ ପଟୁ ପବନ ବହୁଚି–ଆମେ ପାଖରେ ପହୁଞ୍ଚି ହାତୀକି ଦେଖିବାର ଅନେକ ଆଗରୁ ସେ ଆମର ଗନ୍ଧ ପାଇଯିବ । ହୁଏତ ପଳେଇବ ନହେଲେ ଆମକୁ ଗୋଡ଼େଇକି ଧରିବାକୁ ଚେଷ୍ଟା କରିବ ।

 

ଜଗନ୍ନାଥ ଆଉ ଧ୍ରୁବ ବାଟ କଢ଼େଇ ମୋତେ ଓ ଗୁରୁକୁ ନେଲେ । କୁଳମଣିବାବୁ ଆଉ ବାହିନୀପତିବାବୁ ମୁଣ୍ଡିଆ ତଳେ ଗଛମୂଳେ ବସିଲେ । ଆମର ପାଣିବୋତଲ, ଅଧିକା କାର୍ତ୍ତୁସ୍‌ ଡିବାସବୁ ତାଙ୍କ ପାଖରେ ଛାଡ଼ି ଆମେ ମୁଣ୍ଡିଆ ଚଢ଼ିଲୁ । ଗୋଟେ ପାଦ ପକଉ ଟିକେ ଶୁଣୁ–ପବନ ବାରୁ–ଫେର୍‌ ଆଉ ଗୋଟେ ପାଦ ପକଉ ।

 

ଢିମା ପଥର ଉପରେ ଢିମା ପଥର; ପାଦ ରଖିବାକୁ ଏତେ ଟିକେ ନାଁକୁ ଜାଗା–ଧରିବାକୁ ସାହାରା କିଛି ନାହିଁ । ସିଧା କାନ୍ଥ ପରିକା ହେଇଚି–ତିନି ମହଲା କୋଠା ସମାନ ଉଚ୍ଚା । ଭାଗ୍ୟକୁ ସେତେବେଳେ ଖରା ଟାଣ ହେଇଗଲାଣି । ଶୁଖିଲା ପତର ସବୁ ପବନରେ ସଡ଼ସଡ଼ ଶବ୍ଦ କରୁଥାଏ ଯେ ଆମର ରବର ଜୋତାର ମସ୍‌-ମସ୍‌ ଶବ୍ଦଟା ଲୁଚିଯାଉଥାଏ । ପାଦ ତଳୁ ଯଉ ବାଲି ଖସି ପଡ଼ୁଥାଏ, ସେଇ ଶବ୍ଦରେ ହାତୀ ଜାଣିପାରିଥାନ୍ତା ଆମେ କେଉଁଠି ଅଛୁ ବୋଲି । ଘଣ୍ଟାଟିଏ ଲାଗିଲା ସେତକ ପଥର ଚଢ଼ିବାକୁ । ଉପରକୁ ଉଠି ଦେଖେ ତ ଲଟି ଆଉ ଗଛପତ୍ରରେ ଉପରର ସମତୁଲ ଜାଗାଟା ବେଶ୍‌ ଖୁବ୍‌ ଘଞ୍ଚ ହେଇଥାଏ । ଏତେ ଘଞ୍ଚ ଯେ ପାଞ୍ଚ କଦମ୍‌ ଦୂରକୁ ଦେଖିବା କଷ୍ଟ । ହାତୀ ଯେ ଆଗରେ ଗଛଗହଳିରେ କଉଠି ଅଛି ପରିଷ୍କାର ଜଣାପଡ଼ୁଛି । କାନ ଫଟ୍‌ ଫଟ୍‌ ଶୁଭୁଚି–ପେଟର ଗର୍ଜନ ବି ଶୁଭୁଚି । ଆମେ ଯଉ ପଥର ଚଟାଣ ଉପରେ ଛିଡ଼ା ହେଇଥାଉ, ତା’ ଆଗକୁ ଗୋଟିଏ ଅତାଣ୍ଡି ଲଟି ମାଡ଼ିଥାଏ ଗଛଉପରକୁ । ସେଇ ଲଟି ତଳେ ପେଟେଇ ପେଟେଇ ଆଉ ଦୁଇ ପାଞ୍ଚ କଦମ୍‌ ଆଗେଇଲୁ । ଶବ୍ଦରୁ ଜଣାଯାଉଥାଏ ଯେମିତି ସେଠି ଗୋଟାଏ ନୁହେଁ, ବେଶି ଗୁଡ଼େ ହାତୀ ଅଛନ୍ତି ବୋଲି ଭାବିଲି, ଏ ଦଳଟା ମାଈହାତୀପଲ କି ଆଉ ! ମାରଣା ଦନ୍ତାଟା ତ ଏକୁଟିଆ ରହୁଛି–ହାତୀପଲ ଭିତରେ ମାରଣା ଦନ୍ତା ରହେନି । ଜଗନ୍ନାଥକୁ କହିଲି ଯେ ସେ ଟିକେ ପଛକୁ ବାଁ ପାଖକୁ ଯଉ ମଙ୍କଡ଼ପିଛଳା ଗଛଟା ଅଛି, ସେଇଟାରେ ଚଢ଼ିକି ଭଲକରି ଅନିଶା କରୁ–ଆଗରେ କେତେଟା ହାତୀ ଅଛନ୍ତି । ସେ ଯାଇକି ଗଛରେ ଚଢ଼ୁଥାଏ; ଏଣେ ମୁଁ ଦେଖିଲି ଯେ ଗୋଟେ ହାତୀ ଆମ ଆଡ଼କୁ ଅନେଇ ଶୁଣ୍ଢଟା ଉପରକୁ ଟେକି ପବନ ବାରୁଚି–କାନକୁ ଠିଆକରି ଆମର ଶବ୍ଦ ଶୁଣିବାକୁ ଚେଷ୍ଟା କରୁଚି । ହାତୀଟା ବେଶ୍‌ ବଡ଼–ବୁଢ଼ା ହେଲାଣି ବୋଧହୁଏ, ହେଲେ ଦାନ୍ତ ନାହିଁ–ବୁଢ଼ୀ ମାଈହାତୀ–ସେ ପଲଟାର ବୋଧହୁଏ ନେତା । ପଲର ଭଲ ମନ୍ଦ ବୁଝାବୁଝି କରେ–ବିପଦ-ଆପଦ କୁଆଡ଼ୁ ଆସିପାରେ ନଜର ରଖେ । ପାଖରେ ନିଶ୍ଚୟ ଆଉ କେତେଗୁଡ଼ିଏ ମାଈହାତୀ ଆଉ ଛୁଆ ରହିଚନ୍ତି ନିଶ୍ଚୟ । ଆମେ ତ କାଲି ପାଣି ପାଖରେ ଦଳେ ମାଈହାତୀ ଆଉ ଛୁଆ ହାତୀର ଖୋଜ ଦେଖିଥିଲେ–ସେଇ ପଲଟା ବୋଧହୁଏ । ଜଗନ୍ନାଥକୁ ଇସାରା କଲି ଓହ୍ଲେଇବା ପାଇଁ । ସେ ବି ଆସିକି କହିଲା ଯେ ସେ ଚାରି କି ଛଅଟି ମାଇହାତୀ ଓ କେତେଗୁଡ଼ା ଛୁଆହାତୀ ଦେଖିଲା ବୋଲି । ମୁଣ୍ଡିଆରୁ ଓହ୍ଲାଇଲା ବେଳକୁ ଦିନ ବାର ହେଲାଣି । ଫେର୍‌ ଫେରିଲୁ ଧୋବାବନ୍ଦ ପୋଖରୀଠେଇକି । ଜଗନ୍ନାଥ ଆଉ ଧ୍ରୁବ ହାତୀର ମଡ଼ା ଦେଖି ଦେଖି ଆଗେଇଲେ । ମୁଁ ଓ ଗୁରୁ ପଛେ ପଛେ ଚାଲିଥାଉ । ବାହିନୀପତିବାବୁ ମୋର ଛୋଟ ରାଇଫଲ କାନ୍ଧେଇକି ଟିକେ ପଛକୁ ଚାଲିଥାନ୍ତି । କୁଳମଣିବାବୁ କହିଲେ ଯେ ସେ ଆଉ ପାରୁନାହାନ୍ତି–ଜିପ୍‌ରେ ବସି ରହିଲେ । ଏଇମିତି ଖୋଜ ଦେଖି ଚାଲିଥାଉ–ସାଗୁଆନ ବଣ–ବାଉଁଶ ବଣ–ନାଳ–କଣ୍ଟାଝଣ୍ଟା ଭିତର ଦେଇ ଡମପଡ଼ା ଆଡ଼କୁ । ଦିନ ତିନିଟା ବେଳକୁ ଆଉ ବଳ ପାଉ ନ ଥାଏ ଚାଲିବାକୁ । ରାଇଫଲ୍‌ଟା ତ ଯିମିତି ମହଣେ ଓଜନ ପରି ଲାଗୁଥାଏ । ଭାବୁଥାଏ ଏଥର ଲେଉଟିବା ପାଇଁ କହିବା ।

Image

(ଚନ୍ଦକା ବଣରେ ମାରଣା ହାତୀର ଶେଷ)

 

ଗୋଟେ ଗଛତଳେ ବସିପଡ଼ିଲି । ଜଗନ୍ନାଥକୁ ଡାକି ପଚାରୁଥାଏ ଆମେ କେତେ ବାଟ ଆସିଲେଣି । ଏଇ ରକମ ଚାଲିଲେ ସଞ୍ଜ କଉଠି ହବ । ସେତିକିବେଳେ ଶୁଭିଲା କଡ଼କାଡ଼ କରି ଗୋଟେ ଗଛ ଭାଙ୍ଗିବାର ଶବ୍ଦ । ଏଇ ପାଖରେ ଟିକେ ଆଗକୁ । ମୋର ତ ଛାତିଟା ଦାଉଁକିନା ହେଲା । ଏତେ ପାଖରେ ହାତୀ ! ଯା‘ହଉ ଆମର ସୁରାକ୍‌ ସେ ପାଇନି ନିଶ୍ଚୟ–ନହେଲେ ଗଛ ଭାଙ୍ଗି ନଥାନ୍ତା । ଗଛ ଭାଙ୍ଗିଲା–ଡାଳପତ୍ର ତ ଖାଇବ ନିଶ୍ଚୟ–ଶବ୍ଦ ଖୁବ୍‌ ହବ । ପବନ ବାରି ଦେଖିଲି ଯେ ହାତୀ ଆଡ଼ୁ ଆମ ଆଡ଼କୁ ବହୁଚି ଧୀରେ ଧୀରେ । ଜଗନ୍ନାଥ ଆଉ ଧ୍ରୁବ କହିଲେ ଯେ ପାଖରେ ଗୋଟେ ଚଲାବାଟ ଅଛି । ସେଇ ପାଖରେ ଏଇ ଗଛଟା ଭାଙ୍ଗିଚି । ଚଲାବାଟରେ ଗଲେ ପବନ ଆମକୁ ସୁବିଧା ହବ । ଗଲୁ ପାଦ ଚିପି ଚିପି ବନ୍ଧୁକର ସେଫ୍‌ଟି କେଚ୍‌ଟା ଖୋଲିକି-। ଜଗନ୍ନାଥ, ମୁଁ ଓ ଗୁରୁ ଚଲାବାଟରେ ପ୍ରାୟ ପଚାଶ କଦମ ଯାଏ ଯାଇଚୁ–ଆଉ ସମସ୍ତେ ପଛକୁ ରହିଗଲେ–ଶୁଭିଲା ହାତୀ ଚାଲିଛି ପଶ୍ଚିମ ମୁହଁ କରି ।

 

ମୁଁ ଗୋଟେ ଗଛ ଉହାଡ଼ରେ ରହିଲି, ଗୁରୁ ଆଉ ଗୋଟେ ଶିଆଳି ଲଟା ପଛକୁ ରହିଲା, ଅନେଇଥାଉ । ଏଡ଼େ ବଡ଼ ବିରାଟ ମୁଣ୍ଡଟା ଦିଶିଲା–ହାତୀ ଦୋହଲି ଦୋହଲି ଚାଲିଚି ମୋ’ଠୁ ପ୍ରାୟ ତିରିଶ ମିଟର ଦୂରରେ । କାନମୂଳକୁ ଲାଖ କରି ପ୍ରଥମ ଗୁଳି ଫୁଟେଇଲି–ସାଙ୍ଗେ ସାଙ୍ଗେ ଗୁରୁର ରାଇଫଲ ବି ଗର୍ଜିଉଠିଲା । ହାତୀଟା ସେଇଠି ଠିଆହେଇଗଲା–ମୁଁ ଆଉ ଗୋଟେ ନଳି ବି ଲାଛିଲି । ହାତୀ ଆଉ ନଡ଼ଚଡ଼ ହେଇନି–ସେଇଠି ବସିଗଲା । ଗୋଟେ ଛୋଟ ଗଛକୁ ଆଉଜି ରହିଗଲା । ମୁଁ ଦଉଡ଼ିଗଲି ପାଖକୁ–ବାହିନୀପତିବାବୁ ମୋର ଛୋଟ ରାଇଫଲ୍‌ଟା ଆଣିଥାନ୍ତି । ସେଇଥିରେ ମୁଣ୍ଡର ଗେରୁକୁ ଆଉ ଦୁଇ ଗୁଳି ମାଇଲି । ଯଦି ବି ଟିକେ ଜୀବନ ଥିବ ଶେଷ ହେଇଯିବ; କଷ୍ଟ ପାଇବନି ।

 

ଗୁଳିଶବ୍ଦ ଶୁଣି ରେଞ୍ଜରବାବୁ ଜିପ୍‌କୁ ବଣ କଣ୍ଟାରେ ପୂରେଇ ଆସି ପାଖରେ ପହଞ୍ଚିଗଲେ । ଆସିକି ଖୁବ୍‌ ବାଃ ବାଃ କଲେ । ଏତେ ବଡ଼ ଜନ୍ତୁଟା ଯେ ପଡ଼ିଚି ନିର୍ଜୀବ ହେଇ–ଦେଖି ମୋତେ ଦୁଃଖ ଖୁବ୍‌ ଲାଗୁଥାଏ । ପାଣୁ ମଙ୍ଗରାଜର ଆତ୍ମା ଯେମିତି ଆସି ମୋତେ କହିଲା ଯେ ଠିକ୍‌ କରିଚ, ଏ ହାତୀକୁ ମାରିଚ । ପରେ ଦାନ୍ତଗୁଡ଼ାକ କଟାହେଲାବେଳେ ଦେଖେ ଯେ ହାତୀର ପାଟି ଭିତରଟା ଘା ହେଇ ପୋକ ହେଇଚନ୍ତି–ହାତୀ ତ ଖାଇ ପାରୁ ନ ଥିବ । ମୁଣ୍ଡ, କାନ, ଗଳା ଆଉ ଦେହରେ ପଚା ଘା ମାନ ସବୁ ହେଇଚି–ଯେଉଁଠି କି ଗାଁବାଲାଙ୍କର ଖୁନ୍ଦା ବନ୍ଧୁକର ଗୁଳି ବାଜିଥିଲା । ହାତୀଟା ଘା ପୂଜ କଷ୍ଟରେ ବାୟା ପରିକା ହଉଥିଲା; ନହେଲେ କି ସେ ମିଛଟାରେ ଚାଳିଶ କି ପଚାଶଟା ସାଗୁଆନଗଛ ଭାଙ୍ଗିଥାନ୍ତା ?

 

ଦାନ୍ତଗୁଡ଼ାକ କାଟି ଫେରିଲାବେଳକୁ ରାତି ବାର ହେଲା । ଘୁଷୁରିଆପଦା ଚଟିଘର ପାର ହେଲା ପରେ ପଲେ ହାତୀ ଭିତରେ ପଶିଗଲୁ–ମାଈହାତୀ ଆଉ ସାନ ସାନ ପିଲା ହାତୀ–ସେତେବେଳେ ହାତୀଗୁଡ଼ାକ ଯେମିତି ପେଁକାର ରଡ଼ି କଲେ ଶୁଣିଲେ ଡର ଲାଗିବ । ଦଶ ପନ୍ଦର ମିନିଟ ଜିପ୍‌ ଚାରିପାଖରେ ଘୂରା ଫେରା କରି ସେମାନେ ପାଣି ପାଖକୁ ଗଲେ–ଆମେ ପଳେଇଆସିଲୁ ।

 

X X X

 

‘‘ନେ’ ତ ମା’ ଲିଲି–ଅନୁ ମୋ ଉପରେ ଶୋଇ ଗଲାଣି–ତାକୁ ଶୋଇଦେ । ତୁମକୁ ବି ନିଦ ଲାଗିଲାଣି ଦେଖୁଚି । ଶୁଅ ଯା । ଆଉ ଦିନେ କହିବି ଶିକାରୀ କଥା, ଅସ୍ତ୍ର ଶସ୍ତ୍ର, ସାଜ ସରଞ୍ଜାମ କଥା–ବଣରେ ରହିବାର ଚଳିବାର କୌଶଳ କଥା ଯାହାସବୁ ନ ଜାଣିଲେ ଶିକାରରୁ ମଉଜ ମିଳେନି କି ସବୁଦିନ ପାଇଁ ଶିକାର ଖେଳର ସୁବିଧା ରହେନି ।’’

Image